ହିଞ୍ଜିଳିକାଟୁ,୨୮/୧୨ :- ଦୀର୍ଘ ଦିନ ଧରି ସ୍ଥାନୀୟ ବିଜୁ କୃଷକ ବଜାର ପରିସରରେ ଥିବା ପଶୁ ବିପଣନ କେନ୍ଦ୍ର ବନ୍ଦ ହେବା ପରେ ହିଞ୍ଜିଳି ଥାନା ଅଞ୍ଚଳରେ ବହୁ ଗୋମାଫିଆ ମୁଣ୍ଡ ଟେକିଛନ୍ତି। ବିଭିନ୍ନ ଗ୍ରାମାଞ୍ଚଳରେ ଗୋମାଫିଆ ଗୋଷ୍ଠୀ ସକ୍ରିୟ ହୋଇ ଗରିବ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ଗୋପାଳକ ମାନଙ୍କୁ ପ୍ରଲୋଭିତ କରି ଶାଗ ମାଛ ଦରରେ ନାନା ଜାତିର ପଶୁ ସମ୍ପଦ କିଣା କିଣି କରି ବାହାର ରାଜ୍ୟକୁ ଚାଲାଣ କରିବା ଏବେ ନିତିଦିନିଆ ଘଟଣା ପାଲଟିଛି।ସ୍ଥାନୀୟ ଅଞ୍ଚଳରୁ ଶହ ଶହ ଗୋରୁ ଗାଈ,ପୋଢ଼,ମଇଁଷି ଆଦି ଗୃହ ପାଳିତ ପଶୁ ସବୁକୁ ସୁଦୂର ଆନ୍ଧ୍ରପ୍ରଦେଶ,ପଶ୍ଚିମବଙ୍ଗ, କେରଳ, କର୍ଣ୍ଣାଟକ ଓ ତାମିଲନାଡୁ ଆଦି ରାଜ୍ୟକୁ ଚାଲାଣ କରିବାରେ ବହୁ ଗୋମାଫିଆ ସମ୍ପୃକ୍ତି ରହିଥିବା ନଜିର ରହିଛି।ଫଳରେ ସ୍ଥାନୀୟ ଅଞ୍ଚଳର ପଶୁ ସଂପଦର ସ୍ଥିତି ବିପନ୍ନ ହୋଇଥିଲା ବେଳେ ଗାଁ ଗାଁ ରେ ଗୋମାଫିଆଙ୍କ ଆର୍ଥିକ ସ୍ଥିତି ବେଶ ମଜବୁତ ହୋଇ ଗୋ ବ୍ୟବସାୟ ଏବେ ସେମାନଙ୍କ ପାଇଁ କୁଟୀରଶିଳ୍ପ ପାଲଟିଛି।ସ୍ଥାନୀୟ ହିଞ୍ଜିଳି ଥାନା ଅଞ୍ଚଳର ଆଙ୍କରଡା ଗ୍ରାମରୁ ସୁଦୁର କାଞ୍ଚି ଅଞ୍ଚଳକୁ ଗୋ ଚାଲାଣ ହେଉଥିବା ନେଇ ସୋମବାର ରାତ୍ର ପ୍ରାୟ ସାଢ଼େ ୯ ସମୟରେ ପୋଲିସକୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା।ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନିର୍ଦ୍ଦେଶରେ ଏସ ଆଇ ପ୍ରକାଶ ବେହେରା, ବସନ୍ତ କୁମାର ଉପାଧ୍ୟାୟ ଓ ସରୋଜ କୁମାର ରଣସିଂ ପ୍ରମୁଖ ହିଞ୍ଜିଳି ଥାନା ଖରିଡା ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ମହିନ୍ଦ୍ରା ପିକ ଆପ ଗାଡି ନଂ (ଓଡ଼ି ୦୨ ବିଏସ ୧୦୫୯) ଉପରେ ଚଢ଼ାଉ କରିବା ସହ ୪ ଜଣକୁ ଥାନାକୁ ଆଣିଥିଲେ।ଗୋଚାଲାଣ ଅଭିଯୋଗରେ ପୋଲିସ ଆଙ୍କରଡା ଗ୍ରାମର ଦିଲ୍ଲୀପ ସେଠୀ,ଭେଙ୍କେଟରାୟ ପଲ୍ଲୀର ପି. ସୁକୁଟା, ଦିଗପହଣ୍ଡିର ଦିଲ୍ଲୀପ ନାୟକ ଓ ରାଜା ନାୟକଙ୍କୁ ଗିରଫ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।ଜବତ ଗାଡିରୁ ଅତି ଦହନୀୟ ଅବସ୍ଥାରେ ଆନ୍ଧ୍ରପ୍ରଦେଶ ଅଞ୍ଚଳକୁ ଚାଲାଣ ହେଉଥିବା ୬ ଟି ଗୋରୁକୁ ପୋଲିସ ଟିମ ଉଦ୍ଧାର କରିଛି।ଏନେଇ ହିଞ୍ଜିଳି ଥାନାକେଶ ନଂ ୬୭୭/୨୧ରେ ଏକ ମାମଲା ରୁଜ୍ଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।