Odisha news

ଓଡ଼ିଶାରେ ଦୁର୍ବଳ ହେଲା ‘ଜୱାଦ’, ରାଜ୍ୟରେ ପାଗ କୋହଲା , ସିତରେ ଦେହ ଥରି ଉଠୁଛି

0

ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ଓଡ଼ିଶା ଉପକୂଳରେ ମା଼ଡ ହୋଇଥିଲେ ୧୩୦ବର୍ଷରେ ରେକର୍ଡ ହୋଇଥାନ୍ତା। ବାତ୍ୟା ଓଡ଼ିଶା ମୁହାଁ ହେଲା, ସମସ୍ତଙ୍କୁ ଡରାଇଲା। ହେଲେ ଭାରତ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ପୂର୍ବାନୁମାନରେ ପରିବର୍ତ୍ତନ ଆଣି କହିଛନ୍ତି ଯେ ‘ଜୱାଦ’ ଓଡ଼ିଶା ପାଖରେ ପହଞ୍ଚିବା ପୂର୍ବରୁ ଦୁର୍ବଳ ହୋଇଯିବ ଓ ଗଭୀର ଅବପାତ ରୂପରେ ଉପକୂଳ ଅତିକ୍ରମ କରିବ। ଅର୍ଥାତ ଚଳିତଥର ବି ଡିସେମ୍ବରରେ ବଙ୍ଗୋପସାଗରରେ ସୃଷ୍ଟ ‘ବାତ୍ୟା’ ଓଡ଼ିଶା ଉପକୂଳ ସ୍ପର୍ଶ କରିବ ନାହିଁ। ଏଥିସହିତ ଓଡ଼ିଶା ପ୍ରତି ଥିବା ବାତ୍ୟା ଭୟ ଟଳିଯାଇଛି। ତେବେ ‘ଜୱାଦ’ ପ୍ରଭାବ‌ରେ ଆଜି ସମଗ୍ର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରରେ ପାଗ ‌କୋହଲା ରହିଥିବା ବେଳେ ଦିନ ସାରା ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗି ରହିଥିଲା। ଶୁକ୍ରବାର ସଂଧ୍ୟାରୁ ଶନିବାର ସଂଧ୍ୟା ମଧ୍ୟରେ ପାରାଦୀପଠାରେ ରାଜ୍ୟର ସର୍ବାଧିକ ବର୍ଷା ୯୧.୧ ମିମି ରେକର୍ଡ ହୋଇଛି।

ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ଜୱାଦ’ ଏବେ ଉତ୍ତରପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୩ କିମି ଦିଗରେ ଗତି କରୁଛି। ଏହା ଧୀରେଧୀରେ ଉତ୍ତର ଆଡ଼କୁ ଗତି କରିବ ଓ ମଧ୍ୟରାତ୍ରି ସୁଦ୍ଧା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେବ। ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ତଥା ପୁରୀ ପାଖାପାଖି ୫ତାରିଖ ରବିବାର ମଧ୍ୟାହ୍ନ ସୁଦ୍ଧା ପହଞ୍ଚିଯିବ। ଏହା ଧୀରେ ଧୀରେ ଆହୁରି ଦୁର୍ବଳ ହେବ ଓ ଉତ୍ତର-ଉତ୍ତର ପୂର୍ବ ଦିଗରେ ଓଡ଼ିଶା ଉପକୂଳରୁ ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ। ଏହା ପ୍ରଭାବରେ ଆଜି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଧା ଓ ପୁରୀର କିଛି କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବ। ତେ‌ବେ ପବନର ପ୍ରଭାବ ବିଶେଷ ରହିବ ନାହିଁ।

 

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ‘ଜୱାଦ’ ଓଡ଼ିଶା ଉପକୂଳର ପ୍ରାୟ ୫୦ କିମି ଦୂରରେ ଉପକୂଳର ସମାନ୍ତରାଳରେ ଦୁର୍ବଳ ହୋଇ ଗତି କରିବ। ପୁରୀଠାରୁ ପ୍ରାୟ ୭୦ କିମି ଦୂରରେ ସମୁଦ୍ରରେ ସଂଧ୍ୟା ୫ଟା ବେଳେ ଅବପାତ ରୂପରେ ପହଞ୍ଚିବ ଓ କେନ୍ଦ୍ରାପଡ଼ାର ଦୂରରେ ଥିବା ବେଳେ ଦୁର୍ବଳ ହୋଇଯିବ। ପଶ୍ଚିମବଙ୍ଗ/ବାଂଲାଦେଶରେ ପହଞ୍ଚିଲା ବେଳକୁ ଏହା ଲଘୁଚାପରେ ପରିଣତ ହେବା ସହ ସମୁଦ୍ରରେ ଲୀନ ହୋଇସାରିଥିବ। ଭୁବନେଶ୍ବର, ପୁରୀ, ପାରାଦୀପ, କେନ୍ଦ୍ରାପଡ଼ା, ବାସୁଦେବପୁରରେ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୫ ତାରିଖରେ ବର୍ଷା ସବୁଠାରୁ ଅଧିକ ରହିବ। ଦକ୍ଷିଣ ଓଡ଼ିଶାରେ ୫ତାରିଖ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ ଓ ଭୁବନେଶ୍ବର ସମେତ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୬ତାରିଖ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ। ଉପକୂଳ ଓଡ଼ିଶାରେ ୧୧ ଓ ୧୨ ତାରିଖରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ଡିଗ୍ରି ଏବଂ ୧୦ରୁ ୧୧ ତାରିଖ ମଧ୍ୟରେ ଅନ୍ୟାନ୍ୟ ସ୍ଥାନରେ ୫ରୁ ୬ଡିଗ୍ରି କମିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ଡିସେମ୍ବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସଂକେତ ମିଳୁଛି ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ବାତ୍ୟା ପ୍ରଭାବରେ ଗୋପାଳପୁରରେ ୪୭.୩ ମିମି ହୋଇଥିବା ବେଳେ ଭୁବନେଶ୍ବରରେ ସମୁଦାୟ ୩୨.୩ ମିମି ଓ ଚାନ୍ଦବାଲିଠାରେ ୩୦.୧ ମିମି ବର୍ଷା ରେକର୍ଡ ହୋଇଛି। ପବନର ବେଗ ମଧ୍ୟ କମ୍‌ ରହିଥିଲା। ପୁରୀରେ ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୩୧କିମି ରହିଥିବା ବେଳେ ଭୁବନେଶ୍ବରରେ ୨୨କିମି, ଗୋପାଳପୁର, ପାରାଦୀପ ଓ ଜଗତସିଂହପୁରରେ ୧୫କିମି ଲେଖାଏଁ ରହିଥିଲା। ଆସନ୍ତାକାଲି ପବନ ଓ ବର୍ଷା ଆହୁରି କମିବ କିନ୍ତୁ ପାଗ ମେଘୁଆ ରହିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି।

Leave A Reply