Odisha news

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି : ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଅନୁରୋଧ

0

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଠିରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଅନୁରୋଧ କରିଛନ୍ତି। ଶୁକ୍ରବାର ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ ତମ ପ୍ରତିଷ୍ଠା ଦିବସ ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ବିହାର ଓ ଆନ୍ଧ୍ରପ୍ରଦେଶରେ ଯଥାକ୍ରମେ ୪ଟି ଓ ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି। ତେବେ ଓଡ଼ିଶାର କୋରାପୁଟରେ ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି। କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀମାନେ ବେଶ ଉପକୃତ ହେଇପାରୁଛନ୍ତି। ଯଦି ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ମିଳିବ ତାହେଲେ ଉପକୂଳ ଓଡ଼ିଶାର ଛାତ୍ରମାନେ ବେଶ ଉପକୃତ ହୋଇପାରିବେ ।

୧୯୪୩ ମସିହାରେ ସ୍ଥାପନା ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ରାଜ୍ୟର ଏକ ଆଗଧାଡ଼ିର ଶିକ୍ଷାନୁଷ୍ଠାନ ଭାବେ ବେଶ ଜଣାଣୁଣା। ଉତ୍କଳ ବିଶ୍ୱବିଦ୍ୟାଳୟରେ ୨୮ଟି ପିଜି ଡିପାର୍ଟମେଣ୍ଟ ସହ ୧୭ଟି ସେଲ୍ପ-ଫାଇନାନ୍ସିଂ କୋର୍ସ ପଢ଼ାଯାଉଛି। ତା’ ସହ ୯ଟି ଜିଲ୍ଲାର ୩୭୩ଟି କଲେଜ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ଅଧିନରେ ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ନାକ୍ ଏ+ ମାନ୍ୟତା ମିଳିଥିବାବେଳେ ଏହା ସର୍ବଭାରତୀୟ ରାଙ୍କିଙ୍ଗ୍‌ରେ ୯୬ ତମ ସ୍ଥାନ ପାଇଛି। ଏସବୁ ଉପଲବ୍ଧିକୁ ଦେଖି କେନ୍ଦ୍ର ସରକାର ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି।

Leave A Reply