ରାୟଗଡା (Rabindra patkhandal)- ରାୟଗଡା ଜିଲ୍ଲାରେ ପୁଣି ଥରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ପୁରୁଷ ଅଟନ୍ତି । ଫଳରେ ଆକ୍ରାନ୍ତର ସଂଖ୍ୟା ୨୨ରେ ପହଂଚିଥିବା ବେଳେ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ପ୍ରକାରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ଯେ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କାଶିପୁର ବ୍ଲକ ସର୍ଗିଗୁଡାର ହୋଇଥିବା ବେଳେ ୨ ଜଣ ବିଷମକଟକ ବ୍ଲକ ଅନ୍ତର୍ଗତ କୁମ୍ଭାରଧାମୁଣି ଗ୍ରାମର ।
ସର୍ଗିଗୁଡାର ଜଣେ ୨୧ ବର୍ଷିୟା ଯୁବକ ମଇ ୨୩ ତାରିଖ ଦିନ ଆନ୍ଧ୍ରପ୍ରଦେଶର ନେଲୁରୁ ରୁ ଆସିଥିଲେ । ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ଗାଁକୁ ଫେରିଥିଲେ । ସେହିପରି ଅନ୍ୟ ୨ ଜଣ ଦିଲ୍ଲୀ ଫେରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଦିଲ୍ଲୀ ଫେରାନ୍ତଙ୍କ କରୋନା ପଜେଟିଭ ଆସିବା ପରେ ପ୍ରଶାସନ ତରଫରୁ ସର୍ଗିଗୁଡା ଗ୍ରାମକୁ ନିଷିଧାଚଂଳ ଘୋଷଣା କରାଯାଇ ୧୦୦ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ଯାଂଚ ପାଇଁ ପଠେଇଥିଲେ । ୧୦୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ନମୁନା କରୋନା ପଜେଟିଭ ବାହାରିଥିଲା । ପ୍ରଶାସନ ତରଫରୁ ପୁଣି ଥରେ ସର୍ଗିଗୁଡା ଗ୍ରାମକୁ ନିଷିଧାଚଂଳ ଘୋଷଣା କରାଯାଇ ଗ୍ରାମରେ ପୁଣି ଥରେ ସ୍ୱାବ ନମୁନା ଯାଂଚ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସେହିପରି ବିଷମକଟକ ବ୍ଲକ ଅନ୍ତର୍ଗତ କୁମ୍ଭାରଧାମୁଣି ଗ୍ରାମର ୨ କୋରନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏମାନେ ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଫେରିଥିଲେ । ତେବେ ୨ ଆକ୍ରାନ୍ତ ସେଠାରେ ଜଣେ କୋରନା ରୋଗୀଙ୍କ ସଂସ୍ପର୍ଶରେ ଆସଥିବା ନେଇ ଆନ୍ଧ୍ରପ୍ରଦେଶ ପୋଲିସ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ । ସୂଚନା ଆଧାର କରି ୨ ଜଣଙ୍କ ସ୍ୱାବ ନମୁନା ଯାଂଚ ପାଇଁ ପଠାଯାଇଥିଲା ଏବଂ ଦୁହେଁଙ୍କ କରୋନା ପଜେଟିଭ ଆସିଥିବା ଜଣାପଡିଛି । ବର୍ତମାନ ରାୟଗଡାରେ ୧୫ ଜଣ କୋରନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୫ ଜଣ ଜୟପୁର ଠାରେ ଥିବା କୋଭିଡ୍ ହସ୍ପିଟାଲରେ ଥିବା ବେଳେ ୧୦ ଜଣ ଜେ.କେ.ପୁର ସ୍ଥିତ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଛନ୍ତି । ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ମାନଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।