Odisha news

ଗଜପତି ମହାରାଜଙ୍କ ହେଲା ରାଜାଭିଷେକ : ପୁରୀ ଶ୍ରୀନଅରରେ ପୁଷ୍ୟାଭିଷେକ ନୀତି

0

ପୁରୀ: ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ପୁରୀ ଶ୍ରୀନଅରରେ ଅନୁଷ୍ଠିତ ହୋଇଯାଇଛି।। ଆଜି (ଶୁକ୍ରବାର) ମାଘମାସର ପୁଷ୍ୟା ନକ୍ଷତ୍ର ପଡୁଥିବାରୁ ଶ୍ରୀନଅରରେ ମହାପ୍ରଭୁଙ୍କର ଚଳିନ୍ତି ପ୍ରତିମା ଗଜପତିଙ୍କ ରାଜାଭିଷେକ କରାଯାଇଛି। ଇଷ୍ଟ ଦେବୀ କନକଦୁର୍ଗାଙ୍କ ପାଖରେ ପୂଜା ବିଧି ପରେ ରାଜାଭିଷେକ ନୀତି ସଂପନ୍ନ ହୋଇଥିଲା। ପରଂପରା ଅନୁସାରେ ଷୋହଳ ଶାସନର ବ୍ରାହ୍ମଣ ଓ ୩୨ କରବାଡ ପ୍ରତିନିଧି ଗଜପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

କୁହାଯାଏ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅଯୋଧ୍ୟାରେ ରାଜଗାଦି ଆରୋହଣ କରିଥିଲେ। ସେହି ପରମ୍ପରା ଅନୁସାରେ, ପ୍ରଥମେ ଗଜପତି ମହାରାଜଙ୍କ ରାଜାଭିଷେକ କରାଯାଇଥାଏ। ଗଜପତିଙ୍କୁ ପଇତାଲାଗି କରିବା ପରେ ଷୋଳ ଶାସନର ପ୍ରତିନିଧି ମନ୍ତ୍ର ପାଠ କରି ମହାରାଜଙ୍କ ପୁଷ୍ୟାଭିଷେକ କରିଥିଲେ। ନଡିଆ, ଗୁଆ, ତାମ୍ର ପଇତା ଭେଟିଦେଇଥିଲେ । ଏଥିରେ ଷୋଳଶାସନର ବ୍ରାହ୍ମଣମାନଙ୍କୁ ମଧ୍ୟ ମହାରାଜଙ୍କ ପକ୍ଷରୁ ମହାପ୍ରସାଦ ଭେଟି ଦିଆଯିବାର ବିଧି ରହିଛି । ପୁଷ୍ୟାଭିଷେକରେ ଷୋଳଶାସନ ବ୍ରାହ୍ମଣ, ବିଭିନ୍ନ ମଠାର ମଠାଧୀଶ ଓ ସାଧୁସନ୍ଥଙ୍କ ସମାଗମ ହୋଇଥିଲା ।

Leave A Reply