Odisha news

କରୋନା ଓ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟଚିନ୍ତା

0

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ମହାମାରୀ କରୋନା ତାର ପ୍ରକୋପ ସମଗ୍ର ବିଶ୍ୱବାସୀଙ୍କୁ ଦେଖାଇ ସାରିଛି । ଶକ୍ତିଶାଳୀ ବିକଶିତ ରାଷ୍ଟ୍ର ମାନଙ୍କ ଅର୍ଥନୀତି ପଛେଇ ଯାଇଥିବାବେଳେ ଭାରତ ମଧ୍ୟ ଅନେକ ସମସ୍ୟାକୁ ସାମ୍ନା କରୁଛି । କରୋନାର ପ୍ରକୋପ କିଛିକାଂଶରେ କମିଲାଣି ସତ ଏବଂ ଜନସାଧାରଣଙ୍କୁ ବ୍ୟାପକ ଭାବେ ଟୀକା ଦେବା ନିମିତ୍ତ ସରକାରୀ ଭାବେ ବ୍ୟାପକ ଯୋଜନା ଓ ପ୍ରକି୍ରୟା ଆରମ୍ଭ ହୋଇଗଲାଣି । ତେବେ ଯାହାହେଲେ ବି ବର୍ତ୍ତମାନ ଶୀତଋତୁ, କୁହୁଡ଼ି, ବାୟୁ ପ୍ରଦୂଷଣ ଓ ଖାଦ୍ୟ ଅପମିଶ୍ରଣ ଘଟଣାକୁ ଦେଖିଲେ ସମାଜର ବରିଷ୍ଠ ନାଗରିକ ବା ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି ।

ବୟସ୍କ ଲୋକ ମାନଙ୍କର ପୂର୍ବରୁ କୌଣସି ଶାରୀରିକ ସମସ୍ୟା ବା ରୋଗବ୍ୟାଧି ଥିଲେ ବର୍ତ୍ତମାନର କରୋନା ଭାଇରସ ସେମାନଙ୍କ ସ୍ୱାସ୍ଥ୍ୟକୁ ଅଧିକ ସଂକ୍ରମିତ କରି ଜଟିଳ ପରିସ୍ଥିତିକୁ ଠେଲି ଦେଉଛି । ଯୁବବର୍ଗଙ୍କ ତୁଳନାରେ ବୟସ୍କଲୋକଙ୍କ ମୃତୁ୍ୟହାର ଅଧିକ । ତେବେ ଏସବୁ ସତ୍ତ୍ୱେ ଅନେକ ବୟସ୍କ ଲୋକ ସରକାରୀ ଭାବେ ପୂର୍ଣ୍ଣ ଚିକିତ୍ସା ଗ୍ରହଣ କରି ଏକ ପ୍ରକାର ନୂଆ ଜୀବନକୁ ନେଇ ସଂପୂର୍ଣ୍ଣ ସୁସ୍ଥତା ପାଇପାରିଛନ୍ତି । ତେବେ ବୟସ୍କ ଲୋକମାନଙ୍କର ଶାରୀରିକ ଓ ମାନସିକ କ୍ଷେତ୍ର ଚାପ ଗ୍ରସ୍ତ ହୋଇ ରହୁଛି । ଅବଶିଷ୍ଟାଂଶ ଯେଉଁ ବୟସ୍କ ଲୋକମାନେ କରୋନା ଭୂତାଣୁକୁ ସାମ୍ନା ନ କରି ଏକ ପ୍ରକାର ଘର ଭିତରେ ହୁଏତ ସ୍ୱାସ୍ଥ୍ୟ ସୁରକ୍ଷିତ ଜୀବନ ବିତାଉଛନ୍ତି କିନ୍ତୁ ଏକ ପ୍ରକାର ସେମାନେ ବନ୍ଦୀ ଜୀବନ ଅନୁଭବ କରୁଛନ୍ତି ବୋଲି କେହି କେହି ମତବ୍ୟକ୍ତ କରୁଛନ୍ତି ।

ବର୍ତ୍ତମାନର ସମୟକୁ ଦେଖିଲେ ଯଦିଓ କରୋନାର ଦ୍ୱିତୀୟ ଲହର ସମ୍ଭାବନା ଓଡ଼ିଶା ପାଇଁ ନାହିଁ ତେବେ ବଜାର ଘାଟରେ ଯେଉଁପରି ଗହଳି ଓ ଭିଡ଼ ହେଉଛି ସେମାନେ ସଂକ୍ରମଣକୁ ଅଧିକ ଆକ୍ରାନ୍ତ କରିବାର ସମ୍ଭାବନା ରହୁଛି । ଦିନଥିଲା ଘରର ମୁରବୀ ବା ବୟସ୍କ ଲୋକ ଜଣଙ୍କ ସକାଳୁ ପ୍ରାତଃ ଭ୍ରମଣ କରି ତାହାସହ ଫୁଲ କିଣିବା ହେଉ ବା କ୍ଷୀର ବା ପେପର ସେମାନଙ୍କର ଯେଉଁ ଦୈନନ୍ଦିନ ରୁଟିନ ଜୀବନ ଥିଲା ତାହା କରୋନା ପ୍ରଭାବରୁ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ପରିଣତ ବୟସରେ ନିଜ ବୟସର ପଡ଼ୋଶୀ ହୁଅନ୍ତୁ ବା ଆତ୍ମୀୟ ସ୍ୱଜନ ସେମାନେ ଯେଉଁଭାବରେ ସେମାନଙ୍କ ସହ ମିଳାମିଶା କରି ନିଜ ସୁଖଦୁଃଖ ଅନ୍ତରର କୋହ ଓ ଲୁହ ବାଣ୍ଟି ପାରୁଥିଲେ ତାହା ବର୍ତ୍ତମାନ ଆଉ ସମ୍ଭବ ହୋଇପାରୁନାହିଁ ।

ବୟସ୍କ ଲୋକମାନଙ୍କର ଅଧିକାଂଶ କ୍ଷେତ୍ରରେ ରୋଗପ୍ରତିରୋଧକ ଶକ୍ତିର ଅଭାବ ରହୁଛି । ଏବଂ ଅନେକ ବୟସ୍କ ଲୋକମାନଙ୍କର ପୂର୍ବରୁ ଉଚ୍ଚରକ୍ତଚାପ, ଡାଏବେଟିସ୍, ଲିଭର ସମସ୍ୟା, ଶ୍ୱାସରୋଗ, ଆଣ୍ଠୁଗଣ୍ଠି ଯନ୍ତ୍ରଣାର ସମସ୍ୟା ରହିଛି ସେମାନେ ବର୍ତ୍ତମାନ ପୂର୍ବପରି ନିୟମିତ ବ୍ୟବଧାନରେ ନିଜ ଡାକ୍ତରମାନଙ୍କ ଠାରୁ ପରାମର୍ଶ ନେଇପାରୁନାହାନ୍ତି । ଯାହାଦ୍ୱାରା ସେମାନଙ୍କ ପୁରୁଣା ରୋଗ ପୁନର୍ବାର ବଢ଼ିଯିବା ସହ ସେମାନଙ୍କ ଦୈନନ୍ଦିନ ଜୀବନକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରୁଛି । ଯେଉଁ ବ୍ୟକ୍ତିମାନଙ୍କର ପୂର୍ବରୁ ଯୋଗ ପ୍ରାଣାୟମ, ପ୍ରାତଃ ଭ୍ରମଣ ବା ଶାରୀରିକ ବ୍ୟାୟାମ ଅଭ୍ୟାସ ଥିଲା ବର୍ତ୍ତମାନ ତାହା କମିଯିବା ଦ୍ୱାରା ସେମାନଙ୍କର ଓଜନ ମଧ୍ୟ ଆଶାତୀତ ଭାବେ ବଢ଼ିଯାଉଛି । ଓଡ଼ିଆରେ ଏକ ଲୋକକଥା ଅଛି – “ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି’ ।

ବର୍ତ୍ତମାନର କରୋନା ପରିସ୍ଥିତିକୁ ସେମାନେ ଦେଖି ନିଜ ଭିତରେ ଅନେକ ମାନସିକ ସମସ୍ୟାକୁ ନେଇ ଅସ୍ତବ୍ୟସ୍ତ ହେଉଛନ୍ତି । କରୋନା ସଂକ୍ରମଣର ଭୟ ହେଉ ବା ସଂକ୍ରମଣ ପରେ ମୃତୁ୍ୟ ବା ନିକଟ ପରିଜନଙ୍କ ସ୍ୱାସ୍ଥ୍ୟ କଥା ହେଉ ବା ଘରର ଦାନାପାଣି ଚିନ୍ତା । ଏସବୁ ମୁଣ୍ଡ ଭିତରେ ପୁରାଇ ସେମାନେ ଅନେକ କଷ୍ଟକୁ ସାମ୍ନା କରୁଛନ୍ତି । ଅନେକ ବୟସ୍କ ଲୋକମାନଙ୍କର ବିଚଳିତ ଓ ବ୍ୟସ୍ତତା ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ଆହୁରି ଗମ୍ଭୀର କରିଦେଉଛି । ଦୁନିଆ ଚିନ୍ତାକୁ ମୁଣ୍ଡରେ ପୁରାଇ ନାଁ ଠିକ୍ ଭାବେ ଖାଇପାରୁଛନ୍ତି, ନାଁ ଠିକ୍ ଭାବେ ଶୋଇପାରୁଛନ୍ତି । ବିଶେଷକରି ପୂର୍ବ ରୁଟିନ୍ ଜୀବନ ଆଉ ସମ୍ଭବ ହୋଇପାରୁ ନଥିବାରୁ ଅଧିକାଂଶ ବୟସ୍କ ଲୋକମାନଙ୍କ ଲିଭର ସମସ୍ୟା ଗୁରୁତର ହୋଇପଡ଼ୁଛି । ଘରେ ବସି ବସି ମନ ପସନ୍ଦର ଅତ୍ୟଧିକ ଭୋଜନ ହେଉ ବା କୋଷ୍ଠକାଠିନ୍ୟ, ଜଣ୍ଡିସ୍ ସମସ୍ୟା ହେଉ ବା ହେପାଟୋଲୋଜି ସମସ୍ୟା ଏସବୁ ଗୁଡ଼ିକ ସେମାନଙ୍କ ଲିଭର ସମସ୍ୟାକୁ ଦୁଇ ଗୁଣିତ କରିଦେଉଛି । ବର୍ତ୍ତମାନ ଶୀତଋତୁରେ ଥଣ୍ଡା ଅହେତୁକ ଭାବେ ବଢ଼ିଯିବା ସହ ତାପମାତ୍ରା ମଧ୍ୟ କମିଯାଉଛି । ସକାଳୁ ଘଣ୍ଟା ଘଣ୍ଟା ଧରି କୁହୁଡ଼ି, କାକର ବୟସ୍କ ଲୋକମାନଙ୍କ ଶାରୀରିକ କ୍ଷେତ୍ରକୁ ଯନ୍ତ୍ରଣାଦାୟକ କରିଦେଉଛି ।

ଗୋଟିଏ ବଡ଼ କଥା ହେଉଛି ବୟସ୍କ ଲୋକମାନେ ନିଜ ଜୀବନ, ପରିବାର, ସବୁକ୍ଷେତ୍ରକୁ ଦେଖି ଗୋଟିଏ ଭଲ ରୁଟିନ୍ ଜୀବନର ର୍ନିଘଣ୍ଟ କରନ୍ତୁ । ନିଜ ଇଷ୍ଟଙ୍କ ପ୍ରତି ସମର୍ପିତ ଭାବନା ରଖି ଈଶ୍ୱର ଚିନ୍ତନରେ ନିମଗ୍ନ ରୁହନ୍ତୁ । ସମ୍ଭବ ହେଲେ ନିଜ ଘରୋଇ ପରିବେଶରେ ଚଲାବୁଲା କରିପାରନ୍ତି, ନିୟମିତ ବ୍ୟବଧାନରେ ବନ୍ଧୁବର୍ଗ, ଆତ୍ମୀୟ ସ୍ୱଜନଙ୍କ ସହ ସୁଖଦୁଃଖ ବାଣ୍ଟନ୍ତୁ । ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଦେଶୀୟ ପନିପରିବା ଓ ପରିଷ୍କାର ଖାଦ୍ୟ ଗଅହଣ କରନ୍ତୁ । ସମ୍ଭବ ହେଲେ ଶାରୀରିକ ବ୍ୟାୟାମ ଓ ପରିଶ୍ରମ କରିପାରନ୍ତି ।

ନିଜ ଘର ସଂସାରକୁ ନେଇ ଖୁସି ବାଣ୍ଟନ୍ତୁ । ଦିନବେଳା ନ ଶୋଇ କେବଳ ସାମାନ୍ୟ ବିଶ୍ରାମ ନେବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ । ନିଜର ଆଧ୍ୟାତ୍ମିକ ମନୋଭାବ ଓ ଆଧ୍ୟାତ୍ମିକ କାର୍ଯ୍ୟକୁ ଚାହିଁଲେ ଏହି ସମୟରେ ବଢ଼ାଇପାରିବେ । ଯାହାକି ମାନସିକ ଚାପକୁ ଦୂରେଇ ମନ ଓ ଚିନ୍ତନକୁ ଦୃଢ଼ ଓ ଶାନ୍ତ କରିପାରିବ । ସକାଳ କୁହୁଡ଼ି ବା ଥଣ୍ଡା ପାଗ ଦେଖିଲେ ଆଦୌ ବାହାରକୁ ଯାଆନ୍ତୁ ନାହିଁ ତେବେ ସକାଳ ଖରାଟା ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ସଞ୍ଜିବନୀ କହିଲେ ଅତୁ୍ୟକ୍ତି ହେବନାହିଁ । ନିଜର କୌଣସି ପୂର୍ବ ରୋଗ ବା ଶାରୀରିକ ଅସୁସ୍ଥତା ଥିଲେ ନିଜ ନିୟମିତ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ । ଯେତିକି ସମ୍ଭବ କାହାକୁ ସାହାଯ୍ୟ କରନ୍ତୁ ।

ମନ ଭିତରେ ଏକ ସତ୍ଚିନ୍ତା ଓ ସତ୍କର୍ମ ଆପଣଙ୍କ ପାଇଁ ସଞ୍ଜିବନୀ ପରି କାମ ଦେବ । ପେଟକୁ ଖାଲି ରଖନ୍ତୁ ନାହିଁ ଗୋଟିଏ ସମୟରେ ଗୁଡ଼ାଏ ଖାଦ୍ୟ ଖାଇବା ଅପେକ୍ଷା ଦିନର ଭିନ୍ନ ଭିନ୍ନ ସମୟରେ ଟିକିଏ ଟିକିଏ ଖାଦ୍ୟ ଗ୍ରହଣ କରନ୍ତୁ । ନଖ ଉଷୁମ ପାଣି ପିଅନ୍ତୁ ଆଉ କୌଣସି ପ୍ରକାର ମାଦକ ଦ୍ରବ୍ୟର ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ କାରଣ ଏହା ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ । ଫ୍ରିଜ୍ର ଥଣ୍ଡାଖାଦ୍ୟ, ବାସୀ ଖାଦ୍ୟ, ଆମିଷ, ଗରିଷ୍ଠ ଖାଦ୍ୟ, ଅତ୍ୟଧିକ ମିଠା ଆଇସ୍କ୍ରିମ୍ ଏସବୁ ଠାରୁ ଦୂରେଇ ନିଜ ଶରୀର ସାମର୍ଥ୍ୟ ଦେଖି ଖାଦ୍ୟ ଗ୍ରହଣ କରନ୍ତୁ । କୋଷ୍ଠକାଠିନ୍ୟ ସମସ୍ୟା ଯେପରି ନରୁହେ ସେ ଦିଗକୁ ଦେଖନ୍ତୁ ।

ଅତ୍ୟଧିକ ଭାବପ୍ରବଣ ହୁଅନ୍ତୁ ନାହିଁ କିମ୍ବା କୌଣସି କାନକୁହା କଥା ବା ଗୁଜବରେ ଆଦୌ ବିଶ୍ୱାସ ରଖନ୍ତୁ ନାହିଁ । ନିଜେ ରହୁଥିବା ଘରଟି ଯେପରି ନିର୍ମଳ, ପରିଷ୍କାର ଓ ଘର ଭିତରକୁ ସଠିକ ଆଲୋକ ଯାଇପାରୁଥିବ ସେ ଦିଗକୁ ଭୁଲନ୍ତୁ ନାହିଁ । ଉପରୋକ୍ତ ସ୍ୱାସ୍ଥ୍ୟ ଅନୁଚିନ୍ତନକୁ ଦୃଷ୍ଟିରେ ରଖି ଭଲ ଜୀବନଟି ପାଇଁ ନିଜକୁ ଆଗେଇ ନେଲେ ଆପଣ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବା ସହିତ ନିଜେ ବି ଜଣେ କରୋନାକୁ ପରାସ୍ତ କରିଥିବା ବିଜୟୀ ଯୋଦ୍ଧା ହୋଇପାରିବେ ।

 

Nalco
Leave A Reply