Odisha news

ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଏବଂ ସାରଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ , ପ୍ରତ୍ୟେକ ଶିକ୍ଷିତ ଓଡ଼ିଆ ପ୍ରତିଦିନ ଗୁଗୁଲ ପରି ପ୍ଲାଟଫର୍ମରେ ଓଡିଶାର ସଂସ୍କୃତି ଓ ଇତିହାସ ସମ୍ପର୍କରେ କିଛି ପ୍ରଶ୍ନ ପଚାରିବା ଆବଶ୍ୟକ, ଏହା ଦ୍ୱାରା ଆମ ସମ୍ପର୍କରେ ଡିଜିଟାଲ ଜ୍ଞାନ ଭଣ୍ଡାର ସମୃଦ୍ଧ ହେବ – ଧର୍ମେନ୍ଦ୍ର ପ୍ରଧାନ

0
ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ-୨୦୨୪’ ସମ୍ମାନରେ ବିଭୂଷିତ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଷ୍ଟ୍ରପତି ଓ ସାରଳା ସାହିତ୍ୟ ସଂସଦକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିବା ମୋ ପାଇଁ ଗର୍ବ ଓ ଅତ୍ୟନ୍ତ ଭାବାବେଗର ବିଷୟ
ଜଣେ ଓଡ଼ିଆ ଭାବରେ ମୋ ପାଇଁ ଏହା ବହୁତ ବଡ଼ ସମ୍ମାନ ବୋଲି କହିଲେ
ଆଦିକବି ସାରଳା ଦାସ ଓଡ଼ିଆ ମହାଭାରତ ରଚନା କରି ସାହିତ୍ୟ ଜଗତକୁ ନୂଆ ଦିଗଦର୍ଶନ ଦେଇଥିଲେ
ଆମର ମହାନ ବିଭୂତିମାନଙ୍କ ପ୍ରୟାସରେ ଓଡ଼ିଆ ଭାଷା ; ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି
ଓଡ଼ିଆ ଭାଷା ସମେତ ଦେଶରେ ସବୁ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି
ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀଙ୍କୁ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମାତୃଭାଷାରେ ପାଠ ପଢାଇବାର ବ୍ୟବସ୍ଥା ହୋଇଛି
କଟକ, ଜୁଲାଇ ୧୫ – ଏକବିଂଶ ଶତାବ୍ଦୀରେ ଆମେ ଆମର ଓଡ଼ିଆ ଭାଷାକୁ ଶିଖରକୁ ନେବା ପାଇଁ ଉଦ୍ୟମ କରିବା ପାଇଁ ହେବ । ବର୍ତ୍ତମାନର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମରେ ଆମର ଭାଷା ଓ ସାହିତ୍ୟକୁ ସୁସମୃଦ୍ଧ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ପ୍ରଚେଷ୍ଟା କରିବାକୁ ହେବ । ପ୍ରତ୍ୟେକ ଶିକ୍ଷିତ ଓଡ଼ିଆ ପ୍ରତିଦିନ ଗୁଗୁଲ ପରି ପ୍ଲାଟଫର୍ମରେ ଓଡ଼ିଶାର ସଂସ୍କୃତି ଓ ଇତିହାସ ସମ୍ପର୍କରେ କିଛି ପ୍ରଶ୍ନ ପଚାରିବା ଆବଶ୍ୟକ । ଏହା ଦ୍ୱାରା ଆମର ଓଡ଼ିଶା ସମ୍ପର୍କରେ ଡିଜିଟାଲ ଜ୍ଞାନ ଭଣ୍ଡାର ସୁସମୃଦ୍ଧ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କଟକ ଠାରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଏବଂ ସାରଳା ସାହିତ୍ୟ ସଂସଦର ୪୫ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଆଦିକବି ସାରଳା ଦାସ ଓଡ଼ିଆ ମହାଭାରତ ରଚନା କରି ଆମ ସାହିତ୍ୟ ଜଗତକୁ ନୂଆ ଦିଗଦର୍ଶନ ଦେଇଥିଲେ । ସେ ଜନ୍ମ ଗ୍ରହଣ କରିଥିବା ଜଗତସିଂହପୁର ଜିଲ୍ଲା ହଜାର ହଜାର ବର୍ଷର ପୁରାତନ ଐତିହ୍ୟର ମୁକସାକ୍ଷୀ । ଏହି ଅଞ୍ଚଳରୁ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରି ଓଡ଼ିଶାକୁ ବୈଭବ ଆଣିଛନ୍ତି । କଣ୍ଟିଲୋର ପାତ୍ର ସାମଗ୍ରୀ ପରି ଆମ ରାଜ୍ୟରେ ଉତ୍ପାଦନ ହେଉଥିବା ଉତ୍ପାଦ ବିଦେଶରେ ବିକ୍ରି ହେଉଛି, ଯାହା ଆମ ରାଜ୍ୟର ସମୃଦ୍ଧ ବାଣିଜ୍ୟ ଇତିହାସକୁ ପ୍ରତିଫଳିତ କରୁଛି ।
ଆମର ମହାନ ବିଭୂତିମାନଙ୍କ ପ୍ରୟାସରେ ଓଡ଼ିଆ ଭାଷା ; ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଆ ଭାଷା ସମେତ ଦେଶରେ ସବୁ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି । ସବୁ ମାତୃଭାଷା ରାଷ୍ଟ୍ରୀୟ ଭାଷା ବୋଲି ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି । ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀଙ୍କୁ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମାତୃଭାଷାରେ ପାଠ ପଢାଇବାର ବ୍ୟବସ୍ଥା ହୋଇଛି ।
ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଭାରତର ମାନନୀୟା ରାଷ୍ଟ୍ରପତିଙ୍କ କରକମଳରୁ ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ-୨୦୨୪’ ସମ୍ମାନରେ ବିଭୂଷିତ ହୋଇଛନ୍ତି । ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିବା ମୋ ପାଇଁ ଗର୍ବ ଓ ଅତ୍ୟନ୍ତ ଭାବାବେଗର ବିଷୟ । ପୂର୍ବରୁ ଏହି ସମ୍ମାନ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ର, ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ, ଜଷ୍ଟିସ ଅରିଜିତ ପଶାୟତ, ପଦ୍ମଭୂଷଣ ରମାକାନ୍ତ ରଥ, ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଜଷ୍ଟିସ ଡ. ଅନଙ୍ଗ କୁମାର ପଟ୍ଟନାୟକ, ପଦ୍ମଭୂଷଣ ଡ. ପ୍ରତିଭା ରାୟ ଏବଂ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମହୋଦୟଙ୍କୁ ପ୍ରଦାନ କରାଯାଇଛି ।
ଜଣେ ଓଡ଼ିଆ ଭାବରେ ମୋ ପାଇଁ ଏହା ବହୁତ ବଡ଼ ସମ୍ମାନ । ଏହାକୁ ମୁଁ ଶବ୍ଦରେ ବାଖ୍ୟା କରିପାରିବି ନାହିଁ । ଏହି ସମ୍ମାନ ମୋର ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କର ।  ଏକ ସାରସ୍ୱତ ସାହିତ୍ୟ ସଭାରେ ମୋତେ ଏହି ସମ୍ମାନର ଅଧିକାରୀ ଭାବେ ଯୋଗ୍ୟ ଭାବିଥିବାରୁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତି, ସାରଳା ସାହିତ୍ୟ ସଂସଦ ଏବଂ ଚୟନ କମିଟିକୁ ଧନ୍ୟବାଦ ଜଣାଇଛନ୍ତି । ଆଜିର ଦିନ ମୋର ସାମାଜିକ ଓ ରାଜନୈତିକ ଜୀବନରେ ଚିର ସ୍ମରଣୀୟ ହୋଇରହିବ ।
ଏହି ସାରସ୍ୱତ ସାହିତ୍ୟ ସଭାରେ ରାଷ୍ଟ୍ରପତି ଉପସ୍ଥିତି ରହି ଆଦିକବି ସାରଳା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଯଥୋଚିତ ସମ୍ମାନ ଦେଇଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଶିଷ୍ଟ ଲେଖିକା ପଦ୍ମଭୂଷଣ ପ୍ରତିଭା ରାୟ ପ୍ରମୁଖ ଯୋଗଦେଇଥିଲେ ।

 

IEC 2 years
Leave A Reply