Odisha news

ମାଡିଆସୁଛି ବାତ୍ୟା ‘ୟାସ୍’ ଭୟରେ ଉପକୂଳ ବାସିନ୍ଦା

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଆଜି ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହୋଇ ୨୩ ତାରିଖରେ ଅବପାତ ଓ ୨୪ ତାରିଖରେ ବାତ୍ୟା (ୟାସ୍) ରୂପ ନେବ। ଯଦିଓ ଆସନ୍ତାକାଲି ଚିତ୍ର ଆପାତତଃ ସ୍ପଷ୍ଟ ହୋଇଯିବ, ତଥାପି ଯାହା କୁହାଯାଇଥିଲା, ଉତ୍ତର ଉପକୂଳ ଏବଂ ପଶ୍ଚିମବଙ୍ଗ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ୨୬ ତାରିଖ ସକାଳେ ଏହା ପହଞ୍ଚିଯିବ। ଭାରତ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସମ୍ଭାବ୍ୟ ବାତ୍ୟା ସଂପର୍କରେ ଏପରି ପୂର୍ବାନୁମାନ କରିଛନ୍ତି। ‘ସମ୍ବାଦ’କୁ ସୂଚନା ଦେଇ ସେ ଆହୁରି କହିଛନ୍ତି ଯେ ସାଧାରଣତଃ ବାତ୍ୟାର ଡାହାଣ ପାର୍ଶ୍ବରେ ଅଧିକ କ୍ଷତି କରିଥାଏ। ଏହାକୁ ନଜରରେ ରଖି ଆଇଏମ୍‌ଡି ରାଜ୍ୟ ସରକାରଙ୍କୁ ପୂର୍ବାନୁମାନ ଜଣାଇଛି ଯେ ଏହି ବାତ୍ୟା ବଡ଼ ବର୍ଷା ଓ ପବନ ସହିତ ଆସୁଛି।

ସେହିଭଳି ଆଇଏମ୍‌ଡିର ସାଇକ୍ଲୋନ୍ ଵାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର୍‌ କେ ରାଜାମଣି ‘ସମ୍ବାଦ’କୁ କହିଛନ୍ତି, ଯେହେତୁ ବାତ୍ୟା ସୃଷ୍ଟି ହେବା ପରେ ତାକୁ ଉପକୂଳରେ ପହଞ୍ଚିବା ଲାଗି ପାଖାପାଖି ୪୮ ଘଣ୍ଟା ସମୟ ମିଳୁଛି ଓ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି, ଏଣୁ ବାତ୍ୟା ଅଧିକରୁ ଅଧିକ ଘନୀଭୂତ ହୋଇପାରେ। ନିର୍ଦିଷ୍ଟ କେତେ ତୀବ୍ରତାରେ ଏହା ଉପକୂଳ ଛୁଇଁବ, ତାହା ଆସନ୍ତାକାଲି କିମ୍ବା ୨୩ ତାରିଖରେ ସ୍ପଷ୍ଟ ହୋଇଯିବ। କିନ୍ତୁ ଏହା ଅଧିକରୁ ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ରୂପ ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ଅନ୍ୟପକ୍ଷରେ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରୁଛନ୍ତି, ଓଡ଼ିଶାର କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାପାଇଁ ଟିକିଏ ଅଧିକ ବିପଦ ରହୁଛି। କେନ୍ଦ୍ରାପଡ଼ାରେ ଘଷି ହୋଇଯାଇ ବାତ୍ୟା ବାଲେଶ୍ବର ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଯଥେଷ୍ଟ ଅଧିକ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ଘୂର୍ଣ୍ଣିଝଡ଼ରେ ପରିଣତ ହେଲେ ମେ’ ୨୬ ତାରିଖରେ ଏହା ଓଡିଶା-ପଶ୍ଚିମ ବଙ୍ଗ ଉପକୂଳ ଅତିକ୍ରମ କରିବ। ମେ’ ୨୫ ତାରିଖ ସୁଦ୍ଧା ଘୁର୍ଣ୍ଣିଝଡ଼ରେ ପରିଣତ ହେବ। ସେ ଆହୁରି କହଛନ୍ତି, ଏହି ଘୂର୍ଣ୍ଣିଝଡ଼ ଓଡ଼ିଶାର ଭଦ୍ରକ କିମ୍ବା ବାଲେଶ୍ୱର ଜିଲ୍ଲା ଅଥବା ପଶ୍ଚିମବଙ୍ଗର ଦିଘା ଉପକୂଳ ଦେଇ ଗତି କରିପାରେ।

Hawaii News Online

ଡ. ସାହୁ କହିଛନ୍ତି, ଜଳବାୟୁ ବିଜ୍ଞାନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ପୂର୍ବରୁ ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଅଧିକାଂଶ ଲଘୁଚାପ ଓ ତହିଁରୁ ଉତ୍ପନ୍ନ ଘୂର୍ଣ୍ଣିଝଡ଼ ପଶ୍ଚିମବଙ୍ଗ ଅଥବା ବାଂଲାଦେଶ ଆଡକୁ ଗତି କରିଥାଏ। ଏହି ଲଘୁଚାପ ହୁଏତ ପ୍ରବଳ ଘୂର୍ଣ୍ଣିଝଡ଼ କିମ୍ବା ଘୂର୍ଣ୍ଣିଝଡ଼ର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ। ତେବେ ବାତ୍ୟାର ଗତି ଏବଂ ପବନ ବେଗର ସ୍ପଷ୍ଟ ଚିତ୍ର ମେ’ ୨୪ ରେ ହିଁ ଜଣା ପଡିବ। ମୌସୁମୀର ପ୍ରଭାବ ଯୋଗୁଁ ଏହି ଘୂର୍ଣ୍ଣିଝଡ଼ ବିଶେଷ ଭାବେ ଘନୀଭୂତ ନ ହୋଇପାରେ। ଯଦି ଏହା ବାତ୍ୟାର ରୂପ ନେଇ ଓଡିଶା ଉପକୂଳ ଦେଇ ଗତି କରେ ତେବେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୫ ରୁ ୯୦ କିଲୋମିଟର ହେବ। ଏହା ଯଦି ପ୍ରବଳ ଘୁର୍ଣ୍ଣିଝଡ଼ର ରୂପ ନିଏ ତେବେ ଏହାର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୦୦ କିମି ହୋଇପାରେ। ତେବେ ଏହି ସମୟରେ ଓଡିଶା ଉପକୂଳରେ ପବନର ଗତି ତୀବ୍ରତର ହେବା ସହ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଆଦି ଜିଲ୍ଲାରେ ମେ’ ୨୫ ତାରିଖ ରାତିରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ସମୟରେ ଏହା ବିହାର ଆଡକୁ ଗତି କରିବ।

ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କରି ଜଣାଇଛନ୍ତି ଯେ ବର୍ତ୍ତମାନ ଏହା କୁହାଯାଇପାରିବ ବାତ୍ୟା ୟାସ୍ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ମୁହାଁଇବ। ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପରେଖ ଜଣାପଡ଼ିନାହିଁ। କିନ୍ତୁ ତାଉତେ ବାତ୍ୟାର ୨୪ ଘଣ୍ଟା ପୂର୍ବରୁ ପୂର୍ବାନୁମାନ ଏବଂ ସ୍ଥଳଭାଗ ଛୁଇଁଲା ବେଳେ ବାତ୍ୟାର ରୂପ ଓ ତଦ୍‌ଜନିତ କ୍ଷୟକ୍ଷତିକୁ ଦେଖିଲେ ପୂର୍ବ ପ୍ରସ୍ତୁତି ପାଇଁ ବିଶ୍ବର ବିଶ୍ବସନୀୟ ମଡେଲ୍ଏନ୍‌ସିଇପିର ଜିଏଫ୍ଏସ୍‌ ଓ ଇସିଏମ୍ଡ‌ବ୍ଲୁଏଫ୍‌ ଇତ୍ୟାଦିର ଆକଳନକୁ ବିଚାରକୁ ନିଆଯାଇପାରେ। ଆଇଏମ୍‌ଡି ମଧ୍ୟ ଏହି ଦୁଇ ମଡେ଼ଲକୁ ଅନୁଧ୍ୟାନ କରେ। ଗତ ୪ ଦିନ ଧରି ବିଶ୍ବର ବିଭିନ୍ନ ମଡ଼େଲ କ୍ରମାଗତ ପରିବର୍ତ୍ତନ ହୋଇ ଆଜି ସୁଦ୍ଧା ପାଖାପାଖି ସମାନତାକୁ ଆସିଛନ୍ତି।

ମଡ଼େଲମାନଙ୍କର ପୂର୍ବାନୁମାନ କହୁଛି ଯେ ୟାସ୍ ବାତ୍ୟା ସମ୍ଭବତଃ ୨୬ ତାରିଖ ସକାଳେ ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଛୁଇଁବ। ଭଦ୍ରକ ଠାରୁ ମେଦିନୀପୁର ମଝିରେ ଛୁଇଁପାରେ। ଏହାର ମଝିରେ ରହୁଛି ବାଲେଶ୍ବର। ସମ୍ଭବତଃ କେନ୍ଦ୍ରାପଡ଼ା, ଭଦ୍ରକ ଘଷି ହୋଇ ବାଲେଶ୍ବରରେ ପହଞ୍ଚିବ। ଏପରିକି ମେଦିନୀପୁରରେ ଛୁଇଁଲେ ମଧ୍ୟ ଉତ୍ତର ଉପକୂଳ ଏବଂ ସଂଲଗ୍ନ ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହେବେ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଂଜ ଓ ଯାଜପୁରରେ ପବନର ବେଗ ଅଧିକ ରହିବ। ପୁରୀ, ଖୋର୍ଧା, କଟକ, କେନ୍ଦୁଝରରେ ମଧ୍ୟ ପବନର ପ୍ରଭାବ ରହିବ।

ଡ. ପଶୁପାଳକ ଆହୁରି କହିଛନ୍ତି ଯେ ଢେଙ୍କାନାଳ, ସୁନ୍ଦରଗଡ଼ରେ ମଧ୍ୟ ସାଧାରଣ ବାତ୍ୟାର ପ୍ରଭାବ ପଡ଼ିପାରେ। ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଭାରି ବର୍ଷା ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ଯାଜପୁରରେ ସ୍ଥାନ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ। ପୁରୀ, ଭଦ୍ରକ, ବାଲେଶ୍ବର, ସୁନ୍ଦରଗଡ ଏବଂ ଝାରସୁଗୁଡା ମଧ୍ୟରେ ଥିବା ସମସ୍ତ ଜିଲ୍ଲାରେ କିଛି ନା କିଛି ବର୍ଷା ହେବ। ୨୪ ତାରିଖ ଉପରବେଳାରୁ ଉପକୂଳରେ ପାଗ ପରିବର୍ତ୍ତନ ହେବ। ସେହିଦିନ ରାତିସୁଦ୍ଧା ବର୍ଷା ଆରମ୍ଭ ହୋଇପାରେ। ୨୫ ଓ ୨୬ ଉପକୂଳରେ ଭାରି ବର୍ଷା ହେବ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ୨୫ରୁ ୨୭ ତାରିଖ ଯାଏ ବର୍ଷା ହେବ।

Nalco

Comments are closed.