Odisha news

ଗଞ୍ଜାମରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ

0

ବ୍ରହ୍ମପୁର,୨୭।୭- ଗଞ୍ଜାମ ଜିଲ୍ଲାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଗତକାଲି ୩ଜଣ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟବିଭାଗରୁ ସୂଚନା ମିଳିଛି । ସମସ୍ତେ ସୁସ୍ଥ ଥିବା ବେଳେ ଘରେ ରହି ଚିକିତ୍ସିତ ହେଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ସମସ୍ତ ରୋଗୀ ବାହାର ଜିଲ୍ଲା ଓ ରାଜ୍ୟରୁ ଆକ୍ରାନ୍ତ ହେବା ପରେ ଏଠାକୁ ଆସିଥିବା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି । ପ୍ରଥମ ରୋଗୀ ବ୍ରହ୍ମପୁର ମହାନଗର ନିଗମ ୨୬ ନମ୍ବର ୱାର୍ଡ କାଳୁଆ ସାହିରେ ଜଣେ ଯୁବତୀ ଚିହ୍ନଟ ହୋଇଛନ୍ତି। ୨୩ବର୍ଷୀୟ ଯୁବତୀ ଜଣକ ଭୁବନେଶ୍ୱରରେ ରହୁଥିଲେ। ସେଠାରେ ତାଙ୍କୁ ଜ୍ଵର ହେବାରୁ ଘରକୁ ଫେରିଥିଲେ । ସନ୍ଦେହ ହେବାରୁ ତାଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଥିଲା ଏବଂ ଗତକାଲି ରିପୋର୍ଟ ପଜିଟିଭ୍ ଆସିଥିଲା। ପଜିଟିଭ୍ ଜଣାପଡିବା ପରେ ଆଜି ସ୍ଵାସ୍ଥ୍ୟ ବିଭାଗ ଟିମ୍ ତାଙ୍କ ଘରେ ପହଞ୍ଚି ଡେଙ୍ଗୁ ଲାର୍ଭା ଖୋଜିଥିଲେ । ତେବେ ସେ ଭୁବନେଶ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ସେହିପରି ଚିକିଟି ମାଉନ୍ଦପୁରରେ ୪୩ ବର୍ଷୀୟ ଯୁବକ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି।
ସେ ଆନ୍ଧ୍ରରେ ରହୁଥିଲେ । ଜ୍ଵର ହେବାରୁ ଘରକୁ ଫେରିଥିଲେ ଏବଂ ଡେଙ୍ଗୁ ପରୀକ୍ଷା ବେଳେ ପଜିଟିଭ୍ ବାହାରିଥିଲା। ଶେରଗଡ଼ ଭୁଷଣ୍ଡ ଗ୍ରାମର ୧୯ ବର୍ଷ ବୟସର
ଜଣେ ଯୁବକ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ବାଙ୍ଗାଲୁରୁରେ କାମ କରୁଥିଲେ । କିଛିଦିନ ହେଲା ସ୍ୱାସ୍ଥ୍ୟ ଖରାପ ହେବାରୁ ଘରକୁ ଫେରିଥିଲେ । ଗତକାଲି
ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପରେ ଡେଙ୍ଗୁ ପଜିଟିଭ୍ ବାହାରିଥିଲା। ସମସ୍ତ ରୋଗୀ ବାହାରୁ ଆସିଥିଲେ ମଧ୍ୟ ଗଞ୍ଜାମରେ ଏବେବି ଲୋକଙ୍କ ମନରେ ଡେଙ୍ଗୁ
ଭୟ ଯାଇନାହିଁ । ଜିଲ୍ଲାରେ ୨୦୧୨ରେ ସର୍ବାଧିକ ୫୪୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୨ରେ ଜିଲ୍ଲାରେ ୩ହଜାର
ଲୋକଙ୍କ ଡେଙ୍ଗୁ ପରୀକ୍ଷା ହୋଇଥିଲା। ଏମାନଙ୍କ ଭିତରେ ୧୬୧ଜଣ ପଜିଟିଭ୍ ବାହାରିଥିଲେ । ପଜିଟିଭ୍ଙ୍କ ଭିତରେ ୬୮ଜଣ ବାହାର ଜିଲ୍ଲା ଓ ରାଜ୍ୟରେ ଆକ୍ରାନ୍ତ
ହୋଇଥିବା ଜଣାପଡିଥିଲା। ୨୦୨୧ରେ ଜିଲ୍ଲାରେ ୨୭୧୩ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ୩୩୩ ଜଣ ପଜଟିଭ ବାହାରିଥିଲେ। ସେହିପରି ୨୦୧୯ରେ ମଧ୍ୟ
ଜିଲ୍ଲାରେ ୩୦୭ ଓ ୨୦୧୬ରେ ୨୮୮ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ହୋଇଥିବା ସମସ୍ତ ରୋଗୀଙ୍କୁ ମଶାରି ଟାଣି ଶୋଇବାକୁ ସଚେତନ କରାଯାଇଛି । ସଫା
ପାଣି ଗୋଟିଏ ଜାଗାରେ ଜମି ରହିଲେ ସେଠାରେ ଏହି ମଶା ଜନ୍ମ ନେଇଥାନ୍ତି। ତେଣୁ ଘରେ କିମ୍ବା ଘର ଚାରି ପାର୍ଶ୍ବରେ କୋଉଠି ବି ପାଣି ଜମି ରହିଲେ ତାକୁ ସଫା
କରିବା ଆବଶ୍ୟକ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଓ ରବିବାର ଡ୍ରାଇ ଡେ ପାଳନ କରାଯାଉଛି। ଏହାର ଅର୍ଥ ହେଲା ଏହି ଦୁଇଟି ବାରରେ
ଘରେ ପାଣି ସଫା କରାଯାଇ ଡ୍ରାଇ ଡେ ପାଳନ କରାଯିବ।

Nalco
Leave A Reply