Odisha news

ସୁଖୀ ମଣିଷ

0

ଦିନେ ଜଣେ ବ୍ୟବସାୟୀ କିଛି ସମସ୍ୟା ନେଇ ଜଣେ ସାଧୁବାବାଙ୍କ ଆଶ୍ରମ ରେ ପହଁଚିଲେ। ଆଶ୍ରମ ଚତୁପାର୍ଶ୍ୱ ଟି ସବୁଜ ସବୁଜ ଗଛଲତାରେ ବେସ ଆକର୍ଷଣୀୟ ଦିଶୁଥିଲା। ଆମ୍ବ ଲିଚୁ ପିଜୁଳି କମଳା ଅନାର ଆଦି ଫଳ ଗୁଡିକ ବୃକ୍ଷ ଡାଳରେ ଦୃଶ୍ୟମାନ ହେଉଥାଏ।ବ୍ୟବସାୟୀ ସାଧୁ ମହାତ୍ମାଙ୍କ ପାଦଧୂଳି ନେଇ ମଥାରେ ଛୁଇଁଲେ ଆଉ କହିଲେ ବାବା ଜୀବନରେ ମୁଁ ବହୁତ କିଛି ହାସଲ କରିଛି ଧନ ଦୌଲତର ମୋଟେ ଅଭାବ ନାହଁ। ମୁଁ ସର୍ବଦା କର୍ମ ଉପରେ ବିଶ୍ୱାସ ରଖେ। କଠିନ ପରିଶ୍ରମ ବଳରେ ସବୁକିଛି ହାସଲ କରିଛି। ଏବେ କିନ୍ତୁ ସବୁ ଥାଇ ବି ମନଟା ଅଶାନ୍ତ ରହୁଛି। ମତେ ଏପରି ଅନୁଭବ ହେଉଛି ଯେମିତି ମତେ ଆହୁରି ବହୁତ କିଛି ପୂରଣ କରିବାକୁ ଅଛି।

ସବୁ ଥାଇ ବି ମୁଁ ପ୍ରକୃତ ଆତ୍ମସନ୍ତୋଷ ପାଇପାରୁନି। ବାବା ମୁଁ କଣ ସୁଖୀ ମଣିଷଟିଏ ହୋଇପାରିବିନି। ସାଧୁବାବା ସବୁ ଶୁଣି ଅଳ୍ପ ହସିଲେ ଆଉ କହିଲେ ତୁମେ ଏ ଆଶ୍ରମରେ ଯାହା କିଛି ଦେଖୁଛ ସେଥିରୁ ତୁମ ପସନ୍ଦର ଜିନିଷଟି ବିଛି ନିଅ। ବ୍ୟବସାୟୀ ଜଣଙ୍କ ଆଶ୍ରମରେ ଏଣେତେଣେ ଚାହିଁଲେ। ଗୋଟେ କଡରେ ଥିବ ରୁପାର ଝୁଡ଼ିଟି ଉଠାଇଲେ। ସାଧୁବାବା କହିଲେ ଏବେ ଏଠି ଯାହା କିଛି ତୁମକୁ ପସନ୍ଦ ତା ମଧ୍ୟରେ ଭରିଦିଅ। ବ୍ୟବସାୟୀ ଜଣଙ୍କ ଚଟାପଟ ପାଖରେ ଥିବ ସୁନ୍ଦର ସୁନ୍ଦର ପାଚିଲା ଫଳ ପୁଳାଏ ତୋଳି ଆଣି ଝୁଡ଼ିରେ ଭର୍ତି କରିଦେଲେ। ସାଧୁବାବା କହିଲେ ଏଥର ଝୁଡ଼ିଟି ନେଇକି ଯାଅ କାଲିକି ଆସିବ ମୁଁ କିଛି ବାଟ ବତେଇବି।
ବ୍ୟବସାୟୀ ଲୋଭରେ ଝୁଡ଼ି ଟିକୁ ପୁରାପୁରି ଭର୍ତ୍ତି କରିଦେଇଥିଲେ। ଏଣୁ ଝୁଡ଼ି ଉଠେଇବା ସମ୍ଭବ ହେଲାନି। ସାଧୁବାବା ନୀରବରେ ସବୁ ଦୃଶ୍ୟ ଦେଖୁଥିଲେ। ବ୍ୟବସାୟୀ ଦ୍ଵିତୀୟ ଥର ପ୍ରୟାସ କଲେ ଏଥର ବି ବିଫଳ ହେଲେ। ସାଧୁବାବା ଏଥର ବୁଝେଇଲେ ଆମ ଜୀବନ ବି ଠିକ ଏଇ ଝୁଡ଼ି ପରି। ଅଧିକ ଲୋଭ କରି ପୁଳାଏ ହାସଲ କଲେ ଯାତ୍ରାପଥ ନିଶ୍ଚିନ୍ତ କଷ୍ଟଦାୟକ ହେଇଯିବ। ଝୁଡ଼ି ଟି ଉଠେଇ ପାରିଲ ନାହିଁ କାରଣ ଅଧିକ ଓଜନ ଥିଲା। ଲୋଭ ସ୍ୱାର୍ଥକୁ ବର୍ଜନ କରି ସ୍ଵଳ୍ପରେ ସନ୍ତୁଷ୍ଟି ନୀତି ଯଦି ଅପଣେଇ ଥାନ୍ତ ଆଜି ଏ ସମସ୍ୟା ଆସିନଥାନ୍ତା। ତ୍ୟାଗ ସମର୍ପଣ ଉସ୍ୟର୍ଗ ପୂର୍ଣ୍ଣ ଜୀବନରେ ଭରପୁର ଆତ୍ମସନ୍ତୋଷ ପ୍ରାପ୍ତ ହୁଏ।

ତୁମେ ରୁପା ଝୁଡ଼ିଟି ପ୍ରତି ଆକର୍ଷିତ ହେଲ ଓ ଲୋଭରେ ଏଥିରେ ଫଳ ଭର୍ତ୍ତି କରିଦେଲ। ଯେଉଁ କାରଣରୁ ତୁମେ ଏହାକୁ ଆଉ ନେଇ ପାରିଲନାହିଁ। ବ୍ୟବସାୟୀ ଜଣକ ନିଜ ଭୁଲକୁ ସ୍ୱୀକାର କଲେ ଓ କ୍ଷମାପାର୍ଥନା କଲେ। ସାଧୁବାବା ପୁଣି କହିଲେ ସୁଖୀ ଜୀଵନ ର ମୂଳ ମନ୍ତ୍ରଟି ହେଲା ନିଜେ ବଞ୍ଚ ଅନ୍ୟକୁ ବଞ୍ଚିବାକୁ ଦିଅ। ସୁନ୍ଦର  ଜିନିଷ ପ୍ରତି ଯେତେ ଅଧିକ ଆକର୍ଷିତ ହେବ ସେତେ ତୁମର ଲୋଭ ବୃଦ୍ଧି ହେବ। ଲୋଭ ହିଁ ଦୁଃଖ ଯନ୍ତ୍ରଣା ର ମୂଳ କାରଣ। ସ୍ୱାର୍ଥୀ ନହୋଇ ବରଂ ତ୍ୟାଗୀ ହୋଇ ବଞ୍ଚ। ସୁଖୀ ମଣିଷ ହେବାକୁ ହେଲା ପ୍ରଥମେ ଦୁଃଖୀ ମଣିଷର ଦୁଃଖଟି ଶୁଣିବାକୁ ଚେଷ୍ଟା କର। ଅନ୍ୟର ଦୁଃଖ ଦୂର କରୁ କରୁ ଦେଖିବ ତୁମେ ଦିନେ ଶୁଖି ମଣିଷ ପାଲଟି ଯାଇଥିବ। ସାଧୁବାବା ଙ୍କ ତୁଣ୍ଡରୁ ସବୁ କଥା ଶୁଣି ବ୍ୟବସାୟୀଙ୍କ ମନପ୍ରାଣ ମୁଗ୍ଧ ହୋଇଗଲା। ସାଧୁବାବାଙ୍କ ପାଦ ଧୂଳି ମଥାରେ ଛୁଈଁ ନିଜ ରାସ୍ତାରେ ଆଗକୁ ବଢିଲେ।

Nalco
Leave A Reply