ବେତନଟୀ : -ଆଦ୍ଯ ବସନ୍ତର ପହିଲି ସ୍ପର୍ଶରେ ନବପଲ୍ଲବୀତ ବୃକ୍ଷରେ ନାନା ଜାତିର ଫୁଲ ପ୍ରସ୍ଫୁଟିତ ହେବା ସାଙ୍ଗକୁ ଚତୁର୍ଦିଗରେ ଫଗୁର ଲହରୀ ସହିତ ରଙ୍ଗ, ଅଭିରର ଖେଳ ସଭିଙ୍କ ମନକୁ ରଙ୍ଗାୟିତ କରିଥାଏ l ଆମ ସଂସ୍କୃତି ଓ ପରମ୍ପରାର ଏକ ପ୍ରସିଦ୍ଧ ପର୍ବ ଦୋଳପର୍ବ l ବିଗତ ଦୁଇ ବର୍ଷର କୋଭିଡ କଟକଣା ପାଇଁ ବନ୍ଦ ଥିବା ଉତ୍ତର ଓଡ଼ିଶାର ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତ ତଥା ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍ସା ଅଞ୍ଚଳରେ ବହୁ ପ୍ରସିଦ୍ଧ ଐତିହାସିକ ପିଞ୍ଛାବଣିଆ ମେଳା ଚଳିତବର୍ଷ ହେବାର ସମ୍ଭାବନା ସ୍ପଷ୍ଟ ହୋଇଯାଇଛି l ଶତାଧିକ ବର୍ଷର ବହୁ ପୁରାତନ ମେଳା ତଥା ଓଡ଼ିଶାର ପଞ୍ଜିକାରେ ଲିପିବଦ୍ଧ ପିଞ୍ଛାବଣିଆ ହୋଲି ମେଳା l ତେବେ ଚଳିତ ବର୍ଷ ମେଳଣ ପଡିଆରେ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ l
ଐତିହାସିକ ଏହି ମେଳା ଶତାଧିକ ବର୍ଷ ମଧ୍ୟରେ କୋଭିଡ ପାଇଁ ପ୍ରଥମ ଥର ଗତ ଦୁଇ ବର୍ଷ ବନ୍ଦ ହେବା ଘଟଣା ଇତିହାସରେ ଲିପିବଦ୍ଧ ହୋଇରହିବ l ଯାହାପାଇଁ ହଜାର ହଜାର ଛୋଟ ବଡ଼ ଉଠାଦୋକାନୀଙ୍କ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇଥିଲା l ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତରେ ପିଞ୍ଝାଵଣିଆ , ନୂଆ ଗାଁ ଓ ପୁରୁଣିଆ ତିନୋଟି ଗାଁ ର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବିଶାଳ ପଡିଆରେ ଏହି ମେଳା ୩ ଦିନ ଧରି ଚାଲିଥାଏ l ଏହି ପ୍ରସିଦ୍ଧ ପିଞ୍ଜାବଣିଆ ମେଳା ଏମିତି ଏକ ମେଳା ଯୋଉଠି ଜୀରା ଠାରୁ ହୀରା ପର୍ଯ୍ୟନ୍ତ ସବୁ କିଛି ସୁଲଭ ମୂଲ୍ୟରେ ମିଳେ ଯୋଉଁଥିପାଇଁ ଏହି ମେଳାରେ ଲକ୍ଷଲକ୍ଷ ଲୋକଙ୍କ ସମାବେଶ ହୋଇଥାଏ l
ଏହି ଐତିହାସିକ ପିଞ୍ଛାବଣିଆ ଦୋଳମେଳରେ ବିଭିନ୍ନ ସ୍ଥାନରୁ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ଅଣାଯାଇ ମେଳଣ ସହିତ ବହୁ ନୀତିକାନ୍ତି ରେ ପୂଜାର୍ଜନା ହୋଇଥାଏ l ସେହିପରି ବହୁ ଜନ ସମାଗମକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଗାଇଡ଼ ଲାଇନ ଅନୁଯାୟୀ ମେଳାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ବୈଶିଙ୍ଗା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର l
