ତିହିଡି, ୨୧/୦୮(ଯଦୁମଣି ପାଣିଗ୍ରାହୀ ) : କରୋନା କଟକଣା ଯୋଗୁଁ ଚଳିତ ବର୍ଷ ବିଘ୍ନେଶ୍ୱରଙ୍କ ପୂଜା ପାଳନରେ ବିଘ୍ନ ଘଟିଥିବା ଦେଖିବାକୁ ମିଳିଛି । ବାବା ଗଣନାଥଙ୍କ ପୂଜା ଓଡିଶାରେ ଗାଁ ଗହଳି ଠାରୁ ପୁଣି ସହର ବଜାର ଯାଏଁ ସବୁଠି ବେଶ୍ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ । ବିଶେଷକରି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ବାବା ବିଘ୍ନେଶ୍ୱରଙ୍କ ପୂଜାକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଥାନ୍ତି । ମାତ୍ର କରୋନା କାରଣରୁ ଏବେ ସ୍କୁଲ ଓ କଲେଜ ଆଦି ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି ।
ତେଣୁ ସେସବୁ ଅନୁଷ୍ଠାନରେ ଏଥର ପୂଜା ପାଳନ କରାଯିବା ଉପରେ କଡା କଟକଣା ଜାରି କରାଯାଇଛି । ସେହିପରି ତିହିଡି ବ୍ଲକରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବି ଏହି ପୂଜା ଅତ୍ୟନ୍ତ ଆଡମ୍ବର ସହକାରେ ପାଳନ କରାଯାଇଥାଏ । ମାତ୍ର ଚଳିତ ବର୍ଷ ସର୍ବସାଧାରଣ ସ୍ଥାନରେ ପାଳିତ ହେଉଥିବା ସାର୍ବଜନୀନ ପୂଜା ପାଳନ ଉପରେ ବି ପ୍ରଶାସନ ପକ୍ଷରୁ କଡାକଡି କଟକଣା ଜାରି କରାଯାଇଛି । ଫଳରେ ଏଥର ଏହି ପୂଜା କେଉଁଠି ଯେ, ପାଳନ କରାଯିବନି ଏହା ନିଶ୍ଚିତ ହୋଇଛି ।
ଯେଉଁଥିପାଇର୍ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ମନରେ କେମିତି ଗୋଟେ ନୈରାଶ୍ୟ ଭାବ ପରିଲକ୍ଷିତ ହୋଇଛି । କେବଳ ସେତିକି ନୁହେଁ ମୂର୍ତ୍ତି କାରିଗର, ଫଳ ବ୍ୟବସାୟୀ, ପୂଜା ସାମଗ୍ରୀ ବିକ୍ରେତା ଓ ଡ୍ରେସ ବ୍ୟବସାୟୀ ମାନେ ମଧ୍ୟ ଚଳିତବର୍ଷ ନିରାଶ ହୋଇଛନ୍ତି । ଏଥର କୌଣସି ମୂର୍ତ୍ତି କାରିଗର ମାଟି ମୂର୍ତ୍ତି ତିଆରି କରି ବଜାରରେ ବିକ୍ରି କରିବାର ଦେଖିବାକୁ ମିଳୁନି କି ଫଳ ଦୋକାନ, ପୂଜା ସାମଗ୍ରୀ ଦୋକାନ ଓ ଡ୍ରେସ ଦୋକାନ ଆଗରେ ଭିଡ ଲାଗିଥିବା ପରିଲକ୍ଷିତ ହେଉନାହିଁ । କରୋନା କେବଳ ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରହାର କରିନି ବରଂ ସତେ ଯେମିତି ସମସ୍ତଙ୍କ ମନର ହସଖୁସି ଛଡାଇ ନେଇଛି । ଗତ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା କରୋନା କଟକଣା ଯୋଗୁଁ ଅନେକ ପର୍ବପର୍ବାଣୀ ପାଳନରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ବେଳେ ଏବେ ବିଘ୍ନେଶ୍ୱରଙ୍କ ପୂଜା ପାଳନରେ ବି ବିଘ୍ନ ସୃଷ୍ଟି ହୋଇଛି । ଯାହାକୁ ନେଇ ସମସ୍ତଙ୍କ ମନରେ ଦୁଃଖ ଓ ନୈରାଶ୍ୟର ଭାବ ଛାଇଯାଇଛି ।