ଯଦୁମଣି ପାଣିଗ୍ରାହୀ : ମଣିଷର ଜନ୍ମ ଠାରୁ ପୁଣି ମୃତୁ୍ୟ ଯାଏଁ ଜୀବନ ଭାବ ପ୍ରବଣତା ନୁହେଁ ବରଂ ଚରମ ବାସ୍ତବତା ଉପରେ ପର୍ଯ୍ୟବେସିତ । ମଣିଷର ଜୀବଦ୍ଦଶାରେ ବ୍ୟକ୍ତିଗତ ହେଉ କି ପାରିବାରିକ ଅଥବା ସାମାଜିକ ସ୍ତରରେ ତା’ସହିତ ଯାହା ସବୁ ଘଟେ ଅଥବା ଯେଉଁ ସବୁ କ୍ରିୟାକଳାପ ଓ ଘଟଣାବଳୀକୁ ସେ ସାମ୍ନା କରେ ସେଥିମଧ୍ୟରୁ କେତେକ ଘଟଣା/ଦୁର୍ଘଟଣା ତାକୁ ଅନେକ ମାତ୍ରାରେ ମାନସିକ ଆଘାତପ୍ରାପ୍ତ କରିଥାଏ । ତା’ ସହିତ ଘଟୁଥିବା ଘଟଣା/ଦୁର୍ଘଟଣା ସବୁକିଛି ବିଧି ନିର୍ଦ୍ଧାରିତ ବୋଲି ଜାଣି ମଧ୍ୟ ସେ ଦୁଃଖ ପ୍ରକାଶ କରେ ଓ ବିଚଳିତ ହୋଇପଡେ ମଧ୍ୟ । ତେବେ ଯେଉଁମାନେ ସୃଷ୍ଟିର ଏହି ଗୁଢ ରହସ୍ୟକୁ ଭେଦ କରିବାରେ ସକ୍ଷମ ହୋଇ ପାରିଛନ୍ତି ସେମାନେ ସବୁ ପରିସ୍ଥିତିରେ ସ୍ଥିର ଓ ସ୍ଥିତପ୍ରଜ୍ଞ ରହିଥାନ୍ତି । ଜୀବନ ତ ଏମିତି ।
ଆଦିମ କାଳରୁ ପୁଣି ଆଜିଯାଏଁ ମଣିଷ କେବେ ଖାଦ୍ୟ ପାଇଁ ତ କେବେ ବସବାସ ପାଇଁ ଆଉ ପୁଣି କେବେ ନିଜ ଜୀବନର ସୁରକ୍ଷା ତଥା ନିରାପତ୍ତା ପାଇଁ ସଙ୍କଟର ସମ୍ମୁଖୀନ ହୋଇଆସିଛି । ଇତର ଜୀବଜନ୍ତୁ ମାନେ ବି ସେମାନଙ୍କର ଖାଦ୍ୟପେୟ, ବସବାସ ଓ ସୁରକ୍ଷା ନେଇ ଅନେକ ସମୟରେ କଠିନ ପରିସ୍ଥିତିର ସାମ୍ନା କରିଥିବାର ଉଦାହରଣ ରହିଛି । ତେବେ ସେ ମଣିଷ ହୁଅନ୍ତୁ କି ଅନ୍ୟ ଜୀବଜନ୍ତୁ ହୁଅନ୍ତୁ ସମସ୍ତଙ୍କ ଜୀବନରେ ଏମିତି କିଛି ବାସ୍ତବତା ଆସିଥାଏ ଯାହା ତାକୁ ନିଷ୍ଠୁର ମନେ ହେଲେ ବି ତାହା ଚିରନ୍ତନ ସତ୍ୟ ଉପରେ ଆଧାରିତ । ଅନ୍ୟ ଜୀବଜନ୍ତୁଙ୍କର ଏସବୁକୁ ଅନୁଭବ କରିବା ବା ବିଶ୍ଳେଷଣ କରିବାର ଶକ୍ତି ନଥିବା ସ୍ଥଳେ କେବଳ ମଣିଷ ହିଁ ଏହାର ମର୍ମକୁ ବେଶ ଭଲ ଭାବେ ବୁଝିଛି । ଏଇ ଯେମିତି ଜୀବନ ଅଛି ମାନେ ଶରୀରରେ ରୋଗବ୍ୟାଧି ବି ରହିଛି ।
ଆଜିର ସଂସାରରେ ନୀରୋଗ ମଣିଷଟିଏ ଖୋଜିପାଇବା ଯେମିତି ନିହାତି ମୁସ୍କିଲ । ପ୍ରତ୍ୟେକ ମଣିଷ କିଛି ନା କିଛି ରୋଗବ୍ୟାଧିରେ ପୀଡିତ । ଏହିକ୍ରମରେ ପ୍ରତିବର୍ଷ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ମଣିଷ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତୁ୍ୟବରଣ କରୁଛନ୍ତି । ଆଉ ସବୁଠୁଁ ବଡ କଥା ହେଉଛି ରୋଗବ୍ୟାଧି ନିକଟରେ ବୟସର ତାରତମ୍ୟ ନଥାଏ । ତେଣୁ ଏଭଳି ବାସ୍ତବତାକୁ ଆମ ଅନିଚ୍ଛା ସତ୍ତ୍ୱେ ଆମକୁ ଅନେକ ସମୟରେ ମାନି ନେବାକୁ ପଡିଥାଏ । ଅନ୍ୟ ଏକ ବାସ୍ତବତା ହେଉଛି ବାର୍ଦ୍ଧକ୍ୟ । ଯାହା ଦିନେ ସମସ୍ତଙ୍କୁ କବଳିତ କରିଥାଏ । ବୟସ ବଢିବା ସାଙ୍ଗକୁ ଶରୀରର ଶକ୍ତି, ସାମର୍ଥ୍ୟ ଚମକ ଓ ଚଞ୍ଚଳତା ଧୀରେ ଧୀରେ ହ୍ରାସ ପାଇଥାଏ । ମଣିଷ ଦୁର୍ବଳ ଓ ଜୀର୍ଣ୍ଣଶୀର୍ଣ୍ଣ ହୋଇ ପଡେ । ଅନ୍ୟର ସାହାରା ବିନା ଜୀବନ ଜୀଇଁବା ସମ୍ଭବ ହୋଇପାରେନି ।
ସବୁ ଗର୍ବ ଅହଙ୍କାର, ମାନ ପ୍ରତିଷ୍ଠା ଓ ପ୍ରତିପତ୍ତି ମାଟିରେ ମିଶିଯାଏ । ସବୁକିଛି ଅସାର ଓ ମୂଲ୍ୟହୀନ ମନେହୁଏ । ଅନ୍ୟତମ ବାସ୍ତବତା ହେଉଛି ମୃତୁ୍ୟ । ଏ ଜଗତ କାଳ ବା ମୃତୁ୍ୟର ବଶ । ସମସ୍ତ ଜୀବଜଗତ ଲାଗି ମୃତୁ୍ୟ ହେଉଛି ଚରମ ସତ୍ୟ । ମୃତୁ୍ୟରୂପକ କାଳ ଛଞ୍ଚାଣ ଆଜିଯାଏଁ କାହାକୁ ଛାଡିନାହିଁ । ତେବେ ଏସବୁ ଜାଣିମଧ୍ୟ ଆମେ ନିଜର ପିତମାାତା, ଭାଇ, ଭଉଣୀ ତଥା ଅନ୍ୟ ପ୍ରିୟ ପରିଜନ, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ମୃତୁ୍ୟରେ ଗଭୀର ଦୁଃଖରେ ମି୍ରୟମାଣ ହୋଇପଡନ୍ତି । ଜୀବନର ଏହିସବୁ ବାସ୍ତବତା ଦିନେ ରାଜପୁତ୍ର ସିଦ୍ଧାର୍ଥଙ୍କୁ ବିଚଳିତ କରିଥିଲା ଓ ସତ୍ୟର ଅନୁସନ୍ଧାନ କରିବାକୁ ଯାଇ ସେ ଭଗବାନ ବୁଦ୍ଧରେ ରୂପାନ୍ତରିତ ହୋଇଥିଲେ ।
ଅନାଦି କାଳରୁ ଆଜିଯାଏଁ ପ୍ରକୃତି ଉପରେ ନିର୍ଭର କରି ସମଗ୍ର ଜୀବଜଗତ ବଞ୍ଚିଆସିଛି । ପ୍ରକୃତି ସହିତ ଜୀବଜଗତର ସଂପର୍କ ବେଶ୍ ନିବିଡ । ଜୀବଜଗତର ସମସ୍ତ କ୍ରିୟାକଳାପକୁ ପ୍ରକୃତି ହିଁ ନିୟନ୍ତ୍ରଣ କରିଥାଏ । ପ୍ରକୃତିର ଏକ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ପରିବେଶ ମଧ୍ୟରେ ସମଗ୍ର ଜୀବଜଗତର ଜୀବନ ଧାରା ସ୍ୱାଭାବିକ ତଥା ଗତାନୁଗତିକ ଢଙ୍ଗରେ ଆଗେଇ ଚାଲିଥାଏ । ତେବେ ସଂପ୍ରତି ଏଥିରେ ଚରମ ବ୍ୟତିକ୍ରମ ଦେଖାଦେଇଛି । ପ୍ରକୃତି ଉପରେ ମଣିଷର ନିରନ୍ତର ଅତ୍ୟାଚାର ଯୋଗୁଁ ପ୍ରକୃତି ଆଜି ଅସନ୍ତୁଳିତ ଓ ଅଶାନ୍ତ । ଯେଉଁଥିପାଇଁ ନାନାଦି ପ୍ରାକୃତିକ ବିପତ୍ତି ଓ ବିପର୍ଯ୍ୟୟ ସାଙ୍ଗକୁ ଅଜଣା ତଥା ଅଚିହ୍ନା ରୋଗବ୍ୟାଧିର ଭୟ ଆଜି ସମଗ୍ର ମାନବ ସମାଜକୁ ଗ୍ରାସ କରିବାକୁ ବସିଛି । ଆଜି ମହାମାରୀ କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସାଂପ୍ରତିକ ଅସ୍ୱାଭାବିକ ପରିସ୍ଥିତି ଏହାର ଏକ ଜ୍ୱଳନ୍ତ ନମୁନା । ବିଶ୍ୱ ମହାମାରୀର ରୂପ ନେଇଥିବା କରୋନା ସଂକ୍ରମଣ ଥମିବାର ଯେମିତି ନାଁ ଧରୁନି । ସମଗ୍ର ବିଶ୍ୱ ସମେତ ଆମ ଦେଶ ମଧ୍ୟ ଏହି ମହାମାରୀର ପ୍ରକୋପରେ ଯେମିତି ବେହାଲ ହୋଇ ଗଲାଣି । ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରେଇ ସାରିଲେଣି । ଦୈନିକ ହଜାର ହଜାର ଲୋକ ପୋକମାଛି ପରି ମରିବାରେ ଲାଗିଛନ୍ତି । ଯାହା ପ୍ରତ୍ୟେକ ମଣିଷର ମାନସିକ ସ୍ଥିତିକୁ ଆଜି ଦୋହଲାଇ ଦେଇଛି । ଆଜି ଏଭଳି ଭୟାବହ ପରିସ୍ଥିତି ମଣିଷକୁ ସ୍ତବ୍ଧ କରିଦେଇଛି ଯେମିତି । ଯାହା ମଣିଷ କେବେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲା ତାହା ସବୁ ଆଜି ତା’ ଆଖି ଆଗରେ ଘଟିବାରେ ଲାଗିଛି । ମାସ ମାସ ହେଲା ସେ ଗୃହବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହୋଇଛି । ପ୍ରବାସରୁ ଆସୁଥିବା ଲୋକେ ଘର ପାଖ ସଙ୍ଗରୋଧ ଗୃହରେ ରହୁଛନ୍ତି ସିନା ଘରକୁ ଯିବାର ଅନୁମତି ନାହିଁ । ମହାମାରୀ କରୋନା ଯେମିତି ମଣିଷକୁ ଅଛୁଆଁ ସଜେଇ ଦେଇଛି ଆଉ ଏଭଳି ବାସ୍ତବତାକୁ ମଣିଷ ମୁଣ୍ଡପାତି ଗ୍ରହଣ କରିବାକୁ ବାଧ୍ୟ ହୋଇଛି । କରୋନାରେ ମୃତୁ୍ୟବରଣ କରୁଥିବା ଲୋକଙ୍କୁ ତା’ର ସଂପର୍କୀୟ ଓ ପ୍ରିୟ ପରିଜନ ଲୋକେ ସକ୍ରାର କରିବା ତ ଦୂରର କଥା ପାଖକୁ ଆସିବାର ଉପାୟ ନାହିଁ । ଦୈନିକ ଏତେ ସଂଖ୍ୟକ ଲୋକ ମୃତୁ୍ୟବରଣ କରୁଛନ୍ତି ଯେ, ଡାକ୍ତରଖାନାର ଶବ ସଂରକ୍ଷଣ ଗୃହରେ କୁଢ କୁଢ ଶବ ସକ୍ରାର ଅପେକ୍ଷାରେ ପଡିରହିଛି । ହଜାର ହଜାର ମୃତ ବ୍ୟକ୍ତିଙ୍କୁ ସମ୍ମିଳୀତ ଭାବେ ସକ୍ରାର କରି ଦିଆଯାଉଛି । ଅନ୍ୟପକ୍ଷେ ଦେଶବ୍ୟାପୀ ଲକଡାଉନ ଜାରିଥିବା କାରଣରୁ ଇତି ମଧ୍ୟରେ ଯେଉଁମାନଙ୍କର ସ୍ୱାଭାବିକ ଭାବେ କିମ୍ବା ଅନ୍ୟକୌଣସି ରୋଗବ୍ୟାଧି ଯୋଗୁଁ ମୃତୁ୍ୟ ହୋଇଯାଇଛି ସେମାନଙ୍କର ଶବ ସକ୍ରାର ଓ ଶୁଦ୍ଧିକର୍ମରେ ଯୋଗ ଦେବାକୁ ବାହାରେ ରହୁଥିବା ସେମାନଙ୍କର ପୁଅବୋହୂ, ଝିଅଜ୍ୱାଇଁ ଓ ନାତିନାତୁଣୀ ତଥା ପ୍ରିୟ ପରିଜନ ମାନେ ଆସିପାରିନାହାନ୍ତି । ଭାଇସାହି ଲୋକଙ୍କ ଦ୍ୱାରା କୌଣସିମତେ ଏସବୁ କାର୍ଯ୍ୟ ସଂପନ୍ନ ହୋଇଛି । ଏସବୁ ଘଟଣାକୁ ଗଭୀର ଭାବେ ଅନୁଶୀଳନ କଲେ ଆଖିରେ ଲୁହ ଜକେଇ ଆସୁଛି । ଆଉ ଇତିମଧ୍ୟରେ ଗୋଟେ ମହାବାତ୍ୟା ବି ଓଡିଶା ଓ ପଶ୍ଚିମବଙ୍ଗର ପ୍ରଭୁତ କ୍ଷତି ଘଟାଇ ଚାଲିଯାଇଛି । ଆଜିର ଏ ସମୟ ମଣିଷ ଲାଗି ଅସହ୍ୟ ବୋଧ ହୋଇପାରେ ସତ ହେଲେ ଏହା ହିଁ ନିଷ୍ଠୁର ବାସ୍ତବତା । ଆଜି ବି କଠିନ ସମୟର ଶେଷ ହୋଇନି । ଭାବପ୍ରବଣ ନହୋଇ ଅଶେଷ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ସହିତ ଏହାକୁ ମୁକାବିଲା କରିବା ଆମ ଲାଗି ବୁଦ୍ଧିମାନର କାମ ହେବ ।
