Odisha news

ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଉତ୍ସବରେ କେନ୍ଦ୍ରମନ୍ତ୍ରୀ , ନାଟକ ଭଲ ହେଲେ ସମାଜ ସ୍ଥିର ରହିବ : ଧର୍ମେନ୍ଦ୍ର ପ୍ରଧାନ

0
ଜୀବନଟି ନିଜସ୍ୱ ଢଙ୍ଗରେ ଏକ ନାଟକ, ମନର ଦୁଃଖକୁ ଭୁଲାଇବାର ମାଧ୍ୟମ
ନାଟକରେ ଅନେକ ସୃଜନଶୀଳତା ରହିଥାଏ, ଯାହା ସମାଜ ପାଇଁ ବର୍ତ୍ତମାନର ଆବଶ୍ୟକତା
ଶୀତଳଷଷ୍ଠୀ, ଧନୁଯାତ୍ରା ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖିବାର ଏକ ମାଧ୍ୟମ
ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କ ପାଇଁ ବହି ପାଠ୍ୟକ୍ରମକୁ ନାଟକ ଓ କ୍ରୀଡ଼ା ଆଧାରିତ କରାଯାଇଛି

ସମ୍ବଲପୁର, ଡିସେମ୍ବର ୨୯ – ଜୀବନଟି ନିଜସ୍ୱ ଢଙ୍ଗରେ ଏକ ନାଟକ । ଜୀବନର ଅଭିବ୍ୟକ୍ତିକୁ ପରିପ୍ରକାଶ କରିବା ଓ ମନର ଦୁଃଖକୁ ଭୁଲାଇବାର ମାଧ୍ୟମ ହେଉଛି ନାଟକ ।  ନାଟକ ଭଲ ହେଲେ ସମାଜ ସ୍ଥିର ରହିବ ବୋଲି ରବିବାର ସମ୍ବଲପୁର ଝାଡୁଆପଡା ଠାରେ “ବୀର ସୁରେନ୍ଦ୍ର ସାଏ ୨୭ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା”ର ଉଦଯାପନୀ ଉତ୍ସବରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
 ‘ଯୁବଉଦୟନ’ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନାଟକରେ ଅନେକ ସୃଜନଶୀଳତା ରହିଥାଏ । ନୂଆ ଚିନ୍ତାଧାରା ଥାଏ, ଯାହା ସମାଜ ପାଇଁ ବର୍ତ୍ତମାନର ଆବଶ୍ୟକତା । ସମାଜର ଆବେଗର ଅଭିବ୍ୟକ୍ତିର ମାଧ୍ୟମ ହେଉଛି ନାଟକ । ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଶୀତଳଷଷ୍ଠୀ ଯାତ୍ରା ହେଉ କିମ୍ବା ବରଗଡ଼ର ଧନୁଯାତ୍ରା ମହୋତ୍ସବ, ଏ ସବୁ ସମାଜକୁ ପାରମ୍ପରିକ ଭାବେ ଏକତାର ସୂତ୍ରରେ ବାନ୍ଧି ରଖିବାର ଏକ ମାଧ୍ୟମ ।  


ଦେଶରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ଶିକ୍ଷା ପ୍ରଦାନ ସହ ବହି ପାଠ୍ୟକ୍ରମକୁ ନାଟକ ତଥା କ୍ରୀଡ଼ା ଆଧାରିତ କରାଯାଇଛି । ଏହା ଦ୍ୱାରା ପିଲାମାନେ ପାଠକୁ ଠିକରେ ବୁଝିବା ସହ ସେମାନଙ୍କ କ୍ରିଟିକାଲ ଥିଙ୍କିଂର ବିକାଶ ହେବ । ଆମ ସମାଜରେ ସାମାଜିକ ବା ସକରାତ୍ମକ ନାଟକର ପରମ୍ପରାକୁ ବଜାୟ ରଖିବା ଦିଗରେ ସମସ୍ତ ଜନସାଧାରଣ ବିଶେଷ ଭାବରେ କଳା ଓ ସାହିତ୍ୟ ପ୍ରେମୀ ଉଦ୍ୟମ କରିବା ଦରକାର ।  

ଶ୍ରୀ ପ୍ରଧାନ କହିଛନ୍ତି ସମ୍ବଲପୁରୀ ନାଟକ, ଭାଷା, ସଂସ୍କୃତିର ପ୍ରଚାରପ୍ରସାରର ମୂଳ ଉଦ୍ଦେଶ୍ୟ ରଖି ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଏକ ପ୍ରଶଂସନୀୟ ପଦକ୍ଷେପ । ବୀର ସୁରେନ୍ଦ୍ର ସାଏ ଓଡ଼ିଶାର ଶୌର୍ଯ୍ୟମୟ ପରିଚୟର ଅନନ୍ୟ ପ୍ରତୀକ ଓ ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ସେ ଜଣେ ବ୍ୟକ୍ତି ନୁହେଁ, ଜଣେ ବିଚାରଧାରା । ଏଭଳି ଜଣେ ସଂଗ୍ରାମୀଙ୍କ ନାମରେ ଏହି ନାଟକ ପ୍ରତିଯୋଗିତା ଆୟୋଜନ କରୁଥିବାରୁ ଆୟୋଜକ ଯୁବଉଦୟନର ସଦସ୍ୟମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

 

Leave A Reply