ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ସୁଦୀର୍ଘ ଅଟଳ ଟନେଲ : କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସେଲକୁ ପ୍ରଶଂସା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଜି ଉଦଘାଟିତ ସୁଦୀର୍ଘ ଅଟଳ ରୋହତଙ୍ଗ ଟନେଲ ନିର୍ମାଣରେ ଭାରତର ବୃହତ୍ତମ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ – ସେଲ ଇସ୍ପାତର ଅଧିକାଂଶ ଅଂଶ ଯୋଗାଇଛି। ସମଗ୍ର ପ୍ରକଳ୍ପରେ ବ୍ୟବହୃତ ୧୫ହଜାର ଟନ୍ ଷ୍ଟିଲ ମଧ୍ୟରୁ ସେଲ ତାହାର ଗୁଣାତ୍ମକ ଇସ୍ପାତ ୯ହଜାର ଟନରୁ ଅଧିକ ଯୋଗାଇ ଦେଇଛି। ଏହି ଟନେଲ୍ ୩ହଜାର ମିଟରରୁ ଅଧିକ ଉଚ୍ଚରେ ଥିବା ବିଶ୍ୱର ଦୀର୍ଘତମ ସଡ଼କ ଟନେଲ୍ ହୋଇଛି। ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ତଥା ଭାରତକୁ ଅଧିକ ଶକ୍ତିଶାଳୀ କରିବାରେ ସେଲ ପୁଣିଥରେ ସହଭାଗୀ ହୋଇଛି।
କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସେଲକୁ ପ୍ରଶଂସା କରି କହିଛନ୍ତି, ଏହି ଟନେଲ ସ୍ଥାନୀୟ ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ହେବ। ସେଠାକାର ପାଣିପାଗ ଦୃଷ୍ଟିରୁ ଅତ୍ୟନ୍ତ ଅହ୍ୱାନମୂଳକ ପରିସ୍ଥିତିରେ ଏହି ଟନେଲ ନିର୍ମାଣ ଏକ ବୃହତ ସଫଳତା ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ସେଲ ବହୁ ପରିମାଣର ଇସ୍ପାତ ଯୋଗାଇ ଦେଇଛି। ଏହା ସର୍ବଦା ଦେଶ ନିର୍ମାଣରେ ଆଗକୁ ଆସିଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି।
