ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ପୁଣି ଥରେ ଚମିକିଛି ବିରାଟ କୋହଲିଙ୍କ ବ୍ୟାଟ୍ । ବ୍ୟାଟ ଏପରି ଚମକିଛି ଯେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୨ଟି ରେକର୍ଡ ଭାଙ୍ଗି ଦେଇଛନ୍ତି ।
ସବୁଠାରୁ ବଡ଼ ରେକର୍ଡ ହେଉଛି ବିରାଟ କୋହଲି ଆଜିର ମ୍ୟାଚରେ ନିଜର ୫୦ତମ ଶତକ ହାସଲ କରିବା ପରେ ସଚିନଙ୍କ ୪୯ଟି ଦିନିକିଆ ଶତକକୁ ଟପିଯାଇଛନ୍ତି । ୧୦୬ଟି ବଲରୁ ନିଜର ଶତକ ପୂରଣ କରିଥିଲେ ବିରାଟ । ସେହିପରି ସଚିନଙ୍କ ନାଁରେ ଥିବା ଗୋଟିଏ ବିଶ୍ବକପରେ ସର୍ବାଧିକ ରନ ସ୍କୋର (୬୭୩ ରନ) କରିବାର ରେକର୍ଡକୁ ବି ଟପିଯାଇଛନ୍ତି ବିରାଟ । ତେବେ ଆଜିର ମ୍ୟାଚରେ କୋହଲି ୧୧୭ ରନ କରି ଟିମ ସାଉଥିଙ୍କ ବଲରେ ଆଉଟ ହୋଇଛନ୍ତି । ସାଉଥି ମଧ୍ୟ ରୋହିତ ଶର୍ମାଙ୍କ ଓ୍ବିକେଟ ନେଇଥିଲେ । ବିରାଟ ଆଉଟ ହେବା ସମୟରେ ଭାରତର ସ୍କୋର ୪୪ ଓଭରରେ ୨ ଓ୍ବିକେଟ ହରାଇ ୩୨୭ ରନ ରହିଛି ।
ଆଜି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଏକ ରେକର୍ଡ କରିଛନ୍ତି । ସେ ବିଶ୍ବକପରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି । ୫୦ତମ ଛକା ସହ ରୋହିତ ଶର୍ମା ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ବିଶ୍ବକପରେ ଗେଲ୍ ୪୯ଟି ଛକା ମାରି ରେକର୍ଡ କରିଥିଲେ ।