ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି : ଲୋକଙ୍କ ପାଖରେ କଣ ପହଞ୍ଚାଇଛନ୍ତି ୨ ବର୍ଷର ରିପୋର୍ଟ କାର୍ଡ ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର , ୧୨ ଜୁନ୍ ୨୦୨୬ : ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ମୂହୁର୍ତ୍ତରେ ଏଠାରେ ଉପସ୍ଥିତ ଗଣମାଧ୍ୟମର ବନ୍ଧୁଗଣଙ୍କୁ ମୋର ଶୁଭେଚ୍ଛା ଜଣାଉଛି ଏବଂ ଆପଣଙ୍କ ମଧ୍ୟମରେ ଓଡିଶାର ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରୁଛି।
ତିନି ଦିନ ତଳେ, ଜୁନ୍ ୯ ତାରିଖ ଦିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସରକାରର ୧୨ ବର୍ଷ ଏବଂ ତୃତୀୟ ପାଳିର ୨ ବର୍ଷ ପୂର୍ତ୍ତି ଅବସରରେ ମୁଁ ଆପଣମାନଙ୍କୁ ଭେଟିଥିଲି ଏବଂ କେନ୍ଦ୍ର ସରକାରଙ୍କ ପ୍ରମୁଖ ସଫଳତା ତଥା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲି।
ଆଜି ଆମ ସରକାରଙ୍କ ୨ ବର୍ଷ ପୂରଣ ହେଉଛି। ଠିକ୍ ୨ ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆମ ସରକାର ଓଡିଶାର ଦାୟିତ୍ବ ଗ୍ରହଣ କରିଥିଲା। ଏବଂ ତା ପରଠାରୁ ଓଡିଶାରେ ଆରମ୍ଭ ହୋଇଥିଲା ଲୋକଙ୍କ ସରକାର । ଏହି ୨ ବର୍ଷ ମୋ ସହିତ ଆମ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରୀ ଜନସାଧାରଣଙ୍କ ସହିତ ସିଧାସଳଖ ମିଶିଛୁ। ସେମାନଙ୍କ ସୁଖ-ଦୁଃଖ ବୁଝିଛୁ ଏବଂ ସେମାନଙ୍କ ଆଶା ଆକାଂକ୍ଷା ଅନୁରୂପ ଯୋଜନା ପ୍ରସ୍ତୁତ କରି ଓଡିଶା ପାଇଁ ଏକ ସୁନ୍ଦର ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିଛୁ ଏବଂ ସେହି ଆଧାରରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି।
ଓଡିଶା ପାଇଁ ସ୍ପଷ୍ଟ ଲକ୍ଷ୍ୟ ଏବଂ ସେ ଲକ୍ଷ୍ୟ ହାସଲ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି। ସେହି ରୋଡମ୍ୟାପରେ ଆମେ ଓଡିଶାବାସୀଙ୍କ ଅଗ୍ରଗତି ଦିଗରେ ଆଗକୁ ବଢିବା ଆରମ୍ଭ କରିଛୁ।
୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶାର ଏହି ଲକ୍ଷ୍ୟ ହାସଲ ଦିଗରେ, ମୋଦୀଜୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି। ଡବଲ ଇଞ୍ଜିନ୍ ସରକାରର ଡବଲ ଇମ୍ପାକ୍ଟ ଓଡିଶାର ପ୍ରତ୍ୟେକ ଗାଁ ଓ ପ୍ରତ୍ୟେକ ସହରରେ ପ୍ରତିଫଳିତ ହେଉଛି। ଏହି ୨ ବର୍ଷରେ ଆମ ସରକାରଙ୍କ ପଦକ୍ଷେପ ଯୋଗୁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି ।
ଓଡିଶାବାସୀ ଏବେ ପୂର୍ବ ଅପେକ୍ଷା ନିଜର ଭବିଷ୍ୟତକୁ ନେଇ ଅଧିକ ଆଶାବାଦୀ ଓ ଆତ୍ମବିଶ୍ବାସୀ ହୋଇପାରିଛନ୍ତି। ଆମର ନୀତି ହେଉଛି, ବିକାଶର ସୁଫଳରେ ସମସ୍ତେ ଭାଗୀଦାର। ବିଶେଷକରି, ଗରିବ ଲୋକର ପ୍ରଥମ ଅଧିକାର ରହିଛି ।
ଗତ ୨ ବର୍ଷରେ ଆମେ ୧୨୧ ଟି ନୂଆ ଯୋଜନା, କାର୍ଯ୍ୟକ୍ରମ କିମ୍ବା ପଦକ୍ଷେପ ଘୋଷଣା କରିଛୁ। ଯାହା ଓଡିଶାକୁ ସମୃଦ୍ଧ ଓଡିଶାର ନିକଟତର କରୁଛି।
ଆପଣମାନେ ଏଠାରେ ଉପସ୍ଥିତ ଅଛନ୍ତି ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗତ ଥର ପରି ଏଥର ବି ଆପଣମାନେ ଖୋଲା ମଞ୍ଚରେ ପ୍ରଶ୍ନ କରି ପାରୁଛନ୍ତି। ତଥା କଥିତ ୨୪ ବର୍ଷୀୟା ସୁଶାସନ ସମୟରେ ଆପଣମାନେ କେତେଦୂର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଖୋଲାଖୋଲି ଭାବେ ପ୍ରଶ୍ନ ପଚାରିବାକୁ ସୁଯୋଗ ପାଇଥିଲେ ଆପଣମାନେ ତାହା ଜାଣିଛନ୍ତି। ତିନିଦିନ ତଳେ ମୁଁ ସରକାରଙ୍କ ଅନେକ ସଫଳତା ବିଷୟରେ ସୂଚନା ଦେଇଥିଲି। ତେଣୁ, ଆଜି ସେ ସବୁର ପୁନରାବୃତି କରୁନାହିଁ।
ଆଉ ପ୍ରାୟ ଦୁଇ ମାସ ପରେ ଆମେ ସ୍ଵାଧୀନତା ଦିବସ ପାଳିବା, କିନ୍ତୁ ୭୯ ବର୍ଷ ବିତିଯିବା ପରେ ବି ରାଜ୍ୟର ସମସ୍ତ ଗ୍ରାମକୁ ନାଗରିକଙ୍କ ମୌଳିକ ସୁବିଧା ଯେପରିକି ବିଜୁଳି, ପିଇବା ପାଣି ଏବଂ ସବୁଦିନିଆ ସଡକ ଯୋଗାଇ ଦିଆ ଯାଇ ପାରି ନ ଥିଲା। ଏଥିପାଇଁ ୨୪ ବର୍ଷୀୟା ସରକାର ପଦକ୍ଷେପ କାହିଁକି ଗ୍ରହଣ କରି ନ ଥିଲା? ଏ ସବୁ ମୌଳିକ ସୁବିଧା ଯୋଗାଇବାକୁ ତାଙ୍କ ହାତ କିଏ ବାନ୍ଧିଥିଲା? ଏହି ଐତିହାସିକ ଭୁଲକୁ ସୁଧାରିବା ପାଇଁ ଆମ ସରକାର ଅଣ୍ଟା ଭିଡିଛି ଏବଂ ଆଗାମୀ ୨୦୨୭ ଶେଷ ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମିଶନ ପାୱାର ଗଠନ କରିଛି। ଏହି ଦିଗରେ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ଆମେ ନିଶ୍ଚିତ ଭାବେ ସଫଳ ହେବୁ।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରେଖାଙ୍କିତ କରାଯାଇଥିବା ଚାରି ବର୍ଗ ଅର୍ଥାତ୍ ‘ଗରିବ, ମହିଳା, ଅନ୍ନଦାତା ଏବଂ ଯୁବବର୍ଗ’ ଙ୍କ ପାଇଁ ଆମେ ପ୍ରଥମିକତା ଭିତ୍ତିରେ କାର୍ଯ୍ୟ କରୁଛୁ।
ମହିଳା ସଶକ୍ତିକରଣ
ଆମ ସମସ୍ତଙ୍କ ପାଇଁ ନାରୀଶକ୍ତି ନମସ୍ୟା। ତେଣୁ ମହିଳା ସଶକ୍ତିକରଣରୁ ଆମ ସରକାରଙ୍କ ରିପୋର୍ଟ କାର୍ଡ ଆରମ୍ଭ କରୁଛି।
ଆପଣମାନେ ଅବଗତ ଅଛନ୍ତି ଯେ ଆମ ସରକାରଙ୍କ ପ୍ରଥମ କ୍ଯାବିନେଟରେ ‘ସୁଭଦ୍ରା ଯୋଜନା’କୁ ଅନୁମୋଦନ କରିଥିଲା ଏବଂ ଏହି ଦୁଇ ବର୍ଷ ମଧ୍ୟରେ ୨୦ ହଜାର ୬୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସହାୟତା ପ୍ରଦାନ କରାଯାଇଛି।
ସୁଭଦ୍ରା ସହିତ ଆମ ସରକାର ମହିଳାଙ୍କ ବିକାଶ ପାଇଁ କନ୍ୟା ବିବାହ ଯୋଜନା ଆଣି ୧୩୦୦ ଗରିବ କନ୍ୟାଙ୍କୁ ମର୍ଯ୍ୟାଦାଜନକଭାବେ ସାମୂହିକ ବିବାହ ଅନୁଷ୍ଠିତ କରାଇଛି । ଆଉ ଏକ ଯୁଗାନ୍ତକାରୀ କନ୍ୟା ସୁମଙ୍ଗଳ ଯୋଜନା ଆଣିଛନ୍ତି ଯାହା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ‘ବେଟି ବଚାଓ, ବେଟି ପଢାଅ’ ନୀତିର ଏକ ସାର୍ଥକ ପ୍ରତିଫଳନ।
ଗତ ଦୁଇ ବର୍ଷ ମଧ୍ୟରେ ଚାରି ଲକ୍ଷରୁ ଅଧିକ SHG କୁ ରିହାତି ସୁଧରେ ୩୮ ହଜାର ୭୯୫ କୋଟି ଟଙ୍କାର ବ୍ୟାଙ୍କ ଋଣ ସଂଯୋଗୀକରଣ ସୁବିଧା ଯୋଗାଇ ଦିଆଯାଇଛି । ଆଜି ୨୩ ଲକ୍ଷ ୫୦ ହଜାର ଲକ୍ଷପତି ଦିଦି ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି।
କୃଷି ଓ କୃଷକ ସଶକ୍ତିକରଣ
ରାଜ୍ୟର ଚାଷୀଭାଇ ଓ ଭଉଣୀମାନେ ଆମପାଇଁ କୃଷକ ନୁହନ୍ତି, ସେମାନେ ଆମପାଇଁ ଅନ୍ନଦାତା। ତେଣୁ, ଅନ୍ନଦାତାଙ୍କୁ ସମ୍ମାନ ଦେବା ସହ ଆମେ ତାଙ୍କୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛୁ।
ପ୍ରଥମ କ୍ଯାବିନେଟରେ ସୁଭଦ୍ରା ଯୋଜନା ପରି ସମୃଦ୍ଧ ଓଡିଶାକୁ ଆମ ସରକାର ଅନୁମୋଦନ ଦେଇଥିଲା। ୨୦୨୫-୨୬ ଖରିଫ୍ ଋତୁରେ ଗତ ମାସ ୭ ତାରିଖ ସୁଦ୍ଧା ରେକର୍ଡ ସଂଖ୍ୟକ ୧୮ ଲକ୍ଷ ୮୩ ହଜାର ଚାଷୀଙ୍କଠାରୁ ୭୭ ଲକ୍ଷ ୪୧ ହଜାର ମେଟ୍ରିକ ଟନ ଧାନ କିଣା ସରିଛି ଏବଂ ରବି ଋତୁରେ ଚାଷୀଙ୍କଠାରୁ ୪ ଲକ୍ଷ ୮୫ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି ।
ଏଥି ସହିତ କୃଷି ବିଦ୍ୟାନିଧି ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନା, ୧୦୦ ମଡେଲ ମଣ୍ଡି ପ୍ରତିଷ୍ଠା, PACS/LAMPCSକୁ One-Stop Shop କେନ୍ଦ୍ରରେ ପରିଣତ କରି ଅନ୍ନଦାତାଙ୍କ ସଶକ୍ତିକରଣ ଆମେ କରୁଛୁ।
ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଆମ ସରକାର ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରିବାକୁ ଯାଉଛି । ଏହାଦ୍ୱାରା NFSA ଓ SFSS ଯୋଜନାର ସମସ୍ତ ହିତାଧିକାରୀଙ୍କୁ ମାସକୁ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ବିନାମୂଲ୍ୟରେ ମିଳିବ । ଏଣିକି ଜଣେ ହିତାଧିକାରୀଙ୍କୁ ମାଗଣାରେ ୧୦ କିଲୋଗ୍ରାମ ଚାଉଳ ମିଳିବ।
ଏହାଦ୍ୱାରା ରାଜ୍ୟର ୩ କୋଟି ୨୮ ଲକ୍ଷ ୫୨ ହଜାର ହିତାଧିକାରୀ ଉପକୃତ ହେବେ । ସମୁଦାୟ ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତ ଯୋଜନାର ସୁଫଳ ପାଇବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୮ ହଜାର ୮୧୩ କୋଟି ଟଙ୍କା ଖର୍ଚ୍ଚ କରିବେ।
ଆମ ସରକାରଙ୍କ ଚାଷୀ-ଅନୁକୂଳ କାର୍ଯ୍ୟକ୍ରମ ପାଇଁ ପୁଣିଥରେ ଅନ୍ନଦାତାମାନେ ଖୁସିରେ କହୁଛନ୍ତି ‘ଚାଷ ଅଛି ଯାହାର, କି ଆନନ୍ଦ ତାହାର’, ଯାହାକୁ ଅନ୍ନଦାତାମାନେ ୨୪ ବର୍ଷ ହେଲା ଭୁଲିଯାଇଥିଲେ।
ଶିକ୍ଷା
‘Knowledge is Power’। ଆଜି ଆମେ ଯେଉଁଠାରେ ଉପନୀତ ହୋଇଛୁ, ସାକ୍ଷରତା ଏକ ବଡ ସମସ୍ଯା ନୁହେଁ। ସମସ୍ଯା ହେଉଛି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା। ମୋତେ ଆଶ୍ଚର୍ଯ୍ୟ ଲାଗେ ଯେ ଏହି ସାଧାରଣ କଥା କେମିତି ୨୪ ବର୍ଷୀୟା ସରକାରଙ୍କ ମନରେ ଉଦୟ ହେଲା ନାହିଁ। ୨୨ ବର୍ଷ ପରେ ଯେତେବେଳେ ମନେ ପଡିଲା, କିଛି ସାର୍ଥକ କାର୍ଯ୍ୟ କରିବା ବଦଳରେ କେବଳ ସ୍କୁଲରେ ରଙ୍ଗମାରି ଚାଲିଲେ।
ଏହି ଅସଙ୍ଗତିକୁ ଦୂର କରିବା ପାଇଁ ଆମ ସରକାର ଦୁଇଟି ଐତିହସିକ ପଦକ୍ଷେପ ଗ୍ରହଣ କରିଥିଲେ। ପ୍ରଥମଟି ହେଉଛି ରାଜନୈତିକ କାରଣରୁ ସ୍ଥଗିତ ରଖାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ କାର୍ଯ୍ୟକାରୀ କରିବା।
ଅନ୍ୟଟି ହେଉଛି ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବା। ପ୍ରଥମ ପର୍ଯ୍ୟାୟରେ ସ୍ଥାପିତ ହେବାକୁ ଥିବା ୨୨ ଶହ ବିଦ୍ୟାଳୟରୁ ବର୍ତ୍ତମାନ ସୁଦ୍ଧା ୩୨୨ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରାଯାଇଛି ।
ଏଥି ସହିତ ଗତ ଦୁଇ ବର୍ଷ ମଧ୍ୟରେ ୨୬ ହଜାର ୬୧୫ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ୩ ବର୍ଷରେ ଆମେ ୪୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।
ଚଳିତ ବଜେଟରେ ଓଡ଼ିଶାରେ ୪ ଟି ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି । ଆଗାମୀ ଦିନରେ ଓଡିଶାକୁ ପୂର୍ବ ଭାରତର ଉଚ୍ଚ ଶିକ୍ଷା ରାଜଧାନୀ ଭାବେ ନିର୍ମାଣ କରାଯିବ।
ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ ଅର୍ଥାତ free & universal କରିବା ପାଇଁ କେଜି ରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରିବାକୁ ମୁଁ ଘୋଷଣା କରୁଛି।
ଏହାଦ୍ଵାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ, ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରୀମାନେ ଉପକୃତ ହେବେ। ବୋଧହୁଏ, ଶିକ୍ଷା କ୍ଷେତ୍ରରେ ଏପରି ଏକ ପଦକ୍ଷେପ ସାରା ଦେଶରେ ଓଡିଶା ପ୍ରଥମଥର ପାଇଁ କାର୍ଯ୍ୟକାରୀ ହେବ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମ ସରକାର ଏହି କଥନଟିକୁ ଗମ୍ଭୀରତାର ସହ ନେଇଛନ୍ତି। ତେଣୁ, ଆମ ସରକାର ଆସିବା ମାତ୍ରେ, ରାଜନୈତିକ କାରଣରୁ ସ୍ଥଗିତ ରଖାଯାଇଥିବା ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି ଯାହା ଫଳରେ ରାଜ୍ୟର ୩ କୋଟି ୪୬ ଲକ୍ଷ ହିତାଧିକାରୀ ଦେଶର ୩୨ ହଜାର ପ୍ରତିଷ୍ଠିତ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ପାଉଛନ୍ତି।
ଇତି ମଧ୍ୟରେ ନୂତନ ମହାରାଜା ଯଯାତୀ କେଶରୀ ମେଡିକାଲ କଲେଜ, ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ, ଏବଂ କନ୍ଧମାଳ ସରକାରୀ ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହୋଇଛି ।
ସେହିପରି ନବରଙ୍ଗପୁର ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ଖୁବ୍ ଶୀଘ୍ର ଜଗତସିଂହପୁର, ଢେଙ୍କାନାଳ ଓ ଭଦ୍ରକରେ ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ ।
ଆୟୁଷ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇ ରାଇରଙ୍ଗପୁରରେ ନୂତନ ଆୟୁର୍ବେଦ ମେଡିକାଲ କଲେଜ ଏବଂ ହସ୍ପିଟାଲ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ରାଷ୍ଟ୍ରପତିଙ୍କ କରକମଳରେ ହୋଇଛି।
ରାଜ୍ୟରେ ୩ଟି ନୂତନ ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜ ଖୋଲାଯିବ ଓ ୨ଟି ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ।
ସ୍ୱାସ୍ଥ୍ୟ ସେବାକୁ ଅବାଧ କରିବା ପାଇଁ ସରକାର ବିଭିନ୍ନ ସମୟରେ ଏବଂ ବର୍ଗରେ ନୂତନ ନିଯୁକ୍ତି ଦେଇଛନ୍ତି । ଗତ ଦୁଇ ବର୍ଷରେ ୫ ହଜାର ୧୯୭ ମେଡିକାଲ ଅଫିସର ଏବଂ ପାରାମେଡିକ୍ସ ନିଯୁକ୍ତ ଦିଆଯାଇଛି ।
ଭିତ୍ତିଭୂମି
ଗତ ୯ ତାରିଖ ଦିନ ମୁଁ ଆପଣ ମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ବିଷୟରେ କହିଥିଲି। ଆପଣମାନେ ଜାଣିଥିବେ ଓଡିଶା ରେକର୍ଡ ପରିମାଣ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରୁଛି, କାରଣ ଭିତ୍ତିଭୂମି ନିର୍ମାଣ ହେଲେ ରୋଜଗାର ସୃଷ୍ଟି ହେବ, ବ୍ୟବସାୟ ବଢିବ, ଲୋକଙ୍କ ଜୀବନ ସ୍ଵଚ୍ଛନ୍ଦ ହେବ। ତେଣୁ, ଚଳିତ ବଜେଟରେ ୭୨ ହଜାର ୧୦୦ କୋଟି ଟଙ୍କାର ପୁଞ୍ଜିଖର୍ଚ୍ଚ ପ୍ରାବଧାନ କରାଯାଇଛି ଯାହା ରାଜ୍ୟ GDPର ୬.୫ ପ୍ରତିଶତ। ଏହି ଅନୁପାତ ସାରା ଦେଶରେ ସବୁ ରାଜ୍ୟଠାରୁ ଅଧିକ।
ରାଜ୍ୟ ସରକାର ମଧ୍ୟ ଏହି ୨ ବର୍ଷରେ ଅନେକ ଭିତ୍ତିଭୂମି ପ୍ରକଳ୍ପ ହାତକୁ ନେଇଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ ୯ ହଜାର କିଲୋମିଟର ରାସ୍ତା, ୫୭ଟି ସେତୁ ଓ ୪ଟି ରେଳ ଓଭର ବ୍ରିଜ ପାଇଁ ପ୍ରାୟ ୧୭ ହଜାର କୋଟି ଟଙ୍କା ବିନିଯୋଗ କରାଯାଇଛି।
ଭୁବନେଶ୍ବରରେ ଯାତାୟତ ଭିଡ ହ୍ରାସ କରିବା ପାଇଁ ୩୬ଟି ରାସ୍ତାର ମାଷ୍ଟର ପ୍ଲାନ ଅନୁମୋଦିତ ହୋଇଛି। ଏଥି ମଧ୍ୟରୁ ପ୍ରାୟ ୨୭ କିଲୋମିଟର ଦୀର୍ଘ ୮ଟି ସଡକ ପ୍ରକଳ୍ପ ପାଇଁ ପ୍ରାୟ ୧ ହଜାର ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଜି ଏଥି ମଧ୍ୟରୁ ଗୋଟିଏ ରାସ୍ତାର ଶୁଭ ଉଦ୍ଘାଟନ ହେବ ।
ଏହା ସହିତ ଯାତାୟତ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଯୋଜନା କରାଯାଇଛି। ମାଲକାନଗିରିର ମୋଟୁ ଠାରୁ ମୟୂରଭଞ୍ଜର ତିରିଙ୍ଗ ପର୍ଯ୍ୟନ୍ତ ଅଟଳ ଏକ୍ସପ୍ରେସ-ୱେ, ପାରଳାଖେମୁଣ୍ଡିରୁ ଅମ୍ବାଭୋନା ପର୍ଯ୍ୟନ୍ତ ନମୋ ଏକ୍ସପ୍ରେସ-ୱେ, ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ୍-ୱେ, ଭୁବନେଶ୍ବର ରାଇଟ୍ ଆକ୍ସେସ୍ ରୋଡ୍ ନେଟୱାର୍କ, ଭୁବନେଶ୍ବର ଜୟଦେବ ବିହାର-ନନ୍ଦନ କାନନ ରୋଡ୍ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଛି କିମ୍ବା ଖୁବଶୀଘ୍ର ହେବ।
ଶିଳ୍ପ
ଆମ ସରକାର ଆସିବା ମାତ୍ରେ, ଶିଳ୍ପ ଓ ଉଦ୍ଯୋଗକୁ ପ୍ରାଥମିକତା ଦେଇ କାର୍ଯ୍ୟ ଆରମ୍ଭ କରିଥିଲେ କାରଣ ସମୃଦ୍ଧ ଓଡିଶାର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟରେ ଶିଳ୍ପାୟନ ହେବା ଅପରିହାର୍ଯ୍ୟ ।
ଗତ ବର୍ଷ ଜାନୁୟାରୀରେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡିଶା ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ନିବେଶ ସମ୍ମିଳନୀ ଓ ରୋଡ୍ ସୋ ଆୟୋଜନ କରି ଆମେ ମୋଟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇପାରିଛୁ। ଏହିସବୁ ନିବେଶ ଦ୍ୱାରା ପ୍ରାୟ ୧୭ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ।
ଏହି ୨ ବର୍ଷରେ ଆମ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଜରିଆରେ ୮ ଲକ୍ଷ ୬୯ ହଜାର କୋଟି ଟଙ୍କାର ୪୩୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଯାହାଦ୍ବାରା ୫ ଲକ୍ଷ ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।
ଏହି ସମୟ ମଧ୍ୟରେ ଆମେ ୨ ଲକ୍ଷ ୧୮ ହଜାର କୋଟି ଟଙ୍କାର ୧୧୪ଟି ପ୍ରକଳ୍ପର ଶିଳାନ୍ୟାସ କରିଛୁ। ଏହା ସହିତ ପ୍ରାୟ ୬୭ ହଜାର କୋଟି ଟଙ୍କାର ୩୪ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। ସମୁଦାୟ ୨ ଲକ୍ଷ ୮୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି। ଯାହାଦ୍ବାରା ପ୍ରାୟ ୨ ଲକ୍ଷ ୪୦ ହଜାର ନିଯୁକ୍ତି ସୃଷ୍ଟି ହୋଇଛି। ଆମ ଶିଳ୍ପାୟନର ନୀତି ହେଉଛି ରାଜ୍ୟର ସବୁ ଜିଲ୍ଲା ହେବ ଶିଳ୍ପାୟନ। ଆମର ଏହି ପଦକ୍ଷେପ ବିକାଶକୁ ସମାବେଶୀ କରିବାରେ ସହାୟକ ହେବ।
ଗୃହ ଓ ଆଇନ
ମୁଁ ଜାଣିଛି ଆପଣଙ୍କ ମନରେ ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ଅନେକ ପ୍ରଶ୍ନ ଅଛି। ତେଣୁ, ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଁ ଦୃଢତାର ସହିତ ତାର ଉତ୍ତର ରଖିବି।
ଆଜିର ଆଇନ ଶୃଙ୍ଖଳା ପରିସ୍ଥିତି ଏକ ରାଜନୈତିକ ରୂପ ଧାରଣ କରିଛି। ତେଣୁ, ମୁଁ ରାଜନୈତିକ ଭାବେ ବିଧାନସଭା ଭିତରେ ଏବଂ ବାହାରେ ଅନେକ ଥର ଏକ ସିଧା ଓ ସ୍ପଷ୍ଟ ପ୍ରଶ୍ନ ପଚାରିଛି, ‘କେଉଁ ସାଂଘାତିକ ଅପରାଧିକ କେସରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ଏହାର ଉତ୍ତର ଆଜି ପର୍ଯ୍ୟନ୍ତ କେହି ଦେଇ ପାରୁ ନାହାନ୍ତି।
ମୁଁ ପୁଣିଥରେ ସେଇ ପ୍ରଶ୍ନ ଆଜି ପଚାରୁଛି, ‘କେଉଁ କେସରେ ଅଭିଯୁକ୍ତଙ୍କୁ ଗିରଫ କରଯାଇନାହିଁ ବା ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ’? ଯଦି ଆପଣମାନେ ତାଙ୍କଠୁ ଉତ୍ତର ପାଇବେ ମୋତେ ଜଣାଇବେ।
ଆଜି ଓଡିଶା ନକ୍ସଲ ଓ ମାଓ ହିଂସା ମୁକ୍ତ। ବର୍ତ୍ତମାନ ଆପଣମାନେ ବିନା ଭୟରେ ରାଜ୍ୟରେ ଯେ କୌଣସି ଅଞ୍ଚଳକୁ ଯାଇ ଖବର ସଂଗ୍ରହ କରି ପାରୁଛନ୍ତି। ଆମ ସରକାରଙ୍କ ସମୟରେ ମହିଳା ବିରୋଧୀ ଅପରାଧ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଆଇନଗତ ପଦକ୍ଷେପ ନିଆଯାଇ ଦଣ୍ଡହାର ଅହେତୁକ ଭାବେ ବୃଦ୍ଧି ପାଇଛି । ୨୦୨୩ ରେ ମହିଳା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୬.୭ ପ୍ରତିଶତ ଥିବା ବେଳେ, ୨୦୨୫ ଜୁନ ସୁଦ୍ଧା ଏହା ୬୨ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରେ ଓଡ଼ିଶାର ସାମଗ୍ରୀକ ଦୋଷୀ ସାବ୍ୟସ୍ତ ହାର ୮୭.୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ପୂର୍ବରୁ ପ୍ରାୟ ୧୧ ପ୍ରତିଶତ ଥିଲା।
ଯଦି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ଆଇନ ଶୃଙ୍ଖଳାରେ ମାନକ ନୁହେଁ, ତ ଆଉ କେଉଁ ମାନକକୁ ଧରାଯିବ, ଯଦି ବିରୋଧୀଦଳ ନେତା କହିବେ, ତେବେ ଆମେ ତା ଉପରେ କାର୍ଯ୍ୟ କରିବୁ।
ରାଜ୍ୟରେ ଆଇନ ଶୃଙ୍ଖଳାକୁ ଗୁରୁତ୍ଵ ଦେଇ ପୋଲିସ ବିଭାଗକୁ ଅଧିକ ସଶକ୍ତ କରୁଛୁ। ଆମେ ଏଥି ପାଇଁ ୨୧ ହଜାର ୧୮୬ଟି ନୂତନ ପଦବୀ ସୃଷ୍ଟି କରିବା ସହିତ ଅନ୍ୟ ଆନୁଷଙ୍ଗିକ ସମ୍ବଳ ମଧ୍ୟ ପ୍ରଦାନ କରାଯାଉଛି।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଇଲୋକ୍ଟ୍ରୋନିକ୍ସ ଓ ଆଇ.ଟି
ଆଜିର ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯୁଗ। ତେଣୁ ଆମ ସରକାର ସୁଶାସନ ପାଇଁ ଆଧୁନିକ ଜ୍ଞାନ କୌଶଳକୁ ଆପଣାଇଛି। ଟେକ୍ନୋଲୋଜି ଇକୋସିଷ୍ଟମକୁ ସୁଦୃଢ କରିବା ପାଇଁ ପ୍ରାୟ ୧ ହଜାର ଏକ ଶହ କୋଟି ଟଙ୍କା ବିନିଯୋଗରେ ପ୍ରଯୁକ୍ତିବିଦ୍ୟା ବିକାଶ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି । ଏହା ସହିତ ପ୍ରାୟ ୩୦୦ କୋଟି ଟଙ୍କାରେ ଭୁବନେଶ୍ବର ନିକଟରେ ୭୭ ଏକର ଜମିରେ ଏକ ଆଇକନିକ୍ ସାଇନ୍ସ ସିଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି।
ସେମିକଣ୍ଡକ୍ଟର, ଇଲୋକ୍ଟ୍ରୋନିକ୍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପରି ଆଧୁନିକ ଟେକ୍ନୋଲୋଜି ପାଇଁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ ହୋଇଛି। ଓଡିଶାରେ ୩ଟି ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା କରାଯାଉଛି। ଏହା ସହିତ ଓଡିଶାରେ ୫ଟି ଗ୍ଲୋବାଲ କାପାବିଲିଟି ସେଣ୍ଟର ହବ୍ ପ୍ରତିଷ୍ଠା ମଧ୍ୟ କରାଯିବ। ଆସନ୍ତା ଦିନରେ ଓଡ଼ିଶା ସେମିକଣ୍ଡକ୍ଟର ହବ୍ ହେବାକୁ ଯାଉଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୧୯୯୨ ରୁ ୨୦୨୩ ମଧ୍ୟରେ ୩୨ ବର୍ଷ ଭିତରେ ରାଜ୍ୟରେ ମାତ୍ର ୧ ହଜାର ୭୫ ଟି ରାଜସ୍ୱ ଗ୍ରାମ ଘୋଷଣା ହୋଇଥିବା ବେଳେ, ମାତ୍ର ୨ ବର୍ଷରେ ଆମ ସରକାର ୯୪୬ ଟି ନୂତନ ରାଜସ୍ୱ ଗ୍ରାମ ଘୋଷଣା କରିଛନ୍ତି ।
୨୮ ହଜାର ୫୩୧ ବାସହୀନ ପରିବାରକୁ ବସୁନ୍ଧରା ଯୋଜନାରେ ୪ ଡିସମିଲ ଘରବାରି ପଟ୍ଟା ଦିଆଯାଇଛି । ୨୫ ହଜାର ୬୪୩ ସରକାରୀ ଓ ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ଜମିପଟ୍ଟା ଦିଆଯାଇଛି। ୧୦୮ ଟି ସବ୍-ରେଜିଷ୍ଟ୍ରେସନ ଅଫିସ ଖୋଲାଯାଇଛି । ନିକଟରେ ବିପର୍ଯ୍ୟୟ ପରିଚାଳନାରେ ଆମର ଉଲ୍ଲେଖନୀୟ ଦକ୍ଷତା ପାଇଁ BRICS ରାଷ୍ଟ୍ର ସମୂହ ବୈଠକରେ ଓଡ଼ିଶା ପ୍ରଶଂସା ଲାଭ କରିଛି । ସହରବାସୀଙ୍କ ଏକ ବଡ ସମସ୍ଯା, ଯେପରିକି ନୂତନ ଫ୍ଲାଟ ଗୁଡିକର ପଞ୍ଜୀକରଣକୁ ସରଳୀକରଣ କରାଯାଇଛି, ଯେଉଁଥିପାଇଁ ଲୋକେ ଦୌଡି ଦୌଡି ନୟାନ୍ତ ହେଉଥିଲେ ।
ଜଳ ସମ୍ପଦ
ଆମ ରାଜ୍ୟ ଏକ କୃଷି ପ୍ରଧାନ ଦେଶ। ଯଦି ଅନ୍ନଦାତାଙ୍କ ଜମିକୁ ଜଳ ପ୍ରଦାନ କରାଯାଇ ପାରିବ, ତେବେ ତାଙ୍କ ସମସ୍ଯାର ଅଧା ସମାଧାନ ହୋଇଯିବ। କିନ୍ତୁ, ଗତ ସରକାର ଅମଳରେ ଜଳ ସେଚନ ନାଁରେ ରାଜୀବ ଭବନକୁ ଠିକାଦାରଙ୍କ ଆଡ୍ଡାସ୍ଥଳୀ ଭାବେ ପରିଣତ କରାଯାଇଥିଲା। କିନ୍ତୁ, ଆମ ସରକାର ଆସିବା ପରେ ତାହାକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି।
୬ ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ (ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍) ର ସମ୍ପୂର୍ଣ୍ଣକରଣ ଫଳରେ ୫୦ ଗୋଟି ଗ୍ରାମରେ ୯୦୮.୪୨ ହେକ୍ଟର-ମିଟର ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଛି ।
ଏଥି ସହିତ ୭୮ ହଜାର ୫୭୨ ହେକ୍ଟର କମାଣ୍ଡ ଅଞ୍ଚଳକୁ ସାମିଲ କରି ୧ ହଜର ୯୪୧ କିଲୋମିଟର ଦୀର୍ଘ ଆର.ସି.ସି.-ଲାଇନ୍ଡ୍ Field Channels ନିର୍ମାଣ ମାଧ୍ୟମରେ ଚାଷଜମି ପର୍ଯ୍ୟନ୍ତ ଜଳ ପହଞ୍ଚାଇବା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।
ଭୂତଳ ପାଇପଲାଇନ ଏବଂ ଖୋଲା କେନାଲ୍ ବ୍ୟବସ୍ଥା ମାଧ୍ୟମରେ ୨୨ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବଣ୍ଟନ ପ୍ରଣାଳୀ ସମ୍ପୂର୍ଣ୍ଣ ହୋଇଛି, ଯାହା ୫ ହଜାର ୭୦୩ ହେକ୍ଟରରୁ ଅଧିକ ଜମିରେ ଜଳସେଚନ କ୍ଷମତା ସୃଷ୍ଟି କରିଛି ।
ଆନନ୍ଦପୁର ବ୍ୟାରେଜ୍, ଲୋୟର ସୁକତେଲ ଏବଂ କୁସୁମୀ ବ୍ୟାରେଜ୍ ଅଧୀନରେ ପ୍ରମୁଖ ଭୂତଳ ପାଇପଲାଇନ ବ୍ୟବସ୍ଥାର ମଧ୍ୟ ବିକାଶ କରାଯାଇଛି, ଯାହା ୪ ହଜାର ୫୧୩ ହେକ୍ଟର କମାଣ୍ଡ ଅଞ୍ଚଳକୁ ଜଳ ଯୋଗାଇ ଦେଉଛି ।
୨୭ ହଜାର ୩୨୫ ଟି ନୂତନ ଉଠା ଜଳସେଚନ ମାଧ୍ୟମରେ ୧ ଲକ୍ଷ ୮୨ ହଜାର ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହୋଇଛି।
ବୃହତ ଉଠା ଜଳସେଚନ କାର୍ଯ୍ୟ ଦ୍ୱାରା ୬ ହଜାର ୧୭୧ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହୋଇଥିବା ବେଳେ ‘ଗଙ୍ଗାଧର ମେହେର ଉଠା କେନାଲ୍ ସମ୍ପ୍ରସାରଣ ପ୍ରକଳ୍ପ’ ମାଧ୍ୟମରେ ୩୧ ହଜାର ୩୧୮ ହେକ୍ଟର ଜମିକୁ ନିଶ୍ଚିତ ଜଳସେଚନ ଅଧୀନକୁ ଅଣାଯାଇଛି ।
ଆଗାମୀ ଚାରି ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ ପ୍ରଦାନ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ଏବଂ ସେହି ଅନୁସାରେ କାର୍ଯ୍ୟରତ ଅଛୁ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ
ଆମ ରାଜ୍ୟର ପ୍ରାୟ ୪୦ ପତିଶତ ଜନସଂଖ୍ୟା ହେଉଛନ୍ତି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର, କେବଳ ଜନଜାତି ହେଉଛନ୍ତି ୨୪ ପ୍ରତିଶତ। ତେଣୁ, ଆମ ସରକାର ହୃଦୟଙ୍ଗମ କରିଛନ୍ତି ଯେ ଯଦି ଏହି ବର୍ଗର ଉନ୍ନତି ନ ହେବ ସମୃଦ୍ଧ ଓଡିଶାର ଲକ୍ଷ୍ୟ ହାସଲ କରିବା ଅସମ୍ଭବ।
ଅଷ୍ଟମ ଏବଂ ଦଶମ ଶ୍ରେଣୀ ପରେ ଅନୁସୂଚିତ ଜନଜାତି ଛାତ୍ରମାନଙ୍କ ମଧ୍ୟରେ ଡ୍ରପ୍ ଆଉଟ୍ ହାରକୁ ହ୍ରାସ କରିବା ପାଇଁ ଆରମ୍ଭ କରାଯାଇଥିବା ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଅଧୀନରେ ଗତ ଦୁଇ ବର୍ଷରେ ୧ ହଜାର ୬୧୬ କୋଟି ରୁ ଉର୍ଦ୍ଧ୍ଵ ୩ ଲକ୍ଷ୍ ୨୨ ହଜାର ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।
ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣ ପ୍ରକ୍ରିୟା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ୧ ଡିସେମ୍ବର ୨୦୨୫ ଠାରୁ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଛାତ୍ରଙ୍କ ମେସ୍ ପରିଚାଳନା ପାଇଁ ବାର୍ଷିକ ଛାତ୍ରବୃତ୍ତିକୁ ୧୬ ହଜାର ଟଙ୍କା ଏବଂ ଛାତ୍ରୀ ଅନ୍ତେବାସୀମାନଙ୍କ ପାଇଁ ୧୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଫଳରେ ୫ ଲକ୍ଷ୍ ୫୫ ହଜାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।
ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ଛାତ୍ରଛାତ୍ରୀମାନଙ୍କୁ ବିଶେଷକରି, ଇଞ୍ଜିନିଅରିଂ ଓ ମେଡିକାଲ ପରି ବୈଷୟିକ ଶିକ୍ଷାରେ ସେମାନେ ସୁଯୋଗ ପାଇଁ ବୈଷୟିକ ଶିକ୍ଷାରେ ଜନଜାତି ବର୍ଗଙ୍କ ସଂରକ୍ଷଣକୁ ୧୨ ପ୍ରତିଶତରୁ ୨୨.୫୦ ପ୍ରତିଶତ ଏବଂ ଅନୁସୂଚିତ ଜାତି ବର୍ଗଙ୍କ ସଂରକ୍ଷଣକୁ ୮ ପ୍ରତିଶତରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି କରାଯାଇ ସେମାନଙ୍କ ଜନସଂଖ୍ୟା ସମାନୁପାତିକ ସଂରକ୍ଷଣ କରାଯାଇଛି । SEBC ମାନଙ୍କ ପାଇଁ ପୂର୍ବରୁ କୌଣସି ସଂରକ୍ଷଣ ନଥିଲା, ଏହାକୁ ୧୧.୨୫ ପ୍ରତିଶତ କରାଯାଇଛି । ମୁଁ ଆଜି ଏହି ବର୍ଗର ଲୋକଙ୍କୁ କହିବାକୁ ଚାହୁଁଛି ଯେ ସରକାର ଆପଣଙ୍କ ବିକାଶ ପାଇଁ ସଦା ସର୍ବଦା ରହିଛି ଏବଂ ରହିବ। ଆମ ସରକାର କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି। ଯାହା କହିଥିଲୁ, ତାକୁ ଗୋଟି ଗୋଟି କରି ପୂରଣ କରୁଛୁ।
ସାମାଜିକ ସୁରକ୍ଷା
ରାଜ୍ୟରେ ମଧୁବାବୁ ପେନ୍ସନ ଯୋଜନାରେ ୩୬ ଲକ୍ଷ ୭୫ ହଜାର ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି । ୮୦ ବର୍ଷ ବୟସରୁ ଅଧିକ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ମାନଙ୍କୁ ମାସିକ ୩,୫୦୦ ଟଙ୍କା ଭତ୍ତା ଦିଆଯାଉଛି ।
ମଧୁବାବୁ ପେନସନ୍ ଯୋଜନାରେ ସେଚୁରେସନ ମୋଡ ପାଇଁ ଆଉ ୬ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ାଯାଇ ରାଜ୍ୟର ସମସ୍ତ ଯୋଗ୍ୟ ଆଶାୟୀଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯିବ । ଜାତୀୟ ସାମାଜିକ ସୁରକ୍ଷା ପେନସନରେ ଟେକ୍ନିକାଲ ସମସ୍ୟା ଯୋଗୁ ପେନସନ ପ୍ରଦାନରେ ବିଳମ୍ବ ଘଟିଛି। ଏହାର ସମାଧାନ କରାଯାଉଛି। ଖୁବଶୀଘ୍ର ହିତାଧିକାରୀ ମାନେ ପେନସନ ପାଇବେ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ଭାରତ ସରକାରଙ୍କ ଅର୍ଥନୈତିକ ସର୍ଭେ ୨୦୨୫-୨୬ରେ ଓଡ଼ିଶାର ଦକ୍ଷତା ମଡେଲକୁ ସର୍ବୋତ୍ତମ ଅଭ୍ୟାସ ମଧ୍ୟରୁ ଗୋଟିଏ ଭାବରେ ସ୍ଥାନିତ କରାଯାଇଛି ।
୫୦୦ କୋଟି ଟଙ୍କାର ବ୍ୟୟବରାଦ ସହ ୫ଟି ଆଇ.ଟି.ଆଇ.କୁ ‘ଉତ୍କର୍ଷ ଆଇ.ଟି.ଆଇ.’ ଭାବେ ନବୀକରଣ କରାଯିବ ।
୪୭ଟି ଆଇ.ଟି.ଆଇ.ରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ପ୍ରତିଷ୍ଠା କରାଯାଉଛି। ୧୩ ଟି ଆଇ.ଟି.ଆଇ.ରେ Artificial Intelligence Lab ପ୍ରତିଷ୍ଠା କରାଯାଉଛି । ପ୍ରସିଦ୍ଧ ୱାର୍ଲଡ ସ୍କିଲ୍ ସେଣ୍ଟର’ର ଦୁଇଟି କ୍ୟାମ୍ପସ୍ ସମ୍ୱଲପୁର ଓ ବ୍ରହ୍ମପୁର ରେ ପ୍ରତିଷ୍ଠା କରାଯିବ ।
ଜଗତସିଂହପୁର ଜିଲ୍ଲା ପାରାଦୀପ ଏବଂ ବଲାଙ୍ଗିରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହେବ
ପଞ୍ଚାୟତି ରାଜ ଓ ପାନୀୟ ଜଳ
ସମସ୍ତଙ୍କ ପାଇଁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୨୦୨୭ ସୁଦ୍ଧା ସମସ୍ତ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ କରାଯିବ । ଗତ ୨ ବର୍ଷରେ ୧୫ ହଜାର ୨୦୦ ରୁ ଅଧିକ ଘରକୁ ପାଇପ୍ ପାଣି ଯୋଗାଇ ଦିଆଯାଇଛି । ଅଧିକ ୩ ଲକ୍ଷ ୫୨ ହଜାରରୁ ଅଧିକ ପରିବାରକୁ ଟ୍ୟାପ୍ କନେକ୍ସନ୍ ଯୋଗାଇ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୩୫ ଲକ୍ଷ ଯୋଗ୍ୟ ପରିବାରଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ।
ରାଜ୍ୟରେ ଗତ ୨ ବର୍ଷ ମଧ୍ୟରେ ୨ ହଜାରରୁ ଅଧିକ କିଲୋମିଟର ଗାଁ-ଭିତର ରାସ୍ତା ନିର୍ମାଣ କରାଯାଇଛି । ଏହାସହିତ ୭୩୫ କିଲୋମିଟର ରାସ୍ତା ନିର୍ମାଣ କରାଯାଇ ଗାଁ’କୁ ଗାଁ ଯୋଡ଼ା ଯାଇଛି । (Intra Village and Inter Village)
ପର୍ଯ୍ୟଟନ
ଓଡିଶାର ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥଳୀ କୁ ଚବିଶ ବର୍ଷୀଆ ସରକାର ସଂପୂର୍ଣ୍ଣ ଭୁଲିଯାଇଥିଲେ। ଜାତୀୟ ଏବଂ ବିଶ୍ୱ ପ୍ଲାଟଫର୍ମରେ ଓଡ଼ିଶାକୁ ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ଭାବରେ ପରିଣତ କରି ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିବାକୁ ନୂତନ ପର୍ଯ୍ୟଟନ ଟ୍ୟାଗଲାଇନ୍ ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ଗ୍ରହଣ କରାଯାଇଛି।
ପ୍ରାୟ ୬୭୮ କୋଟି ୪୮ ଲକ୍ଷ ଟଙ୍କା ବିନିଯୋଗ ସହିତ ରାଜ୍ୟ ସାରା ୨୦୮ ଟି ପର୍ଯ୍ୟଟନ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି । ପୁରୀର ଶାମୁକା ପ୍ରକଳ୍ପ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି। ଓଡ଼ିଶାର ସାଂସ୍କୃତିକ ପ୍ରସାରକୁ ସୁଦୃଢ଼ କରିବା ପାଇଁ ବେଙ୍ଗାଲୁରୁ, ଗୁଆହାଟୀ ଏବଂ ଅହମଦାବାଦରେ ଓଡ଼ିଶା ପର୍ବ ଆୟୋଜିତ କରାଯାଇଛି ।
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ୧୫ ହଜାର ୯୬୧ ଏବଂ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୪,୫୫୧ ଉପକୃତ ହୋଇଛନ୍ତି ।
ଆମେ ଓଡିଶାକୁ ଭାରତୀୟ ତଥା ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ (First Destination) ଭାବେ ଗଢି ତୋଳୁଛୁ।
ଶକ୍ତି
ଶକ୍ତି କ୍ଷେତ୍ରରେ ବ୍ୟାପକ ସଂସ୍କାର କରାଯାଉଛି ଏବଂ ତୀବ୍ର ଗତିରେ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଗତ ଦୁଇ ଆର୍ଥିକ ବର୍ଷରେ କୌଣସି ବିଦ୍ୟୁତ ଦର ବୃଦ୍ଧି ବିନା ଶୁଳ୍କ ସ୍ଥିରତା ବଜାୟ ରହିଛି ।
୪,୪୭୯ PVTG ଜନମନ ପରିବାରକୁ ବିଦ୍ୟୁତୀକୃତ କରାଯାଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୩୯ ହଜାର ୭୬୦ ଗ୍ରାମୀଣ ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି । ଆଗାମୀ ୨୦୨୭ ସୁଦ୍ଧା ସବୁ ଗ୍ରାମକୁ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ
୨୪ ବର୍ଷୀଆ ଶାସନରେ ଓଡିଶାବାସୀ ସେମାନଙ୍କ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀଙ୍କୁ ନିଜ ଗୁହାରି ଶୁଣାଇବା ଭୁଲି ଯାଇଥିଲେ। କିନ୍ତୁ, ଆମ ସରକାର ଆସିବାମାତ୍ରେ ପୁଣିଥରେ ପ୍ରତ୍ଯେକ୍ଷ ଜନଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ସୋମବାର ଦିନ ଅନୁଷ୍ଠିତ ହେଉଥିବା ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ମାଧ୍ୟମରେ ଗତ ୨ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମୋଟ ୧୪ ହଜାର ୬୫୧ଟି ଅଭିଯୋଗ ଗ୍ରହଣ କରାଯାଇ ୯୫ ପ୍ରତିଶତ ସମାଧାନ କରାଯାଇଛି । ଏଥିସହିତ ଜିଲ୍ଲା ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଫଳତା ପୂର୍ବକ ଅନୁଷ୍ଠିତ ହେଉଛି।
ଗତ ୨ ବର୍ଷରେ ଓଡ଼ିଶା ସରକାରଙ୍କ ଦ୍ୱାରା ମୋଟ ୧୫ଟି ନିଯୁକ୍ତି ମେଳା ମାଧ୍ୟମରେ ୨୭ଟି ବିଭାଗର ୪୪ ହଜାର ୧୨୮ଟି ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି ।
ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅଧୀନରେ ୩୨ଟି ବିଭାଗ ସମ୍ବନ୍ଧୀୟ ୪୫୧ଟି ଜନସେବାକୁ ଅଧିସୂଚିତ କରାଯାଇଛି ।
କ୍ରୀଡା ଓ ଯୁବ ସେବା
ଗତ ୨୪ ମାସ ମଧ୍ୟରେ ଓଡ଼ିଶାରେ ଆମେ କ୍ରିଡା ଭିତ୍ତିଭୂମିକୁ ସମ୍ପ୍ରସାରଣ କରି ଓଡିଶାକୁ ବିଶ୍ଵ କ୍ରିଡା ମାନଚିତ୍ରରେ ପ୍ରତିଷ୍ଠା କରିଛୁ।
ଭାରତର ଇତିହାସରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବା ‘ବିଶ୍ୱ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୮’ ଏବଂ ଏସୀଆନ୍ ଇଣ୍ଡୋର ଆଥ୍ଲେଟିକ୍ ଚମ୍ପିଆନ୍ସିପ୍ ୨୦୨୮ ର ଆୟୋଜକ ଦାୟିତ୍ଵ ଓଡ଼ିଶାକୁ ମିଳିବା ଏହାର ପ୍ରମାଣ।
ତୃଣମୂଳ ସ୍ତରର ଭିତ୍ତିଭୂମି ବିକାଶ ପାଇଁ ୪ ହଜାର ୧୨୪ କୋଟି ଟଙ୍କାର ଏକ ବିଶାଳ ପାଣ୍ଠି ନିବେଶ କରିଛନ୍ତି। ଏଥିରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରାଯାଇ “ପଡ଼ିଆରୁ ପୋଡିୟମ୍” ଦୃଷ୍ଟିକୋଣକୁ ବାସ୍ତବ ରୂପ ଦିଆଯିବ । ଭାରତୀୟ କ୍ରୀଡ଼ା ଇତିହାସରେ କୌଣସି ରାଜ୍ୟ ଦ୍ୱାରା କରାଯାଇଥିବା ସର୍ବବୃହତ ନିବେଶ ।
ଗତ କିଛି ମାସ ମଧ୍ୟରେ ଓଡିଶାର ପ୍ରତିଯୋଗୀମାନେ ବିଭିନ୍ନ ଜାତୀୟ ପ୍ରତିଯୋଗୀତାରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଓଡ଼ିଶା ପୁରୁଷ ହକି ଦଳ ପ୍ରଥମ ଥର ପାଇଁ ସିନିୟର ନ୍ୟାସନାଲ ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛି ।
ସୁପରିଚାଳନା
ଆର୍ଥିକ କ୍ଷେତ୍ରରେ ଶୃଙ୍ଖଳା ରକ୍ଷାକରି ଆମେ ୨୦୨୪-୨୫ରେ ୭.୨ ପ୍ରତିଶତ ଏବଂ ୨୦୨୫-୨୬ରେ ୭.୯ ପ୍ରତିଶତ ଅଭିବୃଦ୍ଧି ହାସଲ କରି ଜାତୀୟହାର ଠାରୁ ଉପରେ ରହିଛୁ।
ଆମ ସରକାର ଅନେକ ଜନମଙ୍ଗଳ ଯୋଜନା କାର୍ଯ୍ୟକାରୀ କଲେ ସୁଦ୍ଧା ବିତ୍ତୀୟ ପରିଚାଳନା ଅନୁଶାସନକୁ ନେଇ କୌଣସି ସାଲିସ କରିନାହାନ୍ତି।
ଆର୍ଥିକ ସୁପରିଚାଳନା ପାଇଁ ନୀତି ଆୟୋଗ ସହିତ ଅରୁଣ ଜେଟ୍ଲୀ ନେସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟର ରିପୋର୍ଟରେ ଓଡିଶା ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ଭାବେ ମାନ୍ୟତା ପାଇଛି।
ଡବଲ ଇଞ୍ଜିନ ସରକାରର ସଫଳତା
ବିରୋଧୀଦଳ ଗତ ଦୁଇ ବର୍ଷ ହେଲା ଆମକୁ ପଚାରୁଛନ୍ତି ‘ଡବଲ ଇଞ୍ଜିନ ସରକାରରେ ଓଡିଶା ପାଇଲା କ’ଣ’। ଏହାର ସଦ୍ୟତମ ଉଦାହରଣ ହେଉଛି ଦିଘା ଜଗନ୍ନାଥ ମନ୍ଦିରରୁ ଅମର୍ଯ୍ୟାଦିତ ‘ଧାମ’ ଶବ୍ଦକୁ ହଟାଇବା। ଏହା ବ୍ଯତୀତ, ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୯୦ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ, ୩୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ସଡକ ପ୍ରକଳ୍ପ ଏବଂ ଅନେକ କେନ୍ଦ୍ରୀୟ ସଂସ୍ଥାର ନିର୍ମାଣ ଚାଲିଛି। ରାମେଶ୍ଵର-ଟାଙ୍ଗୀ ଏବଂ ଅଳ୍ପ କିଛିଦିନ ତଳେ ରାମେଶ୍ଵର-ପାରାଦୀପ ତଟ୍ଟୀୟ ରାସ୍ତା ଡବଲ ଇଞ୍ଜିନ ସରକାରର ସଫଳତାର ପ୍ରତୀକ।
ବିକାଶକୁ ଗତି ଦେବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଭୁବନେଶ୍ବର-କଟକ-ପୁରୀ-ପାରାଦୀପ କରିଡରକୁ ବହୁତ କମ ଦିନ ମଧ୍ୟରେ ଅନୁମୋଦନ କରିଥିଲେ ଯାହା ଯାହା ଏହି ଅଞ୍ଚଳର ଆର୍ଥିକ ଓ ସାମାଜିକ ଚିତ୍ର ପରିବର୍ତ୍ତନ କରିବ। ଭୁବନେଶ୍ବରକୁ ମଧ୍ୟ ଗ୍ରେଟର ଭୁବନେଶ୍ବର ଭାବେ ବିକଶିତ କରାଯିବ।
ଓଡିଆ ଭାଷା ଓ ସଂସ୍କୃତି
ପ୍ରଥମ କ୍ଯାବିନେଟରେ ଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ପ୍ରଦାନ କରିବା ଏବଂ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲା ଯିବା ଜଗନ୍ନାଥ ସଂସ୍କୃତି ଓ ଓଡିଆ ଅସ୍ମିତାର ଆମର ପ୍ରତିବଦ୍ଧତା। ଜଗନ୍ନାଥ ମନ୍ଦିରର ବିକାଶ ସହିତ ତାରିଣୀ, ତାରା ତାରିଣୀ ପରି ପ୍ରସିଦ୍ଧ ଧର୍ମସ୍ଥଳୀ ଗୁଡିକର ବିକାଶ ଓ ସୌନ୍ଦର୍ଜିକରଣ କରିବା କାମ ଆମ ସରକାର କରୁଛନ୍ତି।
ଆମ ସରକାର ଆସିବାମାତ୍ରେ ସରକାରୀ କାର୍ଯ୍ୟକୁ ଓଡିଆ ଭାଷାରେ ବ୍ୟବହାର କରିବା ପାଇଁ କଡା ନିର୍ଦ୍ଦେଶ ଦିଆ ଯାଇଥିଲା। ଏବେ ଆପଣମାନେ ଅନୁଭବ କରି ପାରୁଥିବେ, କିପରି ଓଡିଆ ଭାଷାର ବହୁଳ ବ୍ୟବହାର ହେଉଛି। କିନ୍ତୁ, ଏହି କାମ ୨୪ ବର୍ଷୀୟା ସରକାର କାହିଁକି କରି ପାରି ନ ଥିଲେ। କାରଣ ପୂର୍ବ ସରକାର ଚଲାଉଥିବା ବ୍ୟକ୍ତି ଓ ନେତାଙ୍କ ଓଡିଆ ଭାଷା ପ୍ରତି କୌଣସି ଆଗ୍ରହ ଓ ଅନୁରାଗ ନ ଥିଲା। ତେଣୁ ଓଡିଶା ଭାଷାକୁ ପ୍ରଚାର ପ୍ରସାର ନ କରିବା ପାଇଁ ଅନାଗ୍ରହ କୌଣସି ସଂଯୋଗ ନୁହେଁ। ଏହି ପରିପ୍ରେକ୍ଷିରେ ଗଙ୍ଗାଧର ମେହେରଙ୍କ ଦୁଇଟି ପଂକ୍ତି ମୋର ମନେପଡେ,
ମାତୃ ଭୂମି ମାତୃଭାଷାର ମମତା
ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ।
ବିକାଶ ଏକ ନିରନ୍ତର ପ୍ରକ୍ରିୟା । ଏ ପ୍ରକ୍ରିୟାରେ ସରକାର ଓ ଜନସାଧାରଣ ଏକ ସ୍ୱରରେ ଗୋଟିଏ ଲକ୍ଷ୍ୟ ନେଇ କାମ କଲେ ସଫଳତା ପ୍ରାପ୍ତି ହୁଏ । ଓଡ଼ିଶାରେ ଆମ ସରକାର ଆସିବା ପରେ ଏକ ନୂତନ ଆଶା, ଉଦ୍ଦୀପନା ଓ ଲକ୍ଷ୍ୟ ନେଇ ଆମେ ଓଡ଼ିଶାର ସାଢ଼େ ଚାରିକୋଟି ଜନସାଧାରଣଙ୍କୁ ସାଥିରେ ନେଇ ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ପଥରେ ଅଗ୍ରଗତି କରୁଛୁ ଏବଂ ଏ ଲକ୍ଷ୍ୟ ନିଶ୍ଚିତ ଭାବରେ ହାସଲ ହେବ ।
କିନ୍ତୁ, ମୁଁ କହି ରଖିବାକୁ ଚାହେଁ ଯେ ତଥାକଥିତ ୨୪ ବର୍ଷୀଆ ସୁଶାସନ ସମୟରେ ଓଡିଶାର ବିକାଶ କାର୍ଯ୍ୟକୁ କେବଳ ପ୍ରଚାର-ସର୍ବସ୍ଵ କରିଦେଇଥିଲେ। ମୁଁ ଅନେକ ଉଦାହରଣ ଦେଇ ପାରିବି। ଆପଣମାନେ ସମସ୍ତେ ଜାଣିଥିଲେ କିପରି ଓଡିଶାର ପ୍ରକଳ୍ପ ସବୁ କେବଳ ଗୋଟିଏ ବ୍ୟକ୍ତିର Whims & Fancy ରେ ଚାଲିଥିଲା, କୌଣସି ଆନୁଷ୍ଠାନିକ ବା ସଂସ୍ଥାଗତ କାର୍ଯ୍ୟ ଭାବେ ନୁହେଁ। ଉଦାହରଣ ସ୍ୱରୂପ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ। ତାହା କିପରି ଭାବେ କାର୍ଯ୍ୟକାରୀ କରାଯାଇଥିଲା, ତାହା ଆପଣମାନେ ଜାଣିଛନ୍ତି ।
ଏହି ସବୁ ଐତିହାସିକ ଭୁଲକୁ ଆମ ସରକାର ସୁଧାରୁଛନ୍ତି। ପୁଣିଥରେ recruitment ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି। ରାଜ୍ୟରେ Odisha SITI (State Institute for Transformative Initiatives) ପ୍ରତିଷ୍ଠିତ ହୋଇଛି, ଯାହା ବିକାଶକୁ ସଂସ୍ଥାଗତ କ୍ଷମତା ଦେବ, କୌଣସି ବ୍ୟକ୍ତିର ନିଜସ୍ଵ ଇଚ୍ଛା ନୁହେଁ।
ବନ୍ଧୁଗଣ,
ଆଜିର ଏହି ଅବସରରେ ମୁଁ ଆପଣଙ୍କ ମାଧ୍ୟମରେ ଓଡିଶାବାସୀଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କ ସରକାର ନିରନ୍ତର ଭାବେ ବିକାଶ କରୁଛନ୍ତି। ମୁଁ ଜାଣିଛି ଆପଣଙ୍କର ଅନେକ ଆଶା ଆକାଂକ୍ଷା ଅଛି ଯାହାକୁ ପୂରଣ କରିବାକୁ ଆମ ସରକର କାୟୋମନବାକ୍ୟରେ ଚେଷ୍ଟା କରୁଛନ୍ତି।
ବିଗତ ସରକାରଙ୍କ ଅପାରଗତା ଫଳରେ କିଛି ପ୍ରତିବନ୍ଧକ ସୃଷ୍ଟି ହେଉଛି, ଯାହାକୁ ମୁଁ ବ୍ୟକ୍ତିଗତ ଭାବେ ଦୂର କରିବାକୁ ଚେଷ୍ଟା କରୁଛି। ଗତ ଦୁଇ ବର୍ଷ ମଧ୍ୟରେ ମୋତେ ଏବଂ ମୋରି ସରକାରଙ୍କୁ ଅକୁଣ୍ଠ ସମର୍ଥନ ଦେଇ ଥିବାରୁ ଓଡିଶାବାସୀଙ୍କୁ ଅନେକ ଅନେକ ଧନ୍ୟବାଦ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଓଡ଼ିଶା ପ୍ରତି ଆଶୀର୍ବାଦ ରହିଛି । ତାଙ୍କ ଆଶୀର୍ବାଦ ଆମକୁ ପ୍ରତ୍ୟେକଟି ଅଭିଯାନରେ ସଫଳ କରିବ ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶାର ଲକ୍ଷ୍ୟ ହାସଲ କରିବାରେ ସହାୟ ହେବେ।