Odisha news

ଭାରତ ଏବେ ବିଶ୍ବରେ କରୋନା ସଂକ୍ରମଣର ନୂଆ ହଟ୍‌ସ୍ପଟ ପାଲଟିଛି : ଇଟାଲିକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ଭାରତ

0

ନୂଆଦିଲ୍ଲୀ: ଭାରତ ଏବେ ବିଶ୍ବରେ କରୋନା ସଂକ୍ରମଣର ନୂଆ ହଟ୍‌ସ୍ପଟ ପାଲଟିଯାଇଛି। ଆଜି ଭାରତ ଇଟାଲିକୁ ପଛରେ ପକାଇ କରୋନା ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ଷଷ୍ଠ ରାଷ୍ଟ୍ର ପାଲଟିଯାଇଛି। ଆମେରିକା, ବ୍ରାଜିଲ, ରୁଷ୍‌,‌ ସ୍ପେନ୍‌ ଏବଂ ବ୍ରିଟେନ ପରେ ଏବେ ଭାରତ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ହୋଇଛି। ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୯୮୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୨୯୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଗୁରୁବାର ଦିନ ମଧ୍ୟ ପ୍ରାୟ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଆଜି ୬୬୪୨ରେ ପହଞ୍ଚିଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ଏବେ ପ୍ରାୟ ୧ ଲକ୍ଷ ୧୬ ହଜାର ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ଏବଂ ୧ ଲକ୍ଷ ୧୪ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆଜି ସୁଦ୍ଧା ୪୮.୨୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି। ଗତକାଲି ଦିନକରେ ଯେଉଁ ୨୯୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି ସେଥିରୁ ୧୩୯ ଜଣ କେବଳ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ଦିଲ୍ଲୀରେ ୫୮ ଜଣ ପ୍ରାଣ ହରାଇଥିବା ବେଳେ ଗୁଜରାଟରେ ୩୫, ତାମିଲନାଡ଼ୁରେ ୧୨, ଉତ୍ତର ପ୍ରଦେଶରେ ୧୨, ପଶ୍ଚିମବଂଗରେ ୧୧, ତେଲେଙ୍ଗାନାରେ ୮, ମଧ୍ୟପ୍ରଦେଶରେ ୭, ରାଜସ୍ଥାନରେ ୫ ଜଣ ପ୍ରାଣ ହରାଇଥିବା ରିପୋର୍ଟ ମିଳିଛି। ମହାରାଷ୍ଟ୍ରରେ ଆଜି ସୁଦ୍ଧା କରୋନାରେ ୨୮୫୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୧୧୯୦, ଦିଲ୍ଲୀରେ ୭୦୮, ମଧ୍ୟପ୍ରଦେଶରେ ୩୮୪ ଏବଂ ପଶ୍ଚିମବଂଗରେ ୩୬୬ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ଆଜି ସୁଦ୍ଧା ୨୫୭ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ତାମିଲନାଡ଼ୁରେ ୨୩୨, ରାଜସ୍ଥାନରେ ୨୧୮ ଜଣ ପ୍ରାଣ ହରାଇଛନ୍ତି।

Govt
Leave A Reply