କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ , ରେଭେନ୍ସା କଲିଜିଏଟ୍ ସ୍କୁଲ ନେତୃତ୍ୱ ତିଆରି କରିବାର କାରଖାନା – ଧର୍ମେନ୍ଦ୍ର ପ୍ରଧାନ
କଟକ(Suvendra Pattanaik) : ଗୋଟିଏ ସମୟରେ କଟକକୁ ବନ୍ୟାଜଳରୁ ରକ୍ଷା କରିବା ପାଇଁ ବାଇମୁଣ୍ଡି କାଠଯୋଡିରେ ପଥର ବନ୍ଧ କରିଥିଲେ । ଆଜିର ସମୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ପାଇଁ ସେମାନଙ୍କୁ ପୁଷ୍ଟିକର ଆହାର ଯୋଗଦେବା ଦିଗରେ କଟକବାସୀ ଆଗଭର ହେବା ସହ ଏ ଦିଗରେ ଦେଶରେ ଉଦାହରଣ ତିଆରି କରିବା ଉଚିତ୍ ବୋଲି ସହରବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କଟକ ଠାରେ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ମଧ୍ୟରେ ଆମର ଦୁଇଟି ଦାୟିତ୍ୱ ଅଛି, ଗୋଟିଏ ହେଲା ମାତୃଭାଷାରେ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ପୋଷଣ । ଯେଉଁ କଟକରେ ବାଇମୁଣ୍ଡି କାଠଯୋଡିରେ ପଥର ବନ୍ଧ କରି ସହରକୁ ବନ୍ୟାଜଳରୁ ରକ୍ଷା କରିଥିଲେ, ସେହି କଟକରେ ଏକ ଦାୟିତ୍ୱବାନ ସମାଜ ଭାବରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ପୋଷଣର ଦାୟିତ୍ୱ ଆମେ କାହିଁକି ନେଇପାରିବା ନାହିଁ ? କେବଳ ସରକାର ନୁହେଁ ସମାଜ ମଧ୍ୟ ଏ ଦିଗରେ ନିଜର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ରେଭେନ୍ସା କଲିଜିଏଟ ସ୍କୁଲ ସହ ମୋର ଅନେକ ଦିନର ସ୍ମୃତି ଜଡ଼ିତ । ଏହା ସବୁ ଓଡ଼ିଆଙ୍କ ପାଇଁ ଏକ ସର୍ବପୁରାତନ ହାଇସ୍କୁଲ ନୁହେଁ ବରଂ ଏକ ତୀର୍ଥକ୍ଷେତ୍ର ସହ ସମାନ । କାରଣ ଏହି ହାଇସ୍କୁଲ ମଣିଷ ତିଆରି କରେ ନାହିଁ ବରଂ ଜଣେ ଜଣେ ନେତୃତ୍ୱଙ୍କୁ ତିଆରି କରେ । ଏହି ସ୍କୁଲ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ତିଆରି କରିଛି, ଯେଉଁମାନେ ଆମର ରାଷ୍ଟ୍ରର ଗୌରବ ବଢାଇଛନ୍ତି । ୬ ସେପ୍ଟେମ୍ବର, ୨୦୧୯ରେ ଏହି ସ୍କୁଲକୁ ଆସିଥିବା ବେଳେ ଭାରତ ସରକାରଙ୍କ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଏଚପିସିଏଲର ସିଏସଆର୍ ଫଣ୍ଡରୁ ପାଖାପାଖି ୨ କୋଟି ଟଙ୍କା ବ୍ୟୟରେ ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାର ଉଦଘାଟନ କରିବାର ସୁଯୋଗ ମିଳିଥିଲା ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡ଼ିଆ ସମାଜ ସହ ଜଡ଼ିତ ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟର ଜିର୍ଣ୍ଣୋଧାର କରିବା ପାଇଁ ନୀତି ଆଣିଛନ୍ତି । ଅବିଳମ୍ବେ ଜାତୀୟ ଶିକ୍ଷାନୀତି -୨୦୨୦ର କ୍ରିୟାନ୍ୱୟନ ସହ ଏହାର ପରାମର୍ଶ ଅନୁସାରେ ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ପ୍ରାଥମିକ ଶିକ୍ଷାକୁ ପ୍ରୋତ୍ସାହନ ସହ ଶିକ୍ଷକଙ୍କୁ ସମ୍ମାନର ସହ ଜୀବନ ବଞ୍ଚିବା ପାଇଁ ଆମ ସରକାର ବଦ୍ଧ ପରିକର । ଛାତ୍ରଛାତ୍ରୀମାନେ କେବଳ ଚାକିରି କରିବେ ନାହିଁ ବରଂ ଚାକିରିଦାତା ଭାବେ ନିଜର ନୂଆ ପରିଚୟ ତିଆରି କରିବେ ବୋଲି ସେ କହିଛନ୍ତି ।
‘ଜାତୀୟ ମହାକାଶ ଦିବସ’ ଅବସରରେ କଟକ ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ ଆୟୋଜିତ ‘ବିଜ୍ଞାନ ମେଳା’ ବୁଲିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଓ ପ୍ରଦର୍ଶିତ ଉପକରଣ ଦେଖି ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ମେଧାବୀ ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପୁରାତନ ଛାତ୍ର ସଂସଦର ଓ୍ୱେବସାଇଟ୍ ଉନ୍ମୋଚନ କରିଥିଲେ । ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ‘ଶିକ୍ଷା ଜ୍ୟୋତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବାରବାଟୀ –କଟକ ବିଧାୟକା ସୋଫିଆ ଫିର୍ଦ୍ଦୋଶ, ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ଼ଃ ଶ୍ୟାମାମଣୀ ଦେବୀ ପ୍ରମୁଖ ଯୋଗଦେଇଥିଲେ ।