Odisha news

ଢେଙ୍କାନାଳରେ ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ବ୍ୟାପକ କରିବା – ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ସଂଘର ଫୁଟବଲ୍ ପ୍ରତିଯୋଗିତାର ଉଦଯାପନୀ ସମାରୋହ

0
ବିଜୟୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ଖେଳାଳୀମାନଙ୍କୁ ପୁରସ୍କୃତ କଲେ କେନ୍ଦ୍ରମନ୍ତ୍ରୀ
ଢେଙ୍କାନାଳରେ ଖେଳର ଏକ ଅନୁକୂଳ ବାତାବରଣ ଅଛି
ଧୀରେ ଧୀରେ କ୍ରୀଡାରେ ପରିଚୟ ତିଆରି କରୁଛି ଢେଙ୍କାନାଳ
କ୍ରୀଡ଼ାର ବିକାଶ ପାଇଁ ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ପ୍ରୟାସକୁ ପ୍ରଶଂସା
ଢେଙ୍କାନାଳ, ଡିସେମ୍ବର ୨୪ –  ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ମଙ୍ଗଳବାର ଆୟୋଜିତ ‘ଷଷ୍ଠତମ ଜାତୀୟସ୍ତରୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତା’ର ଉଦଯାପନୀ ସମାରୋହରେ ଯୋଗଦେଇ ଜିଲ୍ଲାରେ ମୋଦୀ ସରକାରଙ୍କ ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଢେଙ୍କାନାଳରେ ଖେଳର ଏକ ଅନୁକୂଳ ବାତାବରଣ ଅଛି । ଫୁଟବଲ, କ୍ରିକେଟ୍, ହକି ସମେତ ଅନ୍ୟ ଆଥଲେଟିକ କ୍ରୀଡାରେ ଏହି ଜିଲ୍ଲା ଧୀରେ ଧୀରେ ପରିଚୟ ତିଆରି କରୁଛି ।  ଢେଙ୍କାନାଳ ଜିଲ୍ଲାକୁ ଖେଳ, ପର୍ଯ୍ୟଟନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଚାଷ ଓ ଶିଳ୍ପସମୂହର ପ୍ରକଳ୍ପକୁ ପ୍ରାଥମିକତା ଦେଇ କ୍ରିୟାନ୍ୱୟନ କରିବାକୁ ହେବ । ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ ଏହି ଫୁଟବଲ ମ୍ୟାଚ୍ ମାଧ୍ୟମରେ ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ଯେଉଁ ଉଦ୍ୟମ କରୁଛି, ତାହା ପ୍ରଶଂସନୀୟ । ଏହି  ପ୍ରଚେଷ୍ଟା ଆମ ଅଞ୍ଚଳର ପ୍ରତିଭାବାନ ଯୁବବର୍ଗଙ୍କୁ ଆଗାମୀ ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରାଇବାରେ ସହାୟକ ହେବ । ଏହି ସାଧୁ ଉଦ୍ୟମ ପାଇଁ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ଏହି ଉଦଯାପନୀ ସମାରୋହରେ ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇ ଓ କେରଳ ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡ, କେରଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇ ବିଜୟୀ ହୋଇଥିଲା । ବିଜୟୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ମ୍ୟାଚରେ ଉଭୟ ଦଳର ପ୍ରଦର୍ଶନ ଆକର୍ଷଣୀୟ ଥିଲା । ଦୁଇଟିଯାକ ଦଳ ଭଲ ଖେଳିଲେ । ଢେଙ୍କାନାଳର ଯୁବଶକ୍ତିଙ୍କ ମଧ୍ୟରେ ଫୁଟବଲ ଓ ଅନ୍ୟାନ୍ୟ ଖେଳ ପ୍ରତି ଆଗ୍ରହ ବଢାଇବା ଲକ୍ଷ୍ୟରେଏହି ପ୍ରତିଯୋଗିତା ସ୍ୱାଗତଯୋଗ୍ୟ ବୋଲି ସେ କହିଥିଲେ ।
 

 

Leave A Reply