ପୁରୀ :ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଶୁକ୍ରବାର ସକାଳେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ରଥଖଳାରେ ନିୟୋଜିତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଶୁକ୍ରବାର ସୁଦ୍ଧା ୩ରଥର ଚାରିନାହାକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ପ୍ରଭୁ ବଳଭଦ୍ରଙ୍କ ୧୪ଚକ ବିଶିଷ୍ଟ ତାଳଧ୍ୱଜର ୧୧ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଅନ୍ୟ ୨ଟିର ତୁମ୍ବରେ ଅର ସଂଯୋଗ ସହ ପହି ବିନ୍ଧ କାର୍ଯ୍ୟ ଚାଲିଛି । ଦେବଦଳନ ରଥର ୯ଟି ଚକର କାମ ଗୁରୁବାର ଶେଷ ହୋଇଥିଲା । ଶୁକ୍ରବାର ଗୋଟିଏ ତୁମ୍ବରେ ଅର ସଂଯୋଗ ସହ ପହି ବିନ୍ଧ କାର୍ଯ୍ୟ ଚାଲିଛି ।
୧୪ଚକ ବିଶିଷ୍ଟ ତାଳଧ୍ୱଜ ରଥର ୭ଟି ଅଖ କାର୍ଯ୍ୟ ଶେଷ ହୋଇ ମଠା କାର୍ଯ୍ୟ ଚାଲିଛି । ୧୬ଚକ ବିଶିଷ୍ଟ ନନ୍ଦିଘୋଷ ରଥର ୧୧ଟି ଚକର କାମ ଶେଷ ହୋଇଛି । ଦେବଦଳନ ରଥର ସମସ୍ତ ୬ଟି ଅଖ କାର୍ଯ୍ୟ ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର ୬ଟି ଅଖ କାର୍ଯ୍ୟ ଶେଷ ହୋଇଥିବାବେଳେ ୨ଟି ଅଖର କାମ ଚାଲିଛି । ଏଥିସହ ୩ରଥର ୨ଟି ଲେଖାଏଁ ଗରଗରା କାର୍ଯ୍ୟ ଚାଲିଛି । ସେହିପରି ଦୋଳବେଦୀ କୋଣରେ କରତି ସେବକମାନେ ଗୟଳ ଚିରଟ କାର୍ଯ୍ୟ କରୁଛନ୍ତି । ମୋଟ ୬ଟି ଗୟଳ ମଧ୍ୟରୁ ୨ଟିର ଚିରଟ କାର୍ଯ୍ୟ ଶେଷ ହୋଇଛି । ଦୋଳବେଦୀର ଅସ୍ଥାୟୀ ଶାଳରେ ଓଝା ସେବକମାନେ ଲୌହ ସରଞ୍ଜାମ ପ୍ରସ୍ତୁତ କରୁଛନ୍ତି । ଶାଳରେ ୨୦ମି.ମି ମୋଟେଇ, ଅଖକଣ୍ଟା, ଚଉରସ କଣ୍ଟା ଓ ଆଗ ପାତେଳୀ କଣ୍ଟା ତିଆରି ଚାଲିଛି ।