ଯାଜପୁରସଦର-ଯାଜପୁର ବ୍ଲକ ଅନ୍ତର୍ଗତ ଉପରବରୁଆଁ କୃଷି ସମବାୟ ସମିତି ରେ ଧାନ କିଣାରେ ବ୍ୟାପକ ହରିଲୁଟ୍ ଓ ଅନିୟମିତତା ହୋଇଥିବା ଘଟଣାକୁ ନେଇ ଧାନଚାଷୀମାନେ ଆଜକୁ ୪ଦିନ ହେଲା ଧାନ ବିକିବା ସହିତ ସେକ୍ରେଟାରୀଙ୍କ ନିଲମ୍ବନ ଦାବୀ କରି ଧାରଣାରେ ବସି ରହିଥିଲେ । ଆଜି ପୁର୍ବାହ୍ନରେ ବିଭାଗୀୟ ଅଧିକାରୀ ଏଆରସିଏସ,ସିଇଓ ଘଟଣାସ୍ଥଳରେ ପହଁଚି ବ୍ୟାପକ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ ଓ ସଂମ୍ପୃକ୍ତ ସେକ୍ରେଟାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ । ଏହି କୃଷି ସମବାୟ ସମିତିକୁ ଧାନ କିଣିବା ପାଇଁ ପ୍ରଥମ ସ୍ତରରେ ୩୫୦୦ କ୍ୱିଂଟାଲ୍ ଟାର୍ଗେଟ ଦିଆଯାଇଥିଲା । ସେଥିମଧ୍ୟରୁ ୧୨୦୦ କ୍ୱିଂଟାଲ୍ ଧାନ ମଣ୍ଡିରୁ ୨କ୍ଷେପରେ ମିଲକୁ ଯାଇଥିବା ବେଳେ ଅବଶିଷ୍ଟ ୨୩୦୦ କ୍ୱିଂଟାଲ୍ ଧାନ କେଉଁଠାରୁ କିଣାଯାଇ ମିଲକୁ ଦିଆଗଲା ବୋଲି ଚାଷୀମାନେ ଜାଣିବାକୁ ଅଢି ବସିଥିଲେ । ଏହା ସହିତ ସଂମ୍ପୃକ୍ତ ସେକ୍ରେଟାରୀ ଓ ସହ କର୍ମୀଙ୍କ ବହିଷ୍କାର ଦାବୀ କରିଥିଲେ । ହେଲେ ପୁର୍ବ ୧୪ଜଣ ସଭ୍ୟ ଥିବା ବୋର୍ଡର ସଭ୍ୟମାନେ ନିଜର ଧାନଚାଷ ନଥାଇ ଜଣକା ୨୦୦,୧୫୦ କ୍ୱିଂଟାଲ୍ ଧାନ ବିକିବାର ଟୋକନ ହାତେଇ ଘରୋଇ ଧାନ ବେପାରୀଙ୍କ ଠାରୁ ଧାନ ନେଇ ମିଲ୍ କୁ ଦେଇ ଟାର୍ଗେଟ୍ ପୁରଣ କରିଥିଲେ । ପରେ ୨ୟ ସ୍ତରରେ ୧୫୦୦ କ୍ୱିଂଟାଲ୍ ଧାନ କିଣିବାର ଟାର୍ଗେଟ ଦିଆଯାଇଥିବା ବେଳେ ଏହି ଟାର୍ଗେଟକୁ ଅସାଧୁ ଉପାୟରେ ପୁରଣ କରିବା ପାଇଁ ସମ୍ପୃକ୍ତ ବୋର୍ଡର ସଭ୍ୟମାନେ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ । ଚାଷୀ ତାଲିକାକୁ ଏପଟ ସେପଟ କରି ନିଜ ସମ୍ପର୍କୀୟ ମାନଙ୍କ ଧାନକୁ ଏହି ସଭ୍ୟମାନେ ମଣ୍ଡିରେ ବିକ୍ରି କରୁଥିବା କୁହାଯାଇଛି । ଏହି ସମବାୟ ସମିତି ଅଧୀନରେ ରହୁଥିବା ବିଭିନ୍ନ ପଂଚାୟତର ପ୍ରକୃତ ଧାନଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଟୋକନ୍ ପାଉନଥିବା ବେଳେ ଅଣଚାଷୀମାନେ ଶହଶହ କ୍ୱିଂଟାଲ୍ ଧାନ ବିକିବାର ଟୋକନକୁ ହାତେଇ ଫାଇଦା ଉଠାଉଛନ୍ତି ବୋଲି ଟୋକନ୍ ପାଇନଥିବା ଧାନଚାଷୀ ଭକ୍ତଚରଣ ବିଶ୍ୱାଳ,ସତ୍ୟପ୍ରକାଶ ନାୟକ,ବିରଜା କିଙ୍କର ନାୟକ,ବିନୟ ବିଶ୍ୱାଳ,ଅନନ୍ଦଚରଣ ଭଞ,ପ୍ରକାଶ ଚନ୍ଦ୍ର ପରିଡା,ବାଇଧର ମହାନ୍ତି,ଯୋଗେନ୍ଦ୍ର ପାଣି,ପ୍ରଭାତ ଭଞ ପ୍ରମୁଖ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ସମବାୟ ସମିତିର ସମ୍ପାଦକ ମହାଶୟ ସଭ୍ୟମାନଙ୍କ ସହିତ ମିଶି ପ୍ରତ୍ୟେକ ଦିନ ସମବାୟ କାର୍ଯ୍ୟାଳୟରେ ହରିଲୁଟ୍ ପଇସାରେ ମଦ ଓ ମାଂସର ଆସର ବସେ ଯାହାକି ଉତ୍କ୍ଷିପ୍ତ ଚାଷୀମାନେ କାର୍ଯ୍ୟାଳୟ ଭିତରୁ ଗଚ୍ଛିତ ଥିବା ମଦବୋତଲ ଗୁଡିକୁ ଆଣି ଦ୍ୱାର ନିକଟରେ ଜମା କରି ତଦନ୍ତରେ ଆସିଥିବା ଅଧିକାରୀମାନଙ୍କୁ ଦେଖାଇଥିଲେ ।