Odisha news

ସ୍ବାଧୀନ ଭାରତର ନାଗରିକ

ଦୀର୍ଘ ଦୁଇଶହ ବର୍ଷର ପ୍ରତୀକ୍ଷା ପରେ ଭାରତ ସ୍ବାଧୀନତା ଲାଭ କଲା। ଏବେ ଆମେ ସ୍ବାଧୀନତାର ୭୫ତମ ବର୍ଷ ପାଳନ କରୁଛନ୍ତି।ସ୍ବାଧୀନତା ପାଇବା ପାଇଁ ଅନେକ ସଂଗ୍ରାମ, କାରାବରଣ, ଲୁଣ୍ଠନ, ଅତ୍ୟାଚାରର  ଶିକାର ହେବା ସହ ଓ  ଅନେକ ଭାରତୀୟ ସହିଦ ହୋଇଛନ୍ତି। ସେମାନଙ୍କ ତ୍ୟାଗର ଫଳ ଏହି କଷ୍ଟଲବ୍ଧ ସ୍ବାଧୀନତା। ସ୍ବାଧୀନତା ସଂଗ୍ରାମର ଇତିହାସରେ ଯେତେ କଥା ଲିପିବଦ୍ଧ ହୋଇଛି ତାଠାରୁ ଆହୁରି ଅନେକ କିଛି ଘଟଣା ଘଟିଛି ଯାହାର ଲିପିବଦ୍ଧ ହୋଇପାରିନାହିଁ।

ଏହି ଦୁଇଶହ ବର୍ଷ ଭିତରେ କେତେ ରକ୍ତପାତ, ଦଂଗା,ଲାଠିମାଡ଼, ଶୋଷଣ, ନାରୀ ଅତ୍ୟାଚାର,ଲୁଣ୍ଠନ,କାରାବାସ,ଫାଶୀ, ହତ୍ୟା, ଗୁଳି, ଅନଶନ,ଏମିତି କେତେ ଅନ୍ୟାୟ, ଅନୀତିର କଷଣ ସହିଛି ଭାରତ ମାତା।ତା ଛାତିରେ ରକ୍ତର ନଈ ବହିଛି,କେତେ ଅପମାନିତ ଓ ନିର୍ଯାତିତ ହେବାକୁ ପଡ଼ିଛି।ତାଥାପି ନିର୍ବାକ ହେଇ ମାତା ସନ୍ତାନର ସବୁ ବେଦନାକୁ ଆଖି ଲୁହ ଓଠେ ପିଇ ସହିଯାଇଛି।ବୀରଭୋଗ୍ୟା ବସୁନ୍ଧରା ତାକୋଳରେ କେତେ କେତେ ସୁର ବୀରକୁ ଜନ୍ମ ଦେଇଛି।ଯେଉଁ ସନ୍ତାନ ମାନେ ନିଜପର ଭେଦଭାବ ଭୂଲି ମାଟି ମାଁର ସେବାରେ ନିଜକୁ ଉତ୍ସର୍ଗ କରିଦେଛନ୍ତି।ବୀରାଗଂନା ମାଟି ଭାରତବର୍ଷ ଏକ ବିଭବଶାଳୀ ମହାନ ଐତିହ୍ୟ, ପରମ୍ପରା, ବିତ୍ତଶୀଳ ସଂସ୍କୃତି,ସମନ୍ୱୟ ଆଧ୍ୟାତ୍ମିକତାବାଦ ସଂପନ୍ନ। ଉତୁଙ୍ଗ ହିମାଳୟ ଠାରୁ କନ୍ୟାକୁମାମରୀ ଯାଏ ଗଂଗା ଠାରୁ ଗୋଦାବରୀ ଯାଏ ବିସ୍ତାରିତ।ଯାହାର ଭୂମିରୁ ଭୂମା ଯାଏ ଐଶ୍ୱର୍ଯ୍ୟ ବିମଣ୍ଡିତ ଶୋଭାରାଜିରେ ପରିପୂର୍ଣ୍ଣ  ଜଳ,ସ୍ଥଳ,ବନ,ଗିରି, ଆକାଶ। ସେଥିପାଇଁ ସମସ୍ତଙ୍କ ଲୋଲୁପତା ଆଖି ଭାରତ ଉପରେ ପଡ଼ିଛି। କେତେଯେ ବର୍ବୋରଚିତ ଆକ୍ରମଣ ହେଇଛି,କେତେ ଧନ ସଂପଦ,ମନ୍ଦିର, ନଗର ଲୁଟ ହେଇଛି ଇତିହାସ ତାର ମୂକସାକ୍ଷୀ।ଭାରତକୁ  ବଂଧୁ ଭାବରେ ଆସି ବଂଧୁକ ମୁନରେ ଶାସନ କରିଛନ୍ତି।ଭାରତୀୟତାକୁ ନଷ୍ଟକରିବା ପାଇଁ ଅନେକ ପ୍ରକାର ଉଦ୍ୟମ କରାଯାଇଛି।ଅନେକ ବୈଦେଶିକ ଭାରତକୁ ଆକ୍ରମଣ କରିଛନ୍ତି।ଆଲେକଜାଣ୍ଡାର ଠାରୁ ଆରମ୍ଭ କରି ଚେନଜିଂଗ ଖାଁ,ମହମ୍ମଦ ବିନ କାସିମ,ତିମୁର ଲଂଗ,ନାଦିର ଶାହ, ଅହମ୍ମଦ ଶାହା ଅବଦଳୀ ପର୍ଯ୍ୟନ୍ତ।ସେମାନେ ସମସ୍ତେ ଭାରତଠାରୁ ମୟୁର ସିଂହାସନ, କୋହିନୋର ହିରା ପରି ଦୁର୍ମୂଲ୍ୟ ବସ୍ତୁ ଲୁଟ କରିଛନ୍ତି। ଏମାନଙ୍କ ପରେ ପରେ ଆସିଛି ଇଷ୍ଟ ଇଣ୍ଡିଆ କଂପାନୀ ପ୍ରାୟ ୧୬୦୦ ଖୀଷ୍ଟାଦ୍ଦରେ। ଭାରତକୁ ଆସି ସାତ ବର୍ଷ ପରେ ସୁରଟ ଠାରେ କାରଖାନା ନିର୍ମାଣରେ ସଫଳ ହୋଇ ଭାରତ ବର୍ଷର ଦୀର୍ଘ ୪୦୦୦ବର୍ଷର ସଂସ୍କୃତି ଯାହା ହାରପାପା ଓ ମହେଞୋଦାରୋରୁ ଆରମ୍ଭ ହୋଇଥିଲା ତାହାକୁ ବିଳିନ କରିବା ପାଇଁ ଚକ୍ରାନ୍ତ ଆରମ୍ଭ କରିଥିଲା।ବ୍ରିଟିଶ ଇଷ୍ଟ ଇଣ୍ଡିଆ କଂପାନୀ ବାଣିଜ୍ୟ ସଂପର୍କ ଆରମ୍ଭ କରି ଭାରତୀୟ ଶାସକଙ୍କ ଦୂର୍ବଳତାର ସୁଯୋଗ ନେଇ ଧିରେ ଧିରେ ଶାସନ ଗାଦି ଅକ୍ତିଆର କଲା। ୧୮୫୮ ମସିହାରେ ସିଧାସଳଖ ଇଂରେଜ ସରକାର ଭାରତ ଶାସନ ହାତକୁ ନେଲା ଓ ଆରମ୍ଭ ହେଲା ବ୍ରିଟିଶରାଜ।ଗୋରା ସରକାରର ଅତ୍ୟାଚାର ଚରମ ସୀମାରେ ପହଞ୍ଚିଲା।କେତେଦିନ ଆଉ ଗୋରା ସରକାରର ଜୁଳମ ସହିଥାନ୍ତେ।ଉଠିଲା ପ୍ରତିବାଦର ସ୍ୱର। ୧୭୫୭ ର ପଳାସୀ ଯୁଦ୍ଧ ଓ ୧୮୫୮ର ସିପାହୀ ବିଦ୍ରୋହର ଅସଫଳତା ଭାରତୀୟ ମାନଙ୍କୁ ଅନେକ ଶିକ୍ଷା ଦେଇଥିଲା।ସିପାହୀ ବିଦ୍ରୋହର ବ୍ୟାପକତା ଏତେ ବ୍ୟାପକ ଥିଲା ଯେ ଏହାକୁ ସ୍ୱାଧିନତାର ପ୍ରଥମ ସଂଗ୍ରାମ ବୋଲି ବିବେଚନା କରାଯାଏ।ଇଂରେଜ ଶାସନ ଆଗରେ ବୀର ଭାରତୀୟ ମୁଣ୍ଡନୁଆଇ ନାହାନ୍ତି।ଭାରତର କୋଣ ଅନୁକୋଣରେ ଶୁଭିଲା ପ୍ରତିବାଦ ର ସ୍ୱର।ଚାରିଆଡେ ଜଳିଲା ବିଦ୍ରୋହର ବହ୍ନୀ।ହଜାର ହଜାର ସ୍ୱତନ୍ତ୍ରତା ସେନାନୀ ବନ୍ଦେ ମାତାରମ ନାରାରେ ପ୍ରକଂପିତ କଲେ ଗଗନ ପବନ।

ଭଗତସିଂ ଙ୍କ ଡାକରାରେ ଯୁବକ ମାନେ ଆଗେଇ ଆସିଲେ ଇଂରେଜ ସରକାରଙ୍କ ବିରୁଦ୍ଧରେ।ମଂଗଳ ପାଣ୍ଡେ,ଲାଲା ଲାଜପତ ରାୟ,ବିପିନ ଚନ୍ଦ୍ର ପାଲ,ବାଳ ଗଂଗାଧର ତିଳକ,ସୁବାଷ ଚନ୍ଦ୍ର ବୋଷ,ମହାତ୍ମାଗାନ୍ଧୀ, ଜବହାରଲାଲ ନେହେରୁ,ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପରି ମହାନ ଦେଶଭକ୍ତ ତଥା ଝାନ୍ସି ରାଣୀ ଲକ୍ଷ୍ମୀ ବାଇ,ସରୋଜିନୀ ନାଇଡୁ,କସ୍ତୁରବା ଗାନ୍ଧୀ ପରି ନାରୀନେତ୍ରି ମାନେ ଗୋରା ସରକାରଙ୍କ ବିରୋଧରେ ତିବ୍ର ସ୍ୱର ଉତ୍ତୋଳନ କରିଥିଲେ।ଭାରତର କୋଣ ଅନୁକୋଣରେ ଏହିପରି ଅନେକ ସଂଗ୍ରାମୀ,ଦେଶଭକ୍ତଙ୍କ ବଳିଦାନ, ତ୍ୟାଗ, ନିଃସ୍ୱାର୍ଥପର ସେବା ଇଂରେଜ ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ହୋଇଥିଲା।ମହାତ୍ମାଗାନ୍ଧୀ ଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ,ଆଇନ ଅମାନ୍ୟ ଆନ୍ଦୋଳନ, ଭାରତଛାଡ଼ ଆନ୍ଦୋଳନ, ଗ୍ରାମାଞ୍ଚଳରେ ପ୍ରଜା ମଣ୍ଡଳ ଆନ୍ଦୋଲନ, ସ୍ୱଦେଶୀ ଆନ୍ଦୋଳନ ମୁଣ୍ଡଟେକି ଇଂରେଜ ଶାସନ ବିରୋଧୀ ସ୍ୱର ତିବ୍ରତର ହୋଇଥିଲା।ବିଭିନ୍ନ ପ୍ରଦେଶରେ ମଧ୍ୟ ଏହି ସବୁ ଆନ୍ଦୋଳନ ଅନୁରୂପ ଭାବେ ଆରମ୍ଭ ହେଲା। ଓଡ଼ିଶାରେ ମଧ୍ୟ ମହାତ୍ମାଗାନ୍ଧୀ ନେତୃତ୍ୱ କୁ ସମର୍ଥନ କରି ଅନୁରୂପ ଭାବେ ବିଭିନ୍ନ ଆନ୍ଦୋଳନ ମୁଣ୍ଡଟେକିଲା। ଅବଶ୍ୟ ଓଡ଼ିଶାର ବହୁ ପୂର୍ବରୁ ଇଂରେଜ ବିରୋଧୀ ଆନ୍ଦୋଳନ ଦେଖାଦେଇଥିଲା ୧୮୦୪ରେ ଖୋର୍ଦ୍ଧାରେ ଜୟୀରାଜଗୁରୁ,୧୮୧୭ରେ ବକ୍ସିଜଗନ୍ଧୁ,୧୮୨୭ରେ ଦଳବେହେରା ମାଧବଚଦ୍ର,୧୮୩୫ରେ ଚକରା ବିଷୋୟୀ,୧୮୫୭ ବିଦ୍ରୋହରେ ବୀରସୁରେଦ୍ର ସାଏ,ଚାଖି ଖୁଣ୍ଟିଆ, ମାଧବ ସିଂ ପ୍ରମୁଖ ଇଂରେଜ ସରକାରକୁ ବିରୋଧ କରି ଥିଲେ।ଓଡ଼ିଶାର କୋଣ ଅନୁକୋଣରେ ବୀର୍ସା ମୁଣ୍ଡା, ରେଣ୍ଡୋ ମାଝୀ, ଲକ୍ଷଣ ନାଏକ ଭଲି କେତେ ଦେଶପ୍ରେମୀ ସ୍ୱାଧୀନତା ମହାସମରରେ ଝାସ ଦେଇଥିଲେ। ସ୍ୱଦେଶୀ ଆନ୍ଦୋଳନ ଠାରୁ ଭାରତଛାଡ ଆନ୍ଦୋଳନରେ ଓଡ଼ିଶାର ଗୋପବନ୍ଧୁ ଦାସ,ଛାତ୍ର ନେତା ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ କାନୁନଗୋ, ନନ୍ଦକିଶୋର ଦାଶ,ରାଜ କିଶୋର ବୋଷ ତଥା ବିଭିନ୍ନ ଅଞ୍ଚଳରୁ ଗୋପବନ୍ଧୁ ଦାସ,ଆଚାର୍ଯ୍ୟ ହରିହର ଦାସ,ରମା ଦେବୀ,ମାଳତୀ ଦେବୀ,ରଘୁ ମହାନ୍ତି, ଦିବାକର ପରିଡ଼ା ପରି ଅନେକ ଦେଶଭକ୍ତ ସ୍ବାଧୀନତା ମହାସଂଗ୍ରାମରେ ସାମିଲ ହୋଇଥିଲେ।ଏହିପରି ଅନେକ ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ବିରୋଧ ଭାସ ଯୋଗୁ ଇଂରେଜ ସରକାର ଭାରତ ମାଟିରେ ମୁଣ୍ଡ ନୁଆଇଁ ଥିଲା। ଶେଷରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନ ଭାରତରେ ତ୍ରିରଙ୍ଗା ଫର ଫର ହୋଇ ଉଡ଼ିଲା।ଅତ୍ୟାଚାରୀ ଇଂରେଜ ଶାସନର ଅନ୍ତହେଲା। ଭାରତୀୟ ବୀର ସନ୍ତାନ ମାନଙ୍କର ତ୍ୟାଗ ଓ ବଳିଦାନ ବ୍ୟର୍ଥ ଯାଇନଥିଲା।ସେମାନଙ୍କ ପାଇଁ ଆଜି ଆମର ଗର୍ବ,ମାନ,ଅଭିମାନ।ଲୋକେ ସ୍ବାଧୀନତାକୁ ଅନୁଭବ କଲେ।ସ୍ବାଧୀନତାର ରସ ଆସ୍ବଦନ କଲେ।ସ୍ବାଧୀନତା ପାଇବାର କିଛି ବର୍ଷ ଅର୍ଥାତ ପ୍ରାୟ ଅଶୀଦଶକ ଯାଏ ସ୍ବାଧୀନତାକୁ ନେଇ ଯେଉଁ ବୃହତ ଉପଲବ୍ଧି ଥିଲା ଧିରେ ଧିରେ ପ୍ରଶମିତ ହେବାରେ ଲାଗିଲା।ଭାରତୀୟ ନୂତନ ପିଢି ସ୍ବାଧୀନତାର ସ୍ବାଦ ସଂପର୍କରେ ଅନଭିଜ୍ଞ।ସ୍ବାଧୀନତା ସମୟରେ ଯେମିତି ସାମାଜିକ ଜୀବନ ଥିଲା,ସାସ୍କୃତିକ ପରଂମରା ରହିଥିଲା,ଅର୍ଥନୈତିକ ବ୍ୟବସ୍ଥା ଥିଲା ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଲା।ଏବେ ଚାରିଆଡେ ଗମନାଗମନର ସୁବିଧା। ଚକାଚକ ଘର। ସହର ଯେମିତି ବଢ଼ିବାରେ ଲାଗିଛି ଗାଁରେ ମଧ୍ୟ ସହର ପରି ସୁବିଧା ସୁଯୋଗ ମିଲିପାରୁଛି। ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ପାଇଁ ଆଜିର ନାଗରିକଙ୍କ ଜୀବନ ସହଜ ସରଳ ହେଇପାରିଛି। ଶିକ୍ଷା,ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଶ ଅଗ୍ରଗତି କରିଛି।ଦେଶ ଶାସନରେ ବ୍ୟାପକ ପରିବର୍ତ୍ତନ ଦେଖାଯାଉଛି।କେନ୍ଦ୍ର ଓ ରାଜ୍ୟ ମାନଙ୍କରେ ମେଣ୍ଟ ସରକାର ଶାସନ କରୁଛି।ସମ୍ବିଧାନ ଶହେରୁ ଅଧିକ ଥର ସଂଶୋଧନ ହୋଇସାରିଲାଣି। ସଂସଦର ପୂର୍ବ ଗାରିମା ଆଉ ନାହିଁ।ନ୍ୟାୟପାଳିକାର ବ୍ୟାପକ ପରିବର୍ତ୍ତନ ହେଲାଣି।ଦେଶ ଦ୍ରୁତ ଗତିର ପ୍ରଗତି କରୁଛି କିନ୍ତୁ ନାଗରିକଙ୍କ ବ୍ୟକ୍ତିଗତ ଜୀବନ ଜଟିଳ ହେବାକୁ ଲାଗିଛି।ଘରୋଇକରଣ ବଢିବାରେ ଲାଗିଛି। ଦେଶର ଜନସଂଖ୍ୟା ଯେମିତି ବଢୁଛି ବେକାରୀ ସଂଖ୍ୟା ସେହି ହାରରେ ବଢିବାରେ ଲାଗିଛି।ମଣିଷ ବଦଳରେ ପ୍ରତ୍ୟେକ କ୍ଷେତ୍ରରେ ଯନ୍ତ୍ର କାମ କରୁଛି।ମଣିଷ ସଂପୂର୍ଣ୍ଣ ଯନ୍ତ୍ର ଉପରେ ନିର୍ଭରଶୀଳ।ଗାନ୍ଦୀଜୀ କହିଥିଲେ ଆରାମ ହାରାମ ହେ।ଏବର ନାଗରିକ ଆଲସ୍ୟର ବୁଢିଆଣୀ ଜାଳରେ ଛନ୍ଦି ହୋଇଯାଇଛି।ଇଂରେଜମାନଙ୍କ ଠାରୁ ମଧ୍ୟ ଦେଶର ଲୋକମାନେ ଅଧିକ ମାରତ୍ମକ।ଯିଏ  ଯେମିତି ପାରିଲା ଦେଶକୁ ଲୁଟିବାରେ ଲାଗିଛନ୍ତି।

ଦେଶସାରା ଦୁର୍ନୀତି।ଆଜିର ଯୁବସମାଜ ବିପଥଗାମୀ।ନିଶା ସେବନ ଓ ନିଶାକାରବାରରେ ଲିପ୍ତ।ଆଉ ଏକ ଚିନ୍ତାଜନକ ବିଷୟ ହେଲା ନକ୍ସଲ ସମସ୍ୟା।ଏମାନେ ଜନଜୀବନକୁ ଅସ୍ଥିର କରି ରଖିଛନ୍ତି।ମଣିଷ ଏବେ ସ୍ବାର୍ଥପର।ସହଯୋଗ,ସହାନୁଭୂତି ଏବେ ପୂର୍ବ ପରି ନାହିଁ।ଏକତା, ମନୋବଳ ଭାଂଗିଯାଇଛି।ସ୍ବାଧୀନତା ପ୍ରାପ୍ତି ପରେ ପରେ ଯେମିତି ଭାତୃଭାବ ରହିଥିଲା।ଦେଶରେ ଏକତା ଅଖଣ୍ଡତା ରହିଥିଲା ଏବେ ଏସବୁ ଆଉ ନାହିଁ।ସବୁଥିଲା ପରି ଲାଗୁଛି କିନ୍ତୁ କିଛି ନାହିଁ।ନିଜ କଥା ନିଜ ମତ ସାବ୍ୟସ୍ତ କରିବା ପାଇଁ ସମସ୍ତେ ତତ୍ପର।ମତଭେଦ,ମତାନ୍ତର ସର୍ବତ୍ର ଦେଖିବାକୁ ମିଲୁଛି।ଧନୀଲୋକ ଧନୀ ଗରିବ ଲୋକ ଗରିବ ହେବାରେ ଲାଗିଛନ୍ତି।ଅର୍ଥନୈତିକ ଅଭିବୃଦ୍ଧି ହାର ସନ୍ତୋଷଜନକ ହେଇପାରିନାହିଁ।

ସରକାରୀ ସୁବିଧା ପାଇଁ ନାଗରିକମାନେ ଦାରିଦ୍ର୍ୟ ସୀମାରେଖା ତଳେ ରହିବା ପାଇଁ ପସନ୍ଦ କରୁଛନ୍ତି।ସରକାରଙ୍କ ଅନେକ ଜନ କଲ୍ୟାଣ ଯୋଜନା ବାଟବଣା।ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ବେଳକୁ

ଅର୍ଦ୍ଧେକକୁ ଖସିଆସୁଛି।ଭାଗବଣ୍ଟାର ରାଜନୀତି।କ୍ଷମତା ହାସଲ ସକାଶେ ଦଳବଦଳ କରୁଛନ୍ତି।ଏକ ମଜଭୂତ ବିରୋଧୀ ଦଳର ଅଭାବ ପରିଲକ୍ଷିତ ହେଉଛି।ସଂସଦ ଭଲ ଭାବରେ ଚାଲିପାରୁ ନାହିଁ।ହା ହୋଲ୍ଲା, ବାକବିତଣ୍ଡାରେ ଗଣତନ୍ତ୍ରର ମନ୍ଦିର କଳୁଷିତ।ଦେଶସରା ଜୁଝିବା ଯେତେ ସହିବା କମ୍।ନୂଆ ନୂଆ ଅପରାଧିକ ମାମଲା ଦେଖିବାକୁ ମିଲୁଛି।ସମସ୍ତେ ଭାବିଥିଲେ ସ୍ବାଧୀନତା ପରେ ଦେଶରେ ଶାନ୍ତି,ମୈତ୍ରୀ, ସଦଭାବନା ବିରାଜମାନ କରିବ କିନ୍ତୁ ଦିନକୁ ଦିନ ଆମ ଭିତରେ ଅଶାନ୍ତି, ଅମେଳ,ଆତ୍ମବଡିମା ବଢିବାରେ ଲାଗିଛି।କିନ୍ତୁ ଏବେ ମଧ୍ୟ କିଛି ବିଗିଡି ନାହିଁ, ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।ଯୁବଶକ୍ତିକୁ ସଠିକ ବିନିଯୋଗ କରିବାର ସମୟ ଆସିଛି।ଆଜିଦିର ଅମୃତ ଉତ୍ସବ ପାଳନ ଅବସରରେ ପରାଧୀନ ଭାରତର ଅବସ୍ଥା ସ୍ମରଣ କରିବାର ଆବଶ୍ୟକତା ମନେହୁଏ।ଆମେ ଯେମିତି ଏକତ୍ରିତ ହୋଇ ସ୍ବାଧୀନତା ଆଣିଥିଲେ ସେହିପରି ଏକତ୍ରିତ ହୋଇ ଭାରତର ଏକତା, ଅଖଣ୍ଡତାକୁ ବଜାୟ ରଖିବା।ଆମ ଭିତରେ ଶାନ୍ତି, ମୈତ୍ରୀ, ସଦଭାବନା ସୃଷ୍ଟି କରି ଭାରତମାତାର ଜୟଗାନ କରିବା।

ମୋହନ ଚରଣ ବିଷି

ଅଧ୍ୟାପକ

ଗଡ଼ରାମାଳ,କୋକସରା,

Comments are closed.