Odisha news

ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ବଢ଼ିବାରେ ଲାଗିଛି ତାପମାତ୍ରା : ଆଜି ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ , ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରି ରେକର୍ଡ ହୋଇଛି

ଆସନ୍ତା ୨ ଦିନ ଧରି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା

0

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିବାରେ ଲାଗିଛି ଗ୍ରୀଷ୍ମପ୍ରବାହ। ଆଜି ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ ଦିନ ଧରି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ତାପମାତ୍ରା‌ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତାକାଲି ରାଜ୍ୟର ୮ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ। ଏଥିସହ ପବନର ବେଗ ଅଧିକ ରହିବ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୧୫ ତାରିଖରେ ରାଜ୍ୟର ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ ଓ ନୂଆପଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ ପବନର ବେଗ ମଧ୍ୟ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ଅନ୍ୟପଟେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ୧୫ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଏହିଭଳି ରହିବ। ଆଜି ରାଜଧାନୀର ତାତି ୪୦ ଡିଗ୍ରି ପାଖାପାଖି ରହିଥିବା ବେଳେ ଆସନ୍ତାକାଲି ବି ଏହି ତାପମାତ୍ରା ବଜାୟ ରହିବ। ଆକାଶ ଆଂଶିକ ମେଘୁଆ ରହିପାରେ।

Ad2
Leave A Reply