ବୋରିଗୁମ୍ମା (K.sakil Dora)– ସାରା ବିଶ୍ୱବାସୀ ମହାମାରୀ କରୋନା କୁ ଆତଙ୍କିତ ଥିବା ବେଳେ ଆମ ଦେଶରେ କରୋନା କୁ ପ୍ରତିହତ କରିବା ପାଇଁ ଯୋଦ୍ଧା ମାନେ ଆଗକୁ ଆସିଛନ୍ତି। କରୋନା ଭାଇରସ କୁ ପରୋକ୍ଷରେ ହେଉ ଅବା ପ୍ରତାକ୍ଷରେ ସମସ୍ତେ ମୁକାବିଲା କରୁଛେ। କିନ୍ତୁ ଏମିତି କିଛି ଯୋଦ୍ଧା ଅଛନ୍ତି, ଯେଉଁମାନେ ସବୁବେଳେ କରୋନା ହଟାଇବା ପାଇଁ ସଂଘର୍ଷ କରୁଛନ୍ତି। ସେହି ମହାନ ଯୋଦ୍ଧା ମାନେ ହେଲେ ଡାକ୍ତର, ନର୍ସ, ପାରା ମେଡ଼ିକାଲ ଷ୍ଟାପ, ସଫେଇ କର୍ମଚାରୀ, ପୋଲିସ, ଅଙ୍ଗନବାଡି କର୍ମୀ ଓ ଗଣ ମାଧ୍ୟମ ପ୍ରତିନିଧି। ସମସ୍ତେ ଜଣେ କରୋନା ଯୋଦ୍ଧା। ସେହି ଯୋଦ୍ଧା ମାନଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ହେଉଛି ଅଙ୍ଗନବାଡି କର୍ମୀ ରଞ୍ଜିତା ସୁନା। ଯିଏ କି ଅଙ୍ଗନବାଡି କେନ୍ଦ୍ରରେ ପଡୁଥିବା ପିଲା ମାନଙ୍କ ମାଆ ପାଲଟିଥାଏ ତ କେତେବେଳେ ଗର୍ଭବତୀ ମାଆ ମାନଙ୍କ ପାଇଁ ଭଉଣୀ ହୋଇଥାଏ।
ଏହା ସହ କ୍ୱାରେନଟାଇନ ଗୃହରେ ଥିବା ପ୍ରବାସୀ ଓଡ଼ିଆ ମାନଙ୍କ ସେବାରେ ୨୪ ଘଣ୍ଟା ନିୟୋଜିତ ହୋଇଥାଏ। ରଞ୍ଜିତା ସୁନା ହେଉଛନ୍ତି କଣଗାଁ ପଂଚାୟତର ଡୁମୁରିଗୁଡା ଅଙ୍ଗନବାଡି କେନ୍ଦ୍ର ର କର୍ମୀ। ସେହି କେନ୍ଦ୍ରରେ ପ୍ରି ସ୍କୁଲ ପିଲା ୩୦ ଜଣ ରହିଥିବା ବେଳେ ପ୍ରସୂତି ମହିଳା ୫ ଜଣ,ଗର୍ଭବତୀ ମହିଳା ୨ ଜଣ ଏବଂ ଛଅ ରୁ ତିନି ବର୍ଷ ପିଲା ୨୦ ଜଣ ରହିଛନ୍ତି।ରଞ୍ଜିତା ଦୀର୍ଘ ଦଶ ବର୍ଷ ହେବ ଅଙ୍ଗନବାଡି କର୍ମୀ ଭାବେ କାମ କରି ଆସୁଛନ୍ତି। ଦିନେ ବି ନିଜ କାର୍ଯ୍ୟରେ ଅବହେଳା କରି ନାହାନ୍ତି। ରାଜ୍ୟ ସରକାର ମାର୍ଚ୍ଚ, ୧୮ ତାରିଖରୁ ସମସ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଘୋଷଣା ପରେ ହିତାଧିକାରୀଙ୍କ ଘରକୁ ଘର ଯାଇ ଅଙ୍ଗନବାଡି କର୍ମୀ ରଞ୍ଜିତା ସୁନା ପୃଷ୍ଟିକର ଖାଦ୍ୟ ପ୍ରଦାନ କରନ୍ତି। ମାସ ର ପ୍ରଥମ ସପ୍ତାହ ରେ ଚାଉଳ, ଛତୁଆ, ଡାଲି, ପନିପରିବା, ଅଣ୍ଡା ଓ ଅନ୍ୟାନ୍ୟ ପୃଷ୍ଟିକର ଖାଦ୍ୟ ଦେଇଥାନ୍ତି।
ଏଥିସହ କଣାଗାଁ ର ସରକାରୀ ବିଦ୍ୟାଳୟରେ ରେ ଥିବା କ୍ୱାରେନଟାଇନ ଗୃହରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସେବାରେ ଲାଗିଛନ୍ତି। ପ୍ରଥମ ପର୍ଯ୍ୟାୟରେ କ୍ୱାରେନଟାଇନ ଗୃହରେ ୧୪ ଜଣ ପ୍ରବାସୀ ଓଡ଼ିଆ ଥିଲେ। ବର୍ତ୍ତମାନ ୬ ଜଣ ପ୍ରବାସୀ ଓଡ଼ିଆ ଅଛନ୍ତି। ସେହି ମାନଙ୍କୁ ଦୁଇ ଓଳା ଜଳଖିଆ ଓ ଦୁଇ ଓଳା ଭୋଜନ ପ୍ରସ୍ତୁତ କରି ଦେଇଥାନ୍ତି ଅଙ୍ଗନବାଡି କର୍ମୀ ରଞ୍ଜିତା। ତାଙ୍କ କାମ କୁ ସେ ସୁରୁଖୁରୁରେ କରନ୍ତି ଯେ କାହାର କୌଣସି ପ୍ରକାର ଅଭିଯୋଗ ନ ଥାଏ। ଏଥି ସହ ନିଜ ଅଙ୍ଗନବାଡି କେନ୍ଦ୍ର ଗ୍ରାମରେ କରୋନା ସଚେତନତା କରାଉଛନ୍ତି। ହାତ ଧୋଇବା ପ୍ରଣାଳୀ ଠାରୁ ଆରମ୍ଭ କରି ମାସ୍କ ପିନ୍ଧିବା ଇତ୍ୟାଦି ସବୁ ଗ୍ରାମବାସୀ ସଚେତନ କରାଉଛନ୍ତି। ଥଣ୍ଡା କିମ୍ବା କାଶ ହେଲେ ତୁରନ୍ତ ମେଡ଼ିକାଲ ଯିବା କୁ ପରାମର୍ଶ ଦେଉଛନ୍ତି।କଣାଗାଁ ସୁପ୍ରଭାଇଜର ଶ୍ରୀମତୀ ଭାଗ୍ୟଲଷ୍ମୀ ମିଶ୍ର ଓ ସି ଡ଼ି ପି ଓ ଶ୍ରୀମତୀ ପ୍ରତିମା ରାଉଳ ରଞ୍ଜିତା ସୁନା ଙ୍କ କାର୍ଯ୍ୟଶୈଳୀ କୁ ବେଶ ପ୍ରଶଂସା କରିଛନ୍ତି। ରଞ୍ଜିତା ବି ଜଣେ କରୋନା ଯୋଦ୍ଧା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।