ଘଟଗାଁ ବ୍ଲକରେ ପୁଣି ୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଚିଥିବା ଜଣାଯାଏ। ଉପରଡ଼ିହା, ମୁକୁନ୍ଦପୁରପାଟଣା ଓ ତରା ପଞ୍ଚାୟତରୁ ଏହି ଆକ୍ରାନ୍ତ ମାନେ ଚିହ୍ନଟ ହୋଇଥିବା ଖବର ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ପରିବା ଦୋକାନୀ, ଜଣେ ଚା ଦୋକାନୀ, ଜଣେ ଜଳଖିଆ ଦୋକାନୀ, ଜଣେ ସରକାରୀ କର୍ମଚାରୀ ଓ ୭ ଜଣ ମା ତାରିଣୀ ମନ୍ଦିର କର୍ମଚାରୀ ଅଟନ୍ତି।
ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ମୁକୁନ୍ଦପୁରପାଟଣା ପଞ୍ଚାୟତ ତରଫରୁ ଆକ୍ରାନ୍ତଙ୍କ ଦୋକାନକୁ ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନ୍ୟ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ସଂଗ୍ରହ ହେବାସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଅଛି. ପ୍ରଶାସନ ପକ୍ଷରୁ ବଜାର ଅଞ୍ଚଳ ରେ ବ୍ୟାପକ ସଚେତନତା ସୃଷ୍ଟି କରାହେବାସହ ଅମାନିଆଁଙ୍କୁ କଠୋର ତାଗିଦ କରାଯାଇଛି। ସୂଚନା ଅନୁଯାୟୀ ଘଟଗାଁ ବ୍ଲକରେ ଏଯାବତ ସମୁଦାୟ ୮୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସ୍ୱାଭାବିକ ଜୀବନଯାପନ କରୁଛନ୍ତି।