ଆଗରପଡ଼ା : ଆଜି ସର୍ବପୁରାତନ ଆଗରପଡ଼ା ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନବଯୌବନ ବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରତୁ୍ୟଷରୁ ପୂଜକ ଗୋପାଳ ସାମନ୍ତରାୟ ଙ୍କ ଦ୍ୱାରା ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା, ନେତ୍ରଦାନ, ମଙ୍ଗଳ ଆଳତି ପରେ ପହଡ଼ ଖୋଲାଯାଇ ସର୍ବସାଧାରଣ ଦର୍ଶନ ନିୟମ ଥିଲେ ମଧ୍ୟ ସରକାରଙ୍କ କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ଭକ୍ତମାନେ ଦର୍ଶନ କରିପାରି ନଥିଲେ । ଜଗନ୍ନାଥ ମନ୍ଦିରର ତତ୍ୱାବଧାରକ ସୁପ୍ରିମକୋର୍ଟର ଆଇନଜୀବି ଜଗତମୋହନ ସିଂହ ଓ ମନ୍ଦିର ପରି·ଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।
ସେହିପରି ଏହି ବ୍ଲକର ଅନ୍ୟତମ ପ୍ରସିଦ୍ଧ ନିମପଡ଼ାସ୍ଥିତ କପାଳିକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଯଥାରୀତି ପୂଜାର୍ଚ୍ଚନା ପରେ ମନ୍ଦିର ପରିସରରେ ଶ୍ରୀମଦ୍ ଭଗବତ୍ ଗୀତା, ଜଗନ୍ନାଥଙ୍କ ସହସ୍ର ନାମ ପାଠ କରାଯାଇ ଶ୍ରୀ ଜୀଉଙ୍କୁ ନୂତନ ବେଶରେ ସୁସଜ୍ଜିତ କରାଯାଇଥିଲା । ପୂଜକ ରୂପେ ପଣ୍ଡିତ ପଦ୍ମନାଭ ପଣ୍ଡା, ଅନାମ ପଣ୍ଡା, ପତଞ୍ଜଳି କରଶର୍ମା ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ମହାପ୍ରଭୁଙ୍କର ନୂତନ ବେଶସଜ୍ଜା କାର୍ଯ୍ୟ ଶିଳ୍ପୀ ପଦ୍ମଲୋଚନ ସାହୁ ନିର୍ବାହ କରିଥିଲେ । ଅନୁରୂପ ଭାବେ ରାମଚନ୍ଦ୍ରପୁର ଗ୍ରାମର ୰ ଧୀରେନ୍ଦ୍ର କୁମାର ମଣ୍ଡଳଙ୍କ ପରିବାର ପକ୍ଷରୁ ତାଙ୍କ ପୁତ୍ର ଓ କନ୍ୟାମାନେ କର୍ତ୍ତା ଭାବେ ଏହି କାର୍ଯ୍ୟ ସମାପନ କରିଥିଲେ । ମନ୍ଦିର କମିଟିର ସଦସ୍ୟ ମାନେ କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳା ସହ ସଂପାଦନ କରିଥିଲେ । ଅନୁରୂପ ଭାବେ ବନ୍ତ, ହାସିନପୁର, ଗଣିଜାଙ୍ଗ, ବରକୋଣା, ସାନବର୍ଚ୍ଚିକଆଁ, କୁଆଁରନ୍ଦା, ମାଳତିରା, ତରାଗୋ, ହରିପୁର, କାଉପୁରରେ ଯଥା ରୀତିିନୀତିରେ ମହାପ୍ରଭୁଙ୍କର ପୂଜା ଅନୁଷ୍ଠିତ ହୋଇଥିଲା ।