ଜଳେଶ୍ୱର : ଅନ୍ୟକୁ ସହାୟତା କରିବା ଯାହାର ପେଷା, ଲୋକଙ୍କ ବିପଦରେ ଛିଡା ହେବା ଯାହାର ନିତିଦିନର କାର୍ଯ୍ୟ ଓ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକରିବା ଯାହାର ମାନସିକତା ସେ ହେଉଛନ୍ତି ସମାଜସେବୀ ହେମନ୍ତ ଜେନା । କରୋନା ମହାବିପତ୍ତି ସମୟରେ ବିଭିନ୍ନ ବ୍ଲକରେ ୧୫୦ ଦିନ ନିଜସ୍ୱ ଅର୍ଥରେ ମାକ୍ସ, ସେନିଟାଇଜର ଓ ଶୁଖିଲା ଖାଦ୍ୟ ବଣ୍ଟନ କରି ରେକର୍ଡ ସୃଷ୍ଟି କରିଛନ୍ତି । ପିଲାଦିନରୁ ଅଭାବ ମଧ୍ୟରେ ବଢିଥିବା ହେମନ୍ତ ପରବର୍ତ୍ତୀ ସମୟରେ ସମାଜସେବା କରିବାର ଇଚ୍ଛା ଶକ୍ତି ତାଙ୍କୁ ବାଟ କଡେଇ ନେଇଥିଲାା ବହୁ କଷ୍ଟରେ ଶିକ୍ଷକ ଚାକିରୀଟିଏ ପାଇଥିଲେ ବି ଦରମା ଟଙ୍କାରୁ କିଛି ଅଂଶ ଗରିବଙ୍କୁ ସାହାର୍ଯ୍ୟ କରିବା ଓ ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟ ସହିତ ସର୍ବସାଧାରଣ ସ୍ଥାନରେ ବୃକ୍ଷରୋପଣ ଇତ୍ୟାଦି କରିଆସୁଛନ୍ତି ।
ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରର ବ୍ଲକର କୋଟସାହି ପଂଚାୟତର ଗୋବର୍ଦ୍ଧନପୁର ଗାଁର ହେମନ୍ତ କୁମାର ଜେନା ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରି ବହୁ ଆର୍ଥୀକ ଅନାଟନରେ ଛାତ୍ରଜୀବନ ଅତିବାହିତ କରିଥିଲେ । ସେ ୨୦୧୨ ନଭେମ୍ବର ୧୯ରେ ମୟୂରଭଂଜ ଜିଲ୍ଲାର ସାରସକଣ ବ୍ଲକର ନୋଟା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକରୂପେ ଯୋଗ ଦେଇଥିଲେ । କିନ୍ତୁ ସେ ଅଞ୍ଚଳରେ ଗରିବ ଲୋକଙ୍କ ଝିଅ ବାହାଘର, ରୋଗୀସେବାଲାଗି ନିଜ ଦରମା ଅର୍ଥକୁ ପ୍ରଦାନ, ଗରିବ ପିଲା ପଢିବାଲାଗି ବହିଖାତା ସହ ଆର୍ଥିକ ସହାୟତା ସେ ଦେଇ ଆସୁଛନ୍ତି । କିନ୍ତୁ ଏବେ କରୋନା ମହାବିପତ୍ତି ସମୟରେ ଗତ ମାର୍ଚ୍ଚ ୨୬ତାରିଖ ଠାରୁ ଅଦ୍ୟାବଧି ମାକ୍ସ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ବିଭିନ୍ନ ସ୍ଥାନରେ ଦେବା ତାଙ୍କର ଏକ ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଛି । ଜଳେଶ୍ୱରର କୋଟସାହି ପଞ୍ଚାୟତ, ରାୟାଁରାମଚନ୍ଦ୍ରପୁର ପଂଚାୟତର ବିଭିନ୍ନ ସ୍ଥାନରେ ଗରିବଙ୍କୁ ଓ ଜଳେଶ୍ୱରର ପ୍ରତ୍ୟେକ ପେଟ୍ରୋଲ ପମ୍ପ, ମୁ୍ୟନିସିପାଲଟି ସଫେଇ କର୍ମଚାରୀ, ଭଟ୍ଟର ହସ୍ପିଟାଲ, ସମସ୍ତ ୧୦୮ କର୍ମଚାରୀ, ଉତ୍ତର ବାଲେଶ୍ୱରର ସମସ୍ତ ସାମ୍ବାଦିକ, ସ୍ୱାସ୍ଥ୍ୟ କର୍ମଚାରୀ, ଆଶା, ଅଙ୍ଗନୱାଡି କର୍ମୀ, ସାହି, ବସ୍ତି, ଷ୍ଟେସନ, ୬୦ନଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ପ୍ରବାସୀ, ଟିଏମସ୍ ସେଣ୍ଟରେ ସଚେତନା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଆସୁଛନ୍ତି ।
ସେହିପରି ମୟୂରଭଂଜ ଜିଲ୍ଲାର ସାରସକଣା, ଚିତ୍ରଡା, ରାସଗୋବିନ୍ଦପୁର, ଝାରପୋଖରିଆ ପ୍ରଭୃତି ବିଭିନ୍ନ ଥାନାର ପୋଲିସ୍ କର୍ମଚାରୀ ଓ କେତେକ ପଂଚାୟତ ସହିତ ବସ୍ତା ବ୍ଲକର କେତେକ ସ୍ଥାନରେ ଲୋକମାନଙ୍କୁ ସେ ମାକ୍ସ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ଓ ପିଇବାପାଣି ପାଉଚ ଇତ୍ୟାଦି ବଣ୍ଟନ କରି ରେକର୍ଡ ସୃଷ୍ଟି କରିଛନ୍ତି । ସେ ଏଥିନିମନ୍ତେ କେତେକ ଅନୁଷ୍ଠାନ, ବ୍ୟକ୍ତିବିଶେଷ ତାଙ୍କୁ ପ୍ରଶଂସାପତ୍ର ଦେଇଛନ୍ତି । ତାଙ୍କର ଏପରି କାର୍ଯ୍ୟକୁ ଜଳେଶ୍ୱର ଅଂଚଳରେ ପ୍ରଶଂସା କରାଯାଇଛି
