ଲଣ୍ଡନ : ଭାରତକୁ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୁଦ୍ଧରେ ପଳାତକ ଶିଳ୍ପପତି ବିଜୟ ମାଲ୍ୟା ବ୍ରିଟେନର ସୁପ୍ରିମ କୋର୍ଟରେ ଆବେଦନ କରିଥିଲା । ଗତ ୨୦ ଏପ୍ରିଲରେ ଲଣ୍ଡନ ହାଇକୋର୍ଟରେ ମାଲ୍ୟା ନିଜର ମାମଲା ହାରିବା ପରେ ଏହି ପଦକ୍ଷେପ ନେଇଥିଲା । ବ୍ରିଟିଶ ନିୟମ ଅନୁସାରେ ହାଇକୋର୍ଟଙ୍କ ରାୟର ୨୦ ଦିନ ମଧ୍ୟରେ ସୁପ୍ରିମକୋର୍ଟରେ ଆବେଦନ କରିହେବ । ଏହି ସମୟସୀମା ଶେଷ ହେବା ପୂର୍ବରୁ ହିଁ ମାଲ୍ୟା ଆବେଦନ କରିଥିବା ବେଳେ ଆଜି ବ୍ରିଟେନର ସୁପ୍ରିମ କୋର୍ଟ ମାଲ୍ୟା ଆବେଦନକୁ ଖାରଜ କରିଦେଇଥିବା ଜଣାପଡ଼ିଛି। ଫଳରେ ସେ ଭାରତ ଆସିବା ଲାଗି ବାଟ ପରିଷ୍କାର ହୋଇଯାଇଛି।
ମାଲ୍ୟାର ଆବେଦନକୁ ଖାରଜ କରାଯିବା ପରେ ତା’ ପାଖରେ ଏବେ ନିଜର ପ୍ରତ୍ୟାର୍ପଣକୁ ଅଟକାଇବା ପାଇଁ କୌଣସି ଆଇନଗତ ବିକଳ୍ପ ବାକି ନାହିଁ ଏବଂ ଏହି ଆବେଦନ ଖାରଜ ହେବା ପରେ ତା’ ପାଖରେ ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ ମାତ୍ର ୨୮ଦିନ ବାକି ରହିଯାଇଛି । ସୂତ୍ରରୁ ପ୍ରକାଶ ଯେ, ବ୍ରିଟେନର ଗୃହ ସଚିବଙ୍କୁ ୨୮ଦିନ ମଧ୍ୟରେ ଦେଶରୁ ବହିଷ୍କାର କାଗଜପତ୍ରରେ ଦସ୍ତଖତ କରିବାକୁ ପଡିବ। ଏହା ପରେ ବ୍ରିଟେନର ସମ୍ପୃକ୍ତ ଅଧିକାରୀମାନେ ମାଲ୍ୟାକୁ ଭାରତକୁ ପଠାଇବା ପାଇଁ ସମନ୍ୱୟ ରକ୍ଷା କରିବେ।
ସୂଚନା ମୁତାବକ, ଗତବର୍ଷ ଡିସେମ୍ବର ୧୦ ତାରିଖରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ମାଲ୍ୟାଙ୍କୁ କିଙ୍ଗଫିସର ଋଣ ମାମଲାରେ ଭାରତକୁ ପ୍ରତ୍ୟର୍ପଣ ପାଇଁ ରାୟ ଦେଇଥିବାବେଳେ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ ଜାବିଦ୍ ଏହି ପ୍ରତ୍ୟର୍ପଣକୁ ମଞ୍ଜୁରି ଦେଇଥିଲେ । ଗତ ଫେବ୍ରୁଆରୀ ମାସରେ ବ୍ରିଟେନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରଟ କୋର୍ଟ ଦେଇଥିବା ରାୟ ଓ ବ୍ରିଟେନର ଗୃହମନ୍ତ୍ରୀ ଦେଇଥିବା ମଞ୍ଜୁରିକୁ ଚ୍ୟାଲେଞ୍ଜ କରି ଠକେଇ ଏବଂ ଅର୍ଥ ହେରଫେର ଅଭିଯୋଗରେ ଭାରତରେ ୱାଣ୍ଟେଡ ଅପରାଧୀ ଥିବା ମାଲ୍ୟ ବ୍ରିଟେନ ହାଇକୋର୍ଟକୁ ଯାଇଥିଲେ ।