Odisha news

ସହଯୋଗ

0

ସୁଧାଂଶୁ ଶେଖର ଦ୍ବିବେଦୀ : ରାସ୍ତା କଡରେ ଥିବା ଗଛଟି ଯେତେବେଳେ ଭାଙ୍ଗିପଡ଼େ ସିଧା ଭୂଇଁରେ ପଡେ।କାରଣ ତାକୁ ସଂଭାଳିବାକୁ ସେତେବେଳେ ସେଠି କେହି ନଥାନ୍ତି।କିନ୍ତୁ ବାଉଁଶ ବୁଦାରେ ଥିବା ଗୋଟିଏ ବାଉଁଶ ଭାଙ୍ଗିଯାଇ ଭୂମିରେ ପଡିବା ପୂର୍ବରୁ ଆଖ ପାଖରେ ଥିବା ଅନ୍ୟ ବାଉଁଶ ଗଛ ସେଇଟିକୁ ସମ୍ଭାଳି ନିଏ।ଏବେ ସାରା ଦୁନିଆ କଥା ଛାଡ଼ନ୍ତୁ ନିଜ ପାଖ ପଡୋଶୀ,ନିଜ ସମ୍ପର୍କୀୟ ମାନଙ୍କର କଠିନ ସମୟରେ ସାହାରା ଦେଇ ବଞ୍ଚେଇ ଦେଲେ ହୁଏତ ଢଳି ପଡିବା ପୂର୍ବରୁ ସେମାନେ ତିଷ୍ଠି ରହିବେ ବୋଲି ମନରେ ଆଶା ବାନ୍ଧିବେ।

ପ୍ରାକୃତିକ ଅବସ୍ଥାରେ ଅନ୍ତର୍ଗତ ଜଡ ଓ ଚେତନ ଜଣେ ଜଣକ ଉପରେ ଆଶ୍ରିତ। ମାଟି,ପାଣି,ଆକାଶ,ବାୟୁ,ଅଗ୍ନି ଏହି ପାଞ୍ଚଟି ତତ୍ୱ ସବୁବେଳେ ପରସ୍ପର ସହଯୋଗ ଓ ସେବା ଭାବରେ କର୍ମ କରି ସୃଷ୍ଟିର ସନ୍ତୁଳନକୁ ବଜାୟ ରଖିଥାନ୍ତି।ପ୍ରତ୍ୟକ ପ୍ରାଣୀର ଜନ୍ମ,ପୋଷଣ ଓ ସୁରକ୍ଷା ପାଇଁ କୌଣସି ନା କୌଣସି ରୂପେ ଅନ୍ୟର ସହଯୋଗ ଉପରେ ନିର୍ଭରଶୀଳ ହୋଇଥାଏ।ଯେମିତି ଆମମାନଙ୍କୁ ଅନ୍ୟର ସହଯୋଗ ଅପେକ୍ଷିତ ସେଇଭଳି ଅନ୍ୟମାନଙ୍କୁ ଆମର ସହଯୋଗ ଆବଶ୍ୟକ ପଡ଼ିଥାଏ।

ସାରା ସଂସାରରେ କହି ଏତେ ଗରିବ ନିହେଁ ଯିଏ ଅନ୍ୟକୁ ସହଯୋଗ କରିପାରିବ ନାହିଁ।କିବା କେହି ଏତେ ଧନଶାଳୀ ନୁହନ୍ତି ଯାହାଙ୍କୁ ଅନ୍ୟର ସହାୟତା ଆବଶ୍ୟକ ପଡିବ ନାହିଁ।ପାରସ୍ପରିକ ଆଦର ସତ୍କାର,ହାର୍ଦ୍ଦିକ ଶୁଭ କାମନା, ସମବେଦନା, ସ୍ନେହଶୀଳ ସହାନୁଭୂତି,ମଙ୍ଗଳ ଆଶୀର୍ବାବ ଏବଂ ଉଚିତ ପରାମର୍ଶ-ଏସବୁ ମଧ୍ୟ ଜଣେ ଅନ୍ୟ ଜଣକୁ ମୁହଁରେ କିଛି କହି ନପାରିଲେ ବି ସହଯୋଗର ଅଂଶ ବିଶେଷ ହୋଇଥାଏ।

ୟୁନାଇଟେଡ଼ ଷ୍ଟେଟସର ଜନକ ବେଞ୍ଜାମିନ ଫ୍ରାଙ୍କଲିନ ଥରେ ଆର୍ଥିକ ସଂକଟର ଅସୁବିଧାରେ ପଡି ନିଜ ବନ୍ଧୁଙ୍କଠାରୁ ୨୦ପାଉଣ୍ଡ ଉଧାର ଆଣିଲେ।ନିଜର ଅସୁବିଧା ସମାପ୍ତି ପରେ ସେ ସେହି ଅର୍ଥ ବନ୍ଧୁଙ୍କୁ ଫେରାଇ ଦେବା ପାଇଁ ତାଙ୍କ ପାଖରେ ପହଂଚିଲେ।ବନ୍ଧୁ ଫ୍ରାଙ୍କଲିନଙ୍କ ଉଦାରତାରେ ମୁଗ୍ଧ ହୋଇ କହିଲେ,”ବନ୍ଧୁ,ସେସବୁ ଅର୍ଥ ମୁଁ ଆଉ ଫେରାଇ ନେବାକୁ ଚାହେନାହିଁ।ତେବେ ତୁମ ମନରେ ଯଦି ସେହି ଅର୍ଥ ଫେରାଇ ଦେବାକୁ ଇଛା ଅଛି ତାହେଲେ ଗୋଟେ କାମ କର, ଅନ୍ୟ କେହି ଅଭାବଗ୍ରସ୍ତ ଲୋକକୁ ଦେଇଦିଅ।ଯେବେ ସେ ସେହି ଅର୍ଥକୁ ଫେରାଇବା ପାଇଁ ସକ୍ଷମ ହୋଇଯିବ ତାକୁ କହିବ ଆଉ କେହି ଅଭାବୀକୁ ଦେଇ ସାହାଯ୍ୟ କରିବ।ଏଭଳି କଲେ ସହଯୋଗର ହାତ ସୁଦୂରପ୍ରସାରୀ ହୋଇପାରିବ।”

ପାରସ୍ପରିକ ସହଯୋଗ ଏଭଳି ଏକ ସେତୁ ଯାହା ଲୋକକୁ ଲୋକମାନଙ୍କ ସହିତ ଯୋଡି ରଖିଥାଏ।ଜୀବନ କେବଳ ଶ୍ବାସ ପ୍ରଶ୍ବାସର ରଥଯାତ୍ରା ନୁହେଁ,ଯାହା ବୟସର ଠିକଣାକୁ ମଧ୍ୟ ଅତିକ୍ରମ କରିଯାଏ।ଜୀବନ ନେବା ପାଇଁ ନୁହେଁ ଅପିତୁ ଦେବାପାଇଁ ସୃଷ୍ଟି ହୋଇଛି।ସତ ବଖାଣିଲେ ଜୀବନ ତାହା ଯାହା ଅନ୍ୟର କାମରେ ଆସେ।ସହଯୋଗ ବିହୀନ ଜୀବନ ମଙ୍ଗ ରହିତ ନୌକା ସଦୃଶ ହୋଇଥାଏ।ଯେତେବେଳେ ଆମେମାନେ ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷ ଅନ୍ୟମାନଙ୍କ ଠାରୁ ବହୁତ କିଛି ସାହାଯ୍ୟ ପାଉଛେ ସେହି ସ୍ଥିତିରେ ଆମର ବି କର୍ତ୍ତବ୍ୟ ସେମାନଙ୍କୁ ପ୍ରତିକ୍ଷଣ କିଛି ନା କିଛି ଦେବାପାଇଁ କଟିବଦ୍ଧ ହେବା ଆବଶ୍ୟକ।

ପରସ୍ପର ସହକାରିତାର ସବୁଠାରୁ ବଡ଼ ଉଦାହରଣ ଆମ ଶରୀରର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ।ପ୍ରତିଟି ଅଙ୍ଗ ଅନ୍ୟ ଅଙ୍ଗକୁ ସହଯୋଗ କରିଥାଏ।ସେହି ଉଦାହରଣ ଅନୁସାରେ ଆମକୁ ପରସ୍ପର ସହଯୋଗ କରି ଜୀବନର ଏକ ଅଭିନ୍ନ ଅଙ୍ଗ ଭାବେ ସୁଦୃଢ଼ କରିବାକୁ ହେବ।କିନ୍ତୁ ଆଜିର ସମୟରେ ଆମ ବିଚାର ଧାରା ସବୁ ଏତେ ସଂକୀର୍ଣ୍ଣ ହୋଇଯାଇଛି ଯେ କ୍ରମଶଃ ଆମେ ଏକାକୀ ହୋଇ ପଡୁଛୁ।ବ୍ୟକ୍ତିଗତ ହିତ ପାଇଁ ଅନ୍ୟର ଅହିତ କରିବାକୁ କିଞ୍ଚିତ ସଂକୋଚ କରୁନାହୁଁ।

ସହଯୋଗର ଆଧାର ଶୀଳା ସମାଜର ସଂଗଠନାତ୍ମକ ରଚନାରେ ସୁଦୃଢ଼ ହୋଇ ନଥିଲେ ମଣିଷ ପଶୁ ସଦୃଶ ହୋଇଯାଆନ୍ତା ନିଶ୍ଚୟ।ଜଣେ କେବେବି ସବୁ କାର୍ଯ୍ୟକୁ ସଂପୂର୍ଣ୍ଣ କରି ପାରିବେନି।ନିଜ ନିଜ ଭିତରେ ସଂଘର୍ଷ ପଶୁତ୍ବର ସଂକେତ।ଜଣେ ଜଣକ ପ୍ରତି ସଦ୍ଭାବନା ରଖିବା ,ପରସ୍ପର ମିଳି ମିଶି ଚଳିବା ଓ ସହଯୋଗ କରିବା ମନୁଷ୍ୟ ମଧ୍ୟରେ ଦେବତ୍ୱ ଜୀବନ ଶୈଳୀର ରହସ୍ୟ ଅଟେ।ଏହା ମଧ୍ୟ ସତ ସମାଜର ବିକାଶ ଜଣେ ଜଣଙ୍କର ସହଯୋଗ ଭାବନା ଦ୍ୱାରା ସମ୍ଭବ ହୋଇପାରିଛି।

Leave A Reply