ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ଶରୀର ଓ ମନ-ଉଭୟର ସୁସ୍ଥତା ହିଁ ଉତ୍ତମ ସ୍ୱାସ୍ଥ୍ୟର ଚାବିକାଠି । ସେଥିପାଇଁ କୁହାଯାଏ ସ୍ୱାସ୍ଥ୍ୟବାନ ବ୍ୟକ୍ତି ପରିବାର, ସମାଜ, ରାଜ୍ୟ, ଦଶ ଓ ଦେଶର ମୁଖ ଉଜ୍ଜ୍ୱଳ କରିଥାନ୍ତି । ତେଣୁ କୁହାଯାଇଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ସ୍ୱାସ୍ଥ୍ୟ କିଣାବିକା ହୋଇପାରିବା ଜିନିଷ ନୁହେଁ । ପିତାମାତାଙ୍କ ଜୀବନର ସଂଯମତା ଓ ନିଷ୍ଠାପରତା ଉପରେ ଭବିଷ୍ୟତ ବଂଶଧରମାନଙ୍କ ଶାରୀରିକ, ମାନସିକ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟ ନିର୍ଭର କରିଥାଏ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆମେ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ, ପରିଷ୍କାର ପାନୀୟ, ଶୁଦ୍ଧ ପରିବେଶ, ଗୃହ ତଥା ଶଯ୍ୟା ଓ ବସ୍ତ୍ର ପ୍ରଭୃତିର ପରିଚ୍ଛନ୍ନତା ନିତାନ୍ତ ପ୍ରୟୋଜନ । ନିୟମିତ ଜୀବନଚର୍ଯ୍ୟା ଆଉ ଏକ ବଡ଼ କଥା ।
ଖାଦ୍ୟ ଓ ପାନୀୟ ଦୃଷ୍ଟିରୁ ତିନୋଟି ଶୁଦ୍ଧତା ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ । ଖାଦ୍ୟର ପ୍ରକାର ଓ ପରିମାଣ ଆଉ ଏକ ବିଚାର୍ଯ୍ୟ ବିଷୟ । ଖାଦ୍ୟ ସାତ୍ତ୍ୱିକ ହେବା ବିଧେୟ । ମାଛ, ମାଂସ, ପିଆଜ, ରସୁଣ ଓ ମାଦକ ଦ୍ରବ୍ୟ ସର୍ବଦା ବର୍ଜନୀୟ । ରାଜସିକ ଓ ତାମସିକ ଖାଦ୍ୟ ଦେହ ତଥା ମନ ପ୍ରତି ଭଲ ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ନିରାମିଷ ଭୋଜନ କରୁଥିବା ଲୋକମାନେ ନିରୋଗୀ ଓ ଦୀର୍ଘାୟୁ ବୋଲି ମତବ୍ୟକ୍ତ କରିଛନ୍ତି । ଏଠାରେ ପରିମାଣ କଥା ଭୁଲିଗଲେ ହେବ ନାହିଁ । ସାତ୍ତ୍ୱିକ ଖାଦ୍ୟ ହେଲେ ବି ଯଦି ଅଧିକ ପରିମାଣରେ ଗ୍ରହଣ କରାଯାଏ, ତେବେ ତାହା ତାମସିକତା ବା ଆଳସ୍ୟ ଭାବ ସୃଷ୍ଟି କରିଥାଏ । ତେଣୁ ମିତାହାର ଭୋଜନ କରିବା ସବୁବେଳେ ଭଲ । ମିତାହାରକୁ ଭଲ ଭାବେ ବୁଝାଇ କୁହାଯାଇଛିି ଯେ, ପାକସ୍ଥଳୀର ଶତକଡ଼ା ପଚାଶ ଭାଗ ଖାଦ୍ୟରେ ପୂରଣ କରିବା ଉଚିତ୍, ଶତକଡ଼ା ପଚିଶ ଭାଗ ଜଳ ପାଇଁ ଓ ଶତକଡ଼ା ପଚିଶ ଭାଗ ପବନ ପାଇଁ ରଖାଯିବା ଉଚିତ । ଯେତେବେଳେ ଖାଇବ ଅଧାପେଟ ତାହା ମଣିଷକୁ କାର୍ଯ୍ୟକ୍ଷମ ରଖେ । ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ସମୟରେ, ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଖାଦ୍ୟ ଗ୍ରହଣ କରାଗଲେ ସର୍ବୋତ୍ତମ ଫଳ ମିଳିଥାଏ ।
ଯୁଗାବତାର ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଦୃଢ଼ କଣ୍ଠରେ ଘୋଷଣା କଲେ – ମାନସିକ ସ୍ୱାସ୍ଥ୍ୟ ହିଁ ଶାରୀରିକ ସ୍ୱାସ୍ଥ୍ୟର ପ୍ରଥମ ପାହାଚ । ଦୟାଲ ଦେଶରୁ ନିର୍ଗତ ଭାଷାରେ ପ୍ରକାଶ କଲେ – ମନଟା ଦୁଷ୍ଟ ହେଲେ ହିଁ ଜାଣିବ ରୋଗର ଆସ୍ଥାନ ହୁଏ, ଏଇଟାକୁ ତୁମେ ଏଡ଼ାଇ ଚାଲିବ କରିବ ବ୍ୟାଧିର ଜୟ । ପୁଣି ସେହି କମ୍ବୁକଣ୍ଠରୁ ଉଦ୍ଘୋଷିତ ହେଲା – ସ୍ୱାସ୍ଥ୍ୟଟିକୁ ନିୟନ୍ତ୍ରଣ କରି ଦୃଢ଼ତର, ରୁହ ତୁମେ ସୁଜାଗ୍ରତ ଓହେ ଅନୁକ୍ଷଣ, ପୂଜିବାରେ ଇଷ୍ଟଦେବେ ସାର୍ଥକ ଆଚାରେ, ନୀଚ ବୁଦ୍ଧି ଅହମିକା କରିବା ବର୍ଜନ । ସର୍ବ କାରଣ କାରଣ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଲୋଚନା ଛଳରେ ପ୍ରକାଶ କଲେ – ମନୁଷ୍ୟର ସ୍ୱାସ୍ଥ୍ୟର କଥା ଭାବିବାକୁ ଗଲେ ଜନ୍ମଦାତ୍ରୀ ମାତୃଗର୍ଭକୁ ଆସିବାର ପୂର୍ବ ଠାରୁ ଭାବିବାକୁ ହୁଏ । ପ୍ରଥମେ ଆବଶ୍ୟକ ଉପଯୁକ୍ତ ବିବାହ ଓ ଉପଯୁକ୍ତ ଦାମ୍ପତ୍ୟ ଜୀବନ ।
ପିତାମାତାଙ୍କର ବିବାହ ଓ ଦାମ୍ପତ୍ୟ ଜୀବନରେ ଯଦି ଅସଙ୍ଗତି ରହେ ତାହାହେଲେ ପିଲାପିଲିଙ୍କର ଶରୀର ଓ ମନ ସୁସ୍ଥ ହୋଇପାରେନାହିଁ । ମା’ମାନଙ୍କୁ ଜାଣିବା ଆବଶ୍ୟକ – ଗର୍ଭାବସ୍ଥାରେ କିଭଳି ଚାଲିବାକୁ ବା ରହିିବାକୁ ହୁଏ । ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଆଦର୍ଶପ୍ରାଣତା, ଇଷ୍ଟାନୁରାଗ, ପ୍ରୀତିପରାୟଣତା, ସଂଯମ, ସାଧନା, ଇଷ୍ଟ-କୃଷ୍ଟି-ଧର୍ମ ଓ ପୂର୍ବ ପୁରୁଷଙ୍କ ସ୍ମୃତି ମାଧ୍ୟମରେ ଯେଉଁ ସନ୍ତାନ ଜନ୍ମଲାଭ କରେ ସେମାନେ ସାଧାରଣତଃ ଶାରୀରିକ ଓ ମାନସିକ ଦିଗରେ ସ୍ୱାସ୍ଥ୍ୟବାନ ହୁଅନ୍ତି । ଏହିପରି ପିତାମାତାଙ୍କ ଠାରୁ ସନ୍ତାନ ସୁଷ୍ଠ ଜୈବୀ ସଂସ୍ଥିତିର ଅଧିକାରୀ ହୋଇଉଠେ ଓ ଜୈବୀ ସଂସ୍ଥିତି ହେଉଛି ଜୀବନର ଆକର । ଜାତକର ରୋଗ-ନିରୋଧ କ୍ଷମତା, ଆୟୁ ଓ ବର୍ଦ୍ଧନ ତତ୍ପରତା ଏହି ଜୈବୀ ସଂସ୍ଥିତି ଉପରେ ହିଁ ନିର୍ଭର କରେ । ଉତ୍ସ ବିମୁଖ ହେଲେ ମନୁଷ୍ୟର ଜୈବୀ ସଂସ୍ଥିତି ଧିରେ ଧିରେ ହ୍ରାସ ହୋଇଆସେ ।
ଖାଦ୍ୟ ଗ୍ରହଣ କରିବା କର୍ମ ହେଉଛି ଏକ ଉପାସନା । ଏଥିପାଇଁ ଦରକାର ଏକ ଉପଯୁକ୍ତ ଭାବ । ଆମ ପାକସ୍ଥଳୀରେ ଏକ ପ୍ରକାର ଅଗ୍ନି ଅଛି ବୋଲି ଆଧ୍ୟାତ୍ମିକବାଦୀମାନେ କହିଥାନ୍ତି । ସେହି ଅଗ୍ନି, କ୍ଷୁଧା ସୃଷ୍ଟି କରେ ଓ ସେ କ୍ଷୁଧାକୁ ସନ୍ତୁଷ୍ଟ କରିବା ପାଇଁ ଆମେ ସେ ଅଗ୍ନି କୁଣ୍ଡରେ ଖାଦ୍ୟ ଅର୍ପଣ କରିଥାଉ । ଏହି ଅଗ୍ନି ଆମ ଠାରେ ସମ୍ଭବ ହୋଇଛି କେବଳ ପରବ୍ରହ୍ମ ପରମାତ୍ମାଙ୍କ ଅଂଶ ଆତ୍ମାର ସ୍ଥିତି ଯୋଗୁ । ଆତ୍ମା ବାହାରି ଯାଇଥିବା ଦେହ ବା ଶବଠାରେ କ୍ଷୁଧା ସୃଷ୍ଟି ହୋଇପାରେ ନାହିଁ । ଏହି କ୍ଷୁଧାକୁ ତୁଷ୍ଟ କରିବା ଅର୍ଥ ବୈଶ୍ୱାନରଙ୍କୁ ସନ୍ତୁଷ୍ଟ କରିବା । ଭଗବତ ଗୀତାରେ ଉଲ୍ଲେଖ ଅଛି “ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣିନାମ୍ ଦେହ ମାଶ୍ରିତଃ, ପ୍ରାଣପାନ ସମାଯୁକ୍ତପଚାମ୍ୟନ୍ମକମ୍ ଚତୁର୍ବିଧମ୍ ।’ ଏ ଦୃଷ୍ଟିରୁ କ୍ଷୁଧାକୁ ସନ୍ତୁଷ୍ଟ କରିବା ଅର୍ଥ ଭଗବାନଙ୍କୁ ସନ୍ତୁଷ୍ଟ କରିବା, ଯାହାର ପ୍ରକୃତ ଅର୍ଥ ହେଉଛି – ଉପାସନା ।
ଭୋଜନ କରିବା କେବଳ ଜିହ୍ୱା ଲାଳସାର ସନ୍ତୁଷ୍ଟି ନୁହେଁ ବା ସେ ଉଦେ୍ଦଶ୍ୟରେ ହେବା ଉଚିତ ନୁହେଁ । ଖାଦ୍ୟ ଗ୍ରହଣ କରିବା ଏକ ଯଜ୍ଞ ସହ ତୁଳନୀୟ । ଯଜ୍ଞାଗ୍ନିକୁ ଯେଭଳି ନାନା ବିଧ ଦ୍ରବ୍ୟ ଅର୍ପଣ କରାଯାଏ, ଖାଦ୍ୟ ଗ୍ରହଣ କରିବା ସେହିଭଳି ଏକ ଯଜ୍ଞକର୍ମ, ଦେବକର୍ମ ଓ ଉତ୍ତମ ଉପାସନା । ବେଳେ ବେଳେ ନାନା କାରଣବଶତଃ ମଣିଷ ଅଭିମାନ, ଅଜ୍ଞତା ଓ କ୍ରୋଧର ବଶବର୍ତ୍ତୀ ହୋଇ ବା ଅନ୍ୟ କାହା ଉପରେ ଦାଉ ସାଧିବାକୁ ଯାଇ, ନଖାଇ ନପିଇ ନିଜ ଦେହକୁ କଷ୍ଟ ଦେଇଥାଏ । ବେଳେ ବେଳେ ଓଳିଏ ପାଇଁ ପାକସ୍ଥଳୀକୁ ପରିଷ୍କାର କରିବା ପାଇଁ ଖାଦ୍ୟ ଗ୍ରହଣ କରିବାରେ ବିରତି ଦିଆଯାଇପାରେ । ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା ଓ ସର୍ବୋପରି ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ପାଇଁ ସଠିକ୍ ପ୍ରକାର ଓ ସଠିକ୍ ଭାବର ସହ ଖାଦ୍ୟ ଗ୍ରହଣ କରିବା କେତେ ବେଶୀ ତାତ୍ପର୍ଯ୍ୟପୂର୍ଣ୍ଣ ତାହା ସମସ୍ତଙ୍କର ଅନୁଧ୍ୟାନର ବିଷୟ । ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ନିମିତ୍ତ ନିୟମିତ ପୂଜା ପ୍ରାର୍ଥନା, ଧ୍ୟାନ ଓ ଗୁରୁଦୀକ୍ଷା ଏକାନ୍ତ ପ୍ରୟୋଜନ – ଏହି ମତବ୍ୟକ୍ତ କରିଛନ୍ତି ଯୁଗାବତାର ମହାପୁରୁଷ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର । ନିଜ ସ୍ୱାସ୍ଥ୍ୟ ପ୍ରତି ନିଜେ ନିଜେ ସଚେତନ ହୋଇ ସମସ୍ତେ ଯଦି ସ୍ୱାସ୍ଥ୍ୟ ନୀତି ଓ ନିୟମ ପାଳନ ପୂର୍ବକ ସୁସ୍ଥ ଜୀବନଯାପନ କରନ୍ତେ ତାହା ନିଜ ପ୍ରତି, ନିଜ ପରିବାର ପ୍ରତି ଓ ସର୍ବୋପରି ସମାଜ ତଥା ଦେଶ ପ୍ରତି ଆଶୀର୍ବାଦ ହୋଇଯାଆନ୍ତା ।
ସୁସ୍ଥ ଶରୀର ଓ ସୁସ୍ଥ ମନ ଉନ୍ନତ ବିଚାରର ଜନକ ଓ ଉନ୍ନତ ବିଚାର ବିବେକର ସମର୍ଥକ । ବିବେକାନୁମୋଦିତ ଜୀବନ ହିଁ ସର୍ବୋତ୍ତମ ଫଳଦାୟୀ ଜୀବନ । ଆଜି ଲୋକମାନଙ୍କ ଶାରୀରିକ ସୁସ୍ଥତା ପାଇଁ ସରକାରୀ ଚିକିତ୍ସାଳୟରେ ଆବଶ୍ୟକୀୟ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି । ମାନସିକ ସ୍ୱାସ୍ଥ୍ୟ ନିମିତ୍ତ ଆବଶ୍ୟକୀୟ ମନ୍ଦିର, ମଠ, ମସଜିଦ୍ ଓ ଗୀର୍ଜା ମାନଙ୍କରେ ସଦ୍ଗୁରୁ, ସତ୍ଦୀକ୍ଷା ଓ ସତ୍ସଙ୍ଗର ପ୍ରଭୂତ ଆବଶ୍ୟକତା ରହିଛି । ତେବେ ଅନେକକ୍ଷେତ୍ରରେ ଦେଖାଯାଏ ଲୋକମାନଙ୍କ ଅସଚେତନତାରୁ ନିଜେ ନିଜର ସ୍ୱାସ୍ଥ୍ୟହାନିର କାରଣ ହୋଇଥାନ୍ତି । ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସଚେତନତା କ୍ଷେତ୍ର ଠାରୁ ଆଧ୍ୟାତ୍ମିକ ନିରାମୟ ଜୀବନ ଗଠନ ପାଇଁ ନିଜ ଦାୟିତ୍ୱ ପ୍ରତି ସଚେତନ ରହିବାର ଉପଯୁକ୍ତ ଦିବସ । ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ସମସ୍ତଙ୍କ ଐକାନ୍ତିକ ନିଃସ୍ୱାର୍ଥପର ଦାୟିତ୍ୱ ସମ୍ପନ୍ନ ଦ୍ୱାରା ସମାଜ ଓ ରାଷ୍ଟ୍ରର ବିକାଶ ସମ୍ଭବ ।
Comments are closed.