Odisha news

ଓଡ଼ିଶାରେ ନୂଆ ରେଳ ପ୍ରକଳ୍ପ ଯାତ୍ରୀ ସୁବିଧା, ପର୍ଯ୍ୟଟନ ସମେତ ବ୍ୟବସାୟକୁ ବଡ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର କ୍ୟାବିନେଟ୍ ନିଷ୍ପତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ୱାଗତ

0

ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ନୂଆ ଲାଇନ ଓ ସରଡେଗା- ଭାଲୁମୁଣ୍ଡା ନୂଆ ଡବଲଲାଇନର କ୍ୟାବିନେଟ୍ ମଞ୍ଜୁର ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ
ଓଡ଼ିଶାର ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼ ସମେତ ଆଖପାଖ ଅଞ୍ଚଳର ଲୋକମାନେ ହେବେ ଉପକୃତ, ସମ୍ବଲପୁରୀ ବୟନ ଓ ହସ୍ତଶିଳ୍ପର ଚାହିଦା ବଢିବା ସହ ସ୍ଥାନୀୟ ଅର୍ଥନୀତି ଅଧିକ ମଜଭୂତ୍ ହେବ
ଓଡ଼ିଶାର ୬ଟି ସହର ସମେତ ଦେଶର ୨୩୪ଟି ସହରରେ ୭୩୦ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଆରମ୍ଭ ନିଷ୍ପତି ରେଡିଓ ନେଟଓ୍ୱାର୍କକୁ ସମ୍ପ୍ରସାରିତ କରିବ
ସମଗ୍ର ଭାରତରେ ୧୨ଟି ବିଶ୍ୱମାନର ଶିଳ୍ପ ସ୍ମାର୍ଟ ସିଟି ପ୍ରତିଷ୍ଠା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୮ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁର ହୋଇଥିବା ଓଡ଼ିଶାର ରେଳ ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରକଳ୍ପ ତଥା ବିଭିନ୍ନ  ପଦକ୍ଷେପକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ମୋଦୀ ସରକାରରେ ପୂର୍ବୋଦୟରୁ ଭାରତର ନୂଆ ସୂର୍ଯ୍ୟୋଦୟ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନିଆଯାଉଛି । ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼କୁ ଯୋଡୁଥିବା ପ୍ରାୟ ୬,୪୫୬ କୋଟି ଟଙ୍କା ମୂଲ୍ୟର ୩ଟି ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ସେଥିମଧ୍ୟରୁ ବିଶେଷ ଭାବରେ ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ନୂଆ ଲାଇନ ଓ ସରଡେଗା- ଭାଲୁମୁଣ୍ଡା ନୂଆ ଡବଲଲାଇନ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିବା ଖୁସିର ବିଷୟ । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼ ସମେତ ଆଖପାଖ ଅଞ୍ଚଳର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ମଞ୍ଜୁର ହୋଇଥିବା ନୂଆ ରେଳ ଲାଇନ ଯାତ୍ରୀସେବା, ପରିବହନ ଓ ବାଣିଜ୍ୟିକ ବ୍ୟବସାୟକୁ ଅଧିକ ସୁଗମ କରିବ । ଓଡ଼ିଶାରେ ପର୍ଯ୍ୟଟନକୁ ଅଧିକ ଗତି ମିଳିବ । ସମ୍ବଲପୁରୀ ବୟନ ଓ ହସ୍ତଶିଳ୍ପର ଚାହିଦା ବଢିବା ସହ ସ୍ଥାନୀୟ ଅର୍ଥନୀତି ଅଧିକ ମଜଭୂତ୍ ହେବ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ୬ଟି ସହର ସମେତ ୨୩୪ଟି ସହରରେ ୭୩୦ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହି ନିଷ୍ପତି ରେଡିଓ ନେଟଓ୍ୱାର୍କ ବିସ୍ତାର କରିବ । ଦୁର୍ଗମ ଅଂଚଳରେ ଜରୁରୀ ସୂଚନା ଉପଲବ୍ଧ କରାଇବ । ଆମର ସମୃଦ୍ଧ ଭାଷାଗତ ବିବିଧତାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ । ସ୍ଥାନୀୟ କଳାକାରମାନଙ୍କୁ ଏକ ଭଲ ପ୍ଲାଟଫର୍ମ ପ୍ରଦାନ କରିବା ସହ ଗଣମାଧ୍ୟମ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି କରିବ । ଭାରତୀୟ ଭାଷାରେ ଗୁଣାତ୍ମକ ଶିକ୍ଷା ଓ ବିଷୟବସ୍ତୁକୁ ଦେଶର ଦୁର୍ଗମ ଓ ଦୁର୍ଗମ ଅଞ୍ଚଳରେ ପହଞ୍ଚାଇବା ସହ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ଦିଗରେ ଏହା ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାବ୍ୟତିତ ସମଗ୍ର ଭାରତରେ ୧୨ଟି ବିଶ୍ୱମାନର ଶିଳ୍ପ ସ୍ମାର୍ଟ ସିଟି ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ଅନୁମୋଦନ ଆମର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ଉତ୍ପାଦନ ଏବଂ ରପ୍ତାନିକୁ ପ୍ରୋତ୍ସାହିତ କରିବା ସହ ବୃହତ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଏକ ବଡ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Leave A Reply