ଏଣ୍ଡର ପଂଚାୟତରେ ମନରେଗା ଦୁର୍ନିତି : ୧୫ ଦିନର ଟଙ୍କା ନମିଳିବାରୁ ପଂଚାୟତ କାର୍ଯ୍ୟାଳୟ ଆଗରେ ଅନଶନ ଧମକ ଦେଲେ ହିତାଧିକାରୀ
ଡେରାବିଶ : ମହାମାରୀ କରୋନାର ଭୟାବହତା ସମୟରେ ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ଗ୍ରାମାଂଚଳରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପ୍ରତ୍ୟେକ ଜବ୍କାର୍ଡ଼ ହିତାଧିକାରୀଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବାକୁ ନିଦେ୍ର୍ଦଶନାମା ପ୍ରକାଶିତ ହୋଇଥିଲା । ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଏହି ଯୋଜନାରେ ସାମିଲ କରି ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସବଳ କରିବାସରକାରଙ୍କର ମୂଳ ଲକ୍ଷ୍ୟଥିଲା । ମାତ୍ର ଡେରାବିଶ ବ୍ଳକ ଅଂଚଳରେ ମନରେଗା ଯୋଜନା ବାଟବଣା ହେଉଥିବା ଦେଖିବାକୁ ମିଳିଛି । ବ୍ଳକ ଅନ୍ତର୍ଗତ ଏଣ୍ଡର ପଂଚାୟତରେ ମନରେଗା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ତିନୋଟି ପ୍ରକଳ୍ପରେ କାମ କରି ହିତାଧିକାରୀମାନେ ଦୁଇସପ୍ତାହର ପାଉଣା ପାଇନଥିବା ନେଇ ଆଜି ବିଡ଼ିଓଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ପହଂଚିଛି ।
ଏହି ଅଭିଯୋଗରେ ଆସନ୍ତା ତିନିଦିନ ମଧ୍ୟରେ ପାଉଣା ନମିଳିଲେ ହିତାଧିକାରୀମାନେ ଏଣ୍ଡର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଦର୍ଶାଇଛନ୍ତି । ଅଭିଯୋଗକାରୀ ହିତାଧିକାରୀ ମଧୁସୂଦନ ମଲ୍ଲିକ, କୁଶାସନ ମଲ୍ଲିକଙ୍କ ସମେତ ବହୁ ହିତାଧିକାରୀ ଦର୍ଶାଇଛନ୍ତି ଏହି ପଂଚାୟତରେ ୧୦ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ଏଣ୍ଡର ଶ୍ମଶାନ ରାସ୍ତା, ୨ ଲକ୍ଷ ଟଙ୍କା ବ୍ୟୟରେ ବିଭୂତିପଡ଼ା ଶ୍ମଶାନ ରାସ୍ତା ଓ ୨ଲକ୍ଷ ଟଙ୍କା ବ୍ୟୟରେ ଶ୍ୟାମସୁନ୍ଦରପୁର ରାସ୍ତା ନିର୍ମାଣରେ ସେମାନେ କାର୍ଯ୍ୟ କରିଥିଲେ । ମାତ୍ର ଏହିସବୁ ପ୍ରକଳ୍ପ ଗୁଡ଼ିକ ଅଧାରୁ ବନ୍ଦ ହେବା ସହ ପଂଚାୟତର ସରପଂଚ, କାର୍ଯ୍ୟନିର୍ବାହୀ, ଦାୟିତ୍ୱରେ ଥିବା ବ୍ଳକର କନିଷ୍ଠଯନ୍ତ୍ରୀଙ୍କ ମନମାନୀ ପାଇଁ ଗତ ଦୁଇସପ୍ତାହର ପ୍ରାପ୍ୟ କାହାରିକୁ ମିଳିନାହିଁ । ବାରମ୍ବାର ସମ୍ପୃକ୍ତ ପଂଚାୟତର ସରପଂଚ ଅମ୍ବିକା ଅଞ୍ଜଳି ସିଂହଙ୍କ ଘରକୁ ଯିବା ସହ ପଂଚାୟତର କାର୍ଯ୍ୟନିର୍ବାହୀ ଓ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଭେଟିଲେ ମଧ୍ୟ ଏ ଅର୍ଥ ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି ।
ସରକାର ମନରେଗା ଯୋଜନା ମଧ୍ୟମରେ ଗରିବ ଲୋକଙ୍କୁ ଅର୍ଥ ଯୋଗାଇବାକୁ ଡିଣ୍ଡିବ ବଜାଉଥିଲେ ମଧ୍ୟ ଏଣ୍ଡର ପଂଚାୟତ ସରପଂଚ, ବିଭାଗୀୟ ଯନ୍ତ୍ରୀ ଓ କାର୍ଯ୍ୟ ନିର୍ବାହୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଆମ୍ଭେମାନେ ଶୋଷଣ ହେଉଥିବା ହିତାଧିକାରୀମାନେ ଅଭିଯୋଗରେ ଦର୍ଶାଇଛନ୍ତି ବୋଲି ବିଡ଼ିଓଙ୍କ ନିକଟରେ ଦେଇଥିବା ଲିଖିତ ଅଭିଯୋଗରେ କେବଳ ମନରେଗା ଯୋଜନା ନୁହେଁ, ପଂଚାୟତରେ ବ୍ୟୟ ହେଉଥିବା ସରକାରୀ ଅର୍ଥ ସରପଂଚ ଓ କାର୍ଯ୍ୟନିର୍ବାହୀ ବାଟମାରଣା କରୁଥିବା ନେଇ ସେମାନେ କହିଛନ୍ତି । ଏ ବିଷୟରେ ସରପଂଚ ସିଂହଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନଥିଲା । ମାତ୍ର ବିଡ଼ିଓ ଗୋପବନ୍ଧୁ ଭୋସାଗରଙ୍କୁ ଏ ବିଷୟରେ ଯୋଗାଯୋଗ କରାଯାଇଥିଲା । ସେ କହିଲେ ଆସନ୍ତା ସପ୍ତାହରେ ଏ ବିଷୟରେ ତଦନ୍ତ କରାଯାଇ ପ୍ରଥମ ହିତାଧିକାରୀଙ୍କର ପ୍ରାପ୍ୟ ପାଇବା ନେଇ ବ୍ୟବସ୍ଥା କରାଯିବା ସହହ ଅନ୍ୟ ଅଭିଯୋଗ ବିଷୟରେ ତଦନ୍ତ କରାଯିବ ।