ବେତନଟୀ, ୮/୧୧ : ଧାନ ପାଚିଲା ବେଳକୁ ଏବେ ଚାରିପଟେ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ବଡଯୋଡରେ ଥିବା ଚାରି ଗୋଟି ଶିମିଳିପାଳ ହାତୀ ଏବେ ସେହି ଅଞ୍ଚଳର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛନ୍ତି । କେବଳ ହାତୀ ନୁହେଁ ଏହି ଅଞ୍ଚଳରେ ପ୍ରବଳ ବାରହା ଉପଦ୍ରବ ଦେଖା ଯାଇଛି । ହାତୀ ଓ ବାରହା ମିଶି ବଡଶୋଳ ଗ୍ରାମର ଶତ୍ରୁଘ୍ନ ମହାନ୍ତ, ରାମଚନ୍ଦ୍ର ମହାନ୍ତ, ଚନ୍ଦ୍ରମୋହନ ମହାନ୍ତଙ୍କ ଚାଷ ଜମି ଗୁଡିକୁ ନଷ୍ଟଭ୍ରଷ୍ଟ କରି ଥିବାର ଜଣା ପଡିଛି । ଖବର ପାଇ ପିଠାବଟା ରେଞ୍ଜ ଅଧିକାରୀ ଲକ୍ଷ୍ମୀଧର ବେହେରା, ବନପାଳ ରବୀନ୍ଦ୍ର କୁମାର ପୁହାଣ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ଥିବାର ଜଣା ପଡିଛି ।
ଅନ୍ୟ ପକ୍ଷରେ ବେତନଟୀ ରେଞ୍ଜର ବଡାମପୁର ବନପାଳ କ୍ଷେତ୍ରରେ ଥିବା ୬୧ଟି ହାତୀ ମଧ୍ୟରୁ ୩୮ଟି ଝାଡଖଣ୍ଡି ହାତୀ ମେରଦା ରିଜର୍ଭରେ ପହଞ୍ଚି ଥିବାର ଦେଖା ଯାଇଛି । ଏହି ହାତୀ ଗୁଡିକ ରେଣାସାହି ଓ ନୂଆସାହି ନିକଟରେ ରହିଛନ୍ତି । ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂଙ୍କ ନେତୃତ୍ୱରେ ବନପାଳ ସୁଶାନ୍ତ କୁମାର ବାଗ, ରାସଗୋବିନ୍ଦପୁରରୁ ଆସି ଥିବା ଟିମ, ଦେଉଳିରୁ ଆସି ଥିବା ଟିମ ଏଠାରେ ହାତୀ ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ଅଛନ୍ତି । ସଇତପୁର ସରପଞ୍ଚ ରବୀନ୍ଦ୍ର କିସ୍କୁ ଏଠାରେ ବନ କର୍ମଚାରୀ ମାନଙ୍କୁ ସହଯୋଗ କରୁ ଥିବାର ଜଣା ପଡିଛି । ବଡାମପୁର ରିଜର୍ଭରେ ଶିମିଳିପାଳ ଓ ଝାଡଖଣ୍ଡି ହାତୀ ମିଶି ମୋଟ ୨୩ଟି ହାତୀ ରହି ଯାଇ ଥିବାର ଜଣା ପଡିଛି । ଏହି ହାତୀ ଗୁଡିକୁ ବନପାଳ ଶିରୀଶ ଦଳେଇଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ସହଯୋଗ କରୁ ଥିବାର ଜଣା ପଡିଛି ।