Odisha news

ଫନୀକୁ ପୁରିଲାଣି ୧ବର୍ଷ: ଘର ଭଙ୍ଗା ସହାୟତା ପାଇବାରୁ ବଂଚିତ ବାସହରା ରାମଚନ୍ଦ୍ର,ଗାଁ କୋଠଘର ହୋଇଛି ତାଙ୍କ ବାସସ୍ଥାନ

0

ନିମାପଡା,୩୧ା୫ା :ପ୍ରଳୟଙ୍କାରୀ ଫନୀ ବାତ୍ୟାକୁ ୧ବର୍ଷ ପୁରିଥିବା ବେଳେ ନିମାପଡା ବ୍ଲକ ବାହାରଣା ପଂଚାୟତ ଅନ୍ତର୍ଗତ କଦଳୀବାରୀ ଗ୍ରାମର ଜଣେ ଅସହାୟ ଗରିବ ପରିବାର ବାତ୍ୟାରେ ଘର ଦ୍ୱାର ହରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି ।ସେ ଫନୀ ବାତ୍ୟା ପର ଠାରୁ ନିଜ ପରିବାର ଧରି ଗାଁ କୋଠଘରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।ନିମାପଡା ବ୍ଲକରେ ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଏହି ଘଟଣାରୁ ସ୍ପଷ୍ଟ ବୁଝାପଡୁଛି ।

ପ୍ରକାଶ ଯେ,କଦଳୀବାରୀ ଗ୍ରାମର ରାମଚନ୍ଦ୍ର ସ୍ୱାଇଁ(୬୦)ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ।ତାଙ୍କ ପରିବାର କହିଲେ ପତ୍ନୀ ମାଳତୀ (୫୦) ଓ ଗୋଟିଏ ରୋଗିଣା ପୁଅ ବାବୁ (୨୬) ।ଫନୀରେ ତାଙ୍କର ଥିବା ୨/୩ ବଖରା ମାଟି ଚାଳଛପର ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା ।ଗରିବ ରାମଚନ୍ଦ୍ର ଆଶା କରିଥିଲେ ସରକାରୀ ସହାୟତା ମିଳିଲେ ସେ ଭଲ ଘର ଖଣ୍ଡେ ତୋଳି ପରିବାର ସହିତ ରହିବେ ।ସ୍ଥାନୀୟ ପ୍ରଶାସନ ଓ ରାଜନେତା ଆସି ବୁଲି ଦେଖିବା ସହିତ ତାଙ୍କୁ ସରକାରୀ ସହାୟତା ମିଳିବ ବୋଲି ବଡବଡ ପ୍ରତିଶୃତି ଦେଇ ଚାଲିଗଲେ ।ଖାଲି ସେତିକି ନୁହେଁ ଭାଙ୍ଗିଯାଇବା ଘରସବୁ ଦେଖି ରିପୋର୍ଟ ଲେଖି ନେଲେ ସରକାରୀ କର୍ମଚାରୀ ।କିନ୍ତୁ ଫନୀକୁ ପୁରିଲା ଏକ ବର୍ଷ ।କ୍ଷତିଗ୍ରସ୍ତ ଗରିବ ରାମଚନ୍ଦ୍ରକୁ ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ ମିଳିଲାନି ଘର ଭଙ୍ଗା ସହାୟତା ।ଫନୀରେ ଘର ସବୁ ଭାଙ୍ଗି ମାଟିରେ ମିଶି ଯିବାରୁ ବାତ୍ୟା ପରେ ତାଙ୍କୁ ମୁଣ୍ଡ ଗୁଂଜିବାକୁ ମିଳିଲାନି ବାସଗୃହ ।ଗାଁ ଲୋକେ ତାଙ୍କ ସାହାରା ପାଲଟିଲେ ।ଗାଁରେ ଥିବା କୋଠଘରେ ରହିବାକୁ ତାଙ୍କୁ ଅନୁମତି ଦେବାରୁ ରାମଚନ୍ଦ୍ର ନିଜର ପତ୍ନୀ ଓ ମାନସିକ ବିକୃତ ରୋଗିଣା ଭେଣ୍ଡିଆ ପୁଅକୁ ଧରି ସେଠାରେ ୧ବର୍ଷ ହେବ ରହି ଆସୁଛନ୍ତି ।ଦୈନିକ ପରଦୁଆରେ ରାମଚନ୍ଦ୍ର ମୁଲ ଲାଗିଲେ ତିନି ପ୍ରାଣି କୁଟୁମ୍ବ ଚଳିଥାନ୍ତି ।ସେଥିରେ ପୁଣି ରୋଗାକ୍ରାନ୍ତ ପୁଅର ଦୈନିକ ଔଷଧ ପାଇଁ ଟଙ୍କାର ଆବଶ୍ୟକତା ପଡିଥାଏ ।ବୟସାଧିକ କାରଣରୁ ଏବେ ତାଙ୍କ ଆଖିକୁ ଆଉ ଠିକ ଭାବେ ଦେଖାଯାଉନଥିବାରୁ ସେ ଆଗଭଳି ଆଉ ମଝୁରୀ ଲାଗିବାକୁ ପରଦୁଆରକୁ ଯାଇପାରୁନାହାନ୍ତି ।ଏବେ ପୁଣି କରୋନା ଯୋଗୁଁ ଲକ ଡାଉନ ଚାଲିଥିବାରୁ କାମଧନ୍ଦା ତାଙ୍କର ସଂପୂର୍ଣ୍ଣ ବନ୍ଦ ରହିଛି ।ସରକାରଙ୍କ ପକ୍ଷରୁ ମିଳିଥିବା ରାସନ କାର୍ଡରୁ ଯାହା ଚାଉଳ ଗଣ୍ଡାକ ତାଙ୍କୁ ମିଳିଯାଉଛି ।

ତିନି ପ୍ରଣୀ କେମିତି ବଂଚିବେ ସେନେଇ ରାମଚନ୍ଦ୍ର ଓ ପତ୍ନୀ ମାଳତୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି ।ଗ୍ରାମବାସୀ ମାନେ ଦୁଃଖ ସହିନପାରି ଅନେକ ସମୟରେ ତାଙ୍କୁ ଖାଦ୍ୟ ସାମଗ୍ରୀ ସହିତ ଅନ୍ୟାନ୍ୟ ସହଯୋଗର ହାତ ବଢାଇଥାନ୍ତି ବୋଲି ମାଳତୀ କୁହନ୍ତି ।ଗତ ୫ମାସ ତଳେ ରାମଚନ୍ଦ୍ରଙ୍କ ବୃଦ୍ଧା ମାଙ୍କ ମୃତୁ୍ୟ ଘଟିଥିଲା ।ଗ୍ରାମବାସୀଙ୍କ ଆର୍ଥିକ ସାହାର୍ଯ୍ୟ ଓ ସହଯୋଗ ବଳରେ ମାର ଶୁଦ୍ଧକ୍ରିୟା କାର୍ଯ୍ୟ ହୋଇପାରିଥିଲା ବୋଲି ରାମଚନ୍ଦ୍ର କୁହନ୍ତି ।କୋଠ ଘରେ ବା ସେମାନେ ରହିବେ କେତେଦିନ ।ଗ୍ରାମବାସୀ ଯେଉଁଦିନ ଚାହିଁବେ ତାଙ୍କୁ କୋଠଘର ଛାଡିବାକୁ ପଡିବ ।ରହିବାକୁ ଘର ନଥିବା ବେଳେ ଖାଇବାକୁ ଦାନା ନାହିଁ,ସ୍ଥାନୀୟ ପ୍ରଶାସନ ଓ ରାଜନେତା ତାଙ୍କ କଥା ଶୁଣୁନଥିବା ଏହି ଗରିବ ଅସହାୟ ଦମ୍ପତି କୁହନ୍ତି ।ବାତ୍ୟାରେ ଘର ଭାଙ୍ଗି ଯାଇଥିବା ସ୍ଥାନୀୟ ନେତା ଓ ପ୍ରଶାସନର ଅଧିକାରୀମାନେ ଆସି ଦେଖି ଲେଖାଲେଖି କରି ନେଇ ଯାଇଥିଲେ ।ବର୍ଷେ ବିତିଯାଇଥିଲେ ମଧ୍ୟ ରାମଚନ୍ଦ୍ରଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରିଲାନି ଘର ଭଙ୍ଗା ସହାୟତା ।

ବାରମ୍ବାର ସେ ସ୍ଥାନୀୟ ନେତା ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ତାଙ୍କ ଦୁଃଖ କେହି ଶୁଣୁନଥିବା ରାମଚନ୍ଦ୍ର ପ୍ରକାଶ କରିଛନ୍ତି ।ସରକାରୀ ସହାୟତାକୁ ଅପେକ୍ଷା କରି ଦମ୍ପତିଙ୍କ ଆଖିରୁ ଲୁହ ଶୁଖିଗଲାଣି ।ତଥାପି ଆଶା ନଛାଡି ସରକାରଙ୍କ ଉପରେ ବିଶ୍ୱାସ ରଖିଛନ୍ତି ।ତାଙ୍କ ଦୁଃଖ ସରକାର ନିଶ୍ଚୟ ଶୁଣିବେ,ଗୋଟିଏ ଘର ତୋଳିବା ପାଇଁ ସରକାର ସହାୟତା ଯୋଗାଇଦେଲେ ସେ ଘର ତୋଳି ପୁଣି ନିଜ ଘରକୁ ରୋଗିଣା ପୁଅକୁ ଧରି ଯାଇ ରହିବେ ବୋଲି ଲୁହ ଛଳ ଛଳ ଆଖିରେ କୁହନ୍ତି ରାମଚନ୍ଦ୍ର ଓ ମାଳତୀ ।ଗ୍ରାମର ଗଙ୍ଗାଧର ସ୍ୱାଇଁ,ବିଜୟ କୁମାର ସ୍ୱାଇଁ,ମହାଦେବ ସ୍ୱାଇଁ କୁହନ୍ତି ବାତ୍ୟାରେ ତାଙ୍କର ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ।ତଦନ୍ତ କରାଯାଇ ପଂଚାୟତର ଅନ୍ୟ ଲୋକ ଘର ଭଙ୍ଗା ସହାୟତା ପାଇଥିବା ବେଳେ ଏମାନେ ପ୍ରକୃତ ସହାୟତା ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ କେମିତି ଏପର୍ଯ୍ୟନ୍ତ ତାଙ୍କୁ ଏହା ମିଳିନାହିଁ ଆମ୍ଭ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ରାମଚନ୍ଦ୍ରଙ୍କ ଜମିବାଡି ସେମିତି ନଥିବା ବେଳେ ଯାହା ଚାଳଛପର ଘର ରହିଥିଲା ବାତ୍ୟାରେ ଘର ଭାଙ୍ଗିଯିବାରୁ ସେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଭଙ୍ଗା ଘରେ ଅଳ୍ପ କିଛିଦିନ ପରିବାର ସହ ରହିଥିଲେ ।ତାଙ୍କୁ କୋଠଘରେ ଆସି ରହିବାକୁ ଅନୁମତି ଦେବାରୁ ସେ ବର୍ଷେ ହେବ ଗାଁ କୋଠଘରେ ରହିଆସୁଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।ରାମଚନ୍ଦ୍ର ଆଉ ମୂଲ ଲାଗିପାରୁନାହାନ୍ତି ।ପରିବାର ବେଳେ ଖାଇଲେ ବେଳେ ଉପାସ ମଧ୍ୟ ରହିବାକୁ ପଡୁଛି ।ଗ୍ରାମବାସୀ ମାନେ ବିଭିନ୍ନ ସମୟରେ ବଳକୁ ଚାହିଁ ତାଙ୍କୁ ସହାୟତା କରୁଆସୁଛନ୍ତି ।ରାମଚନ୍ଦ୍ରଙ୍କୁ ଘର ଖଣ୍ଡେ ନିର୍ମାଣ କରିବା ପାଇଁ ସରକାର ତୁରନ୍ତ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।ଏସଂପର୍କରେ ବିଡିଓ ମନୋଜ ବେହେରାଙ୍କୁ ପଚାରିବାରେ ସେ ଏହାର ତଦନ୍ତ କରି ରାମଚନ୍ଦ୍ର ଯଦି ସରକାରୀ ସହାୟତା ପାଇବା ପାଇଁ ଯୋଗ୍ୟ ତେବେ ତାଙ୍କୁ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି

Leave A Reply

Your email address will not be published.