ମହାମାରୀ କରୋନାକୁ ମୁବାବିଲା କରିବା ସକାଶେ ଦେଶବ୍ୟାପୀ ଲକ୍ଡାଉନ ବା ତାଲାବନ୍ଦୀ ଘୋଷଣା କରାଯାଇଛି । ଏଥିପାଇଁ ଦେଶରେ ପ୍ରାୟ ସବୁ ମନ୍ଦିର,ମସଜିଦ,ଗୁରୁତ୍ୱାର ଓ ଗୀର୍ଜା ବନ୍ଦ ହୋଇଯାଇଛି । ବିଭିନ୍ନ ଧର୍ମାବଲମ୍ବୀ ଲୋକଙ୍କୁ ସେଠାକୁ ଯିବାକୁ ବାରଣ କରାଯାଇଛି । ତେବେ ଏଇଠି ପ୍ରଶ୍ନ ଉଠୁଛି, ଆମେ ଆମର ନିୟମିତ ପୂଜାପାଠ କରିବା କିପରି ? ଏଥିପାଇଁ ସର୍ବପ୍ରଥମ ଉପାୟଟି ହେଲା କ୍ୱାରାଂଟାଇନ (ସଂଗରୋଧ ) ବା ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରିବା । ସୁତରାଂ ଘର ଚାରିକାନ୍ଥ ଭିତରେ ଏକାନ୍ତରେ ବସିରହି ନିଜର ଅନ୍ତରାତ୍ମାକୁ ପଚାରିବା ଆମେ କିଏ ? ଏହି ଜିଜ୍ଞାସାର ସମାଧାନ ସକାଶେ ଆମେ ନିଜ ଧର୍ମାତ୍ମା,ପୂଣ୍ୟାତ୍ମା ଓ ଦିବ୍ୟାତ୍ମଙ୍କ ପାଖକୁ ଯାଇ ମୁଁ କିଏ ବୋଲି ଜାଣିବାକୁ ଚେଷ୍ଟାକରୁ । ସେମାନେ ଆମକୁ ଯାହା ବୁଝାନ୍ତି ତାହା ଆମକୁ ନିରର୍ଥକ ମନେହୁଏ । ଅଥବା ସେମାନେ ଯାହା ବି ଆମକୁ ସେ ସମ୍ପର୍କରେ କୁହନ୍ତି ସେଥିରେ ସତ୍ୟ-ଅସତ୍ୟ ଫରକଟି କଣ ଆମକୁ କେବେ ବୁଝାପଡେନି । ତେଣୁ ଏବେ ସବାଆଗେ ଆମକୁ ଜାଣିବାକୁ ହେବ ମୁଁ କିଏ ଆଉ ମୋର କିଏ ?
ସର୍ବପ୍ରଥମେ ଆମକୁ ବୁଝିବାକୁ ହେବ ମୁଁ ଆତ୍ମା ଏବଂ ମୋର ଯିଏ ଅଛନ୍ତି ସିଏ ଆଉ କେହି ନୁହଁନ୍ତି କେବଳ ସେଇ ପରମାତ୍ମା ପରମେଶ୍ୱର । ମୁଁ ତାଙ୍କର ସନ୍ତାନ । ତେଣୁ ସିଏ ଆମର ପରମପିତା । ତାଙ୍କ ବ୍ୟତୀତ ଦ୍ୱିତୀୟ ବ୍ୟକ୍ତି ଆମର କେହି ନାହାଁନ୍ତି । ମୁଁ କେବଳ ନିଜ କୃତକର୍ମର ଫଳ,ସଂସ୍କର ଓ ଗୃଢ ରହସ୍ୟ ଯୋଗୁଁ ଏହି ସଚାରଚର ପୃଥିବୀରେ ପାଦ ଥାପିଛି ମୋର ଭୂମୀକା ନିବାହ କରିବା ପାଇଁ । ବାସ ସେତିକି ହେଉଛି ମୋର କର୍ତ୍ତବ୍ୟ ଓ ଦାୟିତ୍ୱ । ମୋର ସମସ୍ତ କୁଟୁମ୍ବ,ବନ୍ଧୁପରିଜନ, ସମ୍ପର୍କୀୟ ସାଙ୍ଗସାଥୀ ଆଦି ମୋର ପୂର୍ବକର୍ମ ବା ସଂସ୍କାର ଯୋଗୁ ସୃଷ୍ଟି ହୋଇଛନ୍ତି । ଏହି ବିଶ୍ୱ ରଙ୍ଗମଚରେ ଆମେ ସମସ୍ତେ ଜଣେ ଲେଖାଏଁ ଅଭିନେତା । ପରମପିତା ତଥା ପରମାତ୍ମା ପରମେଶ୍ୱର ଅଥବା ସ୍ୱୟଂ ଭଗବାନ ଏହି ବିଶ୍ୱ ରଙ୍ଗମଂଚର ସ୍ରଷ୍ଟା,ନିଦେ୍ର୍ଦଶକ ଆଉ ମୁଖ୍ୟ ଅଭିନେତା ,ଯଦିଓ ଆମେ ତାଙ୍କୁ ଆଲ୍ଲା ବୋଲି କହିପାରୁ,ପ୍ରଭୁ ଯୀଶୁ ବୋଲି ସମ୍ବୋଧନ କରିପାରୁ ପୁଣି ଗୁରୁ ବୋଲି ଡାକିପାରୁ । ଅତଏବ ଆମେ ତାଙ୍କୁ ପ୍ରେମରେ ବାନ୍ଧିରଖିବା ପାଇଁ ଯେ କୌଣସି ନାମରେ ଆବାହନ କରିପାରିବା । କାରଣ ସିଏ ହେଉଛନ୍ତି ଆମ ସଭିଙ୍କର ମାଲିକ । ତାଙ୍କୁ ଆମେ ଗାର୍ଡ ଅଫ ଲାଇଟ୍( ଆଲୋକବର୍ତ୍ତୀକା ) ନୂର-ଏ ଇଲାହୀ ,ଓଁକାର ସତ୍ନାମ, ନିରାକାର ଇତ୍ୟାଦି ନାମରେ ଡାକିପାରିବା । ଯିଏ ଭଗବାନଙ୍କ ସହିତ ନିଜ ସମ୍ପର୍କକୁ ଯୋଡିଦିଏ ତାର ଆଉ କାହା କଥାକୁ ନେଇ ଚିନ୍ତା କରିବାକୁ ପଡେନି । ଯାହାର ଏକମାତ୍ର ମିତ୍ର ସେଇ ପରମାତ୍ମା ପରମେଶ୍ୱର ସିଏ ଆଉ କାହାକୁ ଅବା ଡରିବା କାହିଁକି ? ତେବେ ଆମ ଜୀବନରେ ସମସ୍ତ ସଫଳତା ମୂଳରେ ଚାବିକାଠି ହେଉଛି ସେଇ ପରମାତ୍ମା ପରମେଶ୍ୱରଙ୍କ ଯୋଗ । ଆମ ମନ, ବୁଦ୍ଧି ସଂସ୍କାର ଯେତେବେଳେ ପରମାତ୍ମାଙ୍କ ସହିତ ଯୁକ୍ତ ହୋଇଯାଏ ଆମକୁ ସୁଖଶାନ୍ତି,ଖୁସି ପ୍ରେମ ପ୍ରୀତି ଶ୍ରଦ୍ଧା ମିଳିଥାଏ । ଆମ ଆତ୍ମା ସାତଗୋଟି ଗୁଣ ଯଥା- ଶାନ୍ତି,ସୁଖ,ପ୍ରେମ, ଶକ୍ତି, ଜ୍ଞାନ, ପବିତ୍ରତା ଓ ଆନନ୍ଦ ପ୍ରାପ୍ତିରେ ପରିପୂର୍ଣ୍ଣ ହୋଇଯାଏ । ଏହି ସାତଗୁଣର ଦାତା ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସର୍ବଶକ୍ତିମାନ ପରମାତ୍ମା । ଆମ ସମସ୍ତଙ୍କର ଏକମାତ୍ର ପିତା । ଆମେମାନେ ତ ସନ୍ତାନ ରୂପେ ନିଜ ନିଜର ଲୌକିକ ପିତାଙ୍କ ଦ୍ୱାରା ଆମର ମାତାଙ୍କ ଜଠରୁ ଏହି ଧରଣୀ ମା କୋଳରେ ଜନ୍ମ ନେଇଛେ । ମାତ୍ର ଆମ ସବୁରିଙ୍କ ପାରଲୌକିକ ପିତା ତ ଜଣେ । ସେଇ ପରମାତ୍ମା ଆମର ପରମ ନିଦେ୍ର୍ଦଶକ ସାଜିଛନ୍ତି । ତେଣୁ ତାଙ୍କୁ କରି-କରାଇବାର ଗଳାହାର ରୂପେ ଅଭିହିତ କରାଯାଏ । ଆତ୍ମିକ ଦୃଷ୍ଟିକୋଣରୁ ବିଚାରିଲେ ଏହି ପାର୍ଥିବ ଦୁନିଆରେ ସବୁ ମଣିଷ ହେଉଛନ୍ତି ଭାଇ-ଭାଇ । ଏଥିପାଇଁ କୁହାଯାଇଛି ହିନ୍ଦୁ ମୁସଲମାନ ଶିଖ ଖ୍ରୀଷ୍ଟିୟାନ, ଭାଇ-ଭାଇ ଆମେ ତାଙ୍କ ସନ୍ତାନ । ଏକଥା କହିବାର ତାତ୍ପର୍ଯ୍ୟ ହେଲା ,ଆମ ସମସ୍ତଙ୍କର ସ୍ରଷ୍ଟା ତ ସେଇ ଜଣେ । କେବଳ ଦେହକୁ ସ୍ମରଣରେ ରଖି ଆମେ ଦୈହିକ ଧର୍ମକୁ ସର୍ବଶ୍ରେଷ୍ଠ ବୋଲି ବିଚାରିଥାଉ । ଆଉ ଆଜି ପର୍ଯ୍ୟନ୍ତ ସେହି ଆଧାରରେ ଆମେ ପରସ୍ପର ମଧ୍ୟରେ ଭେଦଭାବର ପାଚେରୀ ଛିଡା କରାଉ । ଅଥଚ ଆମେ ଜାଣିପାରୁନେ ଯେ ଆମେ ସମସ୍ତେ ହେଉଛେ ସେଇ ପରମପିତା ପରମେଶ୍ୱରଙ୍କ ସନ୍ତାନ, ଯିଏ କି ଆମକୁ ସୃଷ୍ଟିକରି ଏ ପୃଥିବୀର ରଙ୍ଗମଚକୁ ପଠାଇଛନ୍ତି ନିଜ ନିଜର ଭୂମିକାକୁ ସଠିକ ଭାବେ ନିବାହ କରିବା ପାଇଁ । ଏବେ ଏହି କଠିନ ପରୀକ୍ଷା ବେଳେ ଘରର ଚାରିକାନ୍ଥ ମଧ୍ୟରେ ଆମେ ନିଜକୁ ଆବଦ୍ଧ ରଖି ତାଙ୍କୁ ନିରନ୍ତର ସୁମରଣ କରି ,ତାଙ୍କ ଗୁଣନାମ ସଂକୀର୍ତ୍ତନ କରି ସେହି ପରୀକ୍ଷାକୁ ସାମନା କରିବା ସହିତ ନିଜ ଜୀବନକୁ ଭୟମୁକ୍ତ କରିବା ଉଚିତ । ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀ ଭଗବତ ଗୀତାରେ କୁହାଯାଇଛି –‘ମତେ ସ୍ମରଣ କରି ନିଜ କର୍ମ କରିଚାଲ, ମୋତେ ସର୍ବଦା ଚିନ୍ତନ କର, ମୋଠାରେ ନିଜ କର୍ମ ସହିତ ମନ ଆଉ ବୁଦ୍ଧିକୁ ସ୍ଥିର କରି ଲଗାଇରଖ , ତୁମର ବିଜୟ ନିଶ୍ଚତ ହେବ । ସଫଳତା ତୁମର ଜନ୍ମଗତ ଅଧିକାର । ବାସ୍, ପ୍ରତିଟି ମୁହୂର୍ତ୍ତରେ ମତେ ସ୍ମରଣ କରିଚାଲ ,ବିଜୟୀ ହେବା ବରଦାନ ଆପଣାଛାଏଁ ତୁମକୁ ମିଳିଯିବ ।’