Odisha news

ହିଞ୍ଜିଳିକାଟୁ : ପୌର ନିର୍ବାଚନ ତାତି; ଅଧ୍ୟକ୍ଷ ପାଇଁ ବହୁ ଆଶାୟୀ

0
(ହିଞ୍ଜିଳିକାଟୁ-୦4/ମାର୍ଚ୍ଚ/୨୦୨୨) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ପୌର ନିର୍ବାଚନ ପାଇଁ ମଧ୍ୟ ବିଗୁଲ ବାଜି ସାରିଛି। ବୁଧବାର ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୦୭ ତାରିଖ ଯାଏଁ ନାମାଙ୍କନ ପ୍ରକ୍ରିୟା ଜାରୀ ରହିବ। ୨୪ ତାରିଖରେ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ରାଜ୍ୟ ନିର୍ବାଚନ କମିଶନର ବିଜ୍ଞପ୍ତି ଜାରୀ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ସାରା ରାଜ୍ୟରେ ଶାସକ ବିଜୁ ଜନତା ଦଳ ଏକତରଫା ବାଜିମାତ କରିଥିବା ବେଳେ ଅନୁରୂପ ଭାବରେ ପୌର ନିର୍ବାଚନ ମଧ୍ୟ ବିଜେଡି କବ୍ଜା କରିବା ନେଇ ଆକଳନ କରାଯାଉଛି। ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ୬ଟି ଜିଲ୍ଲା ପରିଷଦ ସଭ୍ୟ ପଦ ବିଜେଡି ହାତେଇବାରେ ସଫଳ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀର ନବୀନଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଥିବା ବେଳେ ବିରୋଧୀଙ୍କ ସମସ୍ତ ରଣନୀତି ଫେଲ ମାରିଥିବା ଦେଖିବାକୁ ମିଳିଛି। ପୌର ନିର୍ବାଚନ ପରିପ୍ରେକ୍ଷୀରେ ଚଳିତ ଥର ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ମତଦାନ ହେବାକୁ ଥିବାରୁ ପାର୍ଟି ଟିକଟ ପାଇବା ପାଇଁ ଅଶାୟୀଙ୍କ ଲମ୍ବା ସୂଚୀ ସାମ୍ନାକୁ ଆସିଛି। ବିଶେଷ ଭାବରେ ବିଜେଡି ଟିକଟ ପାଇବା ପାଇଁ ଅଶାୟୀଙ୍କ ଭିଡ଼ ଦେଖିବାକୁ ମିଳୁଛି।
ତେବେ ଗତ ପଞ୍ଚାୟତ ନିର୍ବାଚନରେ ହିଞ୍ଜିଳିକାଟୁ ବ୍ଲକରେ ବିଜେଡିର ଆଗଧାଡ଼ିର ନେତା ମାନେ ପରାଜୟର ସ୍ୱାଦ ଚାଖିଛନ୍ତି। ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଏବଂ ସମିତିସଭ୍ୟ ପ୍ରାର୍ଥୀ ମାନେ କୌଣସି ରାଜନୈତିକ ଦଳର ଚିହ୍ନ ବ୍ୟବହାର କରୁନଥିବାରୁ ଗୋଟିଏ ଦଳରୁ ଏକାଧିକ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ତେବେ ପୂର୍ବରୁ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ମାନଙ୍କରେ ନିଜର ଦବଦବା ଜାହିର କରି ବ୍ଳକର ବହୁ ଗୁରୁତ୍ତ୍ୱପୂର୍ଣ୍ଣ ପଦପଦବୀ ମଣ୍ଡନ କରିଥିବା ତଥା ପାର୍ଟିର ମଙ୍ଗୁଆଳ ସାଜିଥିବା ନେତା ମାନେ ନିର୍ବାଚନ ରଣନୀତିରେ ବିଫଳ ହୋଇଛନ୍ତି। ଏଥିରୁ ଜଣାଯାଉଛି ଯେ କେଉଁଠି ନା କେଉଁଠି ପୁରୁଣା ନେତା ମାନେ ସାଧାରଣ ଲୋକଙ୍କ ଅସ୍ଥାଭାଜନ ହୋଇପାରିନାହାନ୍ତି। କହିବାକୁ ଗଲେ ଆଣ୍ଟି-ଇନକମ୍ବେନ୍ସିର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା।
ଅନୁରୂପ ଭାବରେ ପୌର ନିର୍ବାଚନରେ ମଧ୍ୟ ଆଣ୍ଟି-ଇନକମ୍ବେନ୍ସିର ପ୍ରଭାବ ରହିବା ନେଇ ଆଶଙ୍କା କରାଯାଉଛି। ତେବେ ପୌର ନିର୍ବାଚନରେ ପ୍ରାର୍ଥୀ ମାନେ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ିବାକୁ ଥିବାରୁ କିଏ ଦଳୀୟ ଟିକେଟ ହାତେଇବାରେ ସଫଳ ହେଉଛି ତାକୁ ନେଇ ଦ୍ଵନ୍ଦ ବଢ଼ିବାରେ ଲାଗିଛି। ସ୍ଥାନୀୟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଜାୟ ରହିଥିବା ବେଳେ ପଞ୍ଚାୟତ ଭଳି ପୁରୁଣା ନେତା ମାନେ ସାଧାରଣରେ ଲୋକଙ୍କ ପୁନଃ ବିଶ୍ୱାସଭାଜନ ହୋଇପାରୁନାହାନ୍ତି। ତେଣୁ ନୂଆ ମୁହଁକୁ ନେଇ ମଧ୍ୟ ଆଶା ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଦଳୀୟ ପ୍ରାର୍ଥୀ ମାନଙ୍କର ନାମ ଘୋଷଣା ପରେ ହିଁ ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରିବ।
Leave A Reply