ଜଳେଶ୍ୱର : ଗତ ୧୨ ଦିନ ତଳେ ମାକିଡିଆ ଓ କୁଅଁରପୁର ଗାଁରୁ ୧୭ଜଣ କରୋନା ପଜେଟିଭ୍ ଚିହ୍ନଟ ହେବାପରେ ସମସ୍ତେ ଜିଲ୍ଲା ପ୍ରଶାସନ ଦ୍ୱାରା ବାଲେଶ୍ୱରସ୍ଥିତ କୋଭିଡ଼୍ କେୟାର ସେଣ୍ଟର ଗୁଡିକରେ ଚିକିତ୍ସତ ହୋଇ ଥିଲେ । ଏବେ ସେମାନେ ସୁସ୍ଥ ହୋଇ ୧୧ ଜଣ ଗତ ରବିବାର ଗାଁକୁ ଫେରିଥିବା ବେଳେ ଆଜି ଅନ୍ୟ ୬ଜଣ ଗାଁକୁ ଫେରିଥିବା ଜଣାଯାଇଛି ।
କୁଅଁରପୁର ଗାଁର ୬ଜଣ ଫେରୁଥିବା ଜାଣି ଯୁବ ସମାଜସେବୀ ଆଲୋକ ଘଡାଇ ସେମାନଙ୍କୁ ସ୍ୱାଗତ ଜଣାଇ ଗାଁକୁ କଡେଇ ନେଇଥିଲେ । ୧୭ଜଣ ଗାଁକୁ ଫେରିଥିବାରୁ ଆଜି ଗାଁରେ ଆନନ୍ଦର ଲହରୀ ଫେରିଛି । ସେମାନେ ଅମାନିଆ ମାନଙ୍କୁ ପଶ୍ଚିମବଂଗ ନ ଯିବା ଓ କଣ୍ଟେନ୍ମେଣ୍ଟ ଜୋନ୍ ବାହାରକୁ ଯିବାରେ ବାରଣ କରୁଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ଜଳେଶ୍ୱର ଥାନାର କଣେ କନେଷ୍ଟବଳ, କୁଅଁରପୁର ଓ ମାକିଡିଆ ଗାଁର ନେତୃସ୍ଥାନୀୟ ବ୍ୟକ୍ତି ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି ।