Odisha news

ଭାଙ୍ଗିଲା ରତ୍ନ ଭଣ୍ଡାର କମିଟି : ନୂଆ କମିଟି ଗଠନ କଲେ ମୋହନ ସରକାର

0

ଭୁବନେଶ୍ୱର:  ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ଯାଞ୍ଚ ସହ ଅଳଙ୍କାର ଗଣନା ପାଇଁ ନବୀନ ପଟ୍ଟନାୟକ ସରକାର ଗଢ଼ିଥିବା କମିଟିକୁ ଭଙ୍ଗ କରି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟର ମୋହନ ମାଝୀ ସରକାର ।ରତ୍ନଭଣ୍ଡାର ଯାଞ୍ଚ ପାଇଁ ଆଜି ହେବାକୁ ଥିବା ବୈଠକରେ ଯୋଗ ଦେବାକୁ  ଓଡ଼ିଶା ଆସିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରଜିତ୍ ପଶାୟତ । ମାତ୍ର ଏହାପୂର୍ବରୁ ସରକାର ଏହି କମିଟିକୁ ଭଙ୍ଗ କରିଦେଇଛନ୍ତି । ଆଇନ ବିଭାଗ ପକ୍ଷରୁ  ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଅଳଙ୍କାର ଗଣନାର ତଦାରଖ ପାଇଁ ୨୦୨୪ ମାର୍ଚ୍ଚ ୨ତାରିଖରେ ଗଠିତ ଉଚ୍ଚସ୍ତରୀୟ କମିଟିକୁ ରାଜ୍ୟ ସରକାର ଭାଙ୍ଗି ଦେଇଛନ୍ତି । ଏହି କମିଟି ପରିବର୍ତ୍ତେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କମିଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ହେବାକୁ ଥିବା ରତ୍ନଭଣ୍ଡାରର ଗଣନା ଆଦିର ତଦାରଖ କରିବେ ।  ଡାକ୍ତର ସିବିକେ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜାଙ୍କ ପ୍ରତିନିଧି, ପ୍ରତ୍ନତତ୍ତ୍ୱ ବିଭାଗର ପ୍ରତିନିଧି, ମଧୁସୂଦନ ସିଂଘାରୀ, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲ୍ଲାପାଳ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ସାମିଲ କରାଯାଇଛି ।

Leave A Reply