Odisha news

ବିପର୍ଯ୍ୟସ୍ତ ହେଉଛି କଲେଜ ପରିସର : ରକ୍ଷଣାବେକ୍ଷଣ ନାହିଁ, ଜବର ଦଖଲକାରୀଙ୍କ କବ୍ଚାରେ କଲେଜ ସମ୍ପତ୍ତି

0

ବେତନଟୀ, ୨୦/୧୧ : ବେତନଟୀ କଲେଜ ଉତ୍ତର ଓଡିଶାରେ ଗୋଟିଏ ଖ୍ୟାତନାମା କଲେଜ ଭାବେ ପରିଚିତ ହୋଇଛି । ଏହି କଲେଜରୁ ପ୍ରତ୍ୟେକ ବର୍ଷ ବିଶ୍ୱବିଦ୍ୟାଳୟ ଟପ୍ପର ଓ +୨ରେ ଅଗ୍ରଣୀ ଛାତ୍ରଛାତ୍ରୀ ମାନେ ଫଳାଫଳ କରୁ ଥିବାର ଦେଖା ଯାଇଛି । ତେବେ ଏହି କଲେଜକୁ ବିଭିନ୍ନ କ୍ଷେତ୍ରରୁ ପାଣ୍ଠି ଆସୁ ଥିଲେ ମଧ୍ୟ ଏହାର ସୁବିନିଯୋଗ ହୋଇ ପାରୁ ନଥିବାର ଜଣା ପଡିଛି । ଏମିତିକି ଦଦରା, ବିପଦ ଶଙ୍କୁଳ ଘରେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁ ଥିବାର ଦେଖା ଯାଇଛି ।

ବିଭିନ୍ନ ବିଭାଗକୁ ଅନୁଧ୍ୟାନ କଲେ କେଉଁଠି କବାଟ ନାହିଁ ତ କେଉଁଠି ଝରକା ନାହିଁ । ପୂର୍ବରୁ ଏହି କଲେଜକୁ ଆସି ଥିବା ଅନୁଦାନ ଫେରି ଯାଉ ଥିବାର ଘଟଣା ଘଟିଛି । ଯାହା ଦ୍ୱାରା ୟୁନିଭରସିଟି ଗ୍ରାଣ୍ଟ କମିଶନ ଓ ଅନ୍ୟାନ ଅନୁଦାନ ପ୍ରଦାନକାରୀ ସଂସ୍ଥା ଅନୁଦାନ ହ୍ରାସ କରି ଦେଇ ଥିବାର ଜଣା ପଡିଛି । କଲେଜର ସୁପରିଚାଳନା ପାଇଁ କଲେଜର ବରିଷ୍ଠ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଅଧ୍ୟକ୍ଷାଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ବିଭାଗ ଯଥା ପ୍ରଶାସନ, ଆକାଉଣ୍ଟ ଓ ଅନ୍ୟାନ ବିଭାଗରେ ନିୟୋଜିତ କରା ଯାଇଛି ।

ଏହି କଲେଜରେ ଷ୍ଟାଫ କାଉନସିଲ ମଧ୍ୟ ରହିଛି ଯିଏକି କଲେଜ ଅଧ୍ୟକ୍ଷାଙ୍କ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛି । ତଥାପି କଲେଜର ଏପରି ଦୁରାବସ୍ଥା କାହିଁକି ବୋଲି ଏବେ ସାଧାରଣରେ ପ୍ରଶ୍ନ ଛିଡା ହୋଇଛି । ଅନ୍ୟ ପକ୍ଷରେ କଲେଜ ଅଧୀନରେ ଥିବା ଜମିକୁ ବହୁ ଲୋକ ନିଜର ଦଖଲରେ ରଖି ଏବେ ଘରଦ୍ୱାର କରି ସାରିଲେଣି । ଏହାକୁ ଦଖଲମୁକ୍ତ କରିବାକୁ କେବେ ହେଲେ କଲେଜ ପ୍ରଶାସନ ତରଫରୁ ପ୍ରଚେଷ୍ଟା କରା ଯାଇ ନଥିବାରୁ କିଛି ଦିନ ମଧ୍ୟରେ କଲେଜର ଖେଳ ପଡିଆ ଓ ଅନ୍ୟାନ ଜମି ମଧ୍ୟ ଦଖଲକାରୀଙ୍କ କବଳକୁ ଚାଲି ଯିବ ବୋଲି ପୂର୍ବତନ ଛାତ୍ର ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣା ବାବଦରେ କଲେଜର ଅଧ୍ୟକ୍ଷା ସୁପ୍ରିୟା ଦେଙ୍କ ସହିତ ଯୋଗାଯୋଗ କରିବାକୁ ପ୍ରଚେଷ୍ଟା କରା ଯାଇ ଥିଲେ ମଧ୍ୟ ସେ ଫୋନ ଉଠାଇଲେ ନାହିଁ ।

Leave A Reply