Odisha news

ବେଙ୍ଗାଲୁର ଘରେ ଗ୍ୟାସ ବିସ୍ଫୋରଣ ଘଟଣା : ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

0

ବାଲିଗୁଡା,(ସ.ବ୍ୟୁ.) ବେଙ୍ଗାଲୁରୁଠାରେ ଗତ ମଙ୍ଗଳବାର ରାତିରେ ଏକ ଘରେ ଗ୍ୟାସ ବିସ୍ଫୋରଣ ହୋଇ ୫ ଜଣ ଓଡ଼ିଆ ଗୁରୁତର ଆହତ ହୋଇଥିଲେ। ଏହି ଗ୍ୟାସ ବିସ୍ଫୋରଣ ଘଟଣାରେ ଶୁକ୍ରବାର  ଆଉ ଦୁଇ ଜଣଙ୍କ ମୃତ୍ୟ ହୋଇଛି। ମୃତକ ୨ ଜଣ ହେଲେ ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ପିତବାସ ପ୍ରଧାନଙ୍କ ଝିଅ ମମତା ପ୍ରଧାନ(୨୨) ଓ କୋଟଗଡ଼ ବ୍ଲକ୍ ଶ୍ରାମ୍ବି ଗ୍ରାମର ଡପକା ପ୍ରଧାନଙ୍କ ପୁଅ ଉଦାମ ପ୍ରଧାନ(୩୦)। ସୂଚନା ଅନୁସାରେ ଦାରିଙ୍ଗବାଡ଼ି ବ୍ଲକ୍ ଗାହାକିଆ ଗ୍ରାମର ୩ ଜଣ ଯୁବତୀ ଓ କୋଟଗଡ଼ ବ୍ଲକ ଶ୍ରାମ୍ବି ଗ୍ରାମର ଜଣେ ଯୁବକ ଓ ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳର ଜଣେ ଯୁବତୀ ବେଙ୍ଗାଲୁରୁଠାରେ ଥିବା କମ୍ପାନୀରେ କାମ କରୁଥିବା ବେଳେ ସମସ୍ତେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ।

ମଙ୍ଗଳବାର ରାତିରେ ରୋଷେଇ କରିବା ସମୟରେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ଏଥିରେ ପ୍ରଥମେ ଗାହାକିଆ ଗ୍ରାମର କାଡିଙ୍ଗା ପ୍ରଧାନଙ୍କ ଝିଅ ବରଣୀ ପ୍ରଧାନଙ୍କ(୨୦) ମୃତ୍ୟ ହୋଇଥିଲା। ତେବେ ଶୁକ୍ରବାର  ଆଉ ୨ ଜଣଙ୍କ ମୃତ୍ୟୁ ଘଟି ମୋଟ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି।ସେହିପରି ଗାହାକିଆ ଗ୍ରାମର ବିଶ୍ବପତୀ ପ୍ରଧାନଙ୍କ ଝିଅ ଅଞ୍ଜଳି ପ୍ରଧାନ(୨୨) ଓ ବିଷମ କଟକ ଅଞ୍ଚଳର ଝିଅ ରାଣୀ ଟିକିରି(୨୩) ଭିକ୍ଟୋରିଆ ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଉକ୍ତ ହସ୍ପିଟାଲରେ ସେମାନଙ୍କୁ ଭଲ ଭାବରେ ଚିକିତ୍ସା କରାଯାଉନଥିବା ଅଭିଯୋଗ ଆଣି ଅଞ୍ଜଳି ଓ ରାଣୀଙ୍କୁ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି ତାଙ୍କ ନିକଟରେ ଥିବା ତାଜୁଙ୍ଗିଆ ପଞ୍ଚାୟତର ଯୁବକ ସୁଜିତ ପ୍ରଧାନ କହିଛନ୍ତି।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କର ମୃତ ଦେହକୁ ଗ୍ରାମକୁ ଆଣିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବିଡିଓ ଅଭିମନ୍ୟୁ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ସେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ। ଜିଲ୍ଲା ପ୍ରଶାସନ ତରଫରୁ ଯାହା ନିର୍ଦ୍ଦେଶ ଆସିବ ସେ ଅନୁସାରେ ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ କହିଛନ୍ତି।

Govt
Leave A Reply