ଜମନକିରା,୫/୧୧: ପାନୀୟ ଜଳ ପାଇଁ ବ୍ୟବସ୍ଥା ହେଲା ସତ,କିନ୍ତୁ କାର୍ଯ୍ୟରେ ଲାଗିଲାନି। ସୋଲାର ପାନୀୟ ଜଳ ଯୋଜନା ଆରମ୍ଭରୁ ହିଁ ଅକାମି ହୋଇ ୨ ବର୍ଷ ଧରି ଏହା ପଡିରହିଥିବା ବେଳେ ୨ ରାଜସ୍ୱ ଗ୍ରାମକୁ ଜଳ ଯୋଗାଣ ପାଇଁ ପାତାଲ ବୋରିଙ୍ଗ ଖୋଲା ହେବାର ୩ ବର୍ଷ ବିତି ଯାଇଥିଲେବି ଏହାର କାର୍ଯ୍ୟକ୍ଷମ ପାଇଁ ବିଭାଗିୟ ଅବହେଳା ପାନୀୟ ଜଳ ସାତ ସପନ ପାଲଟି ଯାଇଛି ଭୁକ୍ତା ପଡା ପାଇଁ ।
ଗଣ୍ଡ,ଗଉଡ ଓ ଭୁକ୍ତା ଜାତିର ଅଧିବାସୀ ବାସ କରୁଥିବା ଜମନକିରା ବ୍ଲକ୍ ଅନ୍ତର୍ଗତ କୁଲୁଣ୍ଡି ପଞ୍ଚାୟତର ସରେଇପାଲି ଭୁକ୍ତାପଡାରେ ପାନୀୟ ଜଳ ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଦେଖାଦେଇଛି । ସେଠାରେ ନିର୍ମାଣଧିନ ସୋଲାର ପାଇପ୍ ଜଳ ଯୋଜନା ଆରମ୍ଭରୁ ଫସର ଫାଟିଛି ସତ,କିନ୍ତୁ ଠିକାଦାର ତାର ଟଙ୍କା ପାଇଥିଲେବି ଏହି ଅକାମୀ ସୋଲାର ପମ୍ପ ପାଇଁ ବିଲ କେମିତି ପାଶ୍ ହେଲା ତାହା ଆଶ୍ଚର୍ଯ୍ୟ କରିଛି ଗ୍ରାମବାସୀଙ୍କୁ । ସେପଟେ ୩ ବର୍ଷ ତଳେ ଏହି ପଞ୍ଚାୟତର ଭୁକ୍ତାପଡା ଠାରେ ୨ ରାଜସ୍ୱ ଗ୍ରାମ ସରେଇପାଲି ଓ ବଲାରମାକୁ ପାନୀୟ ଜଳ ଯୋଗାଣ ପାଇଁ ଏକ ଭୂତଲ ନଳ ଖୋଲା ସରିଛି ।
ପାଣିବି ମହଜୁତ୍ ରହିଛି । ତଥାପି ବିଭାଗୀୟ ଅବହେଲା ଯୋଗୁଁ ଏହା କାର୍ଯ୍ୟକାରି ହୋଇପାରୁନି । ଫଳରେ ଭୁକ୍ତାପଡା ବାସୀ ନାଳ ପାଣିରେ ଜୀବନ କଟାଉଛନ୍ତି। ବର୍ଷା ଜଳ ଏମାନଙ୍କ ଏକମାତ୍ର ଭରଷା ହୋଇଥିଲେବି ବର୍ଷା ଜଳ ସଂରକ୍ଷଣ ପାଇଁ ଆରମ୍ଭ ହୋଇଥିବା ‘ଛାତ’ ଯୋଜନା ଗ୍ରାମାଞ୍ଚଳ ପାଇଁ ଲାଗୁ ହୋଇନଥିବା ଯୋଗୁଁ ଜଳ ପାଇଁ ହାହାକାରରେ ପଡି ଛଟପଟ ହେଉଛନ୍ତି ଏହି ପଡା ବାସୀ । ଗାଁ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ୩୦କିମି ଓ ବ୍ଲକ୍ କାର୍ଯ୍ୟାଳୟକୁ ୬୦ କିମି ପଡୁଥିବାରୁ ଓ ସିଧାସଳଖ ଗମନାଗମନ ବ୍ୟବସ୍ଥା ନଥିବାରୁ ଅଞ୍ଚଳବାସୀ ନାଁ କାହାକୁ ଗୁହାରି କରିପାରୁଛନ୍ତି ନାଁ ପଞ୍ଚାୟତ କିମ୍ବା ବ୍ଲକ କତ୍ତୁପକ୍ଷଙ୍କ ପାଦ ପଡୁଛି ଏହି ଗାଁରେ ! ଅଞ୍ଚଳବାସୀ ଓ ପ୍ରଶାସନ ମଧ୍ୟରେ ଯୋଗାଯୋଗ ଓ ସମ୍ମନ୍ୱୟ ରହିପାରୁନଥିବା ଯୋଗୁ ମୌଳିକ ସମସ୍ୟାରୁ ବଞ୍ଚିତ ଏହି ଅଞ୍ଚଳ ପ୍ରତି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
