Odisha news

ବିଶ୍ୱପର୍ବ କୃଷ୍ଣ ଜନ୍ମାଷ୍ଟମୀ

0

ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ହିନ୍ଦୁ ଶାସ୍ତ୍ରାନୁସାରେ ସତ୍ୟ ତ୍ରେତୟା ଦ୍ୱାପର ଓ କଳି ବୋଲି ଚାରିଯୁଗ । ସତ୍ୟଯୁଗର ସତ୍ୟନାରାୟଣଙ୍କ ଠାରୁ କଳିଯୁଗର ଜଗନ୍ନାଥ ମାହାପ୍ରଭୁଙ୍କ ବିଷୟରେ ଅନେକ ଗ୍ରନ୍ଥ ରଚନା କରାଯାଇଛି । ତନ୍ମଧ୍ୟରୁ ତ୍ରେତୟା ଯୁଗର ଭଗବାନ ପୁରୁଷୋତ୍ତମ ରାମଙ୍କ ରାମାୟଣ ଏବଂ ଦ୍ୱାପରଯୁ୍ଗର ଭଗବାନ ଯୋଗେଶ୍ୱର କୃଷ୍ଣଙ୍କୁ ନାୟକ ଭାବରେ ନିଆଯାଇ ମହାଭାରତ ପରି ରଚନା କରାଯାଇଥବା ଦୁଇଟି ମହାଗ୍ରନ୍ଥର ସ୍ଥାନ ସ୍ୱତନ୍ତ୍ର । ଆଜିକାଲି ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ନେଇ ସବୁଭାଷାରେ ଏତେ ସିନେମା ଧାରାବାହିକ ପ୍ରସ୍ତୁତ ହେଲାଣି ଯେ ସେମାନଙ୍କ ବିଷୟରେ ସମସ୍ତଙ୍କୁ ସବୁକିଛି ଜଣା । ତେଣୁ ମୁଁ ମୋ’ହିସାବରେ କୃଷ୍ଣଙ୍କୁ ଏବଂ ତାଙ୍କର ଜନ୍ମଦିନ ଏହି ଜନ୍ମାଷ୍ଟମୀ ତିଥିକୁ ଯେମିତି ଜାଣେ ତାହାହିଁ ଲେଖୁଛି । ମଥୁରା ଓ ବୃନ୍ଦାବନରେ କୃଷ୍ଣଜନ୍ମାଷ୍ଟମୀ ଦିନଟିକୁ ବହୁତ ନିଷ୍ଠାର ସହ ପାଳନକରନ୍ତି ।

ମଥୁରା ଓ ବୃନ୍ଦାବନରେ ଏହିଦିନର ମହତ୍ତ୍ୱ ସର୍ବାଧିକ । ମଥୁରାର ସେହି କାରଗାରକୁ, ଯେଉଁଠାରେ ରାକ୍ଷୀପୂର୍ଣ୍ଣିମା ପର ଭାଦ୍ରବମାସର କୃଷ୍ଣପକ୍ଷ ଅଷ୍ଟମୀତିଥିରେ ସ୍ୱୟଂପ୍ରଭୁ ବାଳକୃଷ୍ଣ ମାଆ ଦେବକୀ କୋଳରୁ ଭୂମିଷ୍ଟ ହୋଇଥିଲେ, ୧୯୯୬ମସିହାରେ ଜନ୍ମାଷ୍ଟମୀ ଦିନଟି ସେହି ଭବ୍ୟମନ୍ଦିର ପରିସରରେ ଉପଭୋଗ କରିବାର ସୁଯୋଗ ମୋତେ ପ୍ରାପ୍ତ ହୋଇଥିଲା । ଗୃହକୁ ଦେଖିଲେ ଲାଗିବ ପ୍ରକୃତରେ ଗୋଟିଏ ବନ୍ଦୀଘର । ଜନଶ୍ରୁତି ଅଛି ଭଗବାନଙ୍କ ଜନ୍ମପରେ ଅନ୍ଧାରିଆ ବନ୍ଦୀଗୃହଟି ଅଲୋକିତ ହୋଇଯାଇଥିଲା । ବସୁଦେବଙ୍କ ହାତରେ ବନ୍ଧାହୋଇଥିବା ଲୁହା ଶିକୁଳୀର ବେଡି ଆପେଆପେ ଖୋଲିଗଲା । ଶୂନ୍ୟବାଣି ଶୁଣିଲେ ଯେ ଜନ୍ମିତ ବାଳକୃଷ୍ଣଙ୍କୁ ଯମୁନାନଦୀ ପାରକରି ବୃନ୍ଦାବନର ରାଜାନନ୍ଦଙ୍କର ଉଆସରେ ମାଆ ଯଶୋଦା କୋଳରେ ଦେଇ ତା’ଙ୍କର ନବଜାତ ଶିଶୂକନ୍ୟାଙ୍କୁ ଧରି ରାତାରାତି ଫେରିବାକୁ ହେବ । ବସୁଦେବ ସେହି ଶୂନ୍ୟଆଜ୍ଞା ମାନିଲେ । ଯିବାଠାରୁ ଫେରିବାଯାଏ ସବୁ ଦ୍ୱାରପାଳ ଅଚେତ୍ । ମୁଖ୍ୟଜଗୁଆଳୀ ମହାରାଜ କଂସଙ୍କର ପିତା ଉଗ୍ରସେନଙ୍କୁ ଦିବ୍ୟ ଦର୍ଶନହେଲା । ଯମୁନାନଦୀର ଜଳ ଦୁଇଭାଗରେ ବିଭକ୍ତ ହୋଇଗଲା ଏବଂ ସପ୍ତଫେଣି ବାସୁକିନାଗ ଫଣାଢାଙ୍କି ବାଳକୃଷ୍ଣଙ୍କୁ ବର୍ଷାଜଳରୁ ରକ୍ଷାକଲା ।

ସକାଳୁ ଭଉଣୀ ଦେବକୀର ସନ୍ତାନ ପ୍ରସବ ବିଷୟରେ ଶୁଣି ମହାରାଜା କଂସ ତାକୁ ମାରିବାକୁ ପହଁଚିଲା ବେଳକୁ ଦେଖିଲା ପୂର୍ବ ଶୂନ୍ୟବାଣୀ ହିସାବରେ ଦେବକୀର ଅଷ୍ଟମଗର୍ଭରେ ପୁତ୍ରସନ୍ତାନ ହେବା ବଦଳରେ ଏ କନ୍ୟା କେମିତି ଜନ୍ମହେଲା! ଏବେବି ସେହି ବନ୍ଦିଘର ଅନତି ଦୂରରେ ଗୋଟିଏ ଜଳାଶୟ ଅଛି ଯାହାର ତୁଠପଥରରେ ଦେବକୀର ସାତୋଟି ସନ୍ତାନକୁ କ୍ରୁର କଂସ କଚାଡି ମାରିଥିଲା । ସେହିପରି ଏ କନ୍ୟାକୁ ନେଇ ତା’ମୁଣ୍ଡ ଉପରେ ବୁଲେଇ ସେହିପଥରରେ କଚାଡିଲା ବେଳକୁ ବିଜୁଳିକନ୍ୟା ହାତରୁ ଖସି ଶୂନ୍ୟମାର୍ଗରେ ହସିହସି ଶୂନ୍ୟ ବାଣିହେଲା ଯେ ଶତ୍ରୁ ଗୋପରେ ବଢୁଛି । ପୁତନା, ବକା, ମଘା, ସକଟା ଆଦି କେତେକେତେ ଅସୁରକୁ ମାରିବାପାଇଁ ପଠେଇଲା, ହେଲେ କିଛି ଲାଭ ହେଲାନି । ଶେଷରେ ଛଳନାରେ ଅକ୍ରୁର ହାତରେ ଧନୁଯାତ୍ରା ଦେଖାଇବାକୁ ଡାକି ମାରିବାକୁ ଉଦ୍ୟମ କଲାବେଳେ ନିଜେ ମଲା । କୃଷ୍ଣଙ୍କର ଏପରି ଅଲୌକିକ କାହାଣୀ ମାତ୍ର ବାରତେର ବର୍ଷ ବୟସ ଭିତରେ ସବୁ ଘଟିଛି ।

ଏବେ କିଛିଲୋକ ପୁଅକୁ ନୁଙ୍ଗୁରାମି କରିବା ଦେଖିଲେ କୁହନ୍ତି, – କହ୍ନେଇପରିକା ଗୁଣ କ’ଣ କାଢୁଛୁ! ବାହାଘର କରିଦେବା କି! କେତେ ଗଜମୂର୍ଖ ନିଜେନିଜେ ସଫେଇ ଦିଅନ୍ତି ଯେ କୃଷ୍ଣ କଲେ ଲୀଳା, ଆମେ କଲେ କୀଳା! ମହାଭାରତରେ ଅଭିମାନୀ ଦୁର୍ଯୋଧନ ବି ଏମିତି କୃଷ୍ଣଙ୍କୁ ବହୁତ କଛି କହିବାକୁ ସାହସ କରିଥିଲା । ତୁମେ କାହିଁକି ଗୋପୀଙ୍କର ବସ୍ତ୍ରଚୋରେଇ କଦମ୍ବଡାଳରେ ଲୁଚି ବିବସନାନାରୀଙ୍କୁ ଯମୁନାରେ ସ୍ନାନ କଲାବେଳେ ଦେଖୁଥିଲ? ଏକାଧିକ ଯୁବତୀଙ୍କ ସହ କୁଞ୍ଜବନରେ ରାସଲୀଳା କରି ନାଚିଛ ।

ଷୋଳସହସ୍ର ଗୋପନାରୀଙ୍କ ପାଣିଗ୍ରହଣ କରି ତାଙ୍କୁ ନିଜପ୍ରାସାଦରେ ରଖିଛ । ତୁମେ କାହିଁକି ଅଭିମନୁ୍ୟ, ବେଲାଳସେନ୍, ଦ୍ରୋଣ, ପିତାମହ ଭୀଷ୍ମ , ଗୁରୁଦୋ୍ରଣ ଏବଂ ଅଙ୍ଗରାଜ କର୍ଣ୍ଣଙ୍କୁ ଧୋକ୍କାରେ ମାରିଲ? ଦ୍ୱାରକାରେ ତୁମେ ଦ୍ୱାରକାଧୀଶ, ହେଲେ ତୁମ ବଡଭାଇ ବଳରାମ? ତା’ଙ୍କୁ କିଏ ଜାଣେ! ତୁମେ ସବୁ ନାଟର ଗୋବର୍ଦ୍ଧନ । ତୁମେ ହିଁ ଚକ୍ରୀ । ମୋ’କଣ୍ଠରେ ବସି ମୋତେ ମନା କରେଇଲ, ତା’ଙ୍କ ସାଙ୍ଗରେ ରହି ତାଙ୍କୁ ଟିହାଇଲ । ତୁମରି ଯୋଗୁଁ ଆଜି ମୋର ସର୍ବନାଶ ଏବଂ ମୁଁ ମୃତୁ୍ୟମୁଖୀ ।

ଏମିତି ମଜାଦାର ବାର୍ତାଳାପ ଭିତରେ କୃଷ୍ଣ ସେ ସବୁପ୍ରଶ୍ନର ଯଥାର୍ଥ ଉତ୍ତର ଦେଇ ସମାଧାନ କରିଛନ୍ତି । ପ୍ରଥମେ ଯିଏ କୃଷ୍ଣଙ୍କୁ ଭୌତିକବାଦୀ ପ୍ରେମୀ ହିସାବରେ ଗ୍ରହଣ କରି ଅନାବସନାବ ବକ୍ତୃତା ଦିଅନ୍ତି ସେମାନେ ମହାଭାରତର ‘ମ’ ଅକ୍ଷର ଜାଣନ୍ତିନି । କାରଣ ସମସ୍ତ ରାଧା ଓ ଗୋପାଙ୍ଗନା ସହ ସଖୀଭାବ ରାସଳୀଳା ଆଦି ଚାଲିଥିବା ବେଳେ କୃଷ୍ଣ ନାବାଳକ ଥିଲେ । ତାଙ୍କର ବାରବର୍ଷ ବୟସରେ ଏସବୁ ପ୍ରେମ ଜନିତ ଅଧ୍ୟାୟର ସମାପନ ହୋଇଥିଲା । ତେଣୁ ଜଣେ ଅପ୍ରାପ୍ତ ବୟଷ୍କ ବାଳକର ପ୍ରେମ କ’ଣ କେବେ ତାମସିକ ହୋଇପାରେ!

ଏବେ ଯିବା କୃଷ୍ଣଙ୍କର ଜନ୍ମଦିନ ଜନ୍ମାଷ୍ଟମୀ ପର୍ବକୁ । ଆମ ଓଡିଶାରେ ହିନ୍ଦୁଧର୍ମର ଲୋକମାନେ ପ୍ରଥମ ଓ ଦ୍ୱିତୀୟ ସନ୍ତାନଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ପୋରୁହାଁ କରନ୍ତି । ସକାଳୁସକାଳୁ ବନ୍ଦାପନା କରି ଭିନ୍ନଭିନ୍ନ ମିଠାପୂର ଦେଇ ଏଣ୍ଡୁରୀପିଠା ଖାଇବାକୁ ଦିଅନ୍ତି । ମନ୍ଦିରମାନଙ୍କରେ ସଂକୀର୍ତ୍ତନ ମଣ୍ଡଳି ଅଖଣ୍ଡ ହରିନାମ କରନ୍ତି ।

କିଛିକିଛି ଲୋକ ରାତ୍ରୀ ବାରଟାଯାଏ ଉପବାସ ରହି କୃଷ୍ଣଜନ୍ମ ବେଳା ଗଡିଗଲେ ଫଳାହାର ଗ୍ରହଣ କରି ଶୁଅନ୍ତି । ଗୋପାଳଭାଇମାନେ ଗାଇବଳଦ ଗାଧୋଇ ଲାଲ୍ଟୀକା ଲଗାନ୍ତି । ଫୁଲମାଳ ପିନ୍ଧାନ୍ତି । ସଂଘବଦ୍ଧ ଲଉଡିଖେଳ ଓ ସଂଗୀତ ମାଧ୍ୟମରେ ଅବିର ଫିଙ୍ଗାଫିଙ୍ଗି ହୋଇ ନନେ୍ଦାସôବ ପାଳନ କରନ୍ତି । ମହାରଷ୍ଟ୍ରର ଲୋକମାନେ ଏହି ଉସôବଟିକୁ ବଡ ଧୁମ୍ଧାମ୍ରେ ପାଳନ କରନ୍ତି । ବର୍ଷ ଆରମ୍ଭରୁ ପ୍ରସ୍ତୁତି ଚାଲେ । ରଶି ସାହାର୍ଯ୍ୟରେ ଦହିହାଣ୍ଡି ଭୂମିଠାରୁ କିଛି ଉଚ୍ଚତାରେ ବନ୍ଧାଯାଏ । ଲୋକଉପରେ ଲୋକ ଚଢି ପିରାମିଡ୍ କରି ଦହିହାଣ୍ଡିକୁ ସବାଉପରେ ଛିଡା ହୋଇଥିବା ଗୋପାଳ ନିଜମୁଣ୍ଡରେ ଫଟାଏ ।

କୋଡିଏଫୁଟ ଉଚ୍ଚତାରୁ ଅଧିକ ଉଚ୍ଚାର ଦହିହାଣ୍ଡି ପାଇଁ ପୁରସ୍କାର ରଖାଯାଇଥାଏ । ପଚିଶଫୁଟ ପାଇଁ ଛଅଥାକିଆ ପିରାମିଡ୍ କରି ଦହିହାଣ୍ଡି ଫଟେଇବା ସଫଳହେଲେ ଦଶହଜାର ଟଙ୍କା, ଆଠଥାକିଆ ପିରାମିଡ୍ରେ ଅର୍ଥାଥ୍ ଚାଳିଶଫୁଟ ଉପରେ ଦହିହାଣ୍ଡି ଫଟେଇଲେ କୋଡିଏ ହଜାର ଟଙ୍କା ପୁରସ୍କାର । ଏମିତି ସାନ୍ତାକ୍ରୁଜ୍, ଚେମ୍ବୁର୍ ଏବଂ ଥାନେ ସହରରେ ଗୋଟିଏଗୋଟିଏ କ୍ଲବ୍ ପାଂଚ ମହଲା ଛଅମହଲା ଉଚ୍ଚର ଘରଛାତରୁ ଛାତକୁ ରଶିବାନ୍ଧି ଦହିହାଣ୍ଡି ବାନ୍ଧନ୍ତି । ପୁରସ୍କାର ରାଶି ଲକ୍ଷଟଙ୍କା ଯାଏ ଥାଏ । ବହୁତ ପିରାମିଡ୍ଦଳ ଚେଷ୍ଟା କରି ବିଫଳ ହୋଇ ଫେରିଯାଆନ୍ତି । ପ୍ରଥମେ ଦହିହାଣ୍ଡିର ଉଚ୍ଚତା ଭୂମିରୁ ସତୁରି ଅଶିଫୁଟ ଉପରେ ଥାଏ । ସଫଳହେବା କଷ୍ଟ, ବେଳେବେଳେ ଅଘଟଣ ଘଟି ଗୋପାଳଙ୍କର ମୃତୁ୍ୟ ବି ହୋଇଛି ।

କେହି ଯଦି ଫଟେଇବାରେ ସଫଳ ନହେଲେ ଦହିହାଣ୍ଡିର ଉଚ୍ଚତା ଧିରେଧିରେ କମ୍କରି ପୂନର୍ବାର ଦଳକୁ ଦଳ ଆସି ପୂନଶ୍ଚ ସଫଳ ହେବାକୁ ଚେଷ୍ଟା କରନ୍ତି । ଅପରାହ୍ନ ଚାରିଟା ଭିତରେ ପ୍ରାୟ ଦହିହାଣ୍ଡି ଫଟା କାର୍ଯ୍ୟକ୍ରମ ସମାପ୍ତ ପରେ ସନ୍ଧ୍ୟାରେ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ପୂଜାଅର୍ଚ୍ଚନା କରାଯାଏ । ଦକ୍ଷିଣଭାରତରେ ଗୋକୁଳାଷ୍ଟମୀ ନାଁ ରେ ଦିନଟିକୁ ସୁନ୍ଦର ଆଧ୍ୟାତ୍ମିକ ପରିବେସରେ ପାଳନ କରନ୍ତି । ମନ୍ଦିରରେ ସଂସ୍କୃତଭାଷରେ ବନ୍ଦନା ଓ ଭକ୍ତି ଶ୍ଖୋକାଦି ପଠନ କରାଯାଏ । ଅନେକ ଜାଗାରେ ଗୀତାଭାଗବତ ଏବଂ ଆଧ୍ୟାତ୍ମସଂଗୀତ ପରିବେଷଣ କରାଯାଏ । କିଛିକିଛି ଜାଗାରେ କିଛିପୁଅ କୃଷ୍ଣପରି ଏବଂ କିଛିଝିଅ ରାଧାଙ୍କ ବେଶପୋଷାକରେ ନିଜକୁ ସଜେଇ ନୃତ୍ୟ କରନ୍ତି । ଆମଦେଶ ଛଡା ନେପାଳ, ବାଙ୍ଗ୍ଲାଦେଶ, ଫିଜି ଓ ପାକିସ୍ଥାନରେ ପ୍ରାଚୀନକାଳରୁ ଏହି କୃଷ୍ଣ ଜନ୍ମାଷ୍ଟମୀ ଦିନଟି ଧାର୍ମିକ ସ୍ଥଳମାନଙ୍କରେ ପାଳିତ ହୋଇଆସୁଛି ।

ପୋଥି ପୁରାଣ ମତାନୁସାରେ ଶ୍ରକୃଷ୍ଣ ହେଉଛନ୍ତି ଭଗବାନଙ୍କର ଅଷ୍ଟମ ଅବତାର । ଦୁର୍ଜ୍ଜନଙ୍କୁ ବିନାଶ କରି ସଜ୍ଜନମାନଙ୍କୁ ସୁରକ୍ଷାଦେବା ପାଇଁ ତାଙ୍କର ଜନ୍ମ । ମହାଭାରତରେ ବହୁତ ଗୁଡିଏ ତଥ୍ୟ ସାଙ୍କେତିକ ପରି ମନେହୁଏ । ଯେମିତିକି କୃଷ୍ଣଙ୍କ ସାଥୀ ସୁଦାମା ତାର ଭକ୍ତିର ଉଚିତ୍ ଦାମ୍ ପାଇଥବାରୁ ତାଙ୍କ ନାଁ ସୁଦାମା । ଖୁଦଭଜା ବଦଳରେ ଅଟ୍ଟାଳିକା ଧନରନô କେତେକଣ ଦ୍ୱାରକାଧୀଶଙ୍କ କୃପାରୁ ମିଳିଗଲା । ଅର୍ଜୁନର ଆକ୍ଷରିକ ଅର୍ଥ ଯିଏ ଗୀତାର ଯଥାର୍ଥ ଜ୍ଞାନକୁ ହୃଦୟଙ୍ଗମକରି ଜୀର୍ଣ୍ଣ କରିଦେଲା ।

ଧନର ଦୂରୁପଯୋଗକାରୀ ହେଲା ଦୁର୍ଯେ୍ୟାଧନ, ଅନୁଶାସନହୀନତା ପ୍ରିୟ ଦୁଃଶାସନ । ଏମିତି ଅନେକ ପାତ୍ର ଅଛନ୍ତି ଯାହାଙ୍କର ନାମର ଅର୍ଥ ଭିତରେ ତାଙ୍କର ଚରିତ୍ର ଲୁଚିରହିଛି । ଆଜିର ଧ୍ୱଂସମୁଖୀ ବିଶ୍ୱରେ ଯେତେବେଳେ କରୋନା ଭୂତାଣୁ ନିଜର କାୟା ବିସ୍ତାରକରି ପ୍ରତିିିଦିନ ହଜାରହଜାର ମୁଣ୍ଡ ଗଡେଇଚାଲିଛି, ସେତେବେଳେ ଆମେରିକା ସହ ଚୈନା, ଚୈନା ସହ ଭାରତ, ଉତ୍ତର କୋରିଆ ସହ ଆମେରିକା, ଭାରତ ସହ ପାକିସ୍ଥାନ ସମ୍ପର୍କ ଦିନୁଦିନ ତିକ୍ତ ହେବାରେ ଲାଗିଛି । ସାରା ବିଶ୍ୱରେ ଚଉଦହଜାର ଉପରେ ପରମାଣୁବୋମା ଗଚ୍ଛିତ ଅଛି ଯାହାକି ଶହଶହ ଥର ବିଶ୍ୱକୁ ଜନବିହୁନ କରିବାକୁ ସକ୍ଷମ । ତେଣୁ ଆଜିକାର ଏହି ଘଡିସନ୍ଦି ମୂହୁର୍ତ୍ତରେ ଭଗବାନ ଶ୍ରୀକୃଷ୍ଣଙ୍କ ଶାନ୍ତିବାର୍ତ୍ତା ଅତି ପ୍ରାସଙ୍ଗିକ ।

ସେ ସେତେବେଳେ ଶାନ୍ତିପାଇଁ ପାଣ୍ଡବମାନଙ୍କ ଦୁତ ହେବାକୁ ପସନ୍ଦ କରିଛନ୍ତି । ମହାଭାରତ ଯୁଦ୍ଧରେ ଅର୍ଜୁନର ସାରଥିହେବାକୁ ମଧ୍ୟ କୁଣ୍ଠାବୋଧ କରିନାହାନ୍ତି । ତାଙ୍କର ତ୍ୟାଗ ଏବଂ ପ୍ରେମମୟ ଜୀବନଦର୍ଶନରେ ସାରାବିଶ୍ୱ ଆଜି ଅନୁପ୍ରାଣିତ । ଆମଦେଶ ଭାରତ ଅପେକ୍ଷା ବିଦେଶରେ ବେଶୀ ଲୋକ ଗିନି ଖୋଳତାଳ ବଜେଇ ହାତ ଉପରକୁ ଟେକି ନିତେଇଗୌରଙ୍କ ପରି ମହାମନ୍ତ୍ର ଗାନକରି ଆନନ୍ଦରେ ଝୁମିବାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । ଉନବିଂଶ ଶତାଦ୍ଦି ପରେପରେ ଇସ୍କନ୍ ମନ୍ଦିର ବିଶ୍ୱର ପ୍ରାୟ ସବୁଦେଶରେ ପ୍ରତିଷ୍ଠିତ ହୋଇ ସାରିଛି, ଯେଉଁ ମନ୍ଦିରରେ ସବୁଠାରୁ ବଡପର୍ବ ହେଲା ଏହି କୃଷ୍ଣ ଜନ୍ମାଷ୍ଟମୀ । ଏବେ ଏହା ଆମେରିକା, ଆରିଜୋନା, ଗନା, ତ୍ରିନିଦାଦ୍, ଟୋବାଗୋ, ଜାମାଇକା ଆଦିଦେଶରେ ବହୁ ଆଡମ୍ବରରେ ପାଳନ କରାଯାଉଛି, ତେଣୁ ବିଶ୍ୱର ଅର୍ଦ୍ଧାଧିକ ଲୋକ ଏହି ପର୍ବଟିକୁ ନିଜନିଜ ଢଙ୍ଗରେ ପାଳନ କରୁଥବାରୁ ଏହାକୁ ଏକ ବିଶ୍ୱପର୍ବ ବୋଲି କହିଲେ ବି ଅତୁ୍ୟକ୍ତି ହେବନି ।

Leave A Reply