Odisha news

ବରିଷ୍ଠ ଓଡିଶୀ ସଂକୀର୍ତ୍ତନ ଗାୟକ ଅଭିରାମଙ୍କ ଏକାଦଶାହରେ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା

0

ଡେଲାଙ୍ଗ,୨୯/୧– ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡିଆ ଗ୍ରାମର ସୁଯୋଗ୍ୟ ସନ୍ତାନ ତଥା ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ ଓଡିଶୀ ସଂକୀର୍ତ୍ତନ କଳାକାର ଦିବଂଗତ ଅଭିରାମ ମହାରଣାଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ବାସଭବନ ସନ୍ନିକଟ ମହାବୀର ମନ୍ଦିର ପରିସରରେ ଶନିବାର ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ବିଶିଷ୍ଟ ପାଲାଗାୟକ ଅଭିମନ୍ୟୁ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ନୀଳାଞ୍ଚଳ ନିଖିଳ ଉତ୍କଳ ପାଲାଗାୟକ ପରିଷଦ,ଶ୍ରୀ ଜଗନ୍ନାଥ ପାଲା କଳାକାର ମହାସଂଘ,ଅନନ୍ତ ଗୋପାଳ ଗୁରୁଦାସ ସମିତି ଓ ଶ୍ରୀ ପତିତପାବନ ଓଡିଶୀ ସଂକୀର୍ତ୍ତନ ମହାସଂଘର ଶତାଧିକ କଳାକାର,ଶୁଭେଚ୍ଛୁ,ଆତ୍ମୀୟସ୍ଵଜନ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ।

ଦିବଂଗତ ଓଡିଶୀ ସଂକୀର୍ତ୍ତନ ଗାୟକ ଓଡ଼ିଶାର ପୁରପଲ୍ଲୀରେ ଜଣେ ଜଣାଶୁଣା ତଥା ଆଗଧାଡ଼ିର ଓଡିଶୀ ସଂକୀର୍ତ୍ତନ ଗାୟକ ଭାବେ ବେଶ ପରିଚିତ ଥିଲେ।ତାଙ୍କ ସୁଲଳିତ କଣ୍ଠରୁ ନିଃସୃତ ହରିକଥା ବିମୁଗ୍ଧ ଶ୍ରୋତାମଣ୍ଡଳୀଙ୍କୁ ଦୀର୍ଘ ସମୟ ଧରି ମନ୍ତ୍ରମୁଗ୍ଧ କରି ରଖିପାରୁଥିଲା।ସେ ଜଣେ ନିଃସ୍ୱାର୍ଥପର,ଈଶ୍ୱରପ୍ରେମୀ,ବନ୍ଧୁବତ୍ସଳ,ପରୋପକାରୀ ତଥା ଉଦାରହୃଦୟସମ୍ପନ୍ନ ବ୍ୟକ୍ତିତ୍ୱର ମଣିଷ ଥିଲେ।

ତାଙ୍କ ଅବର୍ତ୍ତମାନରେ ଡେଲାଙ୍ଗ ଅଞ୍ଚଳରେ ଜଣେ ପ୍ରତିଭାବାନ ଓଡିଶୀ ସଂକୀର୍ତ୍ତନ ଗାୟକଙ୍କ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।ନିମନ୍ତ୍ରିତ ଅତିଥିମାନେ ଦିବଂଗତ କଳାକାରଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।ଦିବଂଗତ କଳାକାରଙ୍କ ସ୍ମୃତି ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ,ବୋଳକଣାର ପ୍ରତିଷ୍ଠାତା ପରିବେଶକର୍ମୀ ହୃଷିକେଶ ପାଢ଼ୀଙ୍କ ପକ୍ଷରୁ ତାଙ୍କ ସୁପୁତ୍ର ପାଲାଗାୟକ ବସନ୍ତ ମହାରଣାଙ୍କୁ ଏକ ଅଁଳା ବୃକ୍ଷ ପ୍ରଦାନ ପୂର୍ବକ ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ।

ବିଶ୍ୱକର୍ମା ମହାସଭା ସଂଗଠନ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଦିବଂଗତ ଗାୟକ କଳାକାରଙ୍କୁ ମରଣୋତ୍ତର ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ଦିବଂଗତ ଅଭିରାମ ମହାରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଶ୍ରୀ ଜଗନ୍ନାଥ ପାଲା କଳାକାର ମହାସଂଘ ପକ୍ଷରୁ ଗାୟକ,ବାୟକ ଓ ଅନ୍ୟ ସହଯୋଗୀ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ନିମନ୍ତେ ସଭାପତି ନିରଞ୍ଜନ ସ୍ବାଇଁ ଘୋଷଣା କରିଥିଲେ।

ଏହି ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପାଲାଗାୟକ ନାରାୟଣ ମହାରଣା,ମୁଖ୍ୟ ବକ୍ତାଭାବେ ଅଞ୍ଜନ କୁମାର ଜେନା,ପାଲାଗାୟକ ପ୍ରଫୁଲ୍ଲ ମହାରଣା,ଦୁଷ୍ମନ୍ତ ବେହେରା,ହରିହର ସାମନ୍ତରାୟ,ନିରଞ୍ଜନ ସ୍ବାଇଁ,ବଂଶୀଧର ଦାସ,ସରୋଜ ପ୍ରଧାନ, ବୀଣାପାଣି ପଣ୍ଡା,ପ୍ରମୋଦ ଜେନା,ସଂକୀର୍ତ୍ତନ ଗାୟକ ଲକ୍ଷ୍ମୀଧର ବିଶ୍ୱାଳ,ସର୍ବେଶ୍ୱର ପ୍ରଧାନ,ଜଗନ୍ନାଥ ସଂସ୍କୃତି ପ୍ରବଚକ ଶରତ ଚନ୍ଦ୍ର ରାଉତ,ଯୁଧିଷ୍ଠିର ମାର୍ଥା,କୈଳାସ ପାଣି,ଶିକ୍ଷାବିତ ରମେଶ ଚନ୍ଦ୍ର ସ୍ବାଇଁ,ସୁରେଶ ସ୍ବାଇଁ ଓ କରୁଣାକର ବାରିକ ପ୍ରମୁଖ। ଉପସ୍ଥିତ ହୋଇ ଦିବଂଗତ ଆତ୍ମାର ସ୍ମୃତିଚାରଣ କରିଥିଲେ।

ଶେଷରେ ଆୟୋଜକ ଅନନ୍ତ ଗୋପାଳ ଗୁରୁଦାସ ପାଲା ସମିତି,ଡେଲାଙ୍ଗ ଏବଂ ଦିବଂଗତ ଗାୟକକଳାକାରଙ୍କ ପରିବାର ପକ୍ଷରୁ ଅତିଥୀମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ପରଲୋକଗତ ଓଡିଶୀ ସଂକୀର୍ତ୍ତନ ଗାୟକ ଓ ଗୁରୁ ଅଭିରାମ ମହାରଣାଙ୍କ ସୁପୁତ୍ର ସୁକାନ୍ତ,ବସନ୍ତ,ଶରତ,ଅଦ୍ୱୈତ ଓ ପ୍ରମୋଦ ଉପସ୍ଥିତ ଅତିଥୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Leave A Reply