Odisha news

ନୟାଗଡ଼ କୁ ଛୁଇଁଲା କରୋନା ଭୂତାଣୁ ଓଡ଼ାଗାଁ କରଡ଼ା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲାର ପ୍ରଥମ କରୋନା ରୋଗୀ ଚିହ୍ନଟ

0

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଜଣେ ସୁରାଟ ଫେରନ୍ତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହି ଖବର ଜିଲ୍ଲାର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଶନିବାର ଦିନ ରାଜ୍ୟ କରୋନା ପରୀକ୍ଷା ଲାବ୍ରୋଟାରୀରୁ ରିପୋର୍ଟ ମିଳିବା ପରେ ଜିଲ୍ଲାପାଳ ପୋମା ଟୁଡ଼ୁ ଗଣମାଧ୍ୟମକୁ ଏନେଇ ସ୍ପଷ୍ଟ କରିଛନ୍ତି । ଓଡ଼ଗାଁ ବ୍ଲକ କରଡ଼ା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ସୁରଟରୁ ଫେରିଥିବା ୪୬ ଜଣଙ୍କ ମଧ୍ୟରୁ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ନିଶ୍ଚିତ କରିଛନ୍ତି । ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯିବା ଜିଲ୍ଲାପାଳ ଟୁଡ଼ୁ ସୂଚନା ଦେଇଛନ୍ତି ।

କରୋନା ଭୂତାଣୁ ସଂକ୍ରମଣ ତାଲିକାରେ ନୟାଗଡ଼ ଜିଲ୍ଲା ସ୍ଥାନୀତ ହୋଇଛି । ଜିଲ୍ଲାର ପ୍ରଥମ କରୋନା ସଂକ୍ରମିତ ରୋଗୀ କରଡ଼ା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଜିଲ୍ଲାପାଳ ପୋମା ଟୁଡ଼ୁଙ୍କ ସୂଚନା ଅନୁଯାୟୀ ଚଳିତ ମାସ ୪ତାରିଖ ଦିନ ସୁରଟରୁ ଓଡ଼ଗାଁ ବ୍ଲକ ହରିପୁର ଗ୍ରାମ ପଞ୍ଚାୟତ ଅଞ୍ଚଳ ୪୬ ଜଣ ବ୍ୟକ୍ତି ଜିଲ୍ଲାକୁ ଫେରିଥିଲେ ।

ସେମାନଙ୍କୁ କରଡ଼ା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ୨୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପରେ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସଂକ୍ରମିତ ରୋଗୀଙ୍କ ବୟସ ୩୮ ବର୍ଷ । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ପଠାଯିବ । ଜିଲ୍ଲାର ଏହି ପ୍ରଥମ କରୋନା ସଂକ୍ରମିତ ରୋଗୀଙ୍କ ଠାରେ କେରାନା ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇ ନ ଥିଲେ ମଧ୍ୟ ରକ୍ତ ନମୁନା ପରୀକ୍ଷାରୁ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜିଲ୍ଲାପାଳଙ୍କ ସୂଚନାରୁ ପ୍ରକାଶ ।

ଜିଲ୍ଲାର ପ୍ରଥମ କରୋନା ସଂକ୍ରମଣ ରୋଗୀ କରଡ଼ା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିହ୍ନଟ ହେବାପରେ ସେଠାରେ ପ୍ରତିରୋଧ ଓ ପ୍ରତିଶେଧକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେଠାରେ ୪୬ଜଣଙ୍କ ଅନ୍ତେବାସୀଙ୍କ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ନିମନ୍ତେ ପଠାଯିବ । ରକ୍ତ ପରୀକ୍ଷା ରିପୋର୍ଟକରୁ ଉକ୍ତ କେନ୍ଦ୍ରରେ କରୋନା ସଂକ୍ରମଣ ଚିତ୍ର ସ୍ପଷ୍ଟ ହୋଇପାରିବ ବୋଲି ଜିଲ୍ଲାପାଳ ଟୁଡ଼ୁ କହିଥିଲେ । ସମସ୍ତଙ୍କୁ ନିରାପଦ ଦୂରତା, ନିରନ୍ତର ସ୍ୱାସ୍ଥ୍ୟପରୀକ୍ଷା ଓ ଶାରୀରିକ ଲକ୍ଷଣ ଉପରେ ଅନୁଧ୍ୟାନ କରା ଯାଉଥିବାଛି । ସେଠାରେ ସେବା କାର୍ଯ୍ୟରେ ନିୟୋଜିତ ଡାକ୍ତର, ନର୍ସ, ଅଙ୍ଗନୱାଡ଼ି କର୍ମୀ ଆଦି ସମସ୍ତଙ୍କୁ ନିରାପଦରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ଥିବା ଜିଲ୍ଲାପାଳ ଟୁଡ଼ୁ କହିଛନ୍ତି ।
ଅନ୍ୟପକ୍ଷେ ଜିଲ୍ଲାରେ ୪୩୮ଟି କ୍ୱାରେଣ୍ଟାଇନ ଓ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ମଧ୍ୟରୁ ୫୦ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଚଳିତ ମାସ ୨ ତାରିଖ ଠାରୁ ରାଜ୍ୟ ବାହାରୁ ବିଶେଷ କରି ମହାରଷ୍ଟ୍ର ସୁରଟ, କେରଳ, ଓ ପଶ୍ଚିମବଙ୍ଗରୁ ଫେରିଥିବା ମୋଟ ୬୮୬ ଜଣଙ୍କୁ ସେଥିରେ ରଖାଯାଇଛି । ଲକ୍ଡାଉନ ଘୋଷଣା ପରେ ୭୭ଜଣ ବିଦେଶ ଫେରନ୍ତାଙ୍କୁ ମିସାଇ ୩୯୪୮ ଜଣ ପ୍ରବାସୀ ଜିଲ୍ଲାକୁ ଫେରିଥିବା ବେଳେ ଶନିବାର ସଂନ୍ଧ୍ୟା ସୁଦ୍ଧା ମୋଟ ୮୩୭ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଛି ।

ସେଥିରୁ ୫୮୨ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ମଧ୍ୟରୁ ଜଣଙ୍କର କରୋନା ପଜେଟିଭ୍ ବାହାରି ଥିବା ଜିଲ୍ଲା କୋଭିଡ୍-୧୯ ପରିଚାଳନା ଅଧିକାରୀ ଏଚ୍ଡି ଧନରାଜ୍ ପ୍ରକାଶ କରିଛନ୍ତି । ପୁଣି ୨୫୫ ରକ୍ତ ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରା ଯାଇଥିବା ସୂଚନାରୁ ଜଣାପଡ଼ିଛି । ଏଭଳି ଅବସ୍ଥାରେ କରୋନା ଭୂତାଣୁ ସଂକ୍ରମଣ କୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ଦେଖା ଦେଇଛି ।

Har Ghar Tiranga

Leave A Reply