ଦିଲ୍ଲୀ ହିଂସା: ରତନ ଲାଲଙ୍କୁ ସହିଦ୍ ବୋଲି ଘୋଷଣା କରିବା ସହ କ୍ଷତିପୂରଣ ଆକାରରେ ୧ କୋଟି ଓ ବିଧବା ପତ୍ନୀଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦେବାକୁ ଘୋଷଣା
ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ବିରୋଧୀ ବିପକ୍ଷବାଦୀ ଓ ଏହାକୁ ସମର୍ଥନ କରୁଥିବା ସପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦଙ୍ଗାରେ ଗୁଳିମାଡ଼ର ଶିକାର ହୋଇ ଗତ ସୋମବାର ଦିନ ପ୍ରାଣ ହରାଇଥିବା ଦିଲ୍ଲୀ ପୁଲିସ୍ର ହେଡ୍ କନେଷ୍ଟବଲ ରତନ ଲାଲଙ୍କୁ ସହିଦ୍ ବୋଲି ଘୋଷଣା କରିଛନ୍ତି ସରକାର।

ଏଥିସହ କ୍ଷତିପୂରଣ ବାବଦରେ ଅନୁକମ୍ପା ମୂଳକ ସହାୟତା ରାଶି ସ୍ୱରୂପ ନଗଦ ୧ କୋଟି ଟଙ୍କା ସମେତ ତାଙ୍କ ବିଧବା ପତ୍ନୀଙ୍କୁ ମଧ୍ୟ ଏକ ସରକାରୀ ଚାକିରିରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମଧ୍ୟ ଆଜି ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଦଙ୍ଗା ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳକୁ ଯାଇଥିବା ବେଳେ ଦଙ୍ଗାକାରୀଙ୍କ ଆକ୍ରମଣର ଶିକାର ହୋଇ ଦିଲ୍ଲୀ ପୁଲିସ୍ର ହେଡ୍ କନେଷ୍ଟବଲ ରତନ ଲାଲ ପ୍ରାଣ ହରାଇଥିଲେ।

ପରବର୍ତ୍ତୀ ସମୟରେ ଦଙ୍ଗାକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ପରେ, ଦଙ୍ଗାକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ରତନ ଲାଲଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଅନୁରୋଧ କରି ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି)ଙ୍କ ନିକଟରେ ଏକ ମାମଲା ହୋଇଥିଲା। ତେବେ, ଏସଂପର୍କରେ ଜାତୀୟ ମାନବାଧିକାର କମିଶନ କୌଣସି ପ୍ରକାରର ନିଦ୍ଦେଶନାମା ଜାରି କରିବା ପୂର୍ବରୁ କେନ୍ଦ୍ର ସରକାର ରତନ ଲାଲଙ୍କୁ ସହିଦ୍ ବୋଲି ଘୋଷଣା କରିବା ସହ ଅନୁକମ୍ପା ମୂଳକ ସହାୟତା ରାଶି ସ୍ୱରୂପ ନଗଦ ୧ କୋଟି ଟଙ୍କା ସମେତ ତାଙ୍କ ବିଧବା ପତ୍ନୀଙ୍କୁ ମଧ୍ୟ ଏକ ସରକାରୀ ଚାକିରିରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।