ଡକ୍ଟର ଲକ୍ଷ୍ମଣ ସାହୁ : ସହସ୍ରାଦ୍ଦର ଶ୍ରେଷ୍ଠ ପୁରୁଷ, ଭାରତୀୟ ଜାତୀୟ ଆନ୍ଦୋଳନର ଶ୍ରେଷ୍ଠ ପୁରୋଧା , ଜାତିର ପିତା ମୋହନ କରମ ଚାନ୍ଦ ଗାନ୍ଧୀ ଭାରତ ବର୍ଷରେ ନୁହେଁ , ସମଗ୍ର ବିଶ୍ୱ ଦରବାରରେ ମହାତ୍ମାଗାନ୍ଧୀ ନାମରେ ପରିଚିତ । ଏକାଧାରରେ ଜଣେ ସଂସ୍କାରକ , ବିପ୍ଳବୀ , ଦାର୍ଶନିକ ଓ ଚିନ୍ତାନାୟକ । ଭାରତ ତଥା ବିଶ୍ୱରାଜନୀତିରେ ତାଙ୍କର ଅବଦାନ ଏକ ଯୁଗାନ୍ତକାରୀ ବିସ୍ମୟାଭିଭୂତ ଘଟଣା । ଗାନ୍ଧୀବାଦ ସେଭଳି କୌଣସି ନିର୍ଦ୍ଦିଷ୍ଟ ନୀତି ବା ଦର୍ଶନ ଉପରେ ପର୍ଯ୍ୟବେସିତ ନୁହେଁ , ବରଂ ଏହା ହେଉଛି ମହାତ୍ମାଗାନ୍ଧୀଙ୍କର ଚିନ୍ତାଧାରା ଓ ଆଦର୍ଶକୁ ନେଇ ଗଢିଉଠୁଥିବା ଏକ ବିଚାରଧାରା ଦର୍ଶନ । ଗାନ୍ଧିଜୀ ନିଜେ କହିଛନ୍ତି – ” ଗାନ୍ଧୀବାଦ ” ବୋଲି ସେଭଳି କିଛି ନାହିଁ । ତେଣୁ ‘ ଗାନ୍ଧୀ ବାଦ ‘ କହିଲେ ତାଙ୍କ ଦ୍ୱାରା ପ୍ରବର୍ତ୍ତିତ ନୀତି ଓ ଆଦର୍ଶକୁ ବୁଝାଇଥାଏ ।
ଗୁଜରାଟର କାଥୂୱ।ଡ ଜିଲ୍ଲାର ପୋରବନ୍ଦର ଠାରେ ଏକ ସମୃଦ୍ଧ ବଣିକ ପରିବାରରେ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗାନ୍ଧୀଙ୍କ ଜନ୍ମ । ତାଙ୍କ ପିତାଙ୍କ ନାମ କାବା ଗାନ୍ଧୀ ଓ ମାତାଙ୍କ ନାମ ପୁତୁଳି ବାଈ । ତାଙ୍କ ପୂର୍ବ ପୁରୁଷମାନେ ଗୁଜରାଟର ଏକ ଛୋଟ ଦେଶୀୟ ରାଜ୍ୟରେ କର୍ମଚାରୀ ଥିଲେ । ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଲାଭ କରିବା ପରେ ଗାନ୍ଧୀ ଆଇନ୍ ବ୍ୟବସାୟ ଦକ୍ଷିଣ ଆଫ୍ରିକାରେ କରିଥିଲେ । ଦକ୍ଷିଣ ଆଫ୍ରିକାରେ ନିଷ୍ଠୁର ବର୍ଣ୍ଣବୈଷ୍ୟମର ଶିକାର ପାଲଟି ଥିବା ପ୍ରବାସୀ ଭାରତୀୟ ମାନଙ୍କର ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ସେଠାରେ ସେ ସଂଗ୍ରାମ ଆରମ୍ଭ କରିଥିଲେ ।
ଦକ୍ଷିଣ ଆଫ୍ରିକାରେ କରିବାର ସେଇସବୁ ବର୍ଷ ଗୁଡିକରେ ଗାନ୍ଧିଜୀଙ୍କ ଦାର୍ଶନିକ ଓ ସାମାଜିକ , ରାଜନୈତିକ ଭାବାଦର୍ଶଗୁଡିକ ମୋଟା ମୋଟି ଭାବରେ ରୂପ ଲାଭ କରିଥିଲା । ବିଶେଷ କରି ତାଙ୍କ ଚିନ୍ତା ଚେତନା ଉପରେ ବିଭିନ୍ନ ବ୍ୟକ୍ତି ତଥା ଧର୍ମ ଗ୍ରନ୍ଥର ପ୍ରଚୁର ପ୍ରଭାବ ପଡିଥିଲା । ମା ପୁତୁଳି ବାଈ ଥିଲେ ଜଣେ ଧର୍ମ ପରାୟଣ ମହିଳା । ଫଳତଃ ବାଲ୍ୟାବସ୍ଥାରୁ ତାଙ୍କ ମାତାଙ୍କର ଧର୍ମାନୁସୃତ ତାଙ୍କ ଉପରେ ପ୍ରଭାବ ପକାଇଥିଲା । ବିଭିନ୍ନ ଧର୍ମଗ୍ରନ୍ଥ ଯଥା- ଭଗବତ୍ ଗୀତ , ରାମାୟଣ ଓ ମହାଭାରତ , ବାଇବେଲ୍ ଓ କୋରାନ୍ ଦ୍ବାରା ସେ ପ୍ରଭାବିତ ହୋଇଥିଲେ ।
ବିଶ୍ୱ ପରିଚିତ , ପ୍ରଶଂସିତ , ସ୍ୱନାମଧନ୍ୟ ଡାଭିଡ଼ ଥୋରା , ରସକିନ୍ , ବଣ୍ତ , ଲିଓ ଟଲଷ୍ଟୟ , ଗୋପାଳ କୃଷ୍ଣ ଗୋଖେଲଙ୍କ ଦ୍ବାରା ବିଶେଷ ଭାବରେ ଅନୁପ୍ରାଣିତ ହୋଇଥିଲେ । ଗୋପାଳ କୃଷ୍ଣ ଗୋଖେଲଙ୍କ ଉଦାରବାଦୀ ଚିନ୍ତାଧାରା , ସାମ୍ବିଧାନିକ କଳା କୌଶଳ , ରାଜନୈତିକ ସହନଶୀଳତା ଓ ସାଲିସ୍ ସୂତ୍ର ଦ୍ବାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । କୁହାଯାଏ ଗୋପାଳ କୃଷ୍ଣ ଗୋଖେଲ ଥିଲେ ଗାନ୍ଧିଜୀଙ୍କ ‘ ରାଜନୈତିକ ଗୁରୁ ‘ ।
ସ୍ମରଣଯୋଗ୍ୟ ଯେ , ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ଦାର୍ଶନିକ ତଥା ସାମାଜିକ- ରାଜନୈତିକ ଭାବାଦର୍ଶଗୁଡିକ ପରବର୍ତ୍ତୀ କାଳରେ ବିଶେଷ କରି ଭାରତରେ ବ୍ରିଟିଶ୍ ଔପନିବେଶିକ ଶାସନ ବିପକ୍ଷରେ ତାଙ୍କ ସଂଗ୍ରାମର କୌଶଳଟି ନିର୍ଦ୍ଧାରିତ ହୋଇଥିଲା । ସେ ଅହିଂସା ପ୍ରତିରୋଧ ବା ସତ୍ୟାଗ୍ରହର ନୀତିଗୁଡିକୁ ପ୍ରୟୋଗ କରିଥିଲେ । ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ , ବିଂଶ ଶତାବ୍ଦୀର ପ୍ରାରମ୍ଭରେ ରୁଷିଆର ସାମାଜିକ ଓ ରାଜନୈତିକ ଘଟଣାବଳୀର ପ୍ରଭାବରେ ମୂଳତଃ ଏହାର ଉଦ୍ଭବ ହୋଇଥିଲା ।
ରୁଷିଆର ବିପଦରୁ ଏବଂ ବିଶେଷ କରି ଦେଶବ୍ୟାପୀ ସଂଘଟିତ ସାମାଜିକ ଓ ରାଜନୈତିକ ଧର୍ମଘଟରୁ ଲାଭ କରିଥିବା ଅଭିଜ୍ଞତା ଦ୍ବାରା ଗାନ୍ଧୀ ରାଜନୈତିକ ପ୍ରତିପକ୍ଷ ଉପ ଚାପ ସୃଷ୍ଟି କରିବାର ଉପାୟ ହିସାବରେ ସଂଗଠିତ ଗଣ ଆନ୍ଦୋଳନର ପ୍ରୟୋଜନୀୟତା ସଂପର୍କରେ ନିଜ ଧାରଣାରେ ଦୃଢ ନିଶ୍ଚିତ ହୋଇଥିଲେ ।
ରୁଷିଆର ଘଡିସନ୍ଧି ଏଭଳି (୧୯୦୫) ମୁହୂର୍ତ୍ତରେ ଘଟଣାବଳୀର ମୂଲ୍ୟେ ସମୟରେ ଗାନ୍ଧିଜୀ ଲେଖିଥିଲେ , ସବୁଠାରୁ କ୍ଷମତାଶାଳୀ ଶାସକ ମଧ୍ୟ ଶାସିତମାନଙ୍କ ସାହାଯ୍ୟ ବ୍ୟତୀତ ଶାସନ କାର୍ଯ୍ୟ ଚଳାଇ ପାରୁ ନାହାଁନ୍ତି । ଅହିଂସା ସଂପର୍କରେ ତଲସ୍ତୟଙ୍କ ମୁଲ୍ୟବାନ ଲେଖା ଗାନ୍ଧୀଙ୍କ ଅଂହିସା ସଂଗ୍ରାମକୁ ଅନୁପ୍ରାଣିତ କରିଥିଲା । ଗାନ୍ଧିଜୀ ପ୍ରଥମେ ଅସହଯୋଗ ଆନ୍ଦୋଳନ , ଅର୍ଥାତ ଗଣ ସଂଗଠିତ ଭାବେ ଦକ୍ଷିଣ ଆଫ୍ରିକା ସରକାରଙ୍କ ଅନୁସୃତ ବର୍ଣ୍ଣବୈଷମ୍ୟ ନୀତି ବିପକ୍ଷରେ ଆନ୍ଦୋଳନ ଆରମ୍ଭ କରିଥିଲେ ।
ଗାନ୍ଧିଜୀ ପ୍ରତ୍ୟେକଟି ପ୍ରଚାରାଭିଯାନ ପୂର୍ବରୁ ବିଶେଷ କରି କର୍ତ୍ତୃପକ୍ଷଙ୍କ ସହିତ ଆଳାପ ଆଲୋଚନା କରୁଥିଲେ । ଏପରିକି ସତ୍ୟାଗ୍ରହ ଚାଲିଥିବା ସମୟରେ କର୍ତ୍ତୃପକ୍ଷଙ୍କ ସହିତ ବୁଝାମଣାର ନିକର୍ଷରେ ପହଂଚିବାକୁ ଚେଷ୍ଟା କରୁଥିଲେ । ଏପରିକି ସ୍ୱକୀୟ କାର୍ଯ୍ୟ ଅହିଂସା , ଶାନ୍ତି ପୂର୍ଣ୍ଣ ସ୍ୱଭାବ ପ୍ରତି ଦୃଷ୍ଟି ଆକର୍ଷଣ କରି ସେ ବ୍ରିଟିଶ୍ ସରକାରଙ୍କ ପ୍ରତି ଯଥାର୍ଥ ସମ୍ମାନ ବୋଧକ ଆନୁଗତ୍ୟ ଦେଖାଉଥିଲ । ଏପରିକି ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ତାଙ୍କ ନିଜସ୍ୱ ପ୍ରଦେଶ ଗୁଜରାଟର କୃଷକମାନଙ୍କୁ ସୈନ୍ୟ ବାହିନୀରେ ଯୋଗ ଦେବାପାଇଁ ପ୍ରଚାର କରି ବ୍ରିଟିଶ୍ ମାନଙ୍କୁ ସହଯୋଗ କରିଥିଲେ ।
ଏପରିକି ଆଫ୍ରିକାରେ ଅସହଯୋଗ ଆନ୍ଦୋଳନର ସାଫଲ୍ୟ ବିଭିନ୍ନ ସଂବାଦ ପତ୍ରରେ ପ୍ରକାଶ ପାଇବା ଦ୍ଵାରା ତାଙ୍କର ସୁନାମ ବ୍ୟାପିଯାଇଥିଲା । ବିଶେଷକରି ନିଜ ଦ୍ବାରା ପ୍ରକାଶିତ ଭାରତରେ ସ୍ୱାୟତ୍ତଶାସନର ସମର୍ଥକ “ଇଣ୍ଡିଆନ୍ ଓପିନିଅନ ” ପତ୍ରିକାରେ ଅସଂଖ୍ୟ ପ୍ରବନ୍ଧ ଗାନ୍ଧିଜୀଙ୍କ ଖ୍ୟାତି ଓ ସୁନାମ ବଢାଇ ଦେଇଥିଲା । ଗାନ୍ଧିଜୀ ଯେତେବେଳେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ଓ ଭାରତରେ ସତ୍ୟାଗ୍ରହ ଭାବାଦର୍ଶଗୁଡିକ ପ୍ରଚାର କରି ଆହମଦାବାଦରଜ ” ସତ୍ୟାଗ୍ରହ ଆଶ୍ରମ ” ନାମରେ ପ୍ରତିଷ୍ଠାନ କଲେ ସେତେବେଳେ ଭାରତୀୟ ମାନଙ୍କ ଠାରୁ ତାଙ୍କୁ ଅଗଣିତ ଜନ ସମର୍ଥନ ମିଳିଥିଲା । ପରାଧୀନ ଭାରତର ମୁକ୍ତି ସଂଗ୍ରାମୀ ମାନଙ୍କ ମନରେ ଆଶାର ଆଲୋକ ଦୃଶ୍ୟ ଦେଖିବାକୁ ମିଳିଲା ।
ଏପରିକି ରାଜକୋଟ ରାଜ୍ୟରେ କେତେକ ଶୁଳ୍କ ଉଠେଇ ଦେବାପାଇଁ ଭାରତ ବାହାରେ କାର୍ଯ୍ୟ କରିବା ପାଇଁ ଜୁରିମାନଙ୍କୁ ନିଯୁକ୍ତ କରିବାର ଆଦ୍ୟ ସଂସ୍କାର ଦାବି କରିବା , ବିହାରରେ ଦେଖାଦେଇଥିବା ବ୍ରିଟିଶ୍ ବଗିଚାର ମାଲିକମାନଙ୍କ ଦ୍ଵାରା ଚାଷୀମାନଙ୍କୁ ଶୋଷଣ ଦାଉରୁ ରକ୍ଷା ନିମନ୍ତେ ଅହିଂସା ଆନ୍ଦୋଳନ କରି ସଫଳ ହେବା ଦ୍ଵାରା ଜନମାନସରେ ଏସବୁ ଆନ୍ଦୋଳନ ଗଭୀର ରେଖାପାତ କରି ସମର୍ଥନ ଲାଭ କରିଥିଲା । ଫଳତଃ ଭାରତୀୟ ରାଜନୈତିକ କ୍ଷେତ୍ରର ଅଗ୍ରଭାଗରେ ଗାନ୍ଧିଜୀଙ୍କ ପଦଚିହ୍ନର ଛାପ ପଡିଥିଲା କେବଳ ନୁହେଁ ଅଗ୍ରଭାଗରେ ତାଙ୍କୁ ପ୍ରତିଷ୍ଠା ଦେଇଥିଲା । ଭାରତୀୟ ଜନମାନସରେ ସ୍ୱାଧୀନତାର ତ୍ରିରଙ୍ଗା , ଜାତୀୟ ସଙ୍ଗୀତର ସ୍ୱର ବଳବତ୍ତର ହୋଇପାରିଥିଲା । ଔପନିବେଶକ ସରକାର ବିପକ୍ଷରେ ସଂଗ୍ରାମରେ ଜନସାଧାରଣଙ୍କୁ ଜଡ଼ିତ କରିବା ସ୍ୱକୀୟ ବକୃତା ଓ ରଚନାବଳୀ ଦ୍ବାରା ଏକତ୍ରିତ କରିବାରେ ସେ ଥିଲେ ଶ୍ରେଷ୍ଠ ନାୟକ ।
ବାସ୍ତବରେ ଗାନ୍ଧିଜୀ ସର୍ବଦା ଆଧ୍ୟାତ୍ମିକ ରାଜନୀତି ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ଧର୍ମ ଓ ରାଜନୀତି ମଧ୍ୟରେ ଆତ୍ମିକ ସଂପର୍କ ପାଇଁ ଧର୍ମ ମଣିଷକୁ ଉନ୍ନତ ଗୁଣଯୁକ୍ତ କରେ ଯାହା ରାଜନୈତିକ ଜୀବନରେ ଉନ୍ନତି ଆଣେ ବୋଲି ଦର୍ଶାଉଥିଲେ । ଧର୍ମ ରାଜନୀତି ପାଇଁ ନୈତିକ ପ୍ରେରଣା ଦିଏ । ରାଜନୀତିକୁ ସତ୍ୟ , ନ୍ୟାୟ , ପ୍ରେମ ଓ ଅହିଂସା ଦ୍ବାରା ପରିଚାଳନା କରାଇବା ତାଙ୍କର ଥିଲା ମୁଖ୍ୟ ଲକ୍ଷ୍ୟ । ସର୍ବଦା ସେ ସତ୍ୟ , ନ୍ୟାୟ , ଅହିଂସାକୁ ଗୁରୁତ୍ୱ ଦେଉଥିଲେ । ସତ୍ ଉପାୟର ଆଶ୍ରୟ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଥିଲା ତାଙ୍କର ମହାମନ୍ତ୍ର । ଭଲ ମଞ୍ଜିରୁ ଭଲ ଚାରା ସୃଷ୍ଟି ହେବା ଭଳି ସତ୍ କର୍ମ ଓ ସତ୍ ଚିନ୍ତନରୁ ଉତ୍ତମ ଫଳ ମିଳେ । ମଣିଷର ସଦ୍ ଗୁଣ ଉପରେ ତାଙ୍କର ଥିଲା ଅଗାଧ ବିଶ୍ୱାସ । ସତ୍ୟ ଓ ନୈତିକତାକୁ ପ୍ରାଧାନ୍ୟ ଦେଉଥିବା ଗାନ୍ଧୀ ଜନସେବା ଓ ମାନବିକତାବାଦ ଦର୍ଶନର ଥିଲେ ପୁରୋଧା ।
ତାଙ୍କ ଦର୍ଶନ ସତ୍ୟ ଓ ଅହିଂସା ଆଧାରିତ । ବିଶେଷ କରି ସତ୍ୟ ଓ ଅହିଂସାକୁ ମାଧ୍ୟମ କରି ରାଜନୈତିକ , ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ଏକ ନୂତନ ସମାଜ ଗଢିବାର ସ୍ୱପ୍ନ ଦେଖୁଥିଲେ । ସତ୍ୟ ଓ ଅହିଂସା ଥିଲା ତାଙ୍କର ପରମ ବ୍ରତ । ବିଶେଷ କରି ସତ୍ୟ , ନିର୍ଭୀକତା , ଅନାସକ୍ତ , ତ୍ୟାଗ , ଆତ୍ମାଶୁଦ୍ଧି , ଅଧ୍ୟବସାୟ ଆଦି ଗୁଣରାଶି ଦ୍ଵାରା ଅହିଂସାକୁ ବଳବତ୍ତର କରି ସେ ବିପ୍ଳବର ଧାରାକୁ ତ୍ୱରାନ୍ୱିତ କରୁଥିଲେ ।
ସତ୍ୟାଗ୍ରହ ଗାନ୍ଧିବାଦୀ ଦର୍ଶନର ଏକ ନିଆରା ପନ୍ଥା । ଏହାର ଅର୍ଥ ହେଉଛି ସତ୍ୟ ପ୍ରତି ଆଗ୍ରହ । ରାଜନୀତି ଓ ଜାତୀୟ ଜୀବନକୁ ସତ୍ୟ ଓ ଭଦ୍ରତା ଦ୍ବାରା ପ୍ରତିଷ୍ଠା କରିବା ସତ୍ୟାଗ୍ରହର ଆଭିମୁଖ୍ୟ । ଗାନ୍ଧିଜୀ ସତ୍ୟକୁ ଆତ୍ମା ଓ ପ୍ରେମଭାବ ସହ ମିଶ୍ରଣ ସତ୍ୟାଗ୍ରହ ରୂପକ ଅସ୍ତ୍ରକୁ ସାମାଜିକ ସମସ୍ୟାର ସମାଧାନରେ ବ୍ୟୟ କରୁଥିଲେ । ସେ ସତ୍ୟାଗ୍ରହକୁ ଏକ ତପସ୍ୟା , ଅହିଂସାର ସଂଗ୍ରାମ, ମାନବୀୟ ଭ୍ରାତୃତ୍ୱର ବାହାକ ଭାବରେ ଗ୍ରହଣ କରିଥିଲେ । ବିଶେଷତଃ ଅସହଯୋଗ , ଅନଶନ , ହରତାଳ , ଧାରଣା , ଆଇନ୍ ଅମାନ୍ୟ ଆଦିକୁ ସତ୍ୟାଗ୍ରହର କୌଶଳ ରୂପେ ବ୍ୟବହାର କରୁଥିଲେ ।
ସେଭଳି ବାଳଗଙ୍ଗାଧର ତିଲକ୍ , ବିବେକାନନ୍ଦ , ଶ୍ରୀଅରବିନ୍ଦ ଆଦି ଦାର୍ଶନିକ ମାନଙ୍କ ସ୍ୱରାଜର ଆଧ୍ୟାତ୍ମିକତା ଓ ପ୍ରୟୋଜନୀୟତାକୁ ଉପଲବ୍ଧ କରି ଗାନ୍ଧିଜୀ ସ୍ୱରାଜ୍ୟ ଉପରେ ଗୁରୁତ୍ୱ ଦେଉଥିଲେ । ସମାଜର ସାର୍ବଜନୀନ ମଙ୍ଗଳ ଓ ବିକାଶ ପାଇଁ ଗାନ୍ଧିଜୀ ” ସର୍ବୋଦୟ ‘ ପରିକଳ୍ପନା କରିଥିଲେ । ସଂସ୍କୃତ ଶବ୍ଦ ‘ ସର୍ବ ‘ ଓ ଉଦୟ ‘ ରୁ ‘ ସର୍ବୋଦୟର ସୃଷ୍ଟି , ଯାହାର ଅର୍ଥ ସମସ୍ତଙ୍କ ବିକାଶ ସାଧନ କରାଇବା । ଗାନ୍ଧିଜୀଙ୍କର ଦୃଷ୍ଟି ଥିଲା ସମାଜ ଭ୍ରାତୃତ୍ୱ ଓ ନ୍ୟାୟ ଉପରେ ପ୍ରତିଷ୍ଠିତ ହୋଇ ସର୍ବୋଦୟ ସମାଜରେ ସକଳ ଲୋକଙ୍କ ମଙ୍ଗଳ ଘଟୁ । ପ୍ରତ୍ୟେକ ମଣିଷ ନିଜର ଅଧିକାର ଅପେକ୍ଷା କର୍ତ୍ତବ୍ୟକୁ ଅଧିକ ଶ୍ରେୟ ମନେକରି ଗୁରୁତ୍ୱ ଦେଉ ।
ଯାହା ଫଳରେ ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ଏକ ସୁସ୍ଥ ଓ ଅନ୍ତଃସଂପର୍କ ହୋଇପାରିବ । ଗାନ୍ଧିଜୀ ଥିଲେ ଦୂରଦର୍ଶୀ , ଜାତୀୟ ଓ ଆର୍ନ୍ତଜାତୀୟ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ବ୍ୟକ୍ତିକୁ ରାଷ୍ଟ୍ର ପାଇଁ ଓ ରାଷ୍ଟ୍ରକୁ ବିଶ୍ୱ ପାଇଁ ନିଜ ନିଜର ସ୍ୱାର୍ଥକୁ ତ୍ୟାଗ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ଦ୍ଵାରା ବିଶ୍ୱ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ପରାମର୍ଶ ଦେଇଛନ୍ତି । ଶାରୀରିକ ଶ୍ରମ ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେକୌଣସି ଶ୍ରମ/ବୃର୍ତ୍ତି ଦ୍ବାରା ଦେଶରୁ ବେକାରୀ , ଅଭାବ ଓ ଅନଟନ ଦୂରେଇ ଯିବ ।
ଗ୍ରୀକ୍ ଦାର୍ଶନିକ ପ୍ଳାଟୋଙ୍କ ଭଳି ଗାନ୍ଧିଜୀ ଏକ ଆଦର୍ଶ ରାଷ୍ଟ୍ର ” ରାମରାଜ୍ୟ ” ର ପରିକଳ୍ପନା କରିଥିଲେ । ରାମ ରାଜ୍ୟ କୌଣସି ଏକ ଧାର୍ମିକ ବିଧି ବ୍ୟବସ୍ଥା ନୁହେଁ । ସତ୍ୟ ଓ ଅହିଂସା କୁ ଆଧାର କରି ଏକ ଶାନ୍ତି ପୂର୍ଣ୍ଣ ରାଜ୍ୟ ବା ରାଷ୍ଟ୍ର ଗଠନ କରିବା । ତାଙ୍କର କଳ୍ପିତ ରାମ ରାଜ୍ୟରେ ହିଂସାର ସ୍ଥାନ ନାହିଁ । କୁହାଯାଇ ପାରେ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶ ଅହିଂସାକୁ ବିଶ୍ୱର ଅନେକ ରାଷ୍ଟ୍ରର ଜନତା ସହଜରେ ଆପଣେଇ ନେଇଛନ୍ତି ।
ତାଙ୍କର ନୀତି ଓ ଆଦର୍ଶକୁ ପାଥେୟ କରି ଦକ୍ଷିଣ ଆଫ୍ରିକାର ନେଲସନ୍ ମାଣ୍ତେଲା ଅହିଂସା ଉପାୟରେ ବର୍ଣ୍ଣ ବୈଷମ୍ୟ ଭଳି ଘୃଣ୍ୟ ପ୍ରଥାକୁ ବିଲୋପ କରିପାରିଛନ୍ତି । ବାରାକ୍ ହୁସେନ୍ ଓବାମା ଗାନ୍ଧିଜୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଆମେରିକାର ରାଷ୍ଟ୍ରପତି ଭଳି ଶ୍ରେଷ୍ଠ ଆସନରେ ଅଳଙ୍କୃତ ହୋଇ ପାରିଛନ୍ତି । ତେଣୁ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ୍ ଦର୍ଶାଇଛନ୍ତି – ” ପରବର୍ତ୍ତୀ ବଂଶଧର ବିଶ୍ୱାସ କରିବେ ଯେ ଗାନ୍ଧିଜୀଙ୍କ ପରି ଜଣେ ରକ୍ତମାଂସଧାରୀ ଏପରି ଏକ ମନୁଷ୍ୟ ଏକଦା ପୃଥିବୀ ପୃଷ୍ଠାରେ ବିଚରଣ କରିଥିଲେ ।”
Comments are closed.