ଡାକ୍ତର ସମ୍ରାଟ କର (ସହକାରୀ ପ୍ରଫେସର, ମାନସିକ ରୋଗ ବିଭାଗ, ପୁରୀଘାଟ ରୋଡ଼) : ବର୍ଷାପାଗ ଭିତରେ କ୍ଲିନିକ୍ ଯିବା ବାଟରେ ପଛରୁ ଶୁଭିଲା ଆମ ଘରପାଖ ମୋ ପିଲା ଦିନର ସାଙ୍ଗ ରାଜେଶର । ସେ ମୋତେ କହିଲା “ତମେ ଜାଣିଲଣି ତ ବିଖ୍ୟାତ ଅଭିନେତା ସୁଶାନ୍ତ ରାଜପୁତ ସିଜୋଫ୍ରେନିଆର ଆତ୍ମହତ୍ୟା କରି ବାଟ ବାଛିନେଲେ’ । ମୁଁ ତାଙ୍କୁ କହିଲି ଏଥିରେ ଆକ୍ରାନ୍ତ ବ୍ୟକ୍ତି ବା ଚରିତ୍ର ଜଣକ ସାଧାରଣତଃ ପାରାନଏଡ଼୍ ସିଜୋଫ୍ରେନିଆ କିମ୍ବା ପାରାନୋୟାରେ ଆକ୍ରାନ୍ତ ହୋଇଥାନ୍ତି । ଅନେକ ହୁଏତ ଜାଣିନଥାନ୍ତି ଗୋଟିଏ ପରେ ବଳାକ୍ରାର ପରେ ହତ୍ୟା କରିଚାଲିଥିବା ବ୍ୟକ୍ତି ମାନସିକ ବିକୃତ ସମ୍ପନ୍ନ ନୁହେଁ ।
ଏହି ରୋଗର ମୁଖ୍ୟ ଲକ୍ଷଣ ହେଉଛି ଜଣେ ଏଥିରେ ଆକ୍ରାନ୍ତ ହେଲେ ଅନ୍ୟ ମାନଙ୍କ ପ୍ରତି ସର୍ବଦା ସନେ୍ଦହ ସୃଷ୍ଟି । କେବଳ ସେତିକି ନୁହେଁ ଏମାନେ ପୁରୁଷମାନଙ୍କ ଠାରୁ ଅଧିକ ଭାବରେ ମହିଳାଙ୍କୁ ହିଁ ସନେ୍ଦହ କରିଥାନ୍ତି । ସନେ୍ଦହ କରୁଥିବା ବ୍ୟକ୍ତିକୁ ସେ ଜୀବନରେ ମାରିଦେବାକୁ ଚେଷ୍ଟା କରିଥାଏ ଆଉ ସନେ୍ଦହ ଦୃଷ୍ଟିରେ ଆସୁଥିବା ମହିଳାକୁ ସେ ସର୍ବଦା ସୁଯୋଗ ଖୋଜୁଥାଏ । ସଂପୃକ୍ତ ମହିଳା ଏହି ସିଜୋଫ୍ରେନିଆ ଆକ୍ରାନ୍ତ ଚରିତ୍ରର ନିକଟତ୍ତର ହେବା ପରେ ବଳାକ୍ରାର କରି କାଳେ ଏ ଘଟଣା ବାହାରକୁ ପରିପ୍ରକାଶ ହୋଇଯିବ ତାଙ୍କୁ ମାରିଦେଇଥାଏ । ସେହିପରି ସାଇକୋପାଥି ମଧ୍ୟରେ ବିଭିନ୍ନ ପ୍ରକାର ମାନସିକ ବିକାରଗ୍ରସ୍ତ ଓ ଯୌନ ବିକାରଗ୍ରସ୍ତ ଏହି ପର୍ଯ୍ୟାୟରେ ରୁହନ୍ତି । ମନୁଷ୍ୟର ପାଗଳାମୀ, ଉନ୍ମାଦତା ବା ବାତ୍ତୁଳତାକୁ ସାଧାରଣତଃ ସିଜୋଫ୍ରେନିଆ କୁହାଯାଏ । କଥା ହେଉଛି ଏହାକୁ ନେଇ ଲୋକମାନେ ଯାହା ଭାବନ୍ତି ବାସ୍ତବରେ କିନ୍ତୁ ଏହା ତାହା ନୁହେଁ ।
ସିଜୋଫ୍ରେନିଆ ମନୁଷ୍ୟର ବିଭ୍ରମ ବ୍ୟକ୍ତିତ୍ୱ ବା ବିକୃତ ବ୍ୟକ୍ତିତ୍ୱ ନୁହେଁ । କେବଳ ଏହା ଏକ ସାଙ୍ଗାତିକ ଓ ଜଟିଳ ମାନସିକ ରୋଗ । ସାଧାରଣତଃ କିଶୋର ବୟସରେ ଆରମ୍ଭ ହୋଇଥାଏ ସିଜୋଫ୍ରେନିଆ । ଏହି ରୋଗରେ ବ୍ୟକ୍ତିର ଚିନ୍ତାଶକ୍ତି, ଭାବନା ଶକ୍ତି, ଅନୁଭବ ଶକ୍ତି ଓ ବ୍ୟବହାରରେ ଅତ୍ୟନ୍ତ ବିଶୃଙ୍ଖଳା ଦେଖାଦେଇଥାଏ । କେତେକ କ୍ଷେତ୍ରରେ ରୋଗୀଟି ଅତ୍ୟଧିକ ଉତ୍ତେଜିତ ବା ହିଂସ୍ର ହୋଇପଡ଼ିଥାଏ ଆଉ ବେଳେ ବେଳେ ଆତ୍ମ ମଗ୍ନତାର ଶିକାର ହୋଇ ଏକା ଏକା ନିଜ ଜଗତ ବିଷୟରେ ତନ୍ମୟ ହୋଇପଡ଼େ । ଏହାର ପ୍ରଧାନ ଲକ୍ଷଣ ଗୁଡ଼ିକ ହେଉଛି ଅନ୍ୟକୁ ସନେ୍ଦହ, ଅବିଶ୍ୱାସ, ଅବାନ୍ତରଭୟ, ତୀବ୍ର ଭୟଜନିତ ଆବେଗ, ଭ୍ରାନ୍ତ ଚିନ୍ତା କାନରେ କିଛି ଅଲୌକିକ କଥା ଶୁଣିବା, ଚକ୍ଷୁରେ କିଛି ଅଲୌକିକ କଥା ଦେଖିବା ଅସ୍ୱାଭାବିକ ବ୍ୟବହାର ନିଜ ଶରୀର, କର୍ତ୍ତବ୍ୟ ପ୍ରତି ଅବହେଳା, ଅନିଦ୍ରା ଜନିତ ଶାରୀରିକ ଦୁର୍ବଳତା । ଏହି ରୋଗୀମାନେ ସ୍ୱଭାବିକ ବ୍ୟବହାର କରନ୍ତି ନାହିଁ । ଏକ ପରିସଂଖ୍ୟନରୁ ଜଣାପଡ଼େ ଯେ ଆମ ଦେଶରେ ଶତକଡ଼ା ଏକ ଭାଗ ଲୋକ ଏହି ରୋଗର ଶିକାର । ମନୁଷ୍ୟ ଜୀବନର ସବୁଠାରୁ ମୂଲ୍ୟବାନ ସମୟ କୁହାଯାଉଥିବା ୧୫ରୁ ୪୫ ବର୍ଷ ବୟସ ମଧ୍ୟରେ ଏହା ଆରମ୍ଭ ହୋଇଥାଏ ।
ସିଜୋଫ୍ରେନିଆର ମୁଖ୍ୟ ଲକ୍ଷଣ ହେଉଛି ଏହି ରୋଗର ଶୀକାର ହୋଇଥିବା ରୋଗୀମାନେ ସେମାନଙ୍କ ମନସ୍ଥିର ରହିନଥାଏ । ଚିଡ଼ି ଚିଡ଼ି ହୁଅନ୍ତି, ଅନ୍ୟମନସ୍ଥ ରୁହନ୍ତି । କିଛି କାମ ନକରି ଲକ୍ଷ୍ୟହୀନ ଭାବରେ ବୁଲି ସମୟ ନଷ୍ଟ କରିଥାନ୍ତି । କେବଳ ସେତିକି ନୁହେଁ ଭୋକ ହୋଇନଥାଏ, ନିଦ୍ରାରେ ବ୍ୟାଘାତ ହୁଏ ସର୍ବୋପରି ନିଜର ସାଙ୍ଗ, ବନ୍ଧୁବାନ୍ଧବ ଓ ସମସ୍ତ ପ୍ରକାର ସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତି । ଅନେକ ସମୟରେ ଅସତ୍ୟ କଥା ଉପରେ ରୋଗୀର ଦୃଢ଼ ଧାରଣା ଦେଖି ସିଜୋଫ୍ରେନିଆ ହୋଇଥିବାର ଜଣାପଡ଼େ । ଏ କ୍ଷେତ୍ରରେ ରୋଗୀଟିକୁ ପ୍ରାଥମିକ ସ୍ତରରେ ମାନସିକ ରୋଗ ବିଶେଷଜ୍ଞଙ୍କ ନିକଟକୁ ନିଅନ୍ତୁ । ଏହି ସ୍ତରରେ ଚିକିତ୍ସା ଆରମ୍ଭ ହେଲେ ରୋଗଟି ସମ୍ପୂର୍ଣ୍ଣ ଭଲ ହେବାର ସମ୍ଭାବନା ବେଶୀଥାଏ । ରୋଗୀ ମାନଙ୍କୁ ଡାକ୍ତରୀ ଚିକିତ୍ସା, ମନସ୍ତାତ୍ତ୍ୱିକ ଚିକିତ୍ସା ଓ ସାମାଜିକ ଥଇଥାନ ଦ୍ୱାରା ଆରୋଗ୍ୟ ପାଇଁ ପ୍ରଚେଷ୍ଟା ରଖାଯାଇଥାଏ । ଡାକ୍ତରୀ ଚିକିତ୍ସାରେ ରୋଗୀଟି ପାଇଁ ହାଲୋପେରିଡଲ, ଓଲାନଜାପିନ୍, ରିସ୍ପେରିଡ଼ନ୍, ଆମିସଲ୍ପିରାଇଡ଼୍ ଆଦି ଔଷଧ ବ୍ୟବହାର କରାଯାଏ । ମନସ୍ତାତ୍ତ୍ୱିକ ଚିକିତ୍ସା ବା ସାଇକୋଥେରାପିରେ ରୋଗୀଟି ପାଇଁ ପରିବାର ଓ ବନ୍ଧୁ ମାନଙ୍କ ଠାରୁ ଉତ୍ସାହ, ସାହାଯ୍ୟ ସହଯୋଗ ରୋଗକୁ କିଛିକାଂଶରେ ପ୍ରଶମିତ କରିଥାଏ । ସାମାଜିକ ଥଇଥାନ କ୍ଷେତ୍ରରେ ରୋଗୀଟି ଆରୋଗ୍ୟ ଲାଭ ପରେ ତାର କାର୍ଯ୍ୟ ଦକ୍ଷତା ପାଇଁ ଏକ ଉପାର୍ଜ୍ଜନକ୍ଷମ କାର୍ଯ୍ୟରେ ଲଗାଇବା ଉଚିତ ।
ଯାହାଦ୍ୱାରା ନିଜ ଉପରେ ଆତ୍ମବିଶ୍ୱାସ କରି ସମାଜରେ ସୁସ୍ଥଲୋକ ପରି ଚଳିବାକୁ ସେ ସମର୍ଥ ହୋଇପାରିଥାଏ । ଚିକିତ୍ସା ପଦ୍ଧତିରେ ରୋଗୀଟିର ନିକଟ ଲୋକମାନେ ଚିକିତ୍ସକଙ୍କୁ ସମସ୍ତ ପ୍ରକାର ତଥ୍ୟ ପ୍ରଦାନ କରି ରୋଗୀଟିକୁ ଚିକିତ୍ସା ପାଇଁ ଉତ୍ସାହିତ କରିବା ସହ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ତାଙ୍କୁ ଆଶ୍ୱାସନା ଦେବା ବଡ଼କଥା । ସେହିପରି ଔଷଧକୁ ଯେପରି ରୋଗୀଟି ନିୟମିତ ଓ ନିର୍ଦ୍ଧାରିତ ସମୟରେ ଖାଇବ ସେଥିପ୍ରତି ନଜର ରଖିବା ଉଚିତ । ରୋଗୀଟି କରୁଥିବା ଛୋଟ ଛୋଟ କାର୍ଯ୍ୟକୁ ଦେଖି ପ୍ରଶଂସା କଲେ ତାର କାର୍ଯ୍ୟଦକ୍ଷତା ଓ ଆତ୍ମ ବିଶ୍ୱାସ ବଢ଼ିବ । ରୋଗୀଟିର ଅସ୍ୱାଭିକ କଥାବାର୍ତ୍ତାକୁ ଗୁରୁତ୍ୱ ନଦେଇ ବରଂ ସ୍ନେହଶୀଳ ଭାବେ ପ୍ରବୋଧନା ଦିଅନ୍ତୁ । ରୋଗୀଟିର କାର୍ଯ୍ୟକୁ ଉପେକ୍ଷା ନକରି ବରଂ ଧୈର୍ଯ୍ୟର ସହିତ ତାର କଥା ଶୁଣନ୍ତୁ । କୌଣସି କ୍ଷେତ୍ରରେ ତାଙ୍କୁ ବିଦ୍ରୁପ, ବା ସମାଲୋଚନା କରନ୍ତୁ ନାହିଁ ।
ସିଜୋଫ୍ରେନିଆ ରୋଗ ଏକ ନୈରାଶ୍ୟଜନକ ରୋଗ ନୁହେଁ । ରୋଗୀର ପାରିବାରିକ ଓ ସାମାଜିକସ୍ଥିତି ଫେରିପାଇବାର ବହୁତ ଆଶା ରହିଥାଏ । ମନେରଖନ୍ତୁ ଏ ରୋଗ ପାଇଁ ରୋଗୀଟି ବା ତା ପରିବାର ଲୋକମାନେ ଦାୟୀ ନୁହଁନ୍ତି କିନ୍ତୁ ତାଙ୍କ ଆରୋଗ୍ୟ ଲାଭ ନିର୍ଭର କରିଥାଏ କେବଳ ଚିକିତ୍ସକ ନୁହଁନ୍ତି ବରଂ ବନ୍ଧୁ, ସମ୍ପର୍କୀୟ ସର୍ବୋପରି ସାମାଜିକ ଓ ପାରିବାରିକ ପରିବେଶ । ରୋଗୀଟିକୁ ନିଜର ଭାବନା ସହିତ ସାଥୀ କରି ବରଂ ପ୍ରେରଣା ଯୋଗାଇଲେ ସେ ଆରୋଗ୍ୟ ଲାଭ କରିବ ଓ ନୂଆ ଜୀବନ ପାଇଁ ସେ ବି ପୁଣି ଥରେ ପ୍ରସ୍ତୁତ ହୋଇପାରିବ ।
