Odisha news

ଆବାସ ଗୃହ ପାଇଁ ଚାଲିଛି ଅର୍ଥ ଆଦାୟ ; ଶାସକ ଦଳର ନେତା କର୍ମୀ ସାଜିଛନ୍ତି ମଧ୍ୟସ୍ତି , ଶୋଷଣର ଶିକାର ହେଉଛନ୍ତି ଗରିବ ହିତାଧିକାରୀ

0

ଗୋପ,୪/୭: ଆବାସ ଗୃହ ପାଇଁ ଗୋପ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଚାଲିଛି ବ୍ୟାପକ ଅର୍ଥ କାରବାର । ଶାସକ ଦଳର ନେତା ଓ କର୍ମୀ ସାଜିଛନ୍ତି ମଧ୍ୟସ୍ତି । ଶୋଷଣର ଶିକାର ହେଉଛନ୍ତି ଗରିବ ହିତାଧିକାରୀ । ସରକାରୀ ବାବୁମାନଙ୍କ ନିକଟରେ ତାଲିକା ପହଞ୍ଚôବା ପୂର୍ବରୁ କୁଜି ନେତା ଓ ଶାସକ ଦଳର କର୍ମୀଙ୍କ ନିକଟରେ ପହଞ୍ଚୁଛି ହିତାଧିକାରୀଙ୍କ ତାଲିକା । ଯାହାକୁ ନେଇ ତୃଣମୂଳ ସ୍ତରର ରାଜନୀତି ଜୋର ଧରିଥିବାବେଳେ ନେତା ଓ କର୍ମୀଙ୍କ ଦୁଆରେ ସକାଳୁ ଗହଳି ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି ।

ଆଧାର କାର୍ଡ଼, ରାସନ କାର୍ଡ଼, ବ୍ୟାଙ୍କ ଜମାଖାତାର ନକଲ ଦେବାକୁ କୁହାଯାଉଥିବାବେଳେ ହିତାଧିକାରୀଙ୍କ ଠାରୁ ୧୦ ରୁ ୨୦ ହଜାର ଟଙ୍କା ଆଦାୟ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଉଥିବା ଚର୍ଚ୍ଚା ଜୋର ଧରିଛି । ଗାଁ ଗାଁରେ କୁଜି ନେତା ଓ କର୍ମୀ ଫର୍ମ ଧରି ବୁଲୁଥିବାବେଳେ ଆବାସ ଯୋଜନା କରାଇଦେବା କହି ହିତାଧିକାରୀମାନଙ୍କ ଠାରୁ ଟଙ୍କା ମଧ୍ୟ ଆଦାୟ କରୁଥିବା ଅଭିଯୋଗ ହେଉଛି । ପ୍ରକାଶ ଯେ, ସାମୁଦ୍ରିକ ଝଡ଼ ଫଣିରେ ଗୋପ ବ୍ଲକ୍ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ହଜାର ହଜାର ଗୃହ ମାଟିରେ ମିଶିଥିଲା । ପ୍ରଶାସନ ପକ୍ଷରୁ ତାଲିକା ପ୍ରସ୍ତୁତ କରି ଘରଭଙ୍ଗା ସହାୟତା ପ୍ରଦାନ କରାଯାଇଥିବାବେଳେ ପୁନରାୟ ଘର ଭାଙ୍ଗିଥିବା ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ଲାଗି ବ୍ଲକ୍ ପ୍ରଶାସନ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ଗୋପ ବ୍ଲକ୍ରେ ୩୧ଟି ପଞ୍ଚାୟତର ୧୨ ହଜାରରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ପାଖାପାଖି ୯ ହଜାରରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କ ଜିଓ ଟ୍ୟାଗ୍ କରାଯାଇଛି । ଏବେ କେନ୍ଦ୍ର ସରକାର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପତ୍ର ସଂଖ୍ୟା ନଂ ୧୧୦୨୦/୨୩୬/୨୦୧୯ ରେ ଆଧାର ସଂଯୋଗୀକରଣ ଫର୍ମରେ ହିତାଧିକାରୀଙ୍କ ଦସ୍ତଖତ ସଂଗ୍ରହ କରିବା ଲାଗି ପ୍ରଦାନ କରାଯାଉଛି । ଏହି ଫର୍ମରେ ଆବାସ ଯୋଜନାରେ ଆଧାର ସଂଯୋଗ ପାଇଁ ଅନୁମତି ନିଆଯାଉଥିବାବେଳେ ପୂର୍ବରୁ ଯଦି କୌଣସି ଗୃହ ନିର୍ମାଣ ଯୋଜନାରେ ସାମିଲ ହୋଇଥାନ୍ତି ତେବେ ଚିହ୍ନଟ କରାଯାଇ ପାରିବ ବୋଲି ଫର୍ମ ସଂଗ୍ରହ କରାଯାଉଛି । ମାତ୍ର କୁଜିନେତା ଓ ଦଲାଲ ମାନେ ଏହାକୁ ଏଗ୍ରିମେଣ୍ଟ ଫର୍ମ କହି ଗାଁକୁ ସରକାରୀ ଅଧିକାରୀ ଆସିବା ପୂର୍ବରୁ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚାଇ ଅର୍ଥ କାରବାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ଅର୍ଥ ଆଦାୟ କରୁଛନ୍ତି ।

କେତେକ କ୍ଷେତ୍ରରେ ଅର୍ଥ ନଥିବା ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପାଇବାମାନେ ଅର୍ଥ ଦେବାକୁ ପ୍ରବର୍ତ୍ତାଉଥିବାବେଳେ କେତେକ ସ୍ଥାନରେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ବ୍ୟାଙ୍କ ଉଠାଣ ଫର୍ମରେ ମଧ୍ୟ ଦସ୍ତଖତ କରିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ନବୀନ ସରକାରଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ କୁଜିନେତା ମାନେ କଳଙ୍କ ଲଗାଉଥିବା ନେଇ ବିରୋଧୀ ଦଳ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରୁଥିବା ଦେଖିôବାକୁ ମିଳିଛି । ଅପରପକ୍ଷେ କରୋନା ପୂର୍ବରୁ ଗୋପ ପଞ୍ଚାୟତ ସମିତିରେ ଭତ୍ତା ବଣ୍ଟନ ଉସôବରେ କୁଆଁପଡ଼ା ପଞ୍ଚାୟତର ଜୈନିକ ବୃଦ୍ଧା ହିତାଧିକାରୀଙ୍କ ଠାରୁ ଆବାସ ଯୋଜନା ଲାଗି ଅର୍ଥ ଆଦାୟ କରିଥିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିକଟରେ ବୃଦ୍ଧା ଜଣଙ୍କ ଅଭିଯୋଗ କରିଥିଲେ ।

ପରେ ମନ୍ତ୍ରୀ ଶ୍ରୀ ଦାଶ ଉତ୍କ୍ଷ୍ରୀପ୍ତ ହୋଇ ୭ ଦିନ ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସଙ୍କୁ ନିଦେ୍ର୍ଦଶ ଦେବା ସହ ଉପସ୍ଥିତ ଜନସାଧାରଣ ଓ ରାଜନୈତିକ ଦଳର କର୍ମୀ କିମ୍ବା ନେତା ଅର୍ଥ ଆଦାୟ କରିବା ମାତ୍ରେ ସଂଗେ ସଂଗେ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । କୌଣସି ବ୍ୟକ୍ତିଙ୍କ ଠାରୁ ଯଦି ଆବାସ ଯୋଜନା କିମ୍ବା ସରକାରୀ ଯୋଜନାରେ ଅର୍ଥ ଆଦାୟ କରାଯାଇଥିବା ନେଇ ଅଭିଯୋଗ ଆସେ ତେବେ ସେ ପଞ୍ଚାୟତ ସ୍ତରର ନେତା ହୁଅନ୍ତୁ କିମ୍ବା ବରିଷ୍ଠ କର୍ମୀ ହୁଅନ୍ତୁ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ସହ ଦଳରୁ ବହିସ୍କୃତ କରାଯିବ ବୋଲି ଦୃଢ଼ୋକ୍ତିର ସହ ପ୍ରକାଶ କରିଥିଲେ ।

ମାତ୍ର ଏଭଳି ଅର୍ଥ ଆଦାୟକୁ ହିତାଧିକାରୀମାନେ ସହଜରେ ଗ୍ରହଣ କରିପାରିନଥିବାବେଳେ ବ୍ଲକ୍ ପ୍ରଶାସନ ପକ୍ଷରୁ କୌଣସି ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ସାମିଲ କରିବା ଲାଗି ଅର୍ଥ ପ୍ରଦାନ କରନ୍ତୁ ନାହିଁ ବୋଲି କୁହାଯାଇଛି । ଏ ସଂପର୍କରେ ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ସେ କୁହନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ । କୌଣସି ବ୍ୟକ୍ତିଙ୍କୁ ଅର୍ଥ ପ୍ରଦାନ କରନ୍ତୁ ନାହିଁ ବୋଲି କହିବା ସହ ଅର୍ଥ ଆଦାୟ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ବ୍ଲକ୍ କାର୍ଯ୍ୟାଳୟରେ ସୂଚନା ଦେବାକୁ କହିଛନ୍ତି ।

Nalco
Leave A Reply