Odisha news

ଜି୨୦ ସମ୍ମିଳନୀ ପୂର୍ବରୁ ଆମେରିକାର କଡ଼ା ବାର୍ତ୍ତା

0

ୱାସିଂଟନ: ଭାରତରେ ଆରମ୍ଭ ହେବାକୁ ଯାଉଥିବା ଜି୨୦ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ନ ଦେବା ନିଷ୍ପତ୍ତିକୁ ନେଇ ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ସି ଜିନପିଙ୍ଗ କାହିଁକି ଯୋଗ ଦେବେନି ସେ ବାବଦରେ ବେଜିଂ କିଛି ସ୍ପଷ୍ଟୀକରଣ ଦେଇ ନ ଥିବା ବେଳେ କେବଳ ଏତିକି ଘୋଷଣା କରିଛି ଯେ, ତାଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଯୋଗ ଦେବେ। ଯାହାଙ୍କୁ ବିଶ୍ବର ଦୁର୍ବଳତମ ପ୍ରଧାନମନ୍ତ୍ରୀ ଭାବେ ବିବେଚନା କରାଯାଉଛି

ମଙ୍ଗଳବାର ୱାସିଂଟନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିବାନଙ୍କୁ ସି ଜିନପିଙ୍ଗଙ୍କ ଅନୁପସ୍ଥିତି ତଥା ଏଥି ସହ ଭାରତ-ଚୀନ୍ ଉତ୍ତେଜନାର ସମ୍ଭାବ୍ୟ ସମ୍ପର୍କ ନେଇ ପଚରାଯାଇଥିଲା। ଉତ୍ତରରେ ସୁଲିବାନ କହିଥିଲେ, ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ଉତ୍ତେଜନା ଜି୨୦ ସମ୍ମିଳନୀକୁ ପ୍ରଭାବିତ କରିବା ଆଶଙ୍କା ଅମୂଳକ ନୁହେଁ, ତେବେ ଏହା ଚୀନ୍ ଉପରେ ନିର୍ଭର କରେ। ଯଦି ଚୀନ୍ କିଛି ବିଗାଡ଼ିବାକୁ ଚାହେ, ତେବେ ସେ ବିକଳ୍ପ ତା’ ପାଖରେ ରହିଛି। ସୁଲିବାନ କହିଥିଲେ ଯେ, ଜି୨୦ର ଅଧ୍ୟକ୍ଷ ଭାରତ ଯାହା ଚାହୁଛି, ଆମେ ଆମେରିକୀୟ ତଥା ଜି୨୦ର ଅନ୍ୟ ସମସ୍ତ ସଦସ୍ୟ ସେୟା ଚାହୁଛୁ। ତାହା ହେଉଛି ପରିବେଶ, ବହୁପାକ୍ଷିକ ବିକାଶ, ବ୍ୟାଙ୍କ ସଂସ୍କାର, ଋଣରୁ ମୁକ୍ତି, ପ୍ରଯୁକ୍ତି ଆଦି ଉପରେ ଗଠନମୂଳକ ଭାବରେ କାମ କରିବା ପାଇଁ ତଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଭୂ-ରାଜନୈତିକ ବିବାଦକୁ ପଛରେ ରଖି ସ‌ମସ୍ତେ ଆଗେଇ ଆସନ୍ତୁ।

Leave A Reply